Unknown

 

 

 

 

 

 

 

 

 

 

ଜଙ୍ଗଲ ସମ୍ରାଟ ତାରଜନ୍‌

(ପ୍ରଥମ ଖଣ୍ଡ)

ଅକ୍ଷୟ କୁମାର

 

ଏକ

 

ମିଷ୍ଟର ସିଂ ତମ୍ବୁଗୁଡ଼ାକର ଏପରି ଅବସ୍ଥା ଦେଖି ଉତ୍ତେଜନା ଏବଂ ଲଜ୍ଜାରେ ଥରୁଥିଲେ ଗୋଟାପରି । ମୁହଁ ତାଙ୍କର ଲାଲ ପଡ଼ିଯାଇଥିଲା । ରଣନିବୃତ୍ତ ଗୋଟାଏ ଅରଣା ମଇଁଷି ପରି ଫଁ ଫଁ ନିଃଶ୍ୱାସ ସେ ଛାଡ଼ୁଥିଲେ । ଆଉ ତା’ ସଙ୍ଗେ ସଙ୍ଗେ ଚୁରୁଟରେ ଦୀର୍ଘଟାଣ ଗୋଟାଏ ଗୋଟାଏ ମାରି ରେଲଇଞ୍ଜିନ୍‌ରୁ ଧୂଆଁ ବାହାରିବାର ଦୃଶ୍ୟ ସୃଷ୍ଟି କରୁଥିଲେ ଖୁବ୍ ଘନ ଘନ ଭାବରେ ।

 

ଘଟନାଟା ଯାହା ଘଟିଥିଲା, ସେଥିରେ ଲଜ୍ଜା ଏବଂ ଉତ୍ତେଜନା ବଦଳରେ ବରଂ ଭୟ କରିବାର ଯଥେଷ୍ଟ କାରଣ ଥିଲା । ମାତ୍ର ଭୟଟା କି ପଦାର୍ଥ ତାହା ସହଜ ପରିଚୟ ନଥିଲା ମିଷ୍ଟର ସିଂହଙ୍କର ଜନ୍ମରୁ । ତେଣୁ ତାଙ୍କ ପ୍ରକୃତିରେ ସେଇ ଗୋଟାଏ ଗୁଣ ସବୁବେଲେ ବାଦ୍ ପଡ଼ିଯାଉଥିଲା ।

 

ଏଇ ଗୁଣଟାହିଁ ତାଙ୍କ ଜୀବନର ମୂଳଦୁଆ ଗଢ଼ିଦେଇଥିଲା । ନିର୍ଭୀକ ହେତୁ ସେ ଦୁଃସାହସୀ ଥିଲେ ଏବଂ ସମସ୍ତଙ୍କର ପ୍ରଶଂସାଭାଜନ ହୋଇଥିଲେ । ଏହି ପ୍ରଶଂସାହିଁ ତାଙ୍କୁ ଉତ୍ସାହିତ କରିଥିଲା ଏବଂ ଜୀବନରେ ଦୁଃସାହସିକ ପଦକ୍ଷେପ ପ୍ରତି ସେ ଆଗ୍ରହ ପ୍ରକାଶ କରୁଥିଲେ-। ଶାରୀରିକ ଶକ୍ତିର ଏକାନ୍ତ ପ୍ରୟୋଜନୀୟତା ମଧ୍ୟ ସେ ଅନୁଭବ କରିଥିଲେ ଏବଂ ନିୟମିତ ବ୍ୟାୟାମଦ୍ଵାରା ନିଜର ଦେହକୁ ପୁଷ୍ଟ, ବଳିଷ୍ଠ କରିପାରିଥିଲେ । ଶିକ୍ଷାଗତ ଯୋଗ୍ୟତା ଏବଂ ବୁଦ୍ଧିମତ୍ତା ଅପେକ୍ଷା ଶାରୀରିକ ଶକ୍ତି ଉପରେ ତାଙ୍କର ଆସ୍ଥା ଖୁବ୍ ବେଶି ଥିଲା, ଯଦିଓ ସେ ଉଚ୍ଚଶିକ୍ଷିତ ଏବଂ ବୁଦ୍ଧିମାନ୍ ଥିଲେ ।

 

ପ୍ରତ୍ୟେକ କାମରେ ନିଜର ଶକ୍ତି ଉପରେ ନିର୍ଭର କରୁଥିବା ଯୋଗୁଁ ସେ ଆତ୍ମନିର୍ଭରଶୀଳ, କର୍କଶ ଓ ନିଷ୍ଠୁରଭାବାପନ୍ନ ଥିଲେ । ଏକାନ୍ତ ନିର୍ଦ୍ଦୟ ନ ହେଲେବି ଦୟାର ମାତ୍ରା ତାଙ୍କଠାରେ ଯଥେଷ୍ଟ କମ୍ ଥିଲା । ଏହିସବୁ କାରଣରୁ ତାଙ୍କ ପ୍ରତି ଲୋକମାନଙ୍କର ଗୋଟାଏ ପରୋକ୍ଷ ଭୟଭାବ ରହିଯାଇଥିଲା ।

 

କର୍ମସଂସ୍ଥାନ ଦିଗରେ ମଧ୍ୟ ସୁଦୀପ ସିଂ ସେହିପରି ଏକ ପନ୍ଥାର ଆଶା କରିଥିଲେ । ତେଣୁ ଶାସନବିଭାଗର କୌଣସି ପଦରେ ରହିବା ଅପେକ୍ଷା ସାମରିକ ବିଭାଗକୁ ସେ ପସନ୍ଦ କରିଥିଲେ । କିନ୍ତୁ ତାଙ୍କର ଦୁର୍ଭାଗ୍ୟ, ସାମାନ୍ୟ ଛୋଟା ଥିବା ଦୋଷରୁ ତାଙ୍କୁ ସେ ବିଭାଗର ଅଯୋଗ୍ୟ ବୋଲି ବିବେଚନା କରାଗଲା । ଏହାପରେ ସେ ଜଣେ ଫରେଷ୍ଟ ଅଫିସର ହିସାବରେ ଚାକିରି ପାଇଲେ ମହାରାଷ୍ଟ୍ର ଏଇ ପାହାଡ଼ିଆ ଜଙ୍ଗଲରେ ।

 

ଚାକିରିଟା ନିତାନ୍ତ ମନ୍ଦ ଲାଗିଲାନି ତାଙ୍କୁ । ଦାୟିତ୍ଵବିହୀନ ଜୀବନ, ନିବିଡ଼ ଅରଣ୍ୟ ନିବାସ, ସବୁବେଳେ ବନ୍ୟ ପଶୁପକ୍ଷୀ, ବନ୍ୟ ପ୍ରକୃତି ସହିତ ମିଳାମିଶା, ଏଥିରେ ତାଙ୍କର ସ୍ଵଭାବ ଆହୁରି ରୁକ୍ଷ ହୋଇପଡ଼ିଥିଲା ବରଂ କିଛି ପରିବର୍ତ୍ତନ ହୋଇ ନଥିଲା । ନିଷ୍ଠୁର ପ୍ରକୃତି ସହିତ ସଦାସର୍ବଦା ବାନ୍ଧିହୋଇ ରହିବା ଫଳରେ ତାଙ୍କର ଚେହେରା ରୁକ୍ଷ, କଠିନ, କର୍କଶ ହୋଇଉଠିଲା ରୂପସଜ ପ୍ରତି ବୟସରେ ଯେପରି ଗୋଟାଏ ରୁଚି ରହିବାର କଥା, ତାହା ଆଦୌ ରହିଲାନି ତାଙ୍କଠାରେ । ସର୍ବତୋଭାବେ ନିର୍ମମତାର ଗୋଟାଏ ଅବତାର ହୋଇପଡ଼ିଲେ ସେ ।

 

ସୂର୍ଯ୍ୟୋଦୟ ପୂର୍ବରୁ କାନ୍ଧରେ ବନ୍ଧୁକ ପକାଇ ଜଙ୍ଗଲ, ପାହାଡ଼ର ଅନ୍ଦିସନ୍ଧି ବୁଲି ଗୋଟାଏ ଦି’ଟା ଜନ୍ତୁ ନ ମାରିଲେ ସେ ଦିନଟାର ସାର୍ଥକତା ନ ଥାଏ ତାଙ୍କ ପାଖରେ । ତା’ପରେ ମଧ୍ୟାହ୍ନ ସ୍ନାନ, ଭୋଜନ, ଯାହା ସେ ଅଞ୍ଚଳରେ ସହଜରେ ମିଳିଲା । ଦିନେ ଦିନେ ଜଙ୍ଗଲରୁବି ସେତକ ସଂଗ୍ରହ କରିନେଇ ଚଳିଯାଆନ୍ତି । ସେ ଖାଦ୍ୟପାଇଁ ତାଙ୍କୁ ଚିନ୍ତା କରିବାକୁ ହୁଏନି କେବେ ।

 

ବିବାହ ବନ୍ଧନରେ ବାନ୍ଧି ହୋଇନାହାନ୍ତି ସେ ଏପର୍ଯ୍ୟନ୍ତ । ଅବଶ୍ୟ ପରିବାରରେ ତାଙ୍କର ଅନ୍ୟମାନେ ଅଛନ୍ତି । ନିତାନ୍ତ ଦରିଦ୍ର ପରିବାର ମଧ୍ୟ ନୁହେଁ ତାଙ୍କର । ତେଣୁ କୌଣସି ପ୍ରକାର ଆର୍ଥିକ ସାହାଯ୍ୟ ସୁଦୀପ ସିଂହଠାରୁ ପାଇବା କିମ୍ବା ନ ପାଇବା ଉପରେ ଗୁରୁତ୍ଵ ଦିଅନ୍ତି ନାହିଁ ପରିବାରର ଲୋକେ । ସୁଦୀପ ସିଂ ବେତନ ପାଆନ୍ତି ଯଥେଷ୍ଟ । ସେତକ ତାଙ୍କର କେବଳ ପାନୀୟ ଖର୍ଚ୍ଚକୁ ନିଅଣ୍ଟ ହୋଇଯାଏ । ଅତିରିକ୍ତ ପାନୀୟ ସେବନ କରିବାଟା ତାଙ୍କ ଚରିତ୍ରର ଗୋଟାଏ ବିରାଟ ଦୋଷ । ବରଂ ଖାଦ୍ୟର ଅଭାବ ସହନୀୟ; ମାତ୍ର ବୁନ୍ଦାଏ ପାନୀୟର ଅଭାବ ଅସହ୍ୟ ତାଙ୍କ ପକ୍ଷରେ । ବାହାରକୁ ବାହାରିବା ସଙ୍ଗେ ସଙ୍ଗେ ପାନୀୟପୂର୍ଣ୍ଣ ଫ୍ଲାସ୍କଟିଏ ସାଙ୍ଗରେ ନେବାକୁ ଭୁଲିଯାଆନ୍ତି ନାହିଁ କେବେହେଲେ ସେ ।

 

ମହାରାଷ୍ଟ୍ରର ନିବିଡ଼ ଜଙ୍ଗଲହିଁ ଥିଲା ତାଙ୍କର ଆଶ୍ରୟ ଆଉ ଜୀବନ । ମାଇଲ ମାଇଲ ଧରି ନିବିଡ଼ ଅରଣ୍ୟ, ପାହାଡ଼ର ଅନ୍ଦିସନ୍ଧି ପ୍ରତି କୋଣ ଥିଲା ତାଙ୍କର ନଖ-ଦର୍ପଣରେ । ଜଙ୍ଗଲର ପଶୁ ପଛେ ବାଟ ଭୁଲିଯିବ ସେ ଜଙ୍ଗଲରେ, କିନ୍ତୁ ମିଷ୍ଟର ସୁଦୀପ ସିଂ ଭୁଲିବେ ନାହିଁ କେବେହେଲେ । ଜଙ୍ଗଲର କେଉଁ ଅଞ୍ଚଳରେ କେଉଁ ଗାଁ, କେଉଁଠି କି ପ୍ରକାର ଜନ୍ତୁଙ୍କର ଚଳାଚଳ ବେଶି, ତାହା ତାଙ୍କୁ ଜଣା । ନିବିଡ଼ ଜଙ୍ଗଲ ଆଉ ପାହାଡ଼ର ବନ୍ୟ ଅଧିବାସୀଙ୍କ ସହିତ ତାଙ୍କର ପରିଚୟ ବେଶ୍ ଭଲଭାବରେ । ସେମାନଙ୍କ ବିଚାରେ ସୁଦୀପ ସିଂହିଁ ସେମାନଙ୍କର ଜଙ୍ଗଲର ରାଜା-। ସେମାନେ ଅନୁରୂପ ଶ୍ରଦ୍ଧା, ଭକ୍ତି ଓ ସମ୍ମାନ ମଧ୍ୟ କରନ୍ତି ତାଙ୍କୁ । ସୁଦୀପ ସିଂ ମଧ୍ୟ ରାଜାର ଗାମ୍ଭୀର୍ଯ୍ୟ ନେଇ ଠିଆ ହୁଅନ୍ତି ସେମାନଙ୍କ ପାଖରେ । ସରଳବିଶ୍ଵାସୀ ବଣୁଆ ଜାତି ଦେବତାର ବାକ୍ୟ ପରି ମନେ କରନ୍ତି ସୁଦୀପ ସିଂଙ୍କର କଥାକୁ । ସେଇ ଦୁର୍ବଳତାର ଯଥେଷ୍ଟ ସୁଯୋଗ ମଧ୍ୟ ନିଅନ୍ତି ସୁଦୀପ ସିଂ ।

 

ସୁଦୀପ ସିଂଙ୍କର ଜୀବନଧାରଣର ମାନ ଉଚ୍ଚସ୍ତରର ନଥିଲା କି ଭଦ୍ର ସମାଜରେ ସେ ଚଳୁ ନଥିଲେ । ତଥାପି ଭାରତର ବିଭିନ୍ନ ସହରରେ ତାଙ୍କର ବହୁ ସଭ୍ୟ, ଶିକ୍ଷିତ ବନ୍ଧୁ ଥିଲେ । ଏପରିକି ସେମାନଙ୍କ ମଧ୍ୟରେ କେତେଜଣ ତତ୍‍କାଳୀନ ଦେଶୀୟ ରାଜ୍ୟର ରାଜା ଏବଂ ଉଚ୍ଚରାଜକର୍ମଚାରୀ ମଧ୍ୟ ଥିଲେ । ଏହାର କାରଣ ହେଲା, ସୁଦୀପ ସିଂ ଥିଲେ ଜଣେ ଅଦ୍ଵିତୀୟ ଶିକାରୀ । ରାଇଫଲ୍‍ରେ ସେ ପକ୍ଷୀର ଆଖିକୁ ମଧ୍ୟ ଲକ୍ଷ୍ୟ କରିଦେଇ ପାରୁଥିଲେ । ତା’ ସାଙ୍ଗକୁ ମନରେ ଥିଲା ଅମିତ ସାହସ ଏବଂ ଦେହରେ ଥିଲା ଶକ୍ତି । ମହାରାଷ୍ଟ୍ରର ଶ୍ଵାପଦପୂର୍ଣ୍ଣ ଅରଣ୍ୟରେ ବୁଲି ଶିକାର କରିବାପାଇଁ ବର୍ଷର ବିଭିନ୍ନ ସମୟରେ ଭାରତର ବିଭିନ୍ନ ସ୍ଥାନରୁ ଦଳ ଦଳ ହୋଇ ଶିକାରୀ ଆସନ୍ତି । ସର୍ବପ୍ରଥମେ ସେମାନଙ୍କୁ ମିଷ୍ଟର ସିଂଙ୍କ ସହିତ ସାକ୍ଷାତ କରିବାକୁ ହୁଏ । କାରଣ, ସେ ହେଉଛନ୍ତି ଫରେଷ୍ଟ ଅଫିସର । ତାଙ୍କର ବିନା ଅନୁମତିରେ ଜଙ୍ଗଲରେ ପ୍ରବେଶ ନିଷିଦ୍ଧ । ତାଙ୍କ ସାଙ୍ଗରେ ସାକ୍ଷାତ କରି ଉଦ୍ଦେଶ୍ୟ ଜ୍ଞାପନ କଲାମାତ୍ରେ ନିଜର ନିପୁଣତାର ପରିଚୟ ସେ ଦେଇଦିଅନ୍ତି । ତା’ପରେ ସହଯୋଗର ଶିକାର, ଆନନ୍ଦ, ଆମୋଦ, ପ୍ରମୋଦ । ସେଇ କେତେଦିନ ବେଶ୍ ଚଳିଯାଏ ସୁଦୀପ ସିଂଙ୍କର । ଶିକାରୀ ଦଳର ଗାଇଡ଼୍ ଏବଂ ନେତା ହିସାବରେ ସେ ତଳକୁ ରାସ୍ତା ଦେଖାନ୍ତି, ଶିକାର କରାଇଦିଅନ୍ତି, ନିବିଡ଼ ଜଙ୍ଗଲ ମଧ୍ୟରେ ଆଦିବାସୀ ଗ୍ରାମରେ ଆଶ୍ରୟସ୍ଥଳ ଯୋଗାଇ ଦିଅନ୍ତି । ମୋଟାମୋଟି ଭାବରେ ସୁଦୀପ ସିଂ ପାଖରେ ଥିଲେ କୌଣସି ଶିକାରୀ ଦଳ ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ କେବେ । ଏହି କାରଣରୁ ମିଷ୍ଟର ସୁଦୀପଙ୍କର ପରିଚୟ ବହୁ ଲୋକଙ୍କ ସହିତ ।

 

ଏ ତ ଗଲା ମିଷ୍ଟରଙ୍କର ସାଧାରଣ ଜୀବନର କଥା । ଜଣେ ଶିକାରୀ ହିସାବରେ ତାଙ୍କର କାର୍ଯ୍ୟକଳାପ ଶୁଣିବାକୁ ଗଲେ ତାହା ‘ଆରବ୍ୟ କାହାଣୀ’ ଠାରୁ ଯେ ଆହୁରି ରୋମାଞ୍ଚକର ଏବଂ ଚିତ୍ତାକର୍ଷକ, ଏଥିରେ ସନ୍ଦେହ ନାହିଁ । ମୋଟାମୋଟି ଭାବରେ ଧରିବାକୁ ଗଲେ ସେ ତାଙ୍କ ଶିକାରୀ ଜୀବନରେ ଶତାଧିକ ବାଘ ମାରିଛନ୍ତି । ଥରେ ଦୁଇଥର ତାଙ୍କୁ ବାଘ ସହିତ ହାତହାତି ଲଢ଼େଇ କରିବାକୁ ପଡ଼ିଛି । ଏହା ଛଡ଼ା ଛଅ ସାତଟି ବଣୁଆ ହାତୀ ମଧ୍ୟ ସେ ମାରିଛନ୍ତି । ଅନ୍ୟାନ୍ୟ ଜୀବଜନ୍ତୁଙ୍କ କଥା ଛାଡ଼ । ତା’ର ହିସାବ ନାହିଁ ।

 

ଏଥର ଯେଉଁ ଅଭିଯାତ୍ରୀ ଦଳର ନେତୃତ୍ଵ ସେ ନେଇଛନ୍ତି ସେ ଦଳଟି ଖୁବ୍‌ ଆଭିଜାତ୍ୟ ପୂର୍ଣ୍ଣ ବ୍ୟକ୍ତିଙ୍କର ଏବଂ ସେମାନଙ୍କର ଯୋଜନା ମଧ୍ୟ ଦୀର୍ଘ । ଦଳର ନେତା ଏବଂ ଗାଇଡ଼୍ ହିସାବରେ ତାଙ୍କୁ ଯଥେଷ୍ଟ ଆଦର ସମ୍ମାନ ଦିଆଯାଇଛି । ଭବିଷ୍ୟତ୍‍ରେ ପ୍ରଚୁର ଲାଭର ଆଶା ମଧ୍ୟ ଦେଖାଇଦିଆଯାଇଛି । ମାତ୍ର ସୁଦୀପ ସିଂ ଅନୁଭବ କରୁଛନ୍ତି, ଯେପରି ପ୍ରତି ପଦେ ପଦେ ପରାଜୟ ତାଙ୍କୁ ଗ୍ରାସ କରିପକାଉଛି । ତାଙ୍କ ବିରୁଦ୍ଧରେ କୌଣସି ଅଦୃଶ ଶକ୍ତି ଯେପରି ତାଙ୍କର କାର୍ଯ୍ୟକଳାପକୁ ବାଧା ଦେଇ ଚାଲିଛି । ନିଜର ବୁଦ୍ଧି କୌଶଳ ଅନୁସାରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରୁଥିଲେ ସୁଦ୍ଧା ତାଙ୍କର ସମସ୍ତ ଚେଷ୍ଟା ବିଫଳ ହେଉଛି । କାହାରିକୁ ଦେଖିପାରୁନାହାନ୍ତି ସେ । ବହୁ ଅନୁସନ୍ଧାନ କରି ମଧ୍ୟ ସେ ଶିଶୁର ପରିଚୟ ପାଇବାରେ ସେ ଅକୃତକାର୍ଯ୍ୟ ହୋଇଛନ୍ତି । ନିଜର ଦୁର୍ବଳତାକୁ ଅନ୍ୟମାନଙ୍କ ନିକଟରେ ଗୋପନ ରଖିବାପାଇଁ ସେ ଯଥେଷ୍ଟ ଫୂର୍ତ୍ତି ହେଉଛନ୍ତି ଏବଂ ସେଥିପାଇଁ ମଦ୍ୟପାନର ମାତ୍ରା ବଢ଼ାଇ ଦେଇଛନ୍ତି ଯଥେଷ୍ଟ ।

 

ମିଷ୍ଟର ସିଂ ମାତ୍ର କେତେ ସପ୍ତାହତଳେ ଯେପରି ଥିଲେ, ଭଲ ଥିଲେ । ତାଙ୍କର ଦୁର୍ଦ୍ଦିନର ଆରମ୍ଭ ହେଲା ମାତ୍ର ତିନି ସପ୍ତାହତଳେ ।

 

ସେଦିନ ଥିଲା ଗୋଟିଏ ପ୍ରଖର ଉତ୍ତପ୍ତ ଦିନ । ବୈଶାଖ ଶେଷରେ ପ୍ରଚଣ୍ଡ ଖରା ସାଙ୍ଗକୁ ଝାଞ୍ଜି ବତାସ ପିଟୁଥିଲା ଖୁବ୍ ଜୋର୍‍ରେ ।

 

ସାରା ସକାଳୁ ମିଷ୍ଟର ସିଂ ମଧ୍ୟାହ୍ନ ପର୍ଯ୍ୟନ୍ତ ଜଙ୍ଗଲରେ ବୁଲି ବୁଲି କ୍ଳାନ୍ତ ହୋଇପଡ଼ିଥିଲେ । କ୍ଷୁଧା ତୃଷାରେ ଆତୁର ହୋଇପଡ଼ିଥିଲେ । ସେ ଅରଣ୍ୟରେ ଜଳାଭାବ । ଗଛଲତାରେ ଖାଦ୍ୟୋପଯୋଗୀ ଫଳ ମଧ୍ୟ ନାହିଁ । ଜୀବଜନ୍ତୁ ସବୁ ପାଣି ମିଳୁଥିବା ସ୍ଥାନର ଆଖପାଖରେ ଆଶ୍ରୟ ନେଇଛନ୍ତି । ସେ ସ୍ଥାନ ବହୁ ଦୂରରେ । ପାଖ ଜଙ୍ଗଲରେ ଠେକୁଆ ଛୁଆଟିଏ ମଧ୍ୟ ମିଳିବା କଷ୍ଟକର । ଚାରିପାଞ୍ଚ ମାଇଲ ଭିତରେ ଜଙ୍ଗଲରେ ହୁଏତ ନିଆଁ ଲାଗିଛି କେଉଁଠି । ସେଥିପାଇଁ ଅସହ୍ୟ ତାତି ହେଉଛି ଦୁଇଦିନ ହେବ । ସେ ତାତି ସହ୍ୟକରି ବୁଲିବା ଅସମ୍ଭବ ହୋଇ ପଡ଼ିଥିଲା ତାଙ୍କ ପକ୍ଷରେ; ତେଣୁ ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିବା ସଙ୍ଗେ ସଙ୍ଗେ ସେ ଫେରିଆସିଥିଲେ ନିଜ କ୍ଵାଟରକୁ ।

 

ସରକାରୀ କ୍ଵାଟର ଏଇଟା ।

 

ତିନିବଖରା ଖପରଲି ଘର ପାହାଡ଼-କାନ୍ଥିକୁ ଲାଗି । ବାରଣ୍ଡା ଧାରରୁ ଶାଳ, କେନ୍ଦୁଗଛର ଜଙ୍ଗଲ । ତା’ରି ଭିତରେ ସରକାରୀ କ୍ଵାଟରକୁ ଖଣ୍ଡେଦୂର ଛାଡ଼ି ତାଳପତ୍ରରେ ନିବିଡ଼ ଭାବରେ ବୁଜା ଏବଂ ଘଞ୍ଚଭାବରେ ଛପରକରା ପତ୍ରକୁଡ଼ିଆଟିଏ । ସେଇ କୁଡ଼ିଆ ହେଉଛି ସୁଦୀପ ସିଂଙ୍କର ଗ୍ରୀଷ୍ମ-ନିବାସ ।

 

ଗ୍ରୀଷ୍ମଋତୁ ଶିକାରପାଇଁ ପ୍ରକୃଷ୍ଟ ସମୟ । କାରଣ ଏଇ ସମୟରେ ବଣର ଜୀବଜନ୍ତୁମାନେ ସାଧାରଣତଃ ଜଳାଧାର ନିକଟବର୍ତ୍ତୀ ସ୍ଥାନମାନଙ୍କରେ ରହନ୍ତି । ସେହି ପ୍ରକାର ସ୍ଥାନରେ ଜଗି ବସିଲେ କିଛି ନା କିଛି ଗୋଟିଏ ଜନ୍ତୁଜୁନ୍ତା ମିଳିଯିବାର ନିଶ୍ଚିତ ଆଶା । ତେଣୁ ମିଷ୍ଟର ସିଂଙ୍କର ରାତି ସମୟଟା କଟେ ଜଙ୍ଗଲରେ ପାଣିଧାର ପାଖ କୌଣସି ମଞ୍ଚା ବା ଭାଡ଼ି ଉପରେ । ଦିନବେଳଟା ବିଶ୍ରାମ–କୁଡ଼ିଆରେ ।

 

ସେଦିନ ମଧ୍ୟାହ୍ନଭୋଜନ ପରେ ବେଶ୍ ଆରାମରେ ଦୁଇତିନି ଘଣ୍ଟା ନିଦେଇଯାଇଥିଲେ ସେ । ଇତିମଧ୍ୟରେ ସୂର୍ଯ୍ୟଦେବ ବୁଡ଼ିବା ଉପରେ ହେଲେଣି ପାଖପାହାଡ଼ର ଚୂଡ଼ା ପଛରେ । ହଠାତ ଚପରାସୀ ଶୁକ୍‌ରାର ଡାକରେ ନିଦ ଭାଙ୍ଗିଗଲା ତାଙ୍କର । କିଛି ଦରକାର ନ ହେଲେ ଶୁକ୍‌ରା ତାଙ୍କର ନିଦ ଭଙ୍ଗାଏନି କେବେ । ଆଜି ଡାକରା ପାଇ ନିଦ ଭାଙ୍ଗିବାମାତ୍ରେ ସେ ସେହିପରି ବିଶେଷ କିଛି ଗୋଟାଏ ଅନୁମାନ କରୁଥିଲେ । ଖୁବ୍ ବ୍ୟଗ୍ରତାର ସହିତ ଉଠି ସେ କୁଡ଼ିଆ ବାହାରକୁ ଆସି ଦେଖନ୍ତି ତ ତାଙ୍କ କ୍ଵାଟର ଦୁଆରେ ବେଶ୍ ହୃଷ୍ଟପୁଷ୍ଟ ବଡ଼ ଘୋଡ଼ା ଦୁଇଟା ବନ୍ଧା ହୋଇଛନ୍ତି ଘୋଡ଼ା ଉପରେ ମୂଲ୍ୟବାନ୍‌ ଜିନ୍‌ ଦେଖି ସେ ଅନୁମାନ କରିନେଲେ ଯେ କେହି ସମ୍ଭ୍ରାନ୍ତ ଶିକାରୀ ଅତିଥି ହେବେ ବୋଧହୁଏ । ନ ହେଲେ ଏ ଅଗମ୍ୟ ସ୍ଥାନକୁ ଅସିବାର ଅନ୍ୟ ଉଦ୍ଦେଶ୍ୟ କ’ଣ ହୋଇପାରେ ?

 

ଶୁକ୍‌ରା ଅବଶ୍ୟ ସେ ପର୍ଯ୍ୟନ୍ତ କୁଡ଼ିଆଦୁଆରେ ଠିଆ ହୋଇଥିଲା । ତାକୁ ଆଗନ୍ତୁକମାନଙ୍କ ବିଷୟରେ କିଛି ପଚାରିବାର ଆବଶ୍ୟକତା ଅନୁଭବ କରୁ ନଥିଲେ ସେ । ଶୁକ୍‌ରା ସ୍ଥାନୀୟ ଆଦିମ ଅଧିବାସୀ ଏବଂ ତାଙ୍କର ବହୁ ଦିନର ଚପରାସୀ । ତା’ର ନାଡ଼ିନକ୍ଷତ୍ର ଖୁବ୍ ଭଲଭାବରେ ଜଣା ତାଙ୍କୁ । କୌଣସି ସମୟରେ କୌଣସି ବିଷୟରେ ଯଥାର୍ଥ ଉତ୍ତର ତା’ଠାରୁ ଆଶା କରିବା ବୃଥା; ଏକଥା ଭଲଭାବରେ ସେ ଜାଣନ୍ତି । ତେଣୁ ସେ ନିଜର ପୋଷାକପତ୍ର ଟିକେ ସଜାଡ଼ିନେଇ କ୍ଵାଟର ଅଭିମୁଖେ ଚାଲିଲେ ।

କ୍ଵାଟରର ଆଗ ପାଖ ଘରଟି ମିଷ୍ଟର ସିଂ ଅଫିସ ହିସାବରେ ବ୍ୟବହାର କରନ୍ତି । ସେଇ ଘରଟା ସବୁ ସମୟରେ ପ୍ରାୟ ଖୋଲା ଥାଏ । ଆସବାବପତ୍ର ଭିତରେ ତିନି ଚାରିଖଣ୍ଡ ଦଦରା ଚେୟାର, ଖଣ୍ଡେ ଟେବୁଲ ଖଣ୍ଡେ ଚାବି ନଥିବା ଆଲମିରା ଛଡ଼ା ଆଉ କିଛି ନାହିଁ ସେଠି । ସେଇ କୋଠରିରେ ଆଗନ୍ତୁକ ଦୁଇଜଣ ଆସନ ଗ୍ରହଣ କରିଥିଲେ ।

ମିଷ୍ଟର ସିଂଙ୍କ ସହିତ ପରିଚୟ ହେଲା । ସେ ଦୁହେଁ ହେଉଛନ୍ତି ଉଦିତପୁର ରାଜାଙ୍କର ପରିଚାରକ ବା ପାଖଲଗା ଲୋକ । ରାଜାସାହେବ ଏବେ କେତେ ମାସପାଇଁ ଶାସନକାର୍ଯ୍ୟରୁ ଅବ୍ୟାହତି ନେଇ ଶିକାର କରିବାକୁ ଚାହାନ୍ତି । ସେଇ ସମ୍ପର୍କରେ ମିଷ୍ଟର ସିଂଙ୍କର ସାହାଯ୍ୟ ଲୋଡ଼ି ଆସିଥାନ୍ତି ସେମାନେ ।

ଉଦିତପୁରର କେତେ ଜଣ ଶିକାରୀଙ୍କ ସହିତ ଆଗରୁ ବେଶ୍ ପରିଚୟ ଥିଲା ମିଷ୍ଟର ସିଂଙ୍କର । ସେଠାକାର ରାଜା ସାହେବ ଯେ ଜଣେ ପ୍ରଥମ ଶ୍ରେଣୀର ଶିକାରୀ, ତାହା ସେ ବହୁପୂର୍ବରୁ ଶୁଣିଥିଲେ । ଏବେ ଆସିବାର ସମ୍ବାଦ ଶୁଣି ଆନନ୍ଦରେ ସମ୍ମତ ହୋଇଗଲେ ଏବଂ ଯଥାସମ୍ଭବ ସାହାଯ୍ୟ କରିବାର ପ୍ରତିଶ୍ରୁତି ମଧ୍ୟ ଦେଲେ । ସେଠାରେ ଶିକାରପାଇଁ କି କି ଜିନିଷ ଦରକାର, ତା’ର ଏକ ସୁଚିନ୍ତିତ ଏବଂ ବିସ୍ତୃତ ଚିଠା କରିଦେଲେ ସେ । ଉଦିତପୁର ପରି ବିରାଟ ଗଡ଼ଜାତ ରାଜ୍ୟର ରାଜା, ପୁଣି ଦୁର୍ଦ୍ଦାନ୍ତ ଶିକାରୀ । ଆୟୋଜନଟା ସେହି ଅନୁପାତରେ ଯେପରି ହୁଏ, ସେଥିପ୍ରତି ଅବଶ୍ୟ ତୀକ୍ଷ୍ଣ ଦୃଷ୍ଟି ଥିଲା ତାଙ୍କର । ସେଦିନ ସମସ୍ତ କଥାବାର୍ତ୍ତା ପରେ ରାଜଅତିଥିଙ୍କୁ ଉପଯୁକ୍ତ ମର୍ଯ୍ୟାଦାରେ ଚର୍ଚ୍ଚା କରି ପରଦିନ ସକାଳୁ ବିଦାୟ ଦେଇଥିଲେ ମିଷ୍ଟର ସିଂ ।

ଏ ଘଟନାର ପନ୍ଦର ଦିନ ପରେ–

 

ହଠାତ ଦିନେ ସକାଳୁ ଗୋଟାଏ ଘୋଡ଼ାସବାର ପାଇକ ଆସି ଖଣ୍ଡିଏ ଚିଠି ଦେଲା । ମିଷ୍ଟର ସିଂ ଚିଠିଖଣ୍ଡି ଖୋଲି ଜାଣିଲେ—ଉଦିତପୁରର ରାଜାସାହେବ ସଦଳବଳେ ଦୁଇଦିନ ପରେ ଆସି ପହଞ୍ଚୁଛନ୍ତି । ଆସନ୍ତା କଲି ତାଙ୍କର ତମ୍ବୁ ପ୍ରଭୃତି ଆସି ପହଞ୍ଚିଯିବ ।

 

କୁଲି, ମଜୁରୀଦାର ଯୋଗାଡ଼ କରି କାମ ଆରମ୍ଭ କରିଦେବାପାଇଁ କେତେଶହ ଟଙ୍କା ମଧ୍ୟ ଆସିଥିଲା ପାଇକ ହାତରେ । ଖବର ପାଇଲା ପରଠାରୁ ମିଷ୍ଟର ସିଂଙ୍କର ତତ୍ପରତା ବଢ଼ିଗଲା ବହୁଗୁଣରେ । କୁଲି, ମଜୁରିଆ ଅବଶ୍ୟ ଅଭାବ ନଥିଲା ତାଙ୍କୁ । ଆଦେଶମାତ୍ରେ ହାଜର ହୋଇଗଲେ ବହୁସଂଖ୍ୟାରେ । ଅସୁବିଧା ହେଲା କେବଳ ଗୋଟିଏ କଥାରେ–ବର୍ତ୍ତମାନ ଜଙ୍ଗଲର କେଉଁ ଅଂଶରେ କେଉଁ ଜାତିର ଜନ୍ତୁ ଚଳାଚଳ ହେଉଛନ୍ତି, ତାହା ଲକ୍ଷ୍ୟ କରିବା । ଯାହାହେଉ, ସେଥିପାଇଁ କେତେଜଣ ଚର ମଧ୍ୟ ନିଯୁକ୍ତ କରାଗଲା ।

 

ଯଥାସମୟରେ ସବୁ ଜିନିଷ ଆସି ପହଞ୍ଚିଗଲା । ୟ’ ଫଳରେ କାମ ମଧ୍ୟ ବଢ଼ିଗଲା । ମିଷ୍ଟର ସିଂଙ୍କର ତତ୍ତ୍ଵାବଧାନରେ ତାଙ୍କ କ୍ଵାଟରର ଖଣ୍ଡେଦୂରକୁ ଛାଡ଼ି ଜଙ୍ଗଲର ଏକ ବିସ୍ତୃତ ଅଞ୍ଚଳ ପରିଷ୍କାର କରାଯାଇ ତମ୍ବୁଗୁଡ଼ିକ ପକାଗଲା । ଏକ ବିରାଟ ଘେରାଉ କରାଗଲା ଶାଳକାଠର ବଡ଼ ବଡ଼ ଗଣ୍ଡିଦ୍ଵାରା, ଯେପରି କୌଣସି ପ୍ରାଣୀ ସହଜରେ ପଶି ନ ପାରିବେ ତା’ ଭିତରେ । କାଠବାଡ଼ର ଧାରଠାରୁ ଆରମ୍ଭ ହୋଇଛି ପର୍ବତ ବହୁ ଦୂର ଏବଂ ଉଚ୍ଚ ପର୍ଯ୍ୟନ୍ତ ବିସ୍ତାର ଲାଭ କରି । ସ୍ଥାନଟି ପ୍ରାକୃତିକ ପରିବେଶଦିଗରୁ ଉତ୍ତମ । ନିଜ କାମରେ ନିଜେ ସନ୍ତୋଷ ପ୍ରକାଶ କଲେ ମିଷ୍ଟର ସିଂ ।

 

ନିର୍ଦ୍ଧାରିତ ଦିନ ଯଥାସମୟରେ ଉପସ୍ଥିତ ହେଲେ ଉଦିତପୁରର ମହାରାଜା ପ୍ରବୀରଚନ୍ଦ୍ର ଛୋଟରାୟ ତାଙ୍କର ଦଳବଳ ସହିତ ରାଜାସାହେବ ପ୍ରବୀରଚନ୍ଦ୍ର ଯୁବକ । ବୟସ ତିରିଶ ହେବ । ବେଶ୍ ସୁଶ୍ରୀ ଏବଂ ସ୍ୱାସ୍ଥ୍ୟବାନ । ଗୋରା ତକତକ ଦୀର୍ଘ ଚେହେରା । ମିଷ୍ଟାଳାପୀ ଏବଂ ହସ ହସ ମୁହଁ ସବୁବେଳେ । ପ୍ରକୃତି ଖୁବ୍ ଶାନ୍ତ ଏବଂ ସରଳ; ଠିକ୍ ଗୋଟିଏ ଶିଶୁପରି ।

 

ରାଜା ପ୍ରବୀରଚନ୍ଦ୍ରଙ୍କ ସାଙ୍ଗକୁ ରାଣୀ ମାଳବିକା । ଅସାମାନ୍ୟ ସୁନ୍ଦରୀ । ଦର୍ଶକଙ୍କୁ ଆକୃଷ୍ଟ କରିପାରିଲା ଭଳି ଲାବଣ୍ୟଭରା ଯୌବନ ଏବଂ ରୂପଶ୍ରୀ ପୂରିରହିଛି ଦେହରେ ତାଙ୍କର । ବୟସ କୋଡ଼ିଏ ବାଇଶ ହେବ । ରାଜାସାହେବଙ୍କ ଉପଯୁକ୍ତ କହିଲେ ଆଦୌ ଭୁଲ୍ ହେବ ନାହିଁ । ଶିକାରୀଦଳରେ ସ୍ତ୍ରୀଲୋକ ରହିବା କି ବିରାଟ ସମସ୍ୟା ଅବଶ୍ୟ । ସେକଥା ରାଜା ପ୍ରବୀରଚନ୍ଦ୍ରଙ୍କୁ ଅଜଣା ନଥିଲା । ତଥାପି ରାଣୀ ମାଳବିକାଙ୍କର ସାନୁନୟ ମିନତି ସେ ଏଡ଼ି ଦେଇ ପାରି ନଥିଲେ । ଘୋର ଅନିଚ୍ଛାସତ୍ତ୍ୱେ ତାଙ୍କୁ ସାଙ୍ଗରେ ଆଣିଥିଲେ ସେ । ତାଙ୍କର ସେବା କରିବାପାଇଁ ଦୁଇଜଣ ପ୍ରବୀଣା ଦାସୀ ମଧ୍ୟ ଆସିଥିଲେ ।

 

ରାଜପରିବାର ମଧ୍ୟରୁ ଆଉ ଜଣେ ଶିକାରୀଦଳରେ ଥିଲେ । ସେ ହେଉଛନ୍ତି ରାଜା ପ୍ରବୀରଚନ୍ଦ୍ରଙ୍କର ସାନଭାଇ ଅରିନ୍ଦମ ଛୋଟରାୟ । ବୟସ ଚବିଶ ପଚିଶ ହେବ । ଚେହେରା ଦିଗରୁ ଦେଖିବାକୁ ଗଲେ ହଠାତ ଯେ କେହି ପ୍ରବୀରଚନ୍ଦ୍ରଙ୍କୁ ଅରିନ୍ଦମ ଛୋଟରାୟ ଏବଂ ଅରିନ୍ଦମଙ୍କୁ ପ୍ରବୀରଚନ୍ଦ୍ର ବୋଲି ଭ୍ରମ କରି ବସିବ । ଉଭୟଙ୍କ ଚେହେରା ମଧ୍ୟରେ ଅସମ୍ଭବ ପ୍ରକାର ସାଦୃଶ୍ୟ ରହିଥିଲା ।

 

ଅରିନ୍ଦମ ଛୋଟରାୟ ଥିଲେ ଉଚ୍ଚଶିକ୍ଷିତ । ଭାରତରେ ଶିକ୍ଷା ଶେଷ କରି ସେ ବିଦେଶରୁ ଭୂତତ୍ତ୍ଵ ଇଞ୍ଜିନିରିଂୟରେ ସର୍ବୋଚ୍ଚ ଡିଗ୍ରୀ ହାସଲ କରିଥିଲେ । ମାସିକ ହଜାର ହଜାର ଟଙ୍କା ରୋଜଗାରର ଲୋଭକୁ ସେ ହସି ହସି ଆଡ଼େଇ ଦେଇଥିଲେ । ଅଭାବ ତ କିଛି ନଥିଲା ତାଙ୍କର । ଜଣେ ଶିକାରୀ ହିସାବରେ ସେ ଥିଲେ ପ୍ରବୀଣ । ତାଙ୍କର ଲକ୍ଷ୍ୟ ଥିଲା ଅବ୍ୟର୍ଥ । ଲୋକ ହିସାବରେ ସେ ମଧ୍ୟ ଖୁବ୍ ଭଲ ଥିଲେ । ରାଜା ପ୍ରବୀରଚନ୍ଦ୍ରଙ୍କର ପ୍ରକୃତିଗୁଡ଼ିକ ପ୍ରାୟ ତାଙ୍କଠାରେହିଁ ଥିଲା । ଶିକାରୀଦଳରେ ଆଉ ଦୁଇ ଜଣ ଉଲ୍ଲେଖଯୋଗ୍ୟ ବ୍ୟକ୍ତି ହେଉଛନ୍ତି ମୋହନ ସିଂ ଆଉ କହ୍ନାଇୟା ରାଓ । ଏ ଦୁହେଁ ରାଜପରିବାରର କେହି ନ ହେଲେ ମଧ୍ୟ ରାଜାସାହେବଙ୍କର ଘନିଷ୍ଠ ବ୍ୟକ୍ତି । ପ୍ରବୀରଚନ୍ଦ୍ରଙ୍କର ଖୁବ୍ ବିଶ୍ଵାସ ଏମାନଙ୍କ ଉପରେ । ଦୁହିଁଙ୍କର ଶିକାର କରିବାରେ ସୌକ୍ ମଧ୍ୟ ବହୁତ । ତେଣୁ ରାଜାସାହେବଙ୍କ ଆଦେଶନୁସାରେ ଏ ଦୁହେଁ ମଧ୍ୟ ଆସିଛନ୍ତି ସାଙ୍ଗରେ । ଏହାଛଡ଼ା ଅନ୍ୟାନ୍ୟ କର୍ମଚାରୀ, ଚାକର, ପୂଜାରୀ ମିଶି ପ୍ରାୟ କୋଡ଼ିଏ ଜଣ ପର୍ଯ୍ୟନ୍ତ ମଧ୍ୟ ଅଛନ୍ତି ।

 

ସୁଦୀପ ସିଂଙ୍କ ଅନ୍ତର ବିଚଳିତ ହୋଇପଡ଼ିଥିଲା ମାଳବିକାଙ୍କୁ ଦେଖିଲାବେଳୁ । ସଭ୍ୟ, ଶିକ୍ଷିତ ଜଗତର ମନୁଷ୍ୟ ବହୁବର୍ଷ ବର୍ବର, ଆରଣ୍ୟ ରୁଚିପୂର୍ଣ୍ଣ ଜୀବନ ଉପଭୋଗ କଲା ପରେ ଯଦି ପୁଣି ପୂର୍ବ ଜୀବନର ସ୍ଵାଦ ପାଏ, ତେବେ ସେ ତାହା ଉପଭୋଗ ପାଇଁ ଅସୁର ପରି ଭୟଙ୍କର ହୋଇଉଠେ । ତାହାହିଁ ହୋଇଥିଲା ମିଷ୍ଟର ସିଂଙ୍କ ପକ୍ଷରେ । ମାଳବିକାଙ୍କୁ ଦେଖିଲା ବେଳଠାରୁ ତାଙ୍କର କାମନାର ନିଆଁ ହୁ ହୁ ହୋଇ ଜଳିଉଠିଲା । ଦେଖିବା ମୁହୂର୍ତ୍ତଠାରୁ ସେ ମାଳବିକାର ପ୍ରତ୍ୟେକ ଅଙ୍ଗଭଙ୍ଗୀ, କଥାବାର୍ତ୍ତା, ଛଟା ପ୍ରତି ଲାଳସାପୂର୍ଣ୍ଣ କଟାକ୍ଷପାତ କରିବାକୁ ଲାଗିଲେ । ମାଳବିକାଙ୍କୁ ସନ୍ତୁଷ୍ଟ କରିବାପାଇଁ, ତାଙ୍କଠାରୁ ପଦେ ହାସ୍ୟପୂର୍ଣ୍ଣ କଥା ଶୁଣିବାପାଇଁ, ସର୍ବୋପରି ତାଙ୍କର ସଙ୍ଗଲାଭ ପାଇଁ ସେ ବ୍ୟାକୁଳ ହୋଇପଡ଼ିଲେ ।

 

ମିଷ୍ଟର ସିଂହଙ୍କର ଅନ୍ତରର ଝଞ୍ଜାର ସୂଚନା ପାଇ ନଥିଲେ ରାଣୀ ମାଳବିକା । ସେ ପରଦାନସୀନା ନଥିଲେ । ଉଚ୍ଚଶିକ୍ଷା ତାଙ୍କୁ ଉଦାରତା ଶିକ୍ଷା ଦେଇଥିଲା । ଆଭିଜାତ୍ୟର ଗାମ୍ଭୀର୍ଯ୍ୟ, ଗର୍ବ ତାଙ୍କଠାରେ ଆଦୌ ନଥିଲା । ସମସ୍ତଙ୍କ ସହିତ ସେ ହସି ହସି ଖୋଲାଖୋଲିଭାବରେ କଥାବାର୍ତ୍ତା କରୁଥିଲେ । ମାତ୍ର ହୃଦୟରେ ରାଜା ପ୍ରବୀରଚନ୍ଦ୍ରଙ୍କ ବ୍ୟତୀତ ଅନ୍ୟ କାହାରିପାଇଁ ତିଳାର୍ଦ୍ଧ ସୁଦ୍ଧା ସ୍ଥାନ ନଥିଲା । ତଥାପି ମିଷ୍ଟର ସିଂ ଭାବୁଥିଲେ, ଯେପରି ମାଳବିକା ତାଙ୍କୁ ବେଶି ପସନ୍ଦ କରିଛନ୍ତି, ତାଙ୍କ ସହିତ ବେଶି ମିଳାମିଶା କରୁଛନ୍ତି ଏବଂ ତାଙ୍କୁ ଚାହୁଁଛନ୍ତି ମଧ୍ୟ । ତେଣୁ ମାଳବିକାଙ୍କ ଆଗରେ ସେ ସବୁବେଳେ ନିଜର ପୌରୁଷ ଦେଖାଇବାକୁ ଟିକିଏ ହେଲେ କୁଣ୍ଠାବୋଧ କରୁ ନଥିଲେ ।

 

କାମ କରିବାପାଇଁ ସ୍ଥାନୀୟ ଆଦିବାସୀ କୁଲି ଅନ୍ତତଃ ପଚାଶ ଜଣ ଯାଏଁ ଲାଗିଯାଇଥିଲେ । ସେମାନେ ଖୁବ୍ ନିରୀହ ଏବଂ ଶାନ୍ତି ପ୍ରକୃତିର । କଠିନ ପରିଶ୍ରମ ବ୍ୟତୀତ ଆଉ କିଛି ଜାଣନ୍ତି ନାହିଁ ସେମାନେ । ଠକିବା କିମ୍ବା ପ୍ରତାରଣା କରିବା କି ପ୍ରକାର ଜିନିଷ ତା’ର ପରିଚୟ ପର୍ଯ୍ୟନ୍ତ ପାଇନାହାନ୍ତି ସେମାନେ । ସୂର୍ଯ୍ୟ ଉଦୟଠାରୁ ଅସ୍ତ ପର୍ଯ୍ୟନ୍ତ ସେମାନଙ୍କୁ କଠିନ ପରିଶ୍ରମ କରାଉଥାନ୍ତି ମିଷ୍ଟର ସିଂ । ମଜୁରି ଖୁବ୍ ସାମାନ୍ୟ । ଦେଖିବା ଲୋକର ଅବଶ୍ୟ ଦୟା ହେବାର କଥା; ମାତ୍ର ଦୟା ତ ଦୂରର କଥା, ତା’ ବଦଳରେ ମିଷ୍ଟର ସିଂ ଗୋଟାଏ ଘୋଡ଼ା କୋରଡ଼ାରେ ସପାସପ୍ ପିଟି ଚାଲିଯାନ୍ତି ବେଳେ ବେଳେ । ରାଜା ପ୍ରବୀରଚନ୍ଦ୍ର, ରାଣୀ ମାଳବିକା ପ୍ରଭୃତି ଆଶ୍ଚର୍ଯ୍ୟ ହୁଅନ୍ତି ସୁଦୀପ ସିଂଙ୍କର ଏପରି ବ୍ୟବହାରରେ; କିନ୍ତୁ ଆଦିବାସୀ ଲୋକମାନେ ନୀରବରେ ସହ୍ୟ କରିଯାନ୍ତି ସବୁ । ସେମାନେ ଜାଣନ୍ତି—ସୁଦୀପ୍ତ ସିଂ ସେମାନଙ୍କର ରାଜା । ତାଙ୍କର ବ୍ୟବହାର ସହ୍ୟ କରିବା ସେମାନଙ୍କର ଧର୍ମ । ଖାସ୍ ସେହି ଧର୍ମ ଭୟରେ ସେମାନଙ୍କ ମନୁଷ୍ୟତାକୁ ତୀବ୍ରଭାବରେ ଅପମାନିତ କରନ୍ତି ସୁଦୀପ ସିଂ । ଏଥିରେ ବରଂ ଗର୍ବ ଅନୁଭବ କରନ୍ତି ସେ ।

ଯାହାହେଉ, ଏଇ କେତେ ଦିନ ହେବ କୁଲିମାନଙ୍କ ପ୍ରତି ତାଙ୍କର ଦୁର୍ବ୍ୟବହାର ସୀମା ଅତିକ୍ରମ କରିଛି । ତା’ ସଙ୍ଗେ ସଙ୍ଗେ ସେ ଅନୁଭବ କରୁଛନ୍ତି ଯେପରି ଗୋଟାଏ ଅଦୃଶ୍ୟ ମାନବ ତାଙ୍କର ପ୍ରବଳ ପ୍ରତିରୋଧ କରି ଚାଲିଛି । ଦିନକୁ ଦିନ ନୂତନ ନୂତନ ବିପର୍ଯ୍ୟୟ ସେ ଦେଖୁଛନ୍ତି ।

ପ୍ରଥମ ଦିନର କଥା–

ସେ ଦିନ ତମ୍ବୁଗୁଡ଼ିକ ଟଣାଯାଉଥାଏ ।

ଗୋଟାଏ କୁଲିର କାମରେ ସାମାନ୍ୟ ତ୍ରୁଟି ଅବଶ୍ୟ ଘଟିଥିଲା, ମାତ୍ର ସେତକ ସହ୍ୟ କଲା ଭଳି ଧୈର୍ଯ୍ୟ ନଥିଲା ମିଷ୍ଟର ସିଂଙ୍କର । ଖୁବ୍ ଉତ୍ତ୍ୟକ୍ତ ହୋଇ ବୁଟ୍‌ମିଶା ଗୋଇଠାଟାଏ ଦେଲେ ସେ ବସାଇ ସେ ଲୋକଟାର ଅଣ୍ଟାରେ । ଲୋକଟା ମୁହଁମାଡ଼ି ପଡ଼ିଗଲା ବଡ଼ ଶୋଚନୀୟ ଅବସ୍ଥାରେ । ମାତ୍ର ସେଥିପ୍ରତି ମିଷ୍ଟର ସିଂଙ୍କର ଆଦୌ ଦୃଷ୍ଟି ନଥିଲା । ଦୃପ୍ତ ପଦକ୍ଷେପରେ ସେଠାରୁ ଚାଲିଯାଇ ଖଣ୍ଡେଦୂରରେ ଥିବା ଗୋଟାଏ ଶାଳଗଛ ଛାଇରେ ପଡ଼ିଥିବା ଖଣ୍ଡେ ପଥର ଉପରେ ବସିଗଲେ ଟିକିଏ ବିଶ୍ରାମ ନେବା ଉଦେଶ୍ୟରେ । ହଠାତ ପ୍ରକାଣ୍ଡ ପଥର ଖଣ୍ଡେ ସାଇଁ କରି ଆସି ଦୁମ୍‍ କରି ପଡ଼ିଲା ତାଙ୍କ ପାଦପାଖରେ । ଭାଗ୍ୟ ଭଲ, ଉପରେ ପଡ଼ିନାହିଁ; ଦୈବାତ ପଡ଼ିଥିଲେ ଜୀବନର ଆଶା ନ ଥାନ୍ତା ତାଙ୍କର ।

ଏ ଘଟନାଟା ଖୁବ୍ ହଇଚଇ ସୃଷ୍ଟି କରିଥିଲା ସେଠି କିଛି ସମୟ ପର୍ଯ୍ୟନ୍ତ । କାରଣ, ଘଟନାଟା ସେପରି ଅସ୍ଵାଭାବିକ ମଧ୍ୟ ଥିଲା । ପାଖରେ ପର୍ବତ । ପଥରଟା ସେଠାରୁ ଆସିବା ସମ୍ଭବ କରାଯାଆନ୍ତା ଯଦି ସେଟା ଗଡ଼ି ଗଡ଼ି ଆସିଥାନ୍ତା । ତାକୁ କେହି ଫିଙ୍ଗିବା ମଧ୍ୟ ସମ୍ଭବ ନୁହେଁ-। କାରଣ ଏଡ଼େ ବିଶାଳ ପଥର ଟେକିବା ମନୁଷ୍ୟଶକ୍ତିର ବାହାରେ । ପଥରଖଣ୍ଡଟା ଶୂନ୍ୟରୁ ପଡ଼ିବା ନିଃସନ୍ଦେହ । ତେବେ ପକାଇବା ଲୋକ କିଏ ?

ସାରା ଦିନଟା ଏଇ ଗୋଟିଏ ପ୍ରଶ୍ନ ପ୍ରହେଳିକା ସୃଷ୍ଟି କରିଥିଲା ତାଙ୍କ ମନରେ । ରାତିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଦ ଆସିଲା ନାହିଁ ଆଖିକୁ ତାଙ୍କର । ମନରୁ ଦୁଶ୍ଚିନ୍ତା ଦୂର କରିବାପାଇଁ ଆକଣ୍ଠ ମଦ୍ୟପାନ କରି ବିଛଣାରେ ବାହ୍ୟଜ୍ଞାନ ଶୂନ୍ୟ ହୋଇ ଗଡ଼ିପଡ଼ିଲେ ସେ ।

ସକାଳୁ କୁଲିଗୁଡ଼ାଙ୍କର ହାଉ ହାଉ ପାଟିରେ ନିଦ ଭାଙ୍ଗିଗଲା ତାଙ୍କର । ଗତ ରାତିର ଉଗ୍ର ମାଦକତା ସେ ପର୍ଯ୍ୟନ୍ତ ମସ୍ତିଷ୍କକୁ ବିଚଳିତ କରି ପକାଉଥିଲା । ଏଣେ ଆଜି ରାଜାସାହେବଙ୍କର ଆସି ପହଞ୍ଚିବାର କଥା । ମନର ବିରକ୍ତି ମନରେ ଚାପିରଖି ଚୁରୁଟଟାଏ ନିଆଁ ଧରାଇ ବାହାରକୁ ଆସିଲେ ସେ । ବାହାରେ ଆସି ଦେଖନ୍ତି ତ ଅଭୂତପୂର୍ବ ଘଟନା । ଗତକାଲି ବହୁ ଶ୍ରମରେ ଟଣାଯାଇଥିବା ତମ୍ବୁଗୁଡ଼ିକ ଶୋଚନୀୟ ଭାବରେ ଉପୁଡ଼ାଯାଇ ପଡ଼ିଛି ଖଣ୍ଡେ ଦୂରରେ । ପ୍ରକାଣ୍ଡ ପ୍ରକାଣ୍ଡ ଖୁଣ୍ଟିଗୁଡ଼ିକ ଯେଉଁଗୁଡ଼ାକୁ ତିନିଚାରିଜଣ ଲେଖାଏଁ କୁଲି କଷ୍ଟରେ ବସାଇଥିଲେ, ସେସବୁର ସତ୍ତା ପର୍ଯ୍ୟନ୍ତ ନାହିଁ । ମିଷ୍ଟର ସିଂଙ୍କର ଆଶ୍ଚର୍ଯ୍ୟ ସୀମା ରହିଲା ନାହିଁ । ତାଙ୍କ ମନରେ ଗୋଟିଏ କଥା ଉଙ୍କି ମାରିଲା–କ’ଣ ହେଲା କିପରି ? ଝଡ଼ତୋଫାନରେ ମଧ୍ୟ ଏ କାଣ୍ଡ ସମ୍ଭବ ନୁହେଁ । ତେବେ ଏ କାମ କଲା କିଏ ?

ଘଟନା ଯାହା ଘଟିଥିଲା, ତାହା ଦେଖି କୁଲିଗୁଡ଼ାଙ୍କର ମଧ୍ୟ ବିଷୟର ସୀମା ରହିଲା ନାହିଁ । ସେମାନଙ୍କ ଭିତରେ ନାନା ପ୍ରକାର ଗୁଜବର ଗୁଞ୍ଜନ ଶୁଣାଯାଉଥାଏ । ବଣର ବ୍ରହ୍ମଦୈତ୍ୟ ଯେ କେବଳ ଏ କାଣ୍ଡ କରିଛି—ସେମାନେ ଏ ସିଦ୍ଧାନ୍ତ କରିସାରିଥିଲେ । ଏ ପ୍ରକାର ସିଦ୍ଧାନ୍ତ କରିବା ସଙ୍ଗେ ସଙ୍ଗେ ସେମାନେ ଖୁବ୍ ଭୟଭୀତ ମଧ୍ୟ ହୋଇପଡ଼ିଥିଲେ ।

ମିଷ୍ଟର ସିଂ ଜାଣନ୍ତି ବଣୁଆ ଲୋକଗୁଡ଼ାଙ୍କର ପ୍ରକୃତି । ଅତି ସହଜ ଭାବରେ ସେମାନେ ଯେକୌଣସି କଥାରେ ବିଶ୍ଵାସ କରିଯାଆନ୍ତି । ମାତ୍ର ସେମାନଙ୍କ କଥାରେ କାନ ନ ଦେଇ ସେ ବୁଲି ବୁଲି ଦେଖୁଥିଲେ ତମ୍ୱୁଗୁଡ଼ାକର ଅବସ୍ଥା । ଖୁବ୍ ଅଳ୍ପ ସମୟ ମଧ୍ୟରେ ଏଗୁଡ଼ିକୁ କିପରି ପୂର୍ବ ଅବସ୍ଥାକୁ ଅଣାଯାଇପାରିବ ତାହାହିଁ ସେ ଚିନ୍ତା କରୁଥିଲେ । ଉତ୍ତେଜନାରେ ମୁହଁ ତାଙ୍କର ନାଲି ପଡ଼ିଯାଇଥିଲା । ଚୁରୁଟଟା ମୁହଁରେ ଲଗାଇ ଟାଣ ଉପରେ ଟାଣ ମାରିଚାଲିଥିଲେ ସେ ।

କୁଲିଦଳର ବୁଢ଼ା ବୁଢ଼ା କେଇଜଣ ତାଙ୍କ ପଛେ ପଛେ ଚାଲିଥିଲେ, କାଳେ ମୁହଁରୁ କିଛି ଆଦେଶ ହେବ, ଏଇ ଆଶଙ୍କାରେ । ମିଷ୍ଟର ସିଂ ହଠାତ ପଛକୁ ମୁହଁ ବୁଲାଇ ଖୁବ୍ ଧମକ ଦେଲା ଭଙ୍ଗୀରେ ପଚାରିଲେ, “କିରେ ଏ କାଣ୍ଡସବୁ କିଏ କଲା ତୁମ ଭିତରୁ ?”

“ଆଜ୍ଞା ! ଏ ସେଇ ବ୍ରହ୍ମଦୈତ୍ୟର କାମ । ଆମେ କିଛି ଜାଣୁନା ।”

“ଚୁପ୍‌, ସଇତାନ !” ପଟାସ୍‌ କରି ଗୋଟିଏ ଚାପୁଡ଼ା ବସିଲା ତା’ ଗାଲରେ ।

ବ୍ରହ୍ମଦୈତ୍ୟର ନାଁ ଶୁଣି ମିଷ୍ଟର ସିଂଙ୍କର କ୍ରୋଧ ଯେପରି ଶହେଗୁଣ ବଢ଼ିଯାଇଥିଲା । ଏଭଳି ଅନ୍ଧବିଶ୍ୱାସର ପକ୍ଷପାତୀ ନଥିଲେ ସେ ଆଜନ୍ମରୁ । ଆଉ ମୁହୂର୍ତ୍ତେ ସୁଦ୍ଧା ସେଠାରେ ଠିଆ ହୋଇ ରହିବାର ଧୈର୍ଯ୍ୟ ନଥିଲା ତାଙ୍କର । ଦୁମ୍‍ଦୁମ୍ ହୋଇ ସେଠୁ ଚାଲିଗଲେ ଅନ୍ୟ ଠା’କୁ ।

ନିରୀହ କୁଲିଟି ବିଚରା ବୋକାଙ୍କ ପରି ଚାହିଁ ଗାଲ ଆଉଁଶି ହେଉଥିଲା ।

 

ଦୁଇ

 

ରାତି ଦୁଇଟା ହେବ ପ୍ରାୟ । ଘୋର ଅନ୍ଧକାର ପୂରିରହିଛି ଚାରିଆଡ଼େ । ଅରଣ୍ୟ ଆଉ ପର୍ବତମାଳା ସେଇ ନିବିଡ଼ ଅନ୍ଧକାରର ଛାତ ଭିତରେ ମୁହଁ ଲୁଚାଇ ନିଜର ସତ୍ତା ହରାଇଦେଇଛି ଯେପରି । ଯୁଆଡ଼କୁ ଚାହିଁଲେବି ଖାଲି କଳା ଅନ୍ଧାର । ଅନ୍ଧାର ଛଡ଼ା ଆଉ କାହାରି ଚିହ୍ନବର୍ଣ୍ଣ ଦିଶୁନି-। ବେଳେ ବେଳେ ପବନର ସନ୍ ସନ୍ ଶବ୍ଦ ଜଙ୍ଗଲର ପତ୍ରଗୁଡ଼ାକୁ ଥରାଇଦେଇ ଭାସିଆସୁଛି, ଆଉ ଜଙ୍ଗଲର ଅସ୍ତିତ୍ୱ ଜଣାଇଦେଉଛି । ଅସଂଖ୍ୟ ଜୁଳୁଜୁଳା ପୋକ ମାଳ ମାଳ ହୋଇ ଦିହୁଡ଼ି ଜାଳୁଛନ୍ତି ଦୂରରେ । କେତେବେଳେ ବା ବଣର ଜନ୍ତୁଟାଏ ଖଣ୍ଡେ ଦୂରରେ ରଡ଼ିଟାଏ ଛାଡ଼ି ନିସ୍ତବ୍ଧତା ଭାଙ୍ଗିଛି, ଆଉ କେତେବେଳେ ବା କୌଣସି ପଶୁ ଖୁବ୍ ବେଗରେ ଧାଇଁ ପଳାଉଛି ଆତ୍ମରକ୍ଷା ପାଇଁ । ଶୁଖିଲା ପତ୍ର ଉପରେ ତା’ର ପାଦର ଶବ୍ଦ ଖସ୍‍ଖସ୍ ହୋଇ ଶୁଣାଯାଉଛି କିଛି ସମୟ ପର୍ଯ୍ୟନ୍ତ ।

 

ରାଜା ପ୍ରବୀରଚନ୍ଦ୍ରଙ୍କ ତମ୍ବୁଗୁଡ଼ିକ କିନ୍ତୁ ଥିଲା ଅନୁଜ୍ଜ୍ଵଳ ଆଲୋକରେ ଆଲୋକିତ । ସେ ସ୍ଥାନଟା ସେତେ ଶ୍ଵାପଦସଙ୍କଳ ନଥିଲା । ମାତ୍ର ନିର୍ଜନ ରାତିରେ ସମୟ ସମୟରେ ହାତୀମାନଙ୍କର ଗତାଗତ ଥିଲା ସେଇବାଟେ । ସବୁଠାରୁ ଅସୁବିଧା କଥା ହେଲା ଯେ ରାଜାଙ୍କର ଦୁଇଟା ପ୍ରକାଣ୍ଡ ଦନ୍ତା ହାତୀ ଥିଲେ ସାଙ୍ଗରେ । ବଣର ହାତୀଦଳ ଯଦି ଦୈବାତ ଏ ପୋଷା ହାତୀଙ୍କର ସନ୍ଧାନ ପାଆନ୍ତି, ତେବେ ମୁସ୍କିଲ କଥା । ସେଥିପାଇଁ ରାଜାସାହେବଙ୍କ ହାତୀ ଦୁଇଟାକୁ ତମ୍ବୁ ଭିତରେ ଗୋପନରେ ରଖାଯାଇଥିଲା । ତା’ ଛଡ଼ା ଉଚ୍ଚ କାଠ ଖଣ୍ଡରେ ତିଆରି ଗୋଟାଏ ବିଶାଳ ଘେରଭିତରେ ତମ୍ବୁଗୁଡ଼ିକୁ ସ୍ଥାପନ କରାଯାଇଥିଲା । ରାତିରେ ଅନ୍ତତଃ କୋଡ଼ିଏଟା ମଶାଲ ଜଳୁଥିଲା ପାଚେରି ଚାରିଦିଗରେ । ପାଚେରି ଭିତରପାଖରେ ରାଜାସାହେବଙ୍କ ତମ୍ବୁକୁ ଘେରି ତାଙ୍କର ଲୋକବାକଙ୍କର ତମ୍ବୁ ଭିଡ଼ାଯାଇଥିଲା । ସଦର ଫାଟକରେ ଦୁଇ ଜଣ ବନ୍ଧୁକଧାରୀ ପାଇକ ପହରା ଦେଉଥିଲେ । ଏତେ କଡ଼ା ନିରାପତ୍ତା ବ୍ୟବସ୍ଥା ପରେ ଯେ ବିପଦର ଆଶଙ୍କା କରାଯାଇପାରେ, ଏହା ଚିନ୍ତା କରିବା ବାଚାଳତା ଛଡ଼ା ଆଉ କିଛି ନୁହେଁ ।

 

ରାତି ଖୁବ୍ ଗଭୀର ହୋଇଯାଇଛି ।

 

ତମ୍ବୁ ଭିତରେ କେବଳ ପ୍ରହରୀ ଦୁଇଜଣଙ୍କୁ ଛାଡ଼ିଦେଲେ ଆଉ ସମସ୍ତେ ନିଘୋଡ଼ ନିଦରେ ଶୋଇଯାଇଛନ୍ତି । ସୁଦୃଢ଼ ନିରାପତ୍ତା ବ୍ୟବସ୍ଥା ଯୋଗୁଁ ବିପଦର ଆଶଙ୍କା ନାହିଁ କାହାରି ମନରେ । କିନ୍ତୁ ସୁଦୀପ ସିଂ ଶୋଇପାରିନାହାନ୍ତି ସେ ପର୍ଯ୍ୟନ୍ତ । ରାଣୀ ମାଳବିକା ତାଙ୍କ ମୁଣ୍ଡରେ ଲୁଚିଛପି ଥିବା ସଇତାନକୁ ଚେତନା ଦେଇ ଉନ୍ମାଦ କରିଦେଇଛନ୍ତି । ସେ ସେଇ ସଇତାନର ପ୍ରରୋଚନାରେ ମାଳବିକାଙ୍କୁ କେନ୍ଦ୍ର କରି କଳ୍ପନାର ବୁଢ଼ିଆଣୀ ଜାଲ ବୁଣି ଚାଲିଛନ୍ତି ନିଜ କ୍ଵାଟରରେ ଅନ୍ଧାରରେ ଶୋଇ । ମାଳବିକା ବର୍ତ୍ତମାନ ତାଙ୍କ ହାତମୁଠାରେ । ଇଚ୍ଛା କଲେ ସେ ଯାହା ଇଚ୍ଛା ତାହା କରିପାରନ୍ତି । ରାଜା ପ୍ରବୀରଚନ୍ଦ୍ର ଆଉ ଅରିନ୍ଦମ ଛୋଟରାୟ ସାମାନ୍ୟ ମାତ୍ର । ଅନାୟାସରେ ହଟାଇଦେଇହେବ ସେ ଦୁହିଁଙ୍କୁ ରାସ୍ତାରୁ । ତା’ପରେ ମାଳବିକାଙ୍କୁ କରାୟତ୍ତ କଲେ ତାଙ୍କର ଧନର ଅଭାବ ରହିବ ନାହିଁ କେବେ । ଗୋଟାଏ ରାଜ୍ୟର ଧନ । ଜୀବନର ଅବଶିଷ୍ଟାଂଶ ଉପଭୋଗରେହିଁ କଟିଯିବ । ଏ ବଣ୍ୟ ପରାଧୀନ ଜୀବନରୁ ଅବ୍ୟାହତି ନେବାକୁ ହେବ ନିଶ୍ଚୟ–ଯେପରି ହେଉ, କଳେ, ବଳେ ବା କୌଶଳେ ।

 

ମୁଣ୍ଡ ପାଖକୁ ତାଙ୍କର ଥୁଆହୋଇଛି ବଡ଼ ଲୁହା ଟ୍ରଙ୍କଟାଏ । ସେଥିରେ ଅଛି ପାଞ୍ଚହଜାର ଟଙ୍କାର ନୋଟ । ସେତକ ଟଙ୍କା ସେ ଖର୍ଚ୍ଚ ଇତ୍ୟାଦିପାଇଁ ଆଜି ପାଇଛନ୍ତି ରାଜା ପ୍ରବୀରଚନ୍ଦ୍ରଙ୍କଠାରୁ-। ଅଥଚ କୁଲି ଇତ୍ୟାଦିଙ୍କ ପାଇଁ ମାତ୍ର ଶହେ ଟଙ୍କା ଖର୍ଚ୍ଚ ଯଥେଷ୍ଟ । ଅତିରିକ୍ତ ବ୍ୟୟ ହିସାବ ଦେଖାଇ ସେ ସେତକ ଆଦାୟ କରିଛନ୍ତି । ରାଜା ପ୍ରବୀରଚନ୍ଦ୍ର, ମଧ୍ୟ ଆନନ୍ଦରେ ଦେଇଦେଇଛନ୍ତି । ତାଙ୍କର ହାବଭାବରୁ ସନ୍ଦେହ କଲା ପରି କିଛି ଲକ୍ଷ୍ୟ କରିନାହାନ୍ତି ମିଷ୍ଟର ସିଂ ।

 

ଖାଲି ଉପାୟ ! ସହଜ ଉପାୟ ! ଏପର୍ଯ୍ୟନ୍ତ ନାନାପ୍ରକାର ଉପାୟ ଚିନ୍ତା କରୁଛନ୍ତି ସେ; କିନ୍ତୁ ପରମୁହୂର୍ତ୍ତରେ ତାକୁ ବାଦ୍ ଦେବାକୁ ହେଉଛି କିଛି ନା କିଛି କାରଣରୁ । ଗୋଟିଏ ସହଜ ଉପାୟ ମନକୁ ଆସୁନି । ମସ୍ତିଷ୍କ ଉତ୍ତେଜିତ ହୋଇଉଠୁଛି କ୍ରମେ । ଶୋଇ ଶୋଇ ବିରକ୍ତ ଲାଗିଲାଣି । ବିଛଣା ଉପରେ ଉଠିବସିଲେ ସେ । ସେଇ ଅନ୍ଧାରରେ ପାଖ ଟେବୁଲ ଉପରୁ ଅଣ୍ଡାଳି ଅଣ୍ଡାଳି ମଦବୋତଲଟା ଧରିଲେ । ତା’ପରେ ଠିପି ଖୋଲି ମୁହଁରେ ଲଗାଇଲେ । ସମୁଦାୟ ବୋତଲଟା ନିଃଶେଷ କରିନେଇ କଚାଡ଼ିଦେଲେ ଟେବୁଲ ଉପରେ । ତା'ପରେ ବନ୍ଧୁକଟା କାନ୍ଧରେ ପକାଇ ବାହାରିପଡ଼ିଲେ ପଦାକୁ ।

 

ଆଗରେ ନିବିଡ଼ ଅନ୍ଧାର । ଖଣ୍ଡେ ଦୂରରେ ରାଜାସାହେବଙ୍କ ଡେରା । ସଦର ଫାଟକରେ ବଡ଼ ବଡ଼ ମଶାଲ ଦି’ଟା ତେଜୀୟାନ୍ ହୋଇ ଜଳୁଛି । ପାଇକ ପ୍ରହରୀ ଦୁଇଜଣ ସତର୍କ ଭାବରେ ପହରା ଦେଉଛନ୍ତି । ମଝିରେ ମଝିରେ ବଣରୁ ଜନ୍ତୁଙ୍କର ଶବ୍ଦ ଶୁଣି ସତର୍କ ହୋଇଉଠୁଛନ୍ତି-। ମଶାଲ ଆଲୁଅରେ ବନ୍ଧୁକର ସଙ୍ଗିନ ଚକ୍‍ଚକ୍ କରିଉଠୁଛି ।

 

ମିଷ୍ଟର ସିଂ ଆଉ ଆଗକୁ ଯିବା ଠିକ୍ ମନେକଲେ ନାହିଁ । ଏତେ ରାତିରେ ଜଙ୍ଗଲକୁ ଯିବାବି ଅସମ୍ଭବ । କ୍ଵାଟର ସାମନାରେ କିଛି ସମୟ ଖୋଲା ଆକାଶତଳେ ଠିଆ ହେଲେ ସେ ରାଜାସାହେବଙ୍କ ଡେରାଆଡ଼େ ଦୃଷ୍ଟି ରଖି । ପାଖ ଗଛ ଉପରେ ପକ୍ଷୀଟାଏ ଡେଣା ଫଡ଼୍‍ଫଡ଼୍ କରିଉଠିଲା । ମିଷ୍ଟର ସିଂ ଟିକିଏ ଚମକି ପଡ଼ିଲେ । ମସ୍ତିଷ୍କର ସ୍ନାୟୁକେନ୍ଦ୍ରକୁ ମଦ୍ୟନିଶାର ଉନ୍ମତ୍ତତା ପୂରା ଗ୍ରାସ କରିସାରିଥିଲା ସେତେବେଳକୁ । ଗୋଟାଏ ଭୟାବହ ଚକ୍ରାନ୍ତର ଜାଲ ମଝିରେ ଠିଆ ହେଲାଭଳି ବୋଧ ହେଉଥିଲା ତାଙ୍କୁ ।

 

ହଠାତ ସାମାନ୍ୟ ଗୋଟାଏ ‘ଖୁଟ୍‌’ କରି ଶବ୍ଦରେ ଚମକିପଡ଼ିଲେ ସେ । ଶବ୍ଦଟା ତାଙ୍କରି କ୍ଵାଟର ଭିତରୁ ଶୁଣାଯାଇଥିଲା । ଅନ୍ୟ ଦିନ ହୋଇଥିଲେ ସେ ଟିକିଏ ହେଲେ ଧ୍ୟାନ ଦେଇ ନ ଥାନ୍ତେ ସେଥିପ୍ରତି । ମାତ୍ର ସେଦିନ ପାଞ୍ଚହଜାର ଟଙ୍କାର ମୋହହିଁ ତାଙ୍କର ମନକୁ ଆକର୍ଷଣ କରି ରଖିଥିଲା ସେଇଠି । ଚୋର ତସ୍କରଙ୍କ ଭୟ ନଥିଲେବି ସେ ଫେରି ଚାଲିଲେ କ୍ଵାଟର ଆଡ଼କୁ ।

 

ପିଣ୍ଡା ଉପରକୁ ପାଦ ବଢ଼ାଇଲାମାତ୍ରେ ସେ ବୋଧକଲେ ଯେପରି ତାଙ୍କ ସାମନା ଦେଇ ପିଣ୍ଡା ଉପରେ ଅନ୍ଧକାରରେ କେହି ଜଣେ ଚାଲିଯାଉଛି । ମିଷ୍ଟର ସିଂଙ୍କ ହାତ ଚଟ୍‍ କରି ପଡ଼ିଲା ବନ୍ଧୁକ ଉପରେ । ସେ ଚମକିପଡ଼ିଲେ–‘କ’ଣ କିଛି ଜନ୍ତୁ ?’’ ବନ୍ଧୁକଟା ଅନୁମାନ କରି ବାଗେଇଧରି ଦୃଢ଼ କଣ୍ଠରେ ସେ ପାଟିକରି ଉଠିଲେ, ‘କିଏ’ ?

 

କିଛି ଶବ୍ଦ ନାହିଁ । ଖାଲି ଚାପା ହସ ଟିକିଏ ଶୁଣାଗଲା । ଏ ଚାପା ହସ ଯେ କୌଣସି ମନୁଷ୍ୟର ଏହା ସେ ନିଃସନ୍ଦେହଭାବରେ ଅନୁମାନ କଲେ । ତାଙ୍କ କ୍ଵାଟରଭିତରେ ରାତି ଅଧରେ ଏପରି ପଶିଯାଇପାରେ ଏଭଳି ଲୋକ ଏଠି କିଏ ଅଛି, ଭାବି ସେ ବଡ଼ ବିସ୍ମିତ ହୋଇପଡ଼ିଲେ; ପୁଣି ଥରେ ପୂର୍ବାପେକ୍ଷା ଦୃଢ଼ ସ୍ଵରରେ ସେ ଡାକିଲେ, ‘କିଏ ? କିଏ ସେ ?’

 

କିନ୍ତୁ କିଛି ଶବ୍ଦ ନାହିଁ; ଅଥଚ ବାରଣ୍ଡା ଦେଇ ଚାଲିଯାଉଛି କେହି ଜଣେ । ଆଉ ମାତ୍ର ତିନି ଚାରି ପାହୁଣ୍ଡ ଗଲେ ସେ ଜଙ୍ଗଲଭିତରେ ପଶିଯିବ ।

 

ମିଷ୍ଟର ସିଂ ତାଙ୍କର ରାଇଫଲ୍ ଉଠାଇଲେ । ପାଖରେ ଆଲୁଅ ଆଣିବାକୁବି ସେ ଭୁଲିଛନ୍ତି ନିଶାଭୋଳରେ । ତଥାପି ଅନ୍ଧାରରେ ବେଶ୍ ଅଭ୍ୟସ୍ତ ସେ । ପରମୁହୂର୍ତ୍ତରେ ତାଙ୍କ ବନ୍ଧୁକ ଗର୍ଜିଉଠିଲା ‘ଗୁଡ଼ୁମ୍’ ।

 

ବନ୍ଧୁକର ଶବ୍ଦ ମିଳାଇ ନ ଯାଉଣୁ ସେ ପୁଣି ଥରେ କାହାର ହସ ଶୁଣି ପାରିଲେ । ଏଥର କିନ୍ତୁ ଚାପା ନୁହେଁ, ବେଶ୍ ଖିଲି ଖିଲି ହସ ତା’ପରେ ବଣଭିତରେ କାହାର ଦୌଡ଼ି ପଳାଇବାର ଶବ୍ଦ ।

 

ମିଷ୍ଟର ସିଂଙ୍କର କ୍ଵାଟରରେ ଗୁଳି ଫୁଟିବା ଶବ୍ଦ ଶୁଣି ରାଜାସାହେବଙ୍କ ଡେରାର ପ୍ରହରୀ ଜଣେ ମଶାଲଟିଏ ହାତରେ ଧରି ଧାଇଁଆସି ପହଞ୍ଚିଗଲା ସେଠି । ସେପର୍ଯ୍ୟନ୍ତ ରାଇଫଲ୍‍ଟା ଉଦ୍ୟତ ଅବସ୍ଥାରେ ଥିଲା ମିଷ୍ଟର ସିଂଙ୍କ ହାତରେ । ପ୍ରହରୀ ଠାରୁ ମଶାଲଟା ଟାଣିନେଇ ସେ ଧାଇଁଗଲେ ଗୁଳି ମାରିଥିବା ଆଡ଼କୁ, କିନ୍ତୁ କିଛି ନାହିଁ । ଆଗରେ ଖୁବ୍ ପାଖରେ ଜଙ୍ଗଲ, ଅଥଚ ଚିହ୍ନବର୍ଣ୍ଣ ନାହିଁ ମନୁଷ୍ୟ କିମ୍ବା କୌଣସି ପ୍ରାଣୀର । ପରମୁହୂର୍ତ୍ତରେ ସେ ଭାବିଲେ—ଯାହା ସେ ଶୁଣିବାକୁ ପାଇଛନ୍ତି, ଭୁଲ୍ ଶୁଣିନାହାନ୍ତି କେବେ । ସେଠାରୁ ଫେରି ସେ ଧାଇଁଗଲେ କ୍ଵାଟର ଭିତରକୁ । ସର୍ବେପ୍ରଥମେ ଦୃଷ୍ଟି ପଡ଼ିଲା ତାଙ୍କର ଲୁହାଟ୍ରଙ୍କଟା ଉପରେ । ଠିଆ ମେଲା ଅବସ୍ଥାରେ ରହିଛି । କ’ଣ ଗୋଟାଏ ଆଶଙ୍କାରେ ଛାତିଭିତରଟା ତାଙ୍କର ଦାଉଁ ଦାଉଁ କରି ଉଠିଲା । ଆହୁରି ପାଖକୁ ଯାଇ ଦେଖିଲେ—ପାଞ୍ଚହଜାର ଟଙ୍କାର ବଣ୍ଡିଲଟି ନାହିଁ ।

 

ସାରା ଦେହଟା ଘର୍ମାକ୍ତ ହୋଇଉଠିଲା ତାଙ୍କର । ଦୁଃଖ, ଲଜ୍ଜା ଏବଂ କ୍ରୋଧରେ ଚିନ୍ତାଶକ୍ତି ଲୋପ ପାଇଯାଇଥିଲା ଯେମେତି । ଲଥ୍‍କରି ବସିପଡ଼ିଲେ ସେ ଖଟିଆ ଉପରେ । ମଶାଲଟା ଖସି ପଡ଼ିଲା ତାଙ୍କ ହାତରୁ । ସେ ମନେ ମନେ ଚିନ୍ତା କରିବାକୁ ଲାଗିଲେ–‘ପାଞ୍ଚହଜାର ଟଙ୍କା’ । ସେତକ କୁଲିଙ୍କ ପେଟରୁ କାଟି ରଖିପାରିଥିଲେ ସେ । ଅଥଚ ଅତି ସହଜଭାବରେ ହରଣଚାଳ ହେଲା ସେତକ ! ପାଞ୍ଚହଜାର ଟଙ୍କା ଚୋରି ହୋଇଗଲା ବୋଲି କହିବାର ଉପାୟ ନାହିଁ । କାରଣ, ଟଙ୍କାଗୁଡ଼ିକ କୁଲିମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି ବୋଲି ରାଜା ପ୍ରବୀରଚନ୍ଦ୍ରଙ୍କୁ ସେ କହିସାରିଛନ୍ତି । ପୁଣି ପାଞ୍ଚହଜାର ଚୋରି ଯାଇଛି ବୋଲି କହିବା ଅର୍ଥ—ରାଜା ସାହେବଙ୍କ ସନ୍ଦେହରେ ନିଜକୁ ଠିଆ କରାଇବା ।

ପୁଣି ଚିନ୍ତା କରିବାକୁ ଲାଗିଲେ ସେ—ଏତେଗୁଡ଼ାଏ ଟଙ୍କା ବା ଏଠୁ ନେବାକୁ ସାହସ କଲା କିଏ ? ଯେପରି ଜଣାଯାଉଛି, ତାଙ୍କର ଟଙ୍କା ରଖିବାର ସନ୍ଧାନ ହୁଏତ କେହି ଠଉରାଇ ରଖିଥିଲା । କିନ୍ତୁ କିଏ ? ଏଠାରେ ଦୀର୍ଘକାଳ ରହିବା ଭିତରେ ଏପରି ଦୁର୍ଘଟନା କେବେ ଘଟିନି । ଆଉ କ’ଣ ମହାରାଜାଙ୍କ ଦଳର କେହି ଲୋକ ? ଏଇ ଶେଷ ସିଦ୍ଧାନ୍ତ ଉପରେ ସେ କେଜାଣି କାହିଁକି ଟିକିଏ ଦୃଢ଼ ହୋଇଉଠୁଥିଲେ ।

ଗୁଳି ଫୁଟିବା ସଙ୍ଗେ ସଙ୍ଗେ ଡେରାଭିତରେ ଆଉ କେତେ ଜଣଙ୍କର ନିଦବି ଭାଙ୍ଗି ଯାଇଥିଲା । ଘଟନାଟା ଜାଣିବାପାଇଁ ଜଣେ ଦୁଇଜଣ ଉଠିଆସି ପ୍ରହରୀ ନିକଟରୁ ସବୁ ଶୁଣିଲେ । କ୍ରମେ ଅନ୍ୟମାନେବି ଉଠିପଡ଼ିଲେ । ଅଳ୍ପ ସମୟ ମଧ୍ୟରେ ରାଜା ପ୍ରବୀରଚନ୍ଦ୍ରଙ୍କ ସମେତ ସମସ୍ତେ ଉଠି ଡେରା ବାହାରକୁ ଚାଲିଆସିଲେ । ବେଶ୍ ଗୋଟାଏ ହଲ୍ଲା ପଡ଼ିଗଲା ଡେରାଭିତରେ । ମଶାଲ ଆଲୁଅରେ ଚାରିଆଡ଼ ଖୋଜାଖୋଜି ଲାଗିଲା; କିନ୍ତୁ ଜନ୍ତୁଜୁନ୍ତାଙ୍କର ପତ୍ତା ନାହିଁ । ମିଷ୍ଟର ସିଂ କେବଳ କହିଲେ—“ସାମାନ୍ୟ ମଟ୍‌ମାଟ୍‌ ଶବ୍ଦ ଶୁଣି ମୁଁ ବାହାରକୁ ଆସି ଦେଖେ ତ ଗୋଟାଏ ହାତୀ-। ତାକୁଇ ଘଉଡ଼ିବା ପାଇଁ ମୁଁ ଫାଙ୍କା ଆବାଜ କରିଥିଲି ।”

ଉତ୍ତରଟା ଅନ୍ୟମାନଙ୍କ ପକ୍ଷରେ ସନ୍ତୋଷଜନକ ହୋଇଥିଲେବି ପ୍ରଥମ ଆଗନ୍ତୁକ ପ୍ରହରୀ ଥରେ ବିଶ୍ୱାସ କରିପାରି ନଥିଲା । କାରଣ ଆରମ୍ଭରୁହିଁ ସେ ମିଷ୍ଟର ସିଂଙ୍କ ହାବଭାବରେ ଘୋର ପରିବର୍ତ୍ତନ ଲକ୍ଷ୍ୟ କରିଥିଲା । ମିଷ୍ଟର ସିଂ ବିଶେଷ କିଛି ଗୋଟାଏ ଗୋପନ ରଖିଦେଉଛନ୍ତି ବୋଲି ସେ ସ୍ପଷ୍ଟ ବୁଝିପାରିଲା ।

ରାତି ପାହିବାକୁ ଆଉ ଅଧିକ ବିଳମ୍ବ ନଥିଲା । ରାଜା ପ୍ରବୀରଚନ୍ଦ୍ର ପ୍ରଭୃତି କେତେଜଣଙ୍କ ବ୍ୟତୀତ ଅନ୍ୟ ସମସ୍ତେ ନ ଶୋଇ ଡେରା ବାହାରେ ହୋ’ ହୋ’ ହୋଇ କଟାଇଦେଲେ । କେବଳ ମିଷ୍ଟର ସିଂ କୌଣସିପ୍ରକାରେ ରାତି ପାହିବାକୁ ଅପେକ୍ଷା କଲେ । ମନରେ ତାଙ୍କର ବୈଶାଖୀ ଝଞ୍ଜା ବହୁଥିଲା । ସେ ଖୋଜି ବୁଲୁଥିଲେ ସେଇ ଜଣକୁ । ପୁଣି ପରମୁହୂର୍ତ୍ତରେ କେଉଁ ଅଦୃଶ୍ୟ ଶକ୍ତିର ପ୍ରତିକ୍ରିୟା ଚିନ୍ତା କରି ଭୟଭୀତ ହୋଇପଡ଼ୁଥିଲେ ।

ରାତି ପାହୁ ପାହୁ କାନ୍ଧରେ ରାଇଫଲ୍‍ଟା ପକାଇ ମିଷ୍ଟର ବାହାରି ଗଲେ ଜଙ୍ଗଲଭିତରକୁ-। ଗତରାତିର ଘଟନା ପରଠାରୁ ନିତାନ୍ତ ବିଷଣ୍ଣ ହୋଇପଡ଼ିଥିଲେ ସେ ।

ଜଙ୍ଗଲର ଭଳି ଭଳି ଜନ୍ତୁ ତାଙ୍କରି ସାମନା ଦେଇ ବେଶ୍ ସୁରୁଖୁରୁରେ ଚାଲିଯାଉଥାନ୍ତି, ଅଥଚ ସେ ରାଇଫଲ୍ ଖସାଉ ନ ଥାନ୍ତି ତଳକୁ; କିନ୍ତୁ ଅନ୍ୟ ଦିନ ହେଇଥିଲେ ଗୋଟିଏ ହେଲେ ଜନ୍ତୁ ଉଧୁରି ଯାଆନ୍ତେ ନାହିଁ ତାଙ୍କ ନଜରରୁ । ଆଜି ମିଷ୍ଟର ସିଂଙ୍କର ଉଦ୍ଦେଶ୍ୟ ସ୍ଵତନ୍ତ୍ର, ଲକ୍ଷ୍ୟସ୍ଥଳ ଭିନ୍ନ ।

କ୍ରମେ ଜଙ୍ଗଲ ରାସ୍ତା ଭାଙ୍ଗି ଗୋଟାଏ ପର୍ବତଘାଟି ଭିତରଦେଇ ଆଗେଇବାକୁ ଲାଗିଲେ ସେ । ବିରାଟ ବିରାଟ ପଥରଖଣ୍ଡଗୁଡ଼ାକୁ ଫଟାଇ ପ୍ରକାଣ୍ଡ ଶାଳ, ପିଆଶାଳ, ଅସନ ଗଛଗୁଡ଼ା ଉପରକୁ ମୁଣ୍ଡ ଟେକିଛି । ଖୁବ୍ ମୋଟା ମୋଟା ଲଟାଗୁଡ଼ା ବୁଢ଼ିଆଣୀ ଜାଲ ପରି ଛନ୍ଦିହୋଇଛି ସେ ଗଛରେ । ତଳେବି କଣ୍ଟାଝାଟିର ଅସୁମାରି ଜଙ୍ଗଲ । ତା’ରି ଭିତରେ ସମାନ ଅସମାନ ପଥରଖଣ୍ଡ ସବୁ ମୁଣ୍ଡ ଟେକିଛି । ସେଇ ପଥର ଉପରେ ଖୁବ୍ ସତର୍କତାର ସହିତ ପାଦ ପକାଇ ମିଷ୍ଟର ସିଂ ଉପରକୁ ଉଠୁଥିଲେ । ଉପରକୁ ଉପରକୁ ଜଙ୍ଗଲ କ୍ରମେ ଘଞ୍ଚ ଓ ବିପଦଶଙ୍କୁଳ ବୋଧ ହେଉଥିଲା, ମାତ୍ର ସେଥିପ୍ରତି ତାଙ୍କର ଦୃଷ୍ଟି ଥିଲା କି ନା ସନ୍ଦେହ ।

ପର୍ବତର ଅଧାଅଧିରୁ ଘାଟିଟା ଶେଷ ହୋଇଯାଇଛି । ସେଇଠାରୁ ଘାଟିମୁଣ୍ଡର ଦୁଇପାଖକୁ ଦୁଇଟା ଚୂଡ଼ା ବାହାରିଯାଇଛି । ମଝିଅଂଶଟା ଖୁବ୍ ପ୍ରଶସ୍ତ ଏବଂ ସମତଳ; ମାତ୍ର ଘୋର ଜଙ୍ଗଲପୂର୍ଣ୍ଣ । ଘାଟି ଶେଷରେ ପହଞ୍ଚି ସୁଦୀପ ସିଂ ଗୋଟାଏ ଦୀର୍ଘ ନିଃଶ୍ଵାସ ପକାଇଲେ । ସାରା ଦେହଟା ତାଙ୍କର ଘର୍ମାକ୍ତ ହୋଇଉଠିଥିଲା ସେତେବେଳକୁ ।

 

ସମତଳ ଅଞ୍ଚଳର ନିଘଞ୍ଚ ଜଙ୍ଗଲରେ ସେ ପୁଣି ଆଗେଇ ଚାଲିଲେ । ପ୍ରାୟ ଅଧମାଇଲିଏ ଖଣ୍ଡେ ଗଲା ପରେ ଖୁବ୍ ଗୋଟାଏ ଖୋଲା ଜାଗାରେ ପହଞ୍ଚିଗଲେ ସେ । ସ୍ଥାନଟାର ଚାରିପଟେ ପାହାଡ଼ର ଚୂଡ଼ାଗୁଡ଼ା ଉଠିଯାଇଛି ବହୁ ଉଚ୍ଚ ପର୍ଯ୍ୟନ୍ତ । ମଝି ଅଂଶଟା ପରିଷ୍କାର । ପ୍ରକାଣ୍ଡ ପ୍ରକାଣ୍ଡ ଗୁହା କେତେଟା ବିରାଟ ଆଁ କରି ଚାହିଁଛି ଯେପରି ଖୋଲା ସ୍ଥାନ ଆଡ଼େ । ଖୋଲା ଜାଗାଟାରେ ଏଠି ସେଠି କେତେ ଖଣ୍ଡ ସାନବଡ଼ ପଥର ବିକ୍ଷିପ୍ତଭାବରେ ପଡ଼ିଛି । ସ୍ଥାନଟାର ଅବସ୍ଥିତି ବହୁ ଉଚ୍ଚରେ । ଅଖଣ୍ଡ ନୀରବତାର ରାଜତ୍ଵ ସେଠି ସବୁବେଳେ ।

 

ବହୁ ପୂର୍ବ ପରିଚିତ ପରି ମିଷ୍ଟର ସିଂ ସେଇ ଖୋଲା ଜାଗାଟା ଅତିକ୍ରମ କରି ଅପେକ୍ଷାକୃତ ବୃହତ୍ ଗୁହା ଦ୍ଵାରରେ ଠିଆ ହୋଇ ଖୁବ୍ ଗମ୍ଭୀର ଏବଂ ଉଚ୍ଚ ସ୍ଵରରେ ଡାକିଲେ–“ଚଣ୍ଡୁରାମ ।”

 

ଡାକଟା ଏତେ ଉଚ୍ଚ ଆଉ ଗମ୍ଭୀର ଥିଲା ଯେ, ନିର୍ଜନ, ନୀରବ ପର୍ବତରେ ଶବ୍ଦଟା ପ୍ରତିଧ୍ଵନିତ ହୋଇ ବହୁ ଗୁଣ ଉଚ୍ଚ ଆଉ ଗମ୍ଭୀର ଶୁଣାଗଲା । ଠିକ୍ ତା’ର ପରମୁହୂର୍ତ୍ତରେ ଗୁହା ଭିତରୁ ବାହାରି ଆସିଲା ଗୋଟାଏ ମନୁଷ୍ୟ । ମନୁଷ୍ୟ ତ ନୁହେଁ, ମନୁଷ୍ୟରୂପଧାରୀ ଦାନଦ । ଲୋକଟାର ଆକୃତି ଥିଲା ଖୁବ୍ ବିଶାଳ, ମୋଟା ଶାଳଗଡ଼ ପରି ହାତଗୋଡ଼, ମୁହଁସାରା ନିଶଦାଢ଼ି, କଳା ମଚ୍‍ମଚ୍ ଦେହ । ମୁଣ୍ଡର ବାଳଗୁଡ଼ା ରୁକ୍ଷ ଆଉ କର୍କଶ, ଆଖି ଦୁଇଟା ବଡ଼ ବଡ଼ ଗେଣ୍ଡା ପରି, ସେ ପୁଣି ଦେଖାଯାଉଛି ମନ୍ଦାର ଫୁଲ ପରି; ରକ୍ତବର୍ଣ୍ଣ । ଲୋକଟାର ପରିଧାନ ମଧ୍ୟରେ ସାମାନ୍ୟ କୌପୀନ ଖଣ୍ଡିଏ ଛଡ଼ା ଆଉ କିଛି ନାହିଁ । ଲୋକଟାକୁ ଦେଖିଲେ ଯେ କେହି ଭୟ ପାଇଯିବାର କଥା; ମାତ୍ର ମିଷ୍ଟର ସିଂ ଖୁବ୍ ଦମ୍ଭର ସହିତ ଠିଆ ହୋଇଥିଲେ ସେଇଠି । ଚଣ୍ଡୁରାମ ବରଂ ତାଙ୍କୁ ଦେଖି ପାଖକୁ ଆସି ଖୁବ୍ ବିନୀତଭାବରେ ହାତ ଯୋଡ଼ି ଠିଆ ହୋଇ ରହିଲା । ମୁହଁରେ ତା’ର ବିସ୍ମୟ ଭାବ ଫୁଟି ଉଠିଥିଲା ।

 

ସୁଦୀପ ସିଂ ଥରେ ପଛକୁ ମୁହଁ ବୁଲାଇ ଚାରିଆଡ଼କୁ ଚାହିଁଲେ । ଉଦ୍ଦେଶ୍ୟ, ତାଙ୍କର ଗତିବିଧି କେହି ଲକ୍ଷ୍ୟ କରୁଛି କି ନାହିଁ ଦେଖିବାପାଇଁ ।

 

ତାଙ୍କର ମନୋଭାବ ବୁଝିପାରି ଚଣ୍ଡୁରାମ ଖୁବ୍ ବିନୟର ସହିତ କହିଲା—“ସମସ୍ତେ ତୟାର ଅଛନ୍ତି, ରାଜା ! ହୁକୁମ ହବ ତ–”

 

ତାକୁ ଆଉ କିଛି କହିବାକୁ ନ ଦେଇ ମିଷ୍ଟର ସିଂ କହିଲେ, “ନା, ଥାଉ । ଚାଲ ଭିତରକୁ-। ସବୁ କହୁଛି ।”

 

ଚଣ୍ଡୁରାମ ସଂକୀର୍ଣ୍ଣ ଗୁମ୍ଫାଦ୍ଵାରରେ ନଇଁ ନଇଁ ଭିତରକୁ ଚାଲିଗଲା । ତା’ ପଛେ ପଛେ ସୁଦୀପ ସିଂ ଅଦୃଶ୍ୟ ହୋଇଗଲେ ଗୁମ୍ଫାର ଅନ୍ଧକାର ଗର୍ଭରେ ।

 

ଗୋଟାଏ ନିର୍ଜନ, ଅସମ୍ଭାବିତ ସ୍ଥାନରେ ସେ ମନୁଷ୍ୟ ବାସ କରି ରହିପାରେ, ଏ କଥା ବାହାରର ଲୋକ କିଏ ବା କାହିଁକି କଳ୍ପନା କରିବ ?

 

ସେତେବେଳକୁ ଦିନ ଦଶଟା ବାଜିଯାଇଥିଲେବି ପର୍ବତର ଚୂଡ଼ା ଅତିକ୍ରମ କରି ସୂର୍ଯ୍ୟ ଦେଖା ଦେଇ ନଥିଲେ ସେଠି । ତଥାପି ବେଶ୍‌ ଆଲୋକିତ ହୋଇ ରହିଥିଲା ସ୍ଥାନଟା ।

 

ତିନି

 

ମିଷ୍ଟର ସୁଦୀପ ସିଂ ଧାରଣା କରିପାରୁ ନଥିଲେ—ଡେରା ନିକଟରେ ଏତେ କୋଳାହଳ କାହିଁକି ? ଗୋଳମାଳଟା ଠିକ୍ କେଉଁଠୁ ଶୁଣାଯାଉଛି ତାହା ଅବଶ୍ୟ ତାଙ୍କୁ ଦେଖାଯାଉ ନଥିଲା । କାରଣ, ଘନ ଜଙ୍ଗଲରେ ଗତି କରୁଥିଲେ ସେ । ମାତ୍ର ଡେରା ନିକଟରେ ହେବ ବୋଲି ନିଶ୍ଚିତଭାବରେ ଅନୁମାନ କରିନେଇଥିଲେ । ତେବେ ବହୁ ଚିନ୍ତା ପରେ କାରଣଟା କିଛି ଜାଣିପାରିଲେ ନାହିଁ ସେ । ନାନା ପ୍ରକାର ଆଶଙ୍କାର ଉଦୟ ହେଲା ମନରେ ତାଙ୍କର । ସନ୍ଦେହ ଦୂର କରିବାପାଇଁ ଖୁବ୍ ଦ୍ରୁତଗତିରେ ପାଦ ପକାଇବାକୁ ଲାଗିଲେ । କ୍ରମେ ଡେରାର ନିକଟବର୍ତ୍ତୀ ହେବା ସଙ୍ଗେ ସଙ୍ଗେ କୋଳାହଳ ଉଚ୍ଚ ଏବଂ ସ୍ପଷ୍ଟ ଜଣା ହେଉଥିଲା ତାଙ୍କୁ । ଆଉ ଟିକିଏ ପାଖେଇ ଆସିଲା ପରେ ସେ ଜାଣିଲେ ଯେ ଏଟା ଆନନ୍ଦସୂଚକ କୋଳାହଳ ସ୍ଥାନୀୟ ଅଧିବାସୀମାନଙ୍କର; କିନ୍ତୁ କାରଣଟା ଯେ କ’ଣ ତାଙ୍କ ଅଜ୍ଞାତରେ କ’ଣ ଏପରି ଘଟିଛି ତାହା ବୁଝିବାପାଇଁ ବ୍ୟଗ୍ରତା ଟିକିଏ ବଢ଼ିଯାଇଥିଲା ।

 

ଡେରା ନିକଟରେ ଆସି ପହଞ୍ଚି ସେ ଦେଖିଲେ, ଯେଉଁ କୁଲିମାନେ ଏଇ କେତେ ଦିନ ଧରି ଏଠାରେ କାମ କରୁଥିଲେ, ସେଇମାନେ ସେମାନଙ୍କର ପରିବାର ଧରି ଆସି ନାଚଗୀତର କୋଳାହଳ ଲଗାଇଛନ୍ତି । ମନତୃପ୍ତିକର ପୁରସ୍କାର ପାଇଲେ ଏମାନେ ସାଧାରଣତଃ ଏହିପରି ନାଚଗୀତର ଆୟୋଜନ କରନ୍ତି । ତେବେ ଆଜି କି ପୁରସ୍କାର ପାଇ ଏମାନେ ଯେ ରାଜା ପ୍ରବୀରଚନ୍ଦ୍ରଙ୍କ ଡେରାରେ ଏତେ ଆନନ୍ଦର ଢେଉ ଛୁଝାଇଛନ୍ତି, ସେକଥା ସେ ହଠାତ ବୁଝିପାରିଲେ ନାହିଁ । ନର୍ତ୍ତକ ଏବଂ ଦର୍ଶକମାନେ ଏତେ ମସ୍‌ଗୁଲ ଯେ, ସେମାନଙ୍କୁ ପଚାରିଲେ ଯେ କିଛି ଉତ୍ତର ମିଳିବ ଏ ଭରସା ନଥିଲା ତାଙ୍କର ଏପଟ ସେପଟ କିଛି । କିଛି ସମୟ ବୁଲିଲାପରେ ତାଙ୍କର ଚପରାସୀ ଶୁକ୍‍ରାକୁ ଭେଟିଲେ ସେ । ତାକୁଇ ଏ ସବୁ ନାଟର କାରଣ ପଚାରିଲେ ।

 

ଶୁକ୍‌ରାର ଆଜି ଖୁବ୍ ଆନନ୍ଦ ! ସେ ହର୍ଷୋତ୍‌ଫୁଲ୍ଲ ସ୍ଵରରେ ଯେଉଁ ଉତ୍ତର ଦେଲା, ତାହା ଶୁଣି ମିଷ୍ଟର ସିଂଙ୍କର କପାଳର ରେଖା କୁଞ୍ଚିତ ହୋଇଆସିଲା । ସେ ଭାବିବାକୁ ଲାଗିଲେ–ମହାରାଜାଙ୍କ ପକ୍ଷରୁ କେଉଁ ଲୋକ ଆଉ କୁଲିଙ୍କ ଘରକୁ ଯାଇ ଟଙ୍କା ବାଣ୍ଟିଆସିଲା । ମଜୁରି ବାବଦରେ ଟଙ୍କା କେବଳ ମାତ୍ର ସେ ନେଇଥିଲେ । କିନ୍ତୁ ସେଥିରୁ ପଇସାଟିଏ ସୁଦ୍ଧା ସେ କାହାରିକୁ ଦେଇନାହାନ୍ତି । ଗଲା ରାତିରେ ସେ ତ ହରଣଚାଳ ହୋଇଯାଇଛି । ଆଉ କ’ଣ ? ...ତେଣିକି ନାନାପ୍ରକାର ଚିନ୍ତା ତାଙ୍କର ମନକୁ ବିକ୍ଷିପ୍ତ କରିପକାଇଲା । କୌଣସି ଗୋଟାଏ ସମାଧାନରେ ପହଞ୍ଚିବା କଠିନ ହୋଇଉଠିଲା ତାଙ୍କ ପକ୍ଷରେ । ରାଜାସାହେବ ଆଉ କିଛି ଟଙ୍କା ଦେଇପାରିଥାନ୍ତେ ଭାବି ସେ ସିଧା ଚାଲିଲେ ରାଜା ପ୍ରବୀରଚନ୍ଦ୍ର ଯେଉଁଠି ବସିଥିଲେ ସେଇଠିକୁ ।

 

ରାଜାସାହେବ ଓ ତାଙ୍କର କର୍ମଚାରୀ କେତେଜଣ ତମ୍ବୁ ସାମନାରେ ବସି ନାଚ ଦେଖୁଥିଲେ । ମିଷ୍ଟର ସିଂ ସେଠାରେ ପହଞ୍ଚିବାକ୍ଷଣି ରାଜାସାହେବ ତାଙ୍କୁ ବସିବାକୁ ଆସନ ଦେଇ କହିଲେ—“ମୁଁ ବଡ଼ ଆଶ୍ଚର୍ଯ୍ୟ ମିଷ୍ଟର ସିଂ, ଆପଣ ଏତେ ଅଳ୍ପ ସମୟ ମଧ୍ୟରେ ଏତେଗୁଡ଼ିଏ ଲୋକଙ୍କ ଭିତରେ ଟଙ୍କାଗୁଡ଼ା ବାଣ୍ଟି ପାରିଲେ କେମିତି ? ମୁଁ ଅବଶ୍ୟ ଏମାନଙ୍କର ଭାଷା ବୁଝିପାରୁନି, ତେବେ ହାବଭାବରୁ ଜାଣୁଛି ଯେ, ବଣ୍ଟନରେ ଅଶାନ୍ତି ନାହିଁ କାହାରି । ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ?”

 

ଏ ପ୍ରଶଂସାସୂଚକ ତଥା କେଇପଦ ଛୁଞ୍ଚିପରି ବାଜୁଥିଲା ମିଷ୍ଟର ସିଂଙ୍କ ଛାତିରେ । ସେଥି ସଙ୍ଗେ ସଙ୍ଗେ ବହୁପୂର୍ବରୁ ଜମାଟ ବାନ୍ଧି ରହିଥିବା ସନ୍ଦେହ ଘୁଞ୍ଚିଯାଉଥିଲା ତାଙ୍କ ମନରୁ । ସେ ସ୍ପଷ୍ଟ ବୁଝିପାରିଲେ ଯେ କେହି ଜଣେ ତୃତୀୟ ବ୍ୟକ୍ତି ମହାରାଜାଙ୍କ ଲୋକ ବୋଲି ପରିଚୟ ଦେଇ ଏ ଲୋକଗୁଡ଼ାଙ୍କୁ ଟଙ୍କା ବାଣ୍ଟିଦେଇଛି । ସେହି ଟଙ୍କା ଗତ ରାତିରେ ତାଙ୍କ ଟ୍ରଙ୍କରୁ ହରଣଚାଳ ହୋଇଯାଇଥିବା ପାଞ୍ଚହଜାର ଟଙ୍କା ବ୍ୟତୀତ ଆଉକିଛି ନୁହେଁ । ଯାହା ହେଉ, ମନର ବେଦନାକୁ ଗୋପନ ରଖି ଓଠରେ ଟିକିଏ ହସ ଫୁଟାଇ ପ୍ରବୀରଚନ୍ଦ୍ରଙ୍କ କଥାକୁ ଗ୍ରହଣ କରିବାର ଅଭିନୟ କଲେ ସେ ।

 

ଦୁଇଘଣ୍ଟାକାଳ ଖୁବ୍ ନାଚଗୀତ ହେଲାପରେ ରାଜାସାହେବ ସେମାନଙ୍କୁ ବିଦାୟ ଦେଲେ । ଖୁବ୍ ଗରମ ପଡ଼ିଥିଲା ସେଦିନ । ରାତି ଆଠଟା ବାଜିଯାଇଥିଲେବି ଉତ୍ତାପ ପ୍ରଚଣ୍ଡଭାବରେ ଅନୁଭବ କରିହେଉଥିଲା । ତେଣୁ ଡେରାଭିତରକୁ ନ ଯାଇ ରାଜାସାହେବଙ୍କ କହିବା ଅନୁସାରେ ଡେରା ବାହାରେ ବସିଲେ । ଏଣୁତେଣୁ କଥାବାର୍ତ୍ତା ପରେ ରାଜାସାହେବ ପ୍ରସ୍ତାବ କଲେ—ଆଜିରେ ଶିକାର ଅନୁକୂଳ କରିବାକୁ । ମିଷ୍ଟର ସିଂଙ୍କ ମନର ସବୁ ଉତ୍ସାହ ମରିଯାଇଥିଲା; ମାତ୍ର ଅସମ୍ମତ ହେବାର କ୍ଷମତା ନଥିଲା ତାଙ୍କର, କାରଣ ଟଙ୍କା ବିନିମୟରେ ଚୁକ୍ତିବଦ୍ଧ ହୋଇଥିଲେ ସେ । ଶିକାର କରିବାପାଇଁ ଯିବା ସ୍ଥିର ହେଲା ଯେତେବେଳେ, ଆଉ ଦୁଇ ତିନି ଘଣ୍ଟା ଭିତରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବାର କଥା । ଅନ୍ୟମାନଙ୍କୁ ପ୍ରସ୍ତୁତ ହେବାକୁ କହି ମିଷ୍ଟର ସିଂ ନିଜେ ପ୍ରସ୍ତୁତ ହେବାପାଇଁ ଚାଲିଗଲେ ଆପଣାର କ୍ଵାଟରକୁ ।

 

ଶିକାରଘାଟିରେ ପହଞ୍ଚିଲାବେଳକୁ ଅଷ୍ଟମୀ ତିଥିର ଚନ୍ଦ୍ର ଉଦିତ ହୋଇସାରିଥିଲା । ସାଙ୍ଗରେ ଲୋକ ବେଶି ନଥିଲେ । ରାଜା ପ୍ରବୀରଚନ୍ଦ୍ର, ଅରିନ୍ଦମ ଛୋଟରାୟ, ମୋହନ ସିଂ ଆଉ କହ୍ନାଇଁଆ ରାଓ ଏବଂ ଦଳର ପଥପ୍ରଦର୍ଶକ ମିଷ୍ଟର ସିଂ । ଏଇ ପାଞ୍ଚଜଣ ଘାଟି ପାଖରେ ପହଞ୍ଚିଲାବେଳକୁ ମଳିନ ଚନ୍ଦ୍ରାଲୋକରେ ଘାଟି ଅସ୍ପଷ୍ଟ ଦିଶୁଥିଲା । ଘାଟିର ଦୁଇପାଖରେ ଦୁଇଟା ପାହାଡ଼ ଉଠିଯାଇଥିଲା ଉପରକୁ ମଝିର ସଂକୀର୍ଣ୍ଣ ଅଂଶଟାରେ ଗୋଟାଏ ଛୋଟ ଝରଣା ଗଡ଼ି ଯାଉଥିଲା । ଝରଣାର ଧାରେ ଧାରେ ବଣୁଆ ଲଟାଘାସ ଖୁବ୍ ଘଞ୍ଚ ଭାବରେ ବଢ଼ିଥିଲା । ଝରଣା କଡ଼ରେ ବଡ଼ ବଡ଼ ଗଛଗୁଡ଼ା ମୁଣ୍ଡ ଟେକି ଛିଡ଼ା ହୋଇଥିଲେ ଗୋଟାଏ ଗୋଟାଏ ପ୍ରେତପରି ।

 

ପାର୍ବତ୍ୟ ଝରଣା । ବର୍ଷର ସବୁ ସମୟରେ ସାଧାରଣଭାବରେ ପାଦେ ପାଣି ଥାଏ । ଅଳ୍ପ ହେଲେବି କାଚଧାର ପରି ସ୍ଵଚ୍ଛ । କେବଳ ପଥରଚଟାଣ ଉପରେ କୁଳୁ କୁଳୁ ଶବ୍ଦ କରି ନାଚି ନାଚି ତଳକୁ ଗଡ଼ିଯାଉଥାଏ । ଜଳଧାରାତଳେ ପଥରଚଟାଣ ଶିଉଳି ଲାଗି ଏତେ ପିଚ୍ଛିଳ ହୋଇଥାଏ ଯେ, ପାଦ ରଖିବା ଅସମ୍ଭବ ତା’ ଉପରେ ।

 

ସ୍ଥାନଟା ଖୁବ୍ ନିଛାଟିଆ । ନିଃଶବ୍ଦ ରାତିରେ ଦୁଇପଟ ପାହାଡ଼ରୁ ଜାତିଜାତି ଜୀବଜନ୍ତୁ ଓହ୍ଲାଇ ଆସନ୍ତି ସେ ଝରକୁ ପାଣି ପିଇବାପାଇଁ । ସେମାନଙ୍କର ଗମନାଗମନ ରାସ୍ତା ମଧ୍ୟ ସ୍ଵତନ୍ତ୍ର । ସେସବୁ ଭଲଭାବରେ ଜଣା ମିଷ୍ଟର ସିଂଙ୍କୁ । ଗୋଟାଏ ଭଲ ଜାଗାରେ ସମସ୍ତଙ୍କୁ ପହଞ୍ଚାଇ ଦେଇ ଖୁବ୍ ବ୍ୟବଧାନ ପରସ୍ପର ମଧ୍ୟରେ ରଖି ସମସ୍ତଙ୍କୁ ସତର୍କଭାବରେ ରଖାଇଦେଲେ ସେ । ପ୍ରତ୍ୟେକଙ୍କ ହାତରେ ଥିଲା ରାଇଫଲ୍ ଲୋଡ଼େଡ଼୍ ଅବସ୍ଥାରେ । ପାଖରେ ଖୁବ୍ ଶକ୍ତିଶାଳୀ ହେଡ଼୍‍ଲାଇଟ୍ ମଧ୍ୟ ।

 

ପ୍ରାୟ ଘଣ୍ଟାଏ ଖଣ୍ଡେ ଅପେକ୍ଷା କଲେ ସୁଦ୍ଧା କୌଣସି ଗୋଟିଏ ଜନ୍ତୁର ସୋରଶବ୍ଦ ଜଣାଗଲା ନାହିଁ । ଗୋଟାଏ ଅନିଶ୍ଚିତ ଆଶା ପଛରେ ଅପେକ୍ଷା କରିବାକୁ ବିରକ୍ତ ଲାଗୁଛି । ସେ ସ୍ଥାନର ଜଙ୍ଗଲର ନୀରବତା ଏବଂ ଭୀଷଣତା ଏଡ଼େ ଗଭୀର ଯେ ତାହା ଅସହ୍ୟ ହୋଇଉଠୁଛି ସମସ୍ତଙ୍କ ପକ୍ଷରେ । ପାହାଡ଼ର କେଉଁ ଗଛରେ ବଣୁଆ ଚଢ଼େଇଟାଏ ବେଳେ ବେଳେ ଡେଣା ଫଡ଼ ଫଡ଼ କରି କେଁ କେଁ ରଡ଼ି ଛାଡ଼ୁଛି । ଏଇତକ ଛାଡ଼ିଦେଲେ ଝରଣାର କୁଳୁ କୁଳୁ ଶବ୍ଦ ଶୁଣାଯାଉଛି ନିରବଚ୍ଛିନ୍ନ ଭାବରେ । ପବନବି ଟିକିଏ ନାହିଁ । ଅସହ୍ୟ ଗରମ ଗୁଳୁଗୁଳୁ ସାଙ୍ଗକୁ ପ୍ରକାଣ୍ଡ ପ୍ରକାଣ୍ଡ ମଶାଗୁଡ଼ା ଅସ୍ତବ୍ୟସ୍ତ କରି ପକାଇଲେଣି ସମସ୍ତଙ୍କୁ ।

 

ଜଙ୍ଗଲରେ ଜଳାଭାବ ଘଟିଛି ଅତ୍ୟଧିକ ଗ୍ରୀଷ୍ମଯୋଗୁଁ । ଆଜିକାଲି ଦିନରେ ପାଣି ଯେଉଁଠି, ଜନ୍ତୁ ସେଇଠି । ମିଷ୍ଟର ସିଂ ଏଇ ବିଶ୍ଵାସ ରଖି ଏଠାକୁ ସମସ୍ତଙ୍କୁ ନେଇଆସିଛନ୍ତି ଶିକାର ମିଳିବ ବୋଲି । ପୂର୍ବରୁ ମଧ୍ୟ କେତେଥର ସେ ଏଠି ଜନ୍ତୁଜୁନ୍ତା ବୁଲାଚଲା କରୁଥିବାର ଲକ୍ଷ୍ୟ କରିଛନ୍ତି । ତାଙ୍କର ଜଣାଥିବା ଭିତରେ ନିକଟତମ ଶିକାରଘାଟି ଏଇଟା । ମାତ୍ର ବର୍ତ୍ତମାନ ଦୀର୍ଘ ସମୟ ଅପେକ୍ଷା କଲାପରେ ସୁଦ୍ଧା କୌଣସି ଜନ୍ତୁଙ୍କର ଭେଟ ନ ପାଇ ନିଜ ବିଶ୍ଵାସ ଉପରେ ତାଙ୍କର ଆସ୍ଥା ତୁଟିଆସୁଥିଲା ।

 

ହଠାତ କିଛି ଗୋଟିଏ ଅସ୍ଵାଭାବିକ ଶବ୍ଦରେ ସତର୍କ ହୋଇ କାନ ପାରିଲେ ମିଷ୍ଟର ସିଂ । ସଙ୍ଗେ ସଙ୍ଗେ ସେ ଜାଣିପାରିଲେ ଯେ ବଡ଼ ଧରଣର ଜନ୍ତୁଟାଏ ଆସୁଛି ଝରଣା ଭିତରଦେଇ । ସେ ଖବରଟା ଜଣାଇ ସତର୍କ ରହିବାପାଇଁ ସମସ୍ତଙ୍କୁ ଇଙ୍ଗିତ କଲେ ସେ । ପ୍ରାୟ ପାଞ୍ଚସାତ ମିନିଟ ପରେ ସମସ୍ତେ ସ୍ପଷ୍ଟ ଚାବୁରୁ ଚାବୁରୁ ଶବ୍ଦ ଶୁଣିବାକୁ ପାଇଲେ । କୌଣସି ଜନ୍ତୁ ଝରଣାର ତଳଆଡ଼ ଉପର ଆଡ଼କୁ ସ୍ଵାଭାବିକ ଗତିରେ ଚାଲିଆସୁଛି । ଜଙ୍ଗଲ ନିସ୍ତବ୍ଧ ତେଣୁ ଶବ୍ଦ ସ୍ପଷ୍ଟ ଶୁଣାଯାଉଛି । ଆଉ କେତେ ମିନିଟ ଅତିକ୍ରମ କଲାପରେ ଶବ୍ଦଟା ଖୁବ୍ ପାଖରେ ଏବଂ ଅଧିକରୁ ଅଧିକ ସ୍ପଷ୍ଟ ଶୁଣାଗଲା । ଏଥର ଶବ୍ଦଟା ଯେପରି ଜଣାଯାଉଥିଲା, ତାହା ଦୁଇଟି ଜୀବଙ୍କର ପରି ବୋଧ ହେଉଥିଲା ।

 

ମିଷ୍ଟର ସିଂ ଭାବୁଥିଲେ ଏହା କେଉଁ ଜୀବର ଶବ୍ଦ ହୋଇପାରେ । ନିଜର ଅଭିଜ୍ଞତା ଏବଂ ଅନୁଭୂତିକୁ ଆଗରେ ରଖି ସେ ବିଭିନ୍ନ ଜନ୍ତୁଙ୍କ ବିଷୟହିଁ ଚିନ୍ତା କରୁଥିଲେ । ସର୍ବଶେଷରେ ତାଙ୍କର ସିଦ୍ଧାନ୍ତ ହେଲା ଏହି ଆଗନ୍ତୁକ ଜନ୍ତୁ ଦୁଇଟି ବରାହ ବ୍ୟତୀତ ଆଉ କିଛି ନୁହନ୍ତି । କାରଣ, ଅନ୍ୟପ୍ରାଣୀ ହୋଇଥିଲେ ପାଖ ଗତି ଭିନ୍ନ ପ୍ରକାର ହୋଇଥାନ୍ତା । ସେମାନେ ପାଣିରେ ଏତେ ସମୟ ମଧ୍ୟ ରହନ୍ତେ ନାହିଁ । ହାତୀ, ଗଣ୍ଡାର, ବରାହ–ଏମାନେ ହେଲେ କଳିପ୍ରିୟ ଜାତି । ହାତୀମାନେ ଦଳବଦ୍ଧ ହୋଇ କେବଳ ଜଳାଶୟର ଗଭୀର ଝରଣା ଖୋଜନ୍ତି । ଚଣ୍ଡାର ଦୁର୍ଦ୍ଧର୍ଷ । ତା’ର ଗତି ମଧ୍ୟ ଖୁବ୍‌ ପ୍ରଖର । ମାତ୍ର ବରାହର ଗତି ପ୍ରଖର ହେଲେ ମଧ୍ୟ ଖେଳାବୁଲା ସମୟରେ ଖୁବ୍‌ ଶିଥିଳ । ବିଶେଷତଃ ଅଳ୍ପ ପାଣିରେ ଗଡ଼େଇ ତଡ଼େଇ ହୋଇ ଖେଳିବାକୁ ଏମାନେ ଖୁବ୍‌ ଭଲ ପାଆନ୍ତି । ଏହି କାରଣରୁ ମିଷ୍ଟର ସିଂଙ୍କର ଆଗନ୍ତୁକ ଜନ୍ତୁ ଦୁଇଟି ବରାହ ବୋଲି ଭାବିବାର ଯଥେଷ୍ଟ କାରଣ ଥିଲା ।

 

ଏହିପରି ଚିନ୍ତା କରୁ କରୁ ଯଥାର୍ଥରେ ଦୁଇଟି ବରାହ ସେମାନଙ୍କ ଦୃଷ୍ଟିପଥକୁ ଆସିଯାଇଥିଲେ । ସେମାନେ ଯେଉଁ ସ୍ଥାନରେ ବସିଥିଲେ ଝରଣା ସେଠାରୁ ଖୁବ୍ ପାଖ ଥିଲା । ମଳିନ ଚନ୍ଦ୍ରକିରଣ ଗଛର ଫାଙ୍କଦେଇ ଝରଣାର ଗୋଟିଏ ଗୋଟିଏ ଅଂଶରେ ପଡ଼ି ଚିକ୍‍ଚିକ୍ କରି ଉଠୁଥିଲା । ଶିକାରୀଦଳର ପ୍ରାୟ ସମସ୍ତେ ବରାହ ଦୁଇଟିକୁ ଦେଖିପାରିଥିଲେ ଏବଂ ନିଜ ନିଜର ବନ୍ଧୁକ ନଳୀକୁ ବରାହ ପ୍ରତି ଲକ୍ଷ୍ୟ କରି ବସିଥିଲେ । ଖାଲି ଅପେକ୍ଷା ଥିଲା ନିର୍ଦ୍ଦେଶର । ନିୟମ ଅନୁସାରେ ଶିକାରର ସାଧାରଣ ଅବସ୍ଥାରେ ଦଳପତିର ନିର୍ଦ୍ଦେଶହିଁ ମାନିବାକୁ । ମିଷ୍ଟର ସିଂ ଦଳପତି ହିସାବରେ ଇଙ୍ଗିତଦ୍ଵାରା ସର୍ବପ୍ରଥମେ ଆଗ ବରାହଟିକୁ ଗୁଳି କରିବାପାଇଁ ନିର୍ଦ୍ଦେଶ ଦେଇ ନିଜେ ପଛ ବରାହଟି ପ୍ରତି ଲକ୍ଷ୍ୟ କଲେ ।

 

ମାତ୍ର କେଇଟି ମୁହୂର୍ତ୍ତ ପରେ ଗୁଡ଼ୁମ୍ ଗୁଡ଼ୁମ୍ କରି ରାଜା ପ୍ରବୀରଚନ୍ଦ୍ର ଏବଂ ମିଷ୍ଟର ସିଂ ଦୁହିଁଙ୍କର ରାଇଫଲ୍ ଗର୍ଜିଉଠିଲା । ତା’ ସଙ୍ଗେ ସଙ୍ଗେ ବିକଟ ଚିତ୍କାର କରି ପ୍ରକାଣ୍ଡ ବରାହ ଦୁଇଟା ଟଳି ପଡ଼ିଲେ ଝରଣା ଭିତରେ । ପ୍ରାୟ ମିନିଟିଏ ପର୍ଯ୍ୟନ୍ତ ଅବ୍ୟକ୍ତ ଚିତ୍କାର କରି ଛାଟିପିଟି ହେଲାପରେ ଯୋଡ଼ାକଯାକ ଅସାତଭାବରେ ପଡ଼ିଗଲେ । ଏ ଶିକାରୀ ମିଷ୍ଟର ସିଂଙ୍କ ପକ୍ଷରେ ସାମାନ୍ୟ ଥିଲେ ସୁଦ୍ଧା ପ୍ରବୀରଚନ୍ଦ୍ରଙ୍କ ପକ୍ଷରେ ଖୁବ୍ ବଡ଼ ଥିଲା । ବରାହ ଦୁଇଟା ସ୍ଥିର ଭାବରେ ପଡ଼ିଯିବା ପରେ ପ୍ରବୀରଚନ୍ଦ୍ର ହେଡ଼୍ ଲାଇଟ୍‌ଟା ଟିପିଦେବାକୁ ଯାଉଥିଲେ; ମାତ୍ର ମିଷ୍ଟର ସିଂଙ୍କ ନିର୍ଦ୍ଦେଶରେ ତାଙ୍କୁ ନିରସ୍ତ ହେବାକୁ ପଡ଼ିଲା । ମିଷ୍ଟର ସିଂ ବହୁତ ଦୂରରୁ କିଛି ଗୋଟାଏ ଶବ୍ଦ ଶୁଣିବାକୁ ପାଇଥିଲେ ହଠାତ ।

 

ପ୍ରାୟ ତିନିଚାରି ମିନିଟ ଯାଇଛି କି ନାହିଁ, ମିଷ୍ଟର ସିଂ ହଠାତ ଅସ୍ତବ୍ୟସ୍ତ ହୋଇ ନିଜସ୍ଥାନରୁ ଉଠିପଡ଼ି ପାଟିକରି କହିଲେ, “ଶୀଘ୍ର ଯେ ଯେଉଁଠି ପାରୁଛ ଗଛଉପରକୁ ଉଠିଯାଇ ନିଜକୁ ଲୁଚାଇନିଅ ।” ଏହା କହିବା ସଙ୍ଗେ ସଙ୍ଗେ ସେ ପାଖରେ ଥିବା ଗୋଟାଏ ପ୍ରକାଣ୍ଡ ବାହାଡ଼ାଗଛ ଉପରକୁ ଉଠିଗଲେ । ତାଙ୍କ ଦେଖାଦେଖି ଅନ୍ୟମାନେବି ଯେ ଯେଉଁଠି ପାଖରେ ଥିବା ଗଛପରରୁ ଉଠିଯାଇ ଡାଳକୁ ଆଶ୍ରା କରି ନିର୍ଜୀବ ପରି ବସି ରହିଲେ । ସମସ୍ତେ ଉତ୍କର୍ଣ୍ଣ ହୋଇ ଘଟନାଟା କ’ଣ ଜାଣିବାପାଇଁ ଚାହିଁରହିଥାନ୍ତି; ଅଥଚ ପ୍ରତ୍ୟେକେ ଏତେ ଭୟଭୀତ ହୋଇପଡ଼ିଥାନ୍ତି ଯେ, କେହି ପଦେ ହେଲେ କଥା ପଚାରି ପାରୁ ନ ଥାନ୍ତି କାହାରିକୁ ।

 

ଅଳ୍ପ ସମୟ ମଧ୍ୟରେ ମିଷ୍ଟର ସିଂଙ୍କର ବ୍ୟସ୍ତତା ସମସ୍ତେ ବେଶ୍ ବୁଝି ପାରିଲେ । ଖଣ୍ଡେଦୂରରୁ ଖୁବ୍ ଜୋର୍‍ରେ ରଡ଼୍ ମଡ଼୍ ଶବ୍ଦ ସଙ୍ଗରେ ଦନ୍ତା ହାତୀର ଭୟଙ୍କର ଗର୍ଜନ ଶୁଣାଯାଉଥିଲା । ହାତୀ ଦଳର ଦଳପତି ଦନ୍ତାହାତୀ ଦୈବାତ ରାଗିଗଲେ ଏହିପରି ଉନ୍ମତ୍ତ ହୋଇ ଦିନେ ଦୁଇଦିନ ବୁଲେ । ଏହି ସମୟ ଭିତରେ ତ ଆଗରେ ଯେ କେହି ପଡ଼ିଗଲେବି ବର୍ତ୍ତିବା କଷ୍ଟ । ଏପରିକି ଜଙ୍ଗଲର ଅନ୍ୟ ହାତୀମାନେବି ତାକୁ ଭୟ କରି ଲୁଚନ୍ତି । ସେ ପାଗଳପରି ବୁଲିବାବେଳେ ତା’ ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟିକଲା ପରି ଗଛଡ଼ାଳ ପ୍ରଭୃତି ଯାହା ପାଏ ଭାଙ୍ଗିପକାଏ । ସମୟ ସମୟରେ ପ୍ରକାଣ୍ଡ ପ୍ରକାଣ୍ଡ ପଥରଖଣ୍ଡ ଶୁଣ୍ଢରେ ଉଠାଇନେଇ ଦୂରକୁ ଫିଙ୍ଗେ ।

 

ଶବ୍ଦରୁ ସେହିପରି ଗୋଟାଏ ଦନ୍ତା ପାଗଳା ହାତୀ ଆସୁଛି ବୋଲି ମିଷ୍ଟର ସିଂ ଅନୁମାନ କରିଥିଲେ । ଆଉ ମଧ୍ୟ ସେ ଭାବୁଥିଲେ ଯେ–ହାତୀ ଯଦି ଏବାଟେ ଚାଲିଆସେ, ତେବେ ତା’ର ରାସ୍ତାରେ ବାଧା ଦେଲା ପରି ଗଛ ଯେ ସେମାନେ ଆଶ୍ରୟ ନେଉଥିବା ଗଛଗୁଡ଼ିକ ମଧ୍ୟରୁ ଗୋଟିଏ ନ ହେବ, ଏପରି ଆଶଙ୍କା ମଧ୍ୟ ଅମୂଳକ ନୁହେଁ; ମାତ୍ର ଭାଗ୍ୟ ଭଲ । ହାତୀଟା ଖୁବ୍ ପାଖ ଦେଇ ଚାଲିଗଲା ଅନ୍ୟଆଡ଼େ । ହାତୀଟା ଯେଉଁଆଡ଼େ ଚାଲିଗଲା ସେଇଆଡ଼ୁ ପଲେ ହରିଣ ପାଖ ଜଙ୍ଗଲର ଗଛଲଟାଗୁଡ଼ାକୁ ଧଡ଼ ଧଡ଼ କରି କମ୍ପାଇଦେଇ ଧାଇଁ ପଳାଇଲେ । ମିଷ୍ଟର ସିଂ ଅନୁମାନ କଲେ, ହାତୀ ଭୟରେ ବଣରୁ ହରିଣଗୁଡ଼ା ଏଣେ ଚାଲିଆସିଲେ ବୋଧହୁଏ ।

 

ବସି ବସି ଧୈର୍ଯ୍ୟ ହରାଇଲା ଭଳି କାରଣ ନଥିଲା । ଭୋର ହୋଇଆସିଥିଲା ସେତେବେଳକୁ । ଡେରାବି ବେଶି ବାଟ ନୁହେଁ, ସେଠିକୁ ବାଟ, ଦୁଇ ମାଇଲ ହେବ । ଦଳପତିଙ୍କ ନିର୍ଦ୍ଦେଶକ୍ରମେ ସମସ୍ତେ ଗଛରୁ ଓହ୍ଲାଇପଡ଼ିଲେ । ମିଷ୍ଟର ସିଂ କହିଲେ “ବରାହ ଦୁଇଟା ପଡ଼ିଥାନ୍ତୁ ଏଇଠି । ଡେରାରେ ପହଞ୍ଚି ଖବର ଦେଲେ ଆଦିବାସୀ ଲୋକେ ଆସି ବୋହିନେଇଯିବେ ।”

 

ସାରା ରାତି ଅନିଦ୍ରା ଫଳରେ କ୍ଳାନ୍ତି ଅନୁଭବ କରୁଥିଲେ କେବଳ ମିଷ୍ଟର ସିଂଙ୍କ ବ୍ୟତୀତ ଅନ୍ୟମାନେ । ମିଷ୍ଟର ସିଂ ଏପରି ଅନିଦ୍ରା ହେବାରେ ଖୁବ୍ ଅଭ୍ୟସ୍ତ ଥିଲେ । ତାଙ୍କର ପ୍ରସ୍ତାବ ଅନୁସାରେ ଗୋଟାଏ ଖୁବ୍ ବିପଦସଙ୍କୁଳ ଘଞ୍ଚ ଜଙ୍ଗଲଭିତରେ ସମସ୍ତେ ଯିବାକୁ ଲାଗିଲେ । ଉଦ୍ଦେଶ୍ୟ ଥିଲା ଏଇ ରାସ୍ତା ଟିକିଏ ବୁଲାଣି ହେଲେବି ଫେରିଲାବେଳେ କିଛି ଗୋଟିଏ ଶିକାର ହାବୁଡ଼ିଯାଇପାରେ । ସେ ରାସ୍ତାଟା ଥିଲା ପାହାଡ଼ ଉପର ଦେଇ । ଖୁବ୍ ଉଚ୍ଚ ପାହାଡ଼ଟା ଗୋଟାଏ କାନ୍ଥି ପରି ହୋଇ ପର୍ବତମାଳା ସହିତ ମିଶିଯାଇଛି ପ୍ରାୟ ମାଇଲିଏ ଦୂରରେ । ଏ ରାସ୍ତାରେ ଯେକୌଣସି ମୁହୂର୍ତ୍ତରେ ହଠାତ ହିଂସ୍ର ଜନ୍ତୁଟାଏ ବାହାରି ପଡ଼ିପାରେ । ମିଷ୍ଟର ସିଂଙ୍କ ନିର୍ଦ୍ଦେଶରେ ସମସ୍ତେ ନିଜନିଜର ରାଇଫଲ୍‍କୁ ସଜାଡ଼ିଧରି ଆଗେଇଯାଉଥିଲେ । ଜଙ୍ଗଲଭିତରଟା ଥିଲା ଖୁବ୍ ଅନ୍ଧାର; ସକାଳ ସାତଟା ବାଜି ଯାଇଥିଲେବି ଜଙ୍ଗଲଭିତରେ ବେଳେବେଳେ ହେଡ଼୍ ଲାଇଟ୍ ବ୍ୟବହାର କରିବାକୁ ପଡ଼ୁଥିଲା ସମସ୍ତଙ୍କୁ । ଆଗେ ଆଗେ ମିଷ୍ଟର ସିଂ ସହଜ ରାସ୍ତାରେ ଆଗେଇ ନେଉଥାନ୍ତି ଦଳଟିକୁ ।

 

ଆଗରେ ଟାଙ୍ଗରା ଭୂଇଁ ଖଣ୍ଡେ, ବଙ୍କେଇ ଚାଲିଯାଇଛି ପାହାଡ଼ର ମୋଡ଼ ଆଡ଼କୁ । ସେଇ ମୋଡ଼ଟା ଅତିକ୍ରମ କରିବାକୁ ପଡ଼ିବ ଦଳଟିକୁ । ଏହିପରି ଟାଙ୍ଗର ଭୂଇଁ ଜଙ୍ଗଲଭିତରେ ସ୍ଥାନେ ସ୍ଥାନେ ଥାଏ । ଜଙ୍ଗଲର ଉଦ୍ଭିଦଭୋଜୀ ପ୍ରାଣୀମାନଙ୍କର ଆମୋଦପ୍ରମୋଦର ସ୍ଥଳ ଏଇଟା । ବିପଦର ସୂଚନା ପାଇଲାମାତ୍ରେ ମୁହୂର୍ତ୍ତକ ଭିତରେ ସେମାନେ ପୁଣି ଅଦୃଶ୍ୟ ହୋଇଯାନ୍ତି ।

 

ସେତେବେଳକୁ ଟିକିଏ ଫରଚା ଦିଶିଗଲାଣି ଜଙ୍ଗଲ ଭିତରେ । ଟାଙ୍ଗର ଭୂଇଁଟା ସାମନା ଦିଗରୁ ପରିଷ୍କାର ଦିଶୁଛି ଯଦିଓ ମୋଡ଼ ଆରପାଖରେ ତା’ର ବିସ୍ତୃତ ଜାଣି ହେଉ ନାହିଁ । ମିଷ୍ଟର ସିଂ ଦେଖିଲେ, ସାମନା ପଟରେ ଜନ୍ତୁଜୁନ୍ତା କିଛି ନାହାନ୍ତି । ତେବେ ମୋଡ଼ ପଟରେ କ’ଣ ଅଛି କିଏ ଜାଣେ ? ତଥାପି ସତର୍କ ରହିବାକୁ ହେବ । ଏହା ଭାବି ସେ ଖୁବ୍ ସତର୍କଭାବରେ ମୁଣ୍ଡନୁଆଇଁ ନୁଆଇଁ ମୋଡ଼ ମୁଣ୍ଡରେ ପହଞ୍ଚିଗଲେ । ତାଙ୍କ ଦେଖାଦେଖି ଅନ୍ୟମାନେବି ସେଇପରି ଚାଲିଲେ । ଠିକ୍ ମୋଡ଼ ମୁଣ୍ଡରେ ପହଞ୍ଚି ମିଷ୍ଟର ସିଂ ଆଗରେ କ’ଣ ଦେଖି ଆହୁରି ନଇଁ ପଡ଼ିଲେ ଗୋଟାଏ ବଡ଼ ପଥର ପଛରେ । ତା’ପରେ ପଛେଇ ପଛେଇ ଅନ୍ୟମାନଙ୍କ ପାଖକୁ ଚାଲିଆସିଲେ-

 

“ଯୋଡ଼ାଏ ବଣମଇଁଷି ।” ମିଷ୍ଟର ସିଂ ଖୁବ୍ ଆଗ୍ରହର ସହିତ କହିଲେ ।

 

“କ’ଣ କରିବା ତେବେ”—ଅରିନ୍ଦମ ଛୋଟରାୟ ପଚାରିଲେ ।

 

ମିଷ୍ଟର ସିଂ ପ୍ରସ୍ତାବ କଲେ, ଶିକାର କରିବାକୁ ହେବ । ଦୁଇଟାଯାକ ଚରୁଛନ୍ତି । ସେମାନଙ୍କୁ ଅତିକ୍ରମ କରିଯିବାର ଉପାୟ ନାହିଁ । କାରଣ, ସେମାନଙ୍କ ହାବୁଡ଼ରେ ପଡ଼ିଗଲେ ଆଉ ନିସ୍ତାର ନାହିଁ । ବରଂ ଅରିନ୍ଦମ ଛୋଟରାୟ, ମୋହନ ସିଂ ଆଉ କହ୍ନେଇଁଆ ରାଓ—ତିନିଜଣଯାକ ଚେଷ୍ଟା କରନ୍ତୁ । ଅନୁକୂଳ ସମସ୍ତଙ୍କର ହେବ । ତା’ ଛଡ଼ା ଅନ୍ୟ ଉପାୟ ନାହିଁ । ଟାଙ୍ଗରାଭୂଇଁଟା ଅତିକ୍ରମ କରି ନ ଗଲେ ଆଉ ଦ୍ଵିତୀୟ ରାସ୍ତା ନାହିଁ ।

 

ବଣ ମଇଁଷି ଚରୁଥିବା ସ୍ଥାନଟା ସେଠାରୁ ବେଶି ଦୂର ନଥିଲା । ମାତ୍ର ଛୋଟଛୋଟ ବୁଦା କେଇଟା ଉହାଡ଼ ଥିଲା । ତେଣୁ ଟିକିଏ ଆଗେଇଯାଇ ଗୁଳି କଲେ ସୁବିଧା ହେବ ବୋଲି ତିନିଜଣ ଆଗେଇଗଲେ ଟିକିଏ ଆଗକୁ । ପଛରୁ ମିଷ୍ଟର ସିଂ ଆଉ ପ୍ରବୀରଚନ୍ଦ୍ରବି ପ୍ରସ୍ତୁତ ହୋଇ ରହିଲେ । ଦୈବାତ ଯଦି ସେମାନେ ବିଫଳ ହୁଅନ୍ତି, ତେବେ ଏମାନେ ଚେଷ୍ଟା କରିବେ । ସେପରି ଆଶଙ୍କା ମଧ୍ୟ ନଥିଲା କାହାରି ମନରେ । କାରଣ ସୁଦକ୍ଷ ଶିକାରୀ ଥିଲେ ସେମାନେ । କିନ୍ତୁ ବନ୍ୟପଶୁଙ୍କ ପ୍ରକୃତି ସମ୍ବନ୍ଧରେ ସେମାନେ ଯେ ସମ୍ପୂର୍ଣ୍ଣ ଅନଭିଜ୍ଞ, ସେ କଥା ସେ ଜାଣିଥିଲେ । ଅରିନ୍ଦମ ଛୋଟରାୟ ଆଉ କହ୍ନେଇଁଆ ରାଓ—ଦୁଇଜଣ ପାହାଡ଼ କାନ୍ଥିରେ ଗୋଟାଏ କଡ଼ରେ ଛଡ଼ରେ ଛପିଗଲେ; କିନ୍ତୁ ମୋହନ ସିଂ ରହିଲା ସାମନା ଦିଗରେ । ଅବଶ୍ୟ ସବୁଠାରୁ ସୁବିଧାରେ ଗୁଳି ମାରିପାରିଲା ଭଳି ସ୍ଥାନରେ ସେ ଥିଲା; କିନ୍ତୁ ଦୁର୍ଭାଗ୍ୟ ! ମୋହନ ସିଂ ପ୍ରସ୍ତୁତ ନ ହେଉଣୁ ଅରିନ୍ଦମ ଛୋଟରାୟ ଆଉ କହ୍ନେଇଁଆ ରାଓ ଫାୟାର କରିଦେଇଥିଲେ । ଦୁଇଜଣଙ୍କର ଲକ୍ଷ୍ୟ ଥିଲା ଗୋଟାଏ ମଇଁଷି ଯାହା ଫଳରେ ମାଈ ମଇଁଷିଟା ତଳେ ଟଳି ପଡ଼ିବା ସଙ୍ଗେ ସଙ୍ଗେ ଅଣ୍ଡିରା ମଇଁଷିଟା ତରକିଯାଇ ଦୁଇତିନି ହାତ ଉଚ୍ଚ କୁଦିପଡ଼ିଲା । ଫଳରେ ମୋହନ ସିଂର ଲକ୍ଷ୍ୟ ସ୍ଥିର ରହିପାରିଲା ନାହିଁ; ଗୁଳିଟା ବାଏଁ ବାଏଁ ଚାଲିଗଲା ।

 

ଦୁର୍ଯୋଗ ସେତିକିରେ ଶେଷ ହେଲା ନାହିଁ । ଅଣ୍ଡିରା ମଇଁଷିଟା ମୋହନ ସିଂର ଗୁଳି ଫୁଟିବା ସ୍ଥାନଟା ଲକ୍ଷ୍ୟ କରିପାରି ପ୍ରଚଣ୍ଡ ବେଗରେ ସେଇଆଡ଼କୁ ଗର୍ଜନ କରି ଧାଇଁଆସିଲା । ତା’ର ସେତେବେଳର ଭୀମ ମୂର୍ତ୍ତି ଦେଖି ଅରିନ୍ଦମ ଛୋଟରାୟ ଏବଂ କହ୍ନେଇଁଆ ରାଓ ଦୁହିଁଙ୍କ ହାତ ସ୍ଥିର ହୋଇଗଲା । ଏଣେ ମୋହନ ସିଂ ନିଜର ଆସନ୍ନ ବିପଦରେ ଅନ୍ୟ ଉପାୟ ନ ଦେଖି ବନ୍ଧୁକଟା ଫିଙ୍ଗିଦେଇ ପାଖରେ ଥିବା ବାହାଡ଼ା ଗଛ ଉପରକୁ ଉଠିଗଲା । ଆଉ ମାତ୍ର କେତେ ସେକେଣ୍ଡ ବିଳମ୍ବ ହୋଇଥିଲେ ମୋହନ ସିଂର କାମ ଶେଷ ହୋଇଯାଇଥାନ୍ତା । ମଇଁଷିଟା ରାଗରେ ଉନ୍ମତ୍ତ ପରି ହୋଇ ଆସି ବାହାଡ଼ା ଗଛକୁ ଏତେ ଜୋର୍‍ରେ ମୁଣ୍ଡିଆଟାଏ ଦେଲା ଯେ, ସାରା ଗଛଟା ତୋଫାନରେ ଝୁଙ୍କିଲା ପରି ଝୁଲିଗଲା । ତା’ର ଆଘାତରେ ଗଛରୁ ପାଚିଲା ଦରପାଚିଲା କଞ୍ଚା ଫଳଗୁଡ଼ିକ ଝର ଝର ହୋଇ ଝଡ଼ିପଡ଼ିଲା । ଆଉ ଗୋଟାଏ ମୁଣ୍ଡିଆ ସେ ଦେଇଥିଲେ ମୋହନ ସିଂ ସହିତ ଗଛଟା ଭାଙ୍ଗି ପଡ଼ିଥାନ୍ତା କି କ’ଣ ! କିନ୍ତୁ ଅବସ୍ଥାଟା ଠଉରାଇ ମିଷ୍ଟର ସିଂ ଗୋଟିଏ ଗୁଳିରେ ଶୁଆଇଦେଲେ ମଇଁଷିଟାକୁ । ଅବସ୍ଥାଟା ସେତେବେଳେ ଏତେ ସଙ୍ଗିନ ହୋଇଉଠିଥିଲା ଯେ, ନିଜେ ରାଜା ଓ ପ୍ରବୀରଚନ୍ଦ୍ର ମଧ୍ୟ କିଛି ଗୋଟାଏ ଉପାୟ ଚିନ୍ତା କରିପାରି ନଥିଲେ । ବର୍ତ୍ତମାନ ମଇଁଷିଟା ତଳେ ପଡ଼ିଲାରୁ ସେ ଟିକିଏ ଆଶ୍ୱସ୍ତ ହେଲେ । ଗୋଟାଏ ବିପଦ କଟିଗଲା ଭଳି ସମସ୍ତେ ବୋଧ କଲେ ।

 

ସମସ୍ତଙ୍କୁ ଏକାଠି ହେବାପାଇଁ ଡେରି ଲାଗିଲା ନାହିଁ । ସେତେବେଳକୁ ବନଭୂମି ବେଶ୍ ଆଲୋକିତ ହୋଇଯାଇଥିଲା । ମିଷ୍ଟର ସିଂ ସମସ୍ତଙ୍କୁ ଆଗେଇ ନେଇଗଲେ ପୁଣି ।

 

ରାସ୍ତା ଏବଂ ଜଙ୍ଗଲଟା ଥିଲା ମିଷ୍ଟର ସିଂଙ୍କ ପକ୍ଷରେ ମଧ୍ୟ ନୂଆ । ସେ କେବଳ ଅନୁମାନ କରି ଜାଣିଥିଲେ ଯେ ଏଇ ପାହାଡ଼ଟା ଅତିକ୍ରମ କରିଗଲେ ତାଙ୍କ ଡେରା ପାଖାପାଖିରେ ପହଞ୍ଚିଯିବେ; କିନ୍ତୁ ତାଙ୍କ ଧାରଣା ଯେ ସମ୍ପୂର୍ଣ୍ଣ ଭ୍ରମାତ୍ମକ ତାହା ସେ ପର୍ଯ୍ୟନ୍ତ ସେ ବୁଝିପାରୁ ନଥିଲେ-

 

ଯାହାହେଉ, ପୁଣି ଥରେ ଘଞ୍ଚ ଜଙ୍ଗଲ ଭିତରେ ପଶିବାକୁ ହେଲା ସେମାନଙ୍କୁ । ଏଣିକି ବଡ଼ ବଡ଼ ଗଛର ସଂଖ୍ୟା ଅଧିକ, ଛୋଟ ବୁଦା ପରିମାଣ କମ୍ । ଖାଲି ଲମ୍ବା ଲମ୍ବା ଘାସଗୁଡ଼ା ଗହଳଭାବରେ ବଢ଼ି ଗଛର ଗଣ୍ଡି ଅଧା ପର୍ଯ୍ୟନ୍ତ ଆବୋରି ରହିଛି । ମିଷ୍ଟର ସିଂ ସମସ୍ତଙ୍କୁ ସତର୍କ ହୋଇ ତା’ ଭିତରେ ଯିବାକୁ ନିର୍ଦ୍ଦେଶ ଦେଲେ । କାରଣ ସେ ପ୍ରକାର ଘାସଭିତରେ ସାଧାରଣତଃ ମହାବଳ ବାଘ, ସିଂହ ପ୍ରଭୃତି ଆତ୍ମଗୋପନ କରି ରହନ୍ତି । ତାଙ୍କରି କଥା ମାନି ସମସ୍ତେ ଆଗକୁ ବନ୍ଧୁକ ନଳୀ ବାଗେଇ ରଖି ତା’ର ସାହାଯ୍ୟରେ ଘାସଗୁଡ଼ା ଆଡ଼େଇ ଆଡ଼େଇ ଯାଉଥାନ୍ତି । ମଝିରେ ମଝିରେ ଖୁବ୍ ମୋଟା ମୋଟା ଗଛଗୁଡ଼ା ସେମାନଙ୍କ ଗତିରେ ବାଧା ଉପୁଜାଉଥାଏ ।

 

ସେହିପରି ଭାବରେ ଗୁଡ଼ାଏ ବାଟ ଗଲାପରେ ହଠାତ ଗୋଟାଏ ପ୍ରକାଣ୍ଡ ଶାଳଗଛର ଗଣ୍ଡିକୁ ଚାହିଁ ଠିଆ ହୋଇଗଲେ ମିଷ୍ଟର ସିଂ । ତାଙ୍କ ପଛେ ପଛେ ଅନ୍ୟମାନେବି । ମିଷ୍ଟର ସିଂ ଦେଖିଲେ, ସେ ଗଛର ଗଣ୍ଡିରେ ବକଳା ଖୋଳା ହୋଇ ଲେଖାହୋଇଛି—“ସାବଧାନ ! ତାରଜନ୍-!”

 

ଅଦ୍ଭୁତ ! ବାସ୍ତବିକ ଅଦ୍ଭୁତ ! ନିବିଡ଼ ଜଙ୍ଗଲ ଭିତରେ ଗଛର ଗଣ୍ଡିରେ ଏପରି ଖୋଦାଇ କରି ଲେଖିବା କାହାର କ’ଣ ଦରକାର ? ଶେଷକୁ ସମସ୍ତେ ସିଦ୍ଧାନ୍ତ କଲେ, କେହି ଶିକାରୀ ହୁଏତ ଏଠାରେ କିଛି ସମୟ ବିଶ୍ରାମ କଲା ସମୟରେ ଏତକ କାମ କରିଛି । ସେ ଘଟନା ଉପରେ ବିଶେଷ ଗୁରୁତ୍ଵ ନ ଦେଇ ସମସ୍ତେ ଆଗେଇଲେ ପୁଣି ଆଗକୁ ।

 

ସେ ଘଟନାର ଇତି ସେତିକିରେ ହେଲା ନାହିଁ । ଆଉ ଖଣ୍ଡେଦୂର ଆଗେଇଗଲା ପରେ ପୁଣି ଥରେ ସମସ୍ତଙ୍କୁ ବିସ୍ମିତ କରି ସେହି ଦୃଶ୍ୟର ପୁନରାବୃତ୍ତି ହେଲା । ତା'ପରେ, ତା'ପରେ; ସେମାନେ ଅଧିକ ଦୂର ଆଗେଇବା ସଙ୍ଗେ ସଙ୍ଗେ ଅସଂଖ୍ୟ ଗଛର ଗଣ୍ଡିରେ ସେହି ଏକା କଥା ଲେଖା ଥିବାର ଦେଖିଲେ । ତା’ଛଡ଼ା ଗୋଟାଏ ଗୋଟାଏ ବଡ଼ ପଥର ଦେହରେ ବିକଳ ଜୀବର ମୁଖା ତଳକୁ ମଧ୍ୟ ପଥରରେ ଖୋଦାଇ ହୋଇ ସେହିପରି ଲେଖା ଥିବାର ଦେଖିଲେ । ଏହା ଯେ କୌଣସି ବ୍ୟକ୍ତିବିଶେଷର କାମ ଦାମ ବୁଝିବା ଆଉ ବିଳମ୍ବ ହେଲା ନାହିଁ କାହାରି ପକ୍ଷରେ । ତତେ ‘ତାରଜନ୍’ ନାମରେ କେହି ଜଣେ ଏଠାରେ ଥିଲା ବୋଲି ମିଷ୍ଟର ସିଂଙ୍କ ବ୍ୟତୀତ ଅନ୍ୟମାନେ ସିଦ୍ଧାନ୍ତ କଲେ । ସେମାନଙ୍କର ସିଦ୍ଧାନ୍ତ ଉପରେ ମିଷ୍ଟର ସିଂ କିଛି ମତାମତ ବ୍ୟକ୍ତ କଲେ ନାହିଁ; କିନ୍ତୁ ସେ ‘ଥିଲା’ ବଦଳରେ ‘ଅଛି’ ବୋଲି ନିଶ୍ଚିତ ଭାବରେ ଧରିନେଲେ ଯେଉଁ ଅଦୃଶ୍ୟ ଶକ୍ତି ତାଙ୍କ ପଛରେ ଘୂରି ବୁଲୁଛି, ସେ କ’ଣ ହୋଇପାରେ, ତାହା କେତେକ ପରିମାଣରେ ତାଙ୍କର ସନ୍ଦେହ ଭିତରକୁ ଆସିଗଲା ।

 

ଖୁବ୍ ଦୂରରେ ବାଜାର ଶବ୍ଦ ଓ ଲୋକମାନଙ୍କର କୋଳାହଳ ଶୁଣି ମିଷ୍ଟର ସିଂ ଅନୁମାନ କଲେ ଯେ–ଏ ତାଙ୍କୁ ଖୋଜିବା ଦଳ ସେ ଯେ ବାଟ ଭୁଲି ଆସିଛନ୍ତି ତାହା ଏତେବେଳେକେ ବୁଝିପାରିଲେ । ନିଜର ଅବସ୍ଥିତି ସେ ଲୋକମାନଙ୍କୁ ଜଣାଇବା ପାଇଁ ବନ୍ଧୁକରେ ଦୁଇଟା ଫାଙ୍କା ଆବାଜ କରିଦେଲେ । ତା’ପରେ ଯେଉଁଆଡ଼ୁ ଶବ୍ଦ ଶୁଣାଯାଉଥିଲା ସେହି ଆଡ଼କୁ ଲକ୍ଷ୍ୟ କରି ସମସ୍ତଙ୍କୁ ଆଗେଇବାକୁ ନିର୍ଦ୍ଦେଶ ଦେଲେ ।

 

ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିସାରିଥିଲେ ସେତେବେଳକୁ ।

 

ଚାରି

 

ଅତିରିକ୍ତ ପରିଶ୍ରମ ଓ କ୍ଳାନ୍ତି ଯୋଗୁଁ ସେ ଦିନପାଇଁ ଶିକାରର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ବନ୍ଦ କରିଦିଆଯାଇଥିଲା । ସେଦିନର ସନ୍ଧ୍ୟାକୁ ଆନନ୍ଦମୁଖର କରିବାପାଇଁ ରାଜାସ ହେବ ଡେରାରେ ଛୋଟକାଟର ଗୋଟିଏ ଭୋଜିର ଆୟୋଜନ କରିଥିଲେ । ନିରାଟ ଜନହୀନ ଅରଣ୍ୟ ଭିତରେ ରାଜକୀୟ ଭୋଜିର ଅର୍ଥ ବୁଝାଇବାର ଅର୍ଥ ରାଜପଦବୀକୁ ହାସ୍ୟାସ୍ପଦ କରିବାଛଡ଼ା ଆଉ କିଛି ନୁହେଁ । ତଥାପି ଏଠି ଭୋଜି ଆଉ ପଦମର୍ଯ୍ୟାଦା ଭୁଲି ଏକ ଆସନରେ ବସି ସମସ୍ତେ ମନଖୋଲା କଥାବାର୍ତ୍ତା କରିବା ଯାହାହେଉ, ସେତକ ମଧ୍ୟ କମ୍ ସୌଭାଗ୍ୟ ଏବଂ ଆନନ୍ଦର କଥା ନୁହେଁ ।

 

ଭୋଜି ଆସରରେ ନାନାପ୍ରକାର କଥାର ଅବତାରଣା ହେଲା । ତା’ ମଧ୍ୟରେ ତାରଜନ୍ କଥାବି ପଡ଼ିଲା । ରାଜା ପ୍ରବୀରଚନ୍ଦ୍ର କହିଲେ—“ଆପଣ ଯାହା କହନ୍ତୁ, ମିଷ୍ଟର ସିଂ ! ଏଇ ଯେଉଁ ‘ତାରଜନ୍’ ଲେଖା ଆମେ ଦେଖିଆସିଲେ ତା’ର କିଛି ତାତ୍ପର୍ଯ୍ୟ ଥିଲାପରି ବୋଧ ହେଉଛି ମୋତେ-। ଆଉଥରେ ସେଆଡ଼ଟା ଭଲକରି ଦେଖିଆସିବାକୁ ମୁଁ ଭାବୁଛି । ତା’ ପର ସ୍ଥାନଟା ଯେମିତି, ସେଠି ଭଲ ଶିକାରବି ମିଳିପାରିବ ବୋଲି ମୋର ବିଶ୍ୱାସ । କ’ଣ କହୁଛନ୍ତି ଆପଣ ?”

 

ମିଷ୍ଟର ସିଂ ମଧ୍ୟ ସେଇ ସୁଯୋଗ ଖୋଜୁଥିଲେ । ତାରଜନ୍‍ର ପରିଚୟ ସେ ଚାହୁଁଥିଲେ ଏବଂ ତା’ର କୃତ କର୍ମପାଇଁ ତାକୁ ସେ ଉଚିତ ଶାସ୍ତି ଦେବାକୁ ମନେ ମନେ ସ୍ଥିର କରିଥିଲେ । ଏ ପର୍ଯ୍ୟନ୍ତ ଜଙ୍ଗଲର ଏକଛତ୍ରାଧିପତି ବୋଲି ନିଜକୁ ମିଷ୍ଟର ସିଂ ଭାବୁଥିଲେ । ମାତ୍ର ଅକାଳ ବଜ୍ରପାତ ପରି ଏ ତାରଜନ୍ ଜୀବଟା ତାଙ୍କର ଆଧିପତ୍ୟକୁ କ୍ଷୁଣ୍ଣ କରିବାକୁ ବସିଲାଣି । ସେଥିପାଇଁ କୌଣସି ଉପାୟରେବି ହେଉ, ତାକୁ ରାସ୍ତାରୁ ହଟାଇଦେବାକୁ ଉଚିତ ବିଚାରୁଥିଲେ ସେ । ବର୍ତ୍ତମାନ ରାଜାସାହେବଙ୍କର ଅନୁକୂଳ ଇଚ୍ଛା ଜାଣି ସେ ତାହା ସମର୍ଥନ କରି କହିଲେ—“ମୁଁ ସେଇଆ ଭାବୁଥିଲି । ଆମର ପରବର୍ତ୍ତୀ ଅଭିଯାନ ସେଇ ଦିଗକୁ ହେଉ ଜଙ୍ଗଲର ଗୋଟାଏ ଅଞ୍ଚଳ ଦେଖାଯିବ, ଆଉ ତାରଜନ୍‍ର ସନ୍ଧାନ ମଧ୍ୟ ମିଳିବ ।”

 

ପ୍ରବୀରଚନ୍ଦ୍ରଙ୍କ ମନରେ ସେ ତାରଜନ୍ ଲେଖାଟା ଏତେ କୌତୁହଳ ସୃଷ୍ଟି କରିଥିବ ତାହା କେହି ଧାରଣା କରି ନଥିଲେ । ଯାହାହେଉ, ତାରଜନ୍ ସନ୍ଧାନରେ ହେଉ ବା ଶିକାର ଉଦ୍ଦେଶ୍ୟରେ ହେଉ, ଯିବାକୁ ହେବ ନିଶ୍ଚୟ ଗୋଟାଏ ନିବିଡ଼ ଜଙ୍ଗଲ ଭିତରକୁ । କାହାରି ପକ୍ଷରୁ ଆପତ୍ତି ଉଠିବାର କୌଣସି କାରଣ ନଥିଲା ।

 

“ପିଲାଦିନେ ମୁଁ ରବୀନ୍‍ସନ୍ କ୍ରୁଶୋ ନାମରେ ଜଣେ ଦୁଃସାହସୀ ବ୍ୟକ୍ତିଙ୍କର ଜୀବନୀ ପଢ଼ିଥିଲି । ଆଜି କାହିଁକି ମୋର ମନେ ହେଉଛି—ଏଇ ତାରଜନ୍ ହୁଏତ ସେହିପରି ଜଣେ ବ୍ୟକ୍ତି ବୋଲି ।” ଏଇ କଥାପଦକ କହିସାରି ପ୍ରବୀରଚନ୍ଦ୍ର ଚାହିଁଲେ

 

ମିଷ୍ଟର ସିଂଙ୍କ ଆଡ଼େ ।

 

ମିଷ୍ଟର ସିଂ ଯେପରି ଏ ବୃଥା ମର୍ଯ୍ୟାଦା ତାରଜନ୍‌କୁ ଦେବା କଥାଟା ସମର୍ଥନ କରିପାରୁ ନଥିଲେ । ସେ ବିଶେଷ ଉତ୍ସାହ ନ ଦେଖାଇ କହିଲେ—“ତାରଜନ୍‌ ଯେ ଜଣେ ସାଧାରଣ ମନୁଷ୍ୟ ବା ଜୀବଜନ୍ତୁ ବା ଚୋର ଡକାୟତ, ତାହା ନ ଜାଣି ସେ ବିଷୟରେ ଆଉ କ’ଣ ମତାମତ ମୁଁ ଦେବି-?”

 

–“ନା, ନା, ମତାମତର ପ୍ରଶ୍ନ ଆଦୌ ଉଠୁନି ଏଠି । କଥାଟା ଖାଲି ଆଲୋଚନା ଉପରେହିଁ ଚାଲିଛି । ମୋର ଅନୁମାନ, ତାରଜନ୍ ଜଣେ ମନୁଷ୍ୟ ଏବଂ ଶିକ୍ଷିତ । ସେ ଲେଖିପଢ଼ି ଜାଣେ । ଚୋର ଡକାୟତ ସେ ନୁହେଁ । କାରଣ, ସେ ନିଜର ପରିଚୟ ପ୍ରକାଶ୍ୟରେ ଦେବାକୁ ସାହସ କରିପାରିଛି । ଆଉ ଗୋଟିଏ କଥା କ’ଣ ବୁଝିଲେନା ମିଷ୍ଟର ସିଂ ! ଲୋକଟା ଖୁବ୍ ଶକ୍ତିମାନ୍ ନିଶ୍ଚୟ । ନ ହେଲେ ଏପରି ନିବିଡ଼ ଅରଣ୍ୟରେ ବସବାସ କରିପାରନ୍ତା କିପରି ?”

 

“ହୋଇପାରେ । କାଲି ସେ ବିଷୟରେ ଜାଣିବାକୁ ଚେଷ୍ଟା କରିବା । ଆଜି ଆମର ବହୁତ ବିଶ୍ରାମ ଦରକାର ।” ମିଷ୍ଟର ସିଂଙ୍କ କଥାରେ ଆଦୌ ଉତ୍ସାହ ନଥିଲା, ସେକଥା ସମସ୍ତେ ବୁଝିପାରୁଥିଲେ ।

 

ପ୍ରକୃତରେ ସେଦିନ ସମସ୍ତେ ଖୁବ୍ କ୍ଳାନ୍ତ ହୋଇପଡ଼ିଥିଲେ । ମିଷ୍ଟର ସିଂଙ୍କ ବିଶ୍ରାମ ନେବା କଥାଟାକୁ ସମସ୍ତେ ସମର୍ଥନ ଜଣାଇ ସେଠାରୁ ଉଠିଲେ ।

 

ରାଜା ପ୍ରବୀରଚନ୍ଦ୍ର ନିଜେ ଶୋଇବାକୁ ଯିବା ପୂର୍ବରୁ ଡେରା ଚାରିପଟେ ଥରେ ଘୂରି ପ୍ରହରୀମାନଙ୍କୁ ସତର୍କ ରହିବାକୁ ଏବଂ ଅଧିକ ମଶାଲର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଗଲେ ।

 

ନିବିଡ଼ ଜଙ୍ଗଲର ନୀରବତା ଯେ କେଡ଼େ ବିଭୀଷିକାପୂର୍ଣ୍ଣ, ତାହା ବର୍ଣ୍ଣନା କରିବା କଷ୍ଟ । ଜଙ୍ଗଲର ନୀରବତା କହିଲେ ସମ୍ପୂର୍ଣ୍ଣ ନୀରବତା ନୁହେଁ । ମଝିରେ ମଝିରେ ପଶୁ, ପକ୍ଷୀ, କୀଟ, ପତଙ୍କ ପ୍ରଭୃତିଙ୍କର ଚିତ୍କାର ମଧ୍ୟ ଶୁଣାଯାଏ । ତାହା ଯେପରି ଅସ୍ଵାଭାବିକ, ସେହିପରି ଭିତ୍ତିପ୍ରଦ ମଧ୍ୟ ।

 

ସେଦିନର ରାତିଟି ମଧ୍ୟ ଥିଲା ସେହିପରି ନୀରବ ଏବଂ ବିଭୀଷିକାପୂର୍ଣ୍ଣ ।

 

ତଥାପି କର୍ତ୍ତବ୍ୟରତ ସଶସ୍ତ୍ର ପ୍ରହରୀ ଦୁଇଟି କାନ୍ଧରେ ସଙ୍ଗିନ ଲଗା ବନ୍ଧୁକ ଧରି ଏପଟ ସେପଟ ହୋଇ ପହରା ଦେଉଥିଲେ । ସେମାନଙ୍କର ଗଭୀର କର୍ତ୍ତବ୍ୟବୋଧ ନିକଟରେ ନିଦ୍ରା, କ୍ଳାନ୍ତ ପରାଜୟ ସ୍ଵୀକାର କରିଥିଲା ।

 

ଡେରାଭିତରେ ପ୍ରତ୍ୟେକ ତମ୍ବୁରେ ଗାଢ଼ ଅନ୍ଧକାର ରାଜୁତି କରୁଥିଲା । ସାରା ଦିନର କଠିନ ଶ୍ରମ ସମସ୍ତକୁ ଯଥେଷ୍ଟ ବାଧିଥିଲା । ସେହି ତୁଳନାରେ ଗାଢ଼ ନିଦ୍ରାବି ହୋଇଯାଇଥିଲା ସମସ୍ତଙ୍କୁ । କେବଳ ଖୁବ୍ ଦୀର୍ଘ ନିଃଶ୍ଵାସର ଶବ୍ଦ ଶୁଣାଯାଉଥିଲା

 

ପ୍ରତ୍ୟେକ ତମ୍ବୁ ଭିତରୁ ।

 

କେଜାଣି କାହିଁକି, ଠିକ୍ ଅଧରାତିରେ ନିଦ ଭାଙ୍ଗିଯାଇଥିଲା ମୋହନ ସିଂଙ୍କର । କ୍ଳାନ୍ତିରେ ଦେହ ନିତାନ୍ତ ଅବସନ୍ନ ବୋଧ ହେଉଥିଲା । ଆଖିପତା ମୁଦି ହୋଇ ଆସୁଥିଲା; ମାତ୍ର ନିଦ ହେଉ ନଥିଲା । ଦ୍ଵିତୀୟ ଥରପାଇଁ ଅନ୍ଧକାରମୟ ତମ୍ବୁରେ ନିଜ ଖଟିଆରେ ପଡ଼ି ଛଟପଟ ହେଉଥିଲେ ସେ । ତା’ ସଙ୍ଗେ ସଙ୍ଗେ ମନରୁ ସବୁ ଚିନ୍ତାକୁ ଦୂରେଇ ଶୋଇଯିବାକୁ ଚେଷ୍ଟା କରୁଥିଲେ ।

 

ହଠାତ କିଛି ଗୋଟାଏ ଶବ୍ଦ ତାଙ୍କ କାନରେ ବାଜିଲା । ତାଙ୍କର ଦୁର୍ଭାବନାଗ୍ରସ୍ତ ମସ୍ତିଷ୍କ ସନ୍ଦେହାଚ୍ଛନ୍ନ ହୋଇଉଠିଲା ଏଥିରେ । ଶ୍ଵାପଦସଙ୍କୁଳ ଅରଣ୍ୟ, ପୁଣି ଅନ୍ଧକାର ରାତ୍ରି । ସତର୍କତା ଏକାନ୍ତ ଅବଲମ୍ବନୀୟ । ବାହାରେ ପ୍ରହରୀ ଏବଂ ଡେରା ଚତୁର୍ଦ୍ଦିଗରେ ଦୃଢ଼ ପାଚେରି ବ୍ୟବସ୍ଥା ଥିଲେ ସୁଦ୍ଧା ପରିସ୍ଥିତିଦୃଷ୍ଟିରୁ ବିପଦମୁକ୍ତ ନୁହେଁ ତମ୍ବୁଗୁଡ଼ା । ସେ ଶବ୍ଦଟା ପ୍ରତି ଲକ୍ଷ୍ୟ ରଖି କାନ ପାତିଲେ ।

 

‘ଠିକ୍ ସେହି ଶବ୍ଦ !” ଏଥର ସ୍ପଷ୍ଟଭାବରେ ସେ ଶୁଣିପାରିଥିଲେ । ସେ ଅନୁମାନ କଲେ, କେହି ଜଣେ ଯେପରି ଖୁବ୍ ସତର୍କଭାବରେ ପାଦ ପକାଇ ତାଙ୍କର ତମ୍ବୁ ଚାରିପଟେ ବୁଲୁଛି । ସମ୍ପୂର୍ଣ୍ଣ ନିଃସନ୍ଦେହ ହେବାପାଇଁ ଖୁବ୍ ଆସ୍ତେ ବିଛଣା ଉପରେ ଉଠି ବସିଲେ । ମାତ୍ର ସେହି ଶବ୍ଦ ଶୁଣିବାରେ ତାଙ୍କର ଆଉ କିଛି ଭୁଲ୍ ନଥିଲା । ପ୍ରଥମରୁ ସେ ଯାହା ଅନୁମାନ କରିଥିଲେ, ତାହାହିଁ ଠିକ୍ ବୋଲି ଧରିନେଲେ ।

 

ଉପସ୍ଥିତ ପରିସ୍ଥିତିରେ ନିଜର କର୍ତ୍ତବ୍ୟ କ’ଣ, ତାହାହିଁ ସେ ଚିନ୍ତା କରିବାକୁ ଲାଗିଲେ । ସେ ଭାବି ଦେଖିଲେ—ଏ କ୍ଷେତ୍ରରେ ତାଙ୍କର ଥରେ ବାହାରକୁ ଯାଇ ଘଟନାଟା ଦେଖିବା ଉଚିତ । ଯଦି କୌଣସି ହିଂସ୍ରଜନ୍ତୁ ହୋଇଥାଏ, ତେବେ ଡେରାଭିତରେ କାହାର କ’ଣ କ୍ଷତି କରିବ ତା’ର ସ୍ଥିରତା ନାହିଁ । ବରଂ ବାହାରକୁ ଯାଇ, ଘଟନାଟା କ’ଣ ଦେଖି, ଆବଶ୍ୟକ ହେଲେ ଅନ୍ୟମାନଙ୍କୁ ଡାକି ସତର୍କ କରାଇଦେବା ଉଚିତ ।

 

ଏଇକଥା ମନେ ମନେ ସ୍ଥିର କରି ବନ୍ଧୁକ ଆଣିବାକୁ ହାତ ବଢ଼ାଇଲେ । ବନ୍ଧୁକ ଅବଶ୍ୟ ବେଶି ଦୂରରେ ନଥିଲା । ତେଣୁ ପାଇବାରେ ବିଶେଷ ଅସୁବିଧା ହେଲା ନାହିଁ । ଖୁବ୍ ସାବଧାନରେ ଶବ୍ଦ ନ ହେଲା ଭଳି ଖଟିଆ ଉପରୁ ଓହ୍ଲାଇ ତଳେ ଠିଆ ହେଲେ ସେ; ତା’ପରେ ବନ୍ଧୁକଟା ଲୋଡ଼େଡ଼୍ ଅଛି କି ନାହିଁ ଦେଖିନେଲେ ।

 

ସେ ତମ୍ବୁର ଦ୍ଵାର ନିକଟରେ ଟିକିଏ ପଛେଇ କରି ଠିଆ ହେଲେ । ସେପଟରେ ଜଳୁଥିବା ମଶାଲଗୁଡ଼ିକ ଯଥେଷ୍ଟ ଦୂରରେ ଥିଲା ! ଅତି କ୍ଷୀଣ ଏବଂ ମଳିନ ଆଲୋକର ଶିଖା ପଡ଼ିଥିଲା ତାଙ୍କର ତମ୍ବୁପାଖରେ । ସେଇ ଆଲୋକରେ ସେ ଦେଖିପାରିଲେ, ତାଙ୍କରି ସାମନାଦେଇ ପ୍ରକାଣ୍ଡ କଳା ଜୀବଟିଏ ଚାଲିଯାଉଛି ରାଜାସାହେବଙ୍କ ତମ୍ବୁଆଡ଼େ । ମହା ବିପଦ ! ଆଉ ଟିକିଏ ଯାଇଥିଲେ ଅବସ୍ଥା ଯେ କ’ଣ ହୋଇଥାନ୍ତା ତାହା କହିବା କଷ୍ଟ ।

 

କଳା ଜୀବଟାର ଆକୃତି ଥିଲା ଗୋଟିଏ ମନୁଷ୍ୟ ଉଚ୍ଚର । ପଶୁ ପରି ସେ ଚାଲୁ ନଥିଲା-। ଦୁଇଗୋଡ଼ରେହିଁ ସେ ଚାଲୁଥିଲା । ତଥାପି ମୋହନ ସିଂ ତାକୁ ଭାଲୁ ବୋଲି ଧରିନେଇଥିଲେ । କାରଣ, ଭାଲୁ ସମୟ ସମୟରେ ଦୁଇ ଗୋଡ଼ରେ ମଧ୍ୟ ଖୁବ୍ କ୍ଷିପ୍ରବେଗରେ ଚାଲିଯାଇପାରେ ।

 

ବୃଥା ଚିନ୍ତା କରି ସମୟ ନଷ୍ଟ କଲାପରି ପରିସ୍ଥିତିର ନଥିଲା ସେତେବେଳେ । ବନ୍ଧୁକଟା ସଜାଡ଼ି ଧରି ସେ ଟର୍ଚ୍ଚର ଆବଶ୍ୟକତା ଅନୁଭବ କଲାବେଳକୁ ଦେଖନ୍ତି ତ ସେଇଟିକୁ ଆଣିପାରିନାହାନ୍ତି ତରତରରେ । ପୁଣି ଥରେ ତମ୍ବୁ ଭିତରକୁ ଯାଇ ଟର୍ଚ୍ଚଟା ଆଣୁ ଆଣୁ ଶିକାର ହୁଏତ ପଳାଇଯାଇପାରେ, ଏଇ ଆଶଙ୍କାରେ ବିନା ଟର୍ଚ୍ଚରେ ସେ ପାଦକୁ ଆଗେଇ ନେଲେ; ମଳିନ ଆଲୋକବି ଯଥେଷ୍ଟ ଥିଲା । ଇତିମଧ୍ୟରେ ସେ ଜୀବଟା ରାଜାସାହେବଙ୍କ ତମ୍ବୁର ପାଖାପାଖିରେ ପହଞ୍ଚି ଯାଇଥିଲା ।

 

ମୋହନ ସିଂ ଦେଖିଲେ, ମହାବିପଦ ! ଏପରିସ୍ଥଳେ ଫାୟାର କରିବା ବ୍ୟତୀତ ଦ୍ଵିତୀୟ ଉପାୟ ନାହିଁ । କିନ୍ତୁ ଗୁଳି ଯଦି ଲକ୍ଷ୍ୟଭ୍ରଷ୍ଟ ହୋଇଯାଏ, ତେବେ ?

 

ଅଗତ୍ୟା ସେ ଦ୍ରୁତ ପାଦ ପକାଇ ଜୀବଟାର ମୁହାଁମୁହିଁ ହେବାକୁ ଚେଷ୍ଟା କଲେ । ପ୍ରାୟ ଦଶ ପାହୁଣ୍ଡ ଯାଇଛନ୍ତି କି ନାହିଁ ସେ ଦେଖିଲେ, ଜୀବଟା ତମ୍ବୁ ଭିତରକୁ ଗଳିବାକୁ ରାସ୍ତା ଖୋଜୁଛି । ଆଉ କାଳ ବିଳମ୍ବ ନ କରି ସେ ବନ୍ଧୁକ ଉଠାଇଲେ । ମାତ୍ର ଠିକ୍ ଫାୟାର କରିବାକୁ ଯାଉଛନ୍ତି, ଜନ୍ତୁଟା ତାଙ୍କର ଉପସ୍ଥିତି ଜାଣିପାରିଲା କି କ’ଣ, ତରକିଗଲା ପରି ହୋଇ ତମ୍ବୁର ଅନ୍ୟପଟକୁ ଚାଲିଗଲା ।

 

ଶିକାର ଦେହଛପା ଦେଲେ ମଧ୍ୟ ମୋହନ ସିଂ ଛାଡ଼ିବାର ପାତ୍ର ନଥିଲେ । ସେ ବନ୍ଧୁକକୁ ସେହିପରି ବାଗେଇ ଧରି ଖୁବ୍ ଦ୍ରୁତଭାବରେ ଅନୁସରଣ କଲେ ତା’ର । ସେ ଆରପଟରେ ପହଞ୍ଚି ଦେଖିଲେ, ଜନ୍ତୁଟା ଯେଉଁ ପଟରୁ ଆସିଥିଲା ପୁଣି ସେଇପଟକୁ ଚାଲିଗଲା । ତହୁଁ ତାକୁ ପଛଆଡ଼ୁ ନ ଗୋଡ଼ାଇ ନିଜେ ପଛଆଡ଼କୁ ବୁଲିଗଲେ । ସେ ଭାବିଥିଲେ ଯେ, ଜନ୍ତୁଟା ବୁଲିଆସିଲାବେଳକୁ ନିଶ୍ଚୟ ମୁହାମୁହିଁ ହେବ ତାଙ୍କ ସହିତ, ଆଉ ସେଇ ସୁଯୋଗରେ ସେ ଫାୟାର କରିଦେବେ ସହଜରେ । ଏୟା ସ୍ଥିର କରି ଦେହକୁ ନୁଆଁଇ ନୁଆଁଇ ପଛକୁ ଫେରିଲେ ସେ; ତାଙ୍କର ଆଙ୍ଗୁଳି ରାଇଫଲ୍‍ର ଟ୍ରିଗାର ଉପରେ ସ୍ଥିର ରହିଥିଲା । ଯେକୌଣସି ମୁହୂର୍ତ୍ତରେ ଫାୟାର କରିଦେବା ପାଇଁ ପ୍ରସ୍ତୁତ ଥିଲେ ସେ ।

 

ହଠାତ ପ୍ରବଳବେଗରେ କ’ଣ ଗୋଟାଏ ଲଦି ହୋଇପଡ଼ିଲା ତାଙ୍କ ଉପରେ ପଛପଟରୁ-। ଏତେ ଆକସ୍ମିକ ଆକ୍ରମଣ ପାଇଁ ଆଦୌ ପ୍ରସ୍ତୁତ ନଥିଲେ ସେ । ଦୃଷ୍ଟି ତାଙ୍କର ପୂରାପୂରି ଥିଲା ସାମନା ଦିଗକୁ । ତେଣୁ ମୁହଁ ମାଡ଼ିହୋଇ ଦୁମ୍ କରି ତଳେ ପଡ଼ିଗଲେ ସେ; ତା’ ସଙ୍ଗେ ସଙ୍ଗେ ହାତରେ ରାଇଫଲ୍‍ଟା ‘ଗୁଡ଼ୁମ୍’ କରି ଗର୍ଜିଉଠିଲା ।

 

ପରମୁହୂର୍ତ୍ତରେ ମୋହନ ସିଂ ଅସହାୟଭାବରେ ଚିତ୍କାର କରିଉଠିଲେ । ସେ ଅନୁଭବ କରୁଥିଲେ, କେହି ଯେପରି ତାଙ୍କୁ ନିରୁପାୟ ଅବସ୍ଥାରେ ମାଡ଼ିବସି ତାଙ୍କର ମୁଣ୍ଡଠାରୁ ଗୋଡ଼ପର୍ଯ୍ୟନ୍ତ କେତେଟା ତୀକ୍ଷ୍ଣ ଛୁରିରେ ଚିରିଦେଉଛି । ଚିତ୍କାର କରି ଯନ୍ତ୍ରଣାରେ ଛଟପଟ ହେବା ସମୟରେ ରାଇଫଲ୍‍ଟା ଛିଟିକିଯାଇ ଖଣ୍ଡେ ଦୂରରେ ପଡ଼ିଲା ତାଙ୍କ ହାତରୁ । ତା’ ପରବର୍ତ୍ତୀ ଘଟନା ଜାଣିବାକୁ ତାଙ୍କର ସଂଜ୍ଞା ନଥିଲା ।

 

ଗୁଳି ଫୁଟିବାର ଶବ୍ଦ ଏବଂ ତା’ ସଙ୍ଗେ ସଙ୍ଗେ ଚିତ୍କାର ଶୁଣି ସର୍ବପ୍ରଥମେ ରାଜାସାହେବଙ୍କର ନିଦ ଭାଙ୍ଗିଗଲା । ସେ ରିଭଲଭର୍ ଏବଂ ଟର୍ଚ୍ଚ ଧରି ତମ୍ବୁର ଦରଜା ଖୋଲିଦେଲାବେଳକୁ ସ୍ପଷ୍ଟ ଦେଖିପାରିଲେ ଯେ କଳା ହୋଇ କ’ଣ ଗୋଟାଏ କାଠପାଚେରି ଡେଇଁ ଚାଲିଯାଉଛି । ସେଇଠି ମଶାଲଟାଏ ନିଷ୍ପ୍ରଭ ହୋଇ ଜଳୁଥିଲା: ସେତକ ତାଙ୍କୁ ସାହାଯ୍ୟ କଲା ଦେଖିବାରେ । କିଛି ଚିନ୍ତା କରିବା ପୂର୍ବରୁ ସେଇଟାକୁ ଲକ୍ଷ୍ୟ କରି ତାଙ୍କ ହାତର ରିଭଲଭର୍ ଗର୍ଜିଉଠିଲା । ଠିକ୍ ସେହି ମୁହୂର୍ତ୍ତରେ ପାଚେରିକୁ ଅତିକ୍ରମ କଲା ଜୀବଟା । ତେଣିକି ପର୍ବତର କାନ୍ଥି ଆରମ୍ଭ ।

 

ଜୀବଟାର ଅବସ୍ଥା କ’ଣ ହେଲା ଦେଖିବା ଅପେକ୍ଷା ସେ ଡେରାଭିତରେ କ’ଣ ଘଟିଛି ପ୍ରଥମେ ଦେଖିବାକୁ ଚାହିଁଲେ । ବେଶି ଗୁଡ଼ାଏ କଷ୍ଟ କରିବାକୁ ହେଲା ନାହିଁ ତାଙ୍କୁ । ଟର୍ଚ୍ଚଟା ଏପଟକୁ ପକାଇଲାମାତ୍ରେ ସେ ଦେଖିପାରିଲେ, କିଏ ଜଣେ ମୁହଁମାଡ଼ି ପଡ଼ିଛି ସେଠି; ସେ ଧାଇଁଯାଇ ଦେଖନ୍ତି ତ ମୋହନ ସିଂ ।

 

ଇତିମଧ୍ୟରେ ଅନ୍ୟମାନେ ଆସି ପହଞ୍ଚିଯାଇଥିଲେ ସେଠି । ଶହ ଶହ ମଶାଲର ଆଲୋକରେ ଆଲୋକିତ ହୋଇଉଠିଲା ବନଭୂମିଖଣ୍ଡକ । ମୋହନ ସିଂଙ୍କର ଚେତା ନଥିଲା ସେତେବେଳକୁ । ତାଙ୍କର ପୋଷାକପତ୍ର ସବୁ ଚିରି ଟିକିଟିକି ହୋଇଯାଇଥିଲା ମୁଣ୍ଡଠାରୁ ଆଣ୍ଠୁ ପର୍ଯ୍ୟନ୍ତ ଅସଂଖ୍ୟ ଲମ୍ବ ଲମ୍ବ ଗଭୀର କ୍ଷତରୁ ଅଜସ୍ର ରକ୍ତସ୍ରାବ ହେଉଥିଲା । ସମସ୍ତେ ଅନୁମାନ କଲେ, ବଡ଼ ଭାଲୁ ବ୍ୟତୀତ ଏପରି ପ୍ରଚଣ୍ଡ ଆଘାତ ଅନ୍ୟ ଜାତିର ଜନ୍ତୁ ଦେଇପାରିବ ନାହିଁ କେବେହେଲେ ।

 

ଯାହାହେଉ, କୌଣସି ପ୍ରକାରେ ଧରାଧରି କରି ମୋହନ ସିଂଙ୍କୁ ଖଟିଆ ଉପରେ ନେଇ ଶୁଆଇଦେଲେ । ରାଜାସାହେବଙ୍କ ବ୍ୟକ୍ତିଗତ ଡାକ୍ତର ଦେହକୁ ପରିଷ୍କାର କରାଇ ସମଗ୍ର ଶରୀରରେ ବ୍ୟାଣ୍ଡେଜ୍ କରିଦେଲେ । ତଥାପି ଚେତନା ଆସି ନାହିଁ । ଡାକ୍ତରଙ୍କ କହିବା ଅନୁସାରେ ଅବସ୍ଥା ଉଦ୍‌ବେଗଜନକ । ସଂଜ୍ଞା ଫେରିବାକୁ ବିଳମ୍ବ ହୋଇପାରେ ।

 

ରାତିର ଅବଶିଷ୍ଟ ସମୟତକ ବିଶ୍ରାମ ଯୁଟି ନଥିଲା କାହାରି ଭାଗ୍ୟରେ । ସମସ୍ତେ ଚିନ୍ତିତ ଏବଂ ଶଙ୍କିତ ହୃଦୟରେ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଗୋଟାଏ ବିପଦର ଆଶଙ୍କା କରୁଥିଲେ ।

 

ରାତି ପାହିଲେ କିଛି ହେଲେ କରାଯାଇପାରନ୍ତା । ସମସ୍ତେ ବ୍ୟାକୁଳ ଭାବରେ ରାତି ପାହିବାକୁ ଅପେକ୍ଷା କରୁଥିଲେ ।

 

ପାଞ୍ଚ

 

ରାତି ପାହିଲା । ତା’ ସଙ୍ଗେ ସଙ୍ଗେ ସମସ୍ତଙ୍କର ଆନନ୍ଦବର୍ଦ୍ଧନ କରି ମୋହନ ସିଂଙ୍କର ଚେତନା ମଧ୍ୟ ଫେରିଲା । ମାତ୍ର ସମଗ୍ର ଶରୀରରେ ଦୃଢ଼ଭାବରେ ପଟି ବନ୍ଧା ହୋଇଥିବା ଯୋଗୁଁ କଥାବାର୍ତ୍ତା କରିପାରୁ ନ ଥାନ୍ତି ସେ ।

 

ରାଜା ପ୍ରବୀରଚନ୍ଦ୍ର ଫରଚା ପଡ଼ିବାକ୍ଷଣି ମୋହନ ସିଂଙ୍କ ଖବର ଟିକିଏ ବୁଝିନେଇ ବାହାରିପଡ଼ିଲେ ଜନ୍ତୁଟାର ସନ୍ଧାନରେ । ତାଙ୍କର ଲକ୍ଷ୍ୟ ଯେ ବ୍ୟର୍ଥ ହେବାର ନୁହେଁ, ନିଜ ଉପରେ ଏ ବିଶ୍ଵାସ ଥିଲା ତାଙ୍କର । ଗତରାତିରେ ରିଭଲଭର ଫାୟାର କରିବା ସଙ୍ଗେ ସଙ୍ଗେ ଜନ୍ତୁଟା ପାଚେରିର ଯେଉଁ ସ୍ଥାନରେ ଡେଇଁପଡ଼ିଥିଲା, ସେ ସେହି ସ୍ଥାନକୁ ଯାଇ ଲକ୍ଷ୍ୟ କଲେ । ସେ ଆଶା କରିଥିଲେ, ଗୁଳିମାଡ଼ ଖାଇ ଜନ୍ତୁଟା ସେଇଠି ପଡ଼ିଥିବ, ନଚେତ ଘାଉଲା ହୋଇଥିଲେ ଅବଶ୍ୟ ରକ୍ତର ଚିହ୍ନ ତ ଥିବ !

 

ଘଟନାସ୍ଥଳରେ ପହଞ୍ଚି ତଳକୁ ଚାହିଁ ସେ ଦେଖିଲେ ଯୋଡ଼ାଏ ଖୁବ୍ ଲମ୍ବା ପାଦଚିହ୍ନ । ଚିହ୍ନ ଦୁଇଟା ଯେ କୌଣସି ଜଣେ ଦୀର୍ଘ ପାଦବିଶିଷ୍ଟ ମନୁଷ୍ୟର ପାଦର ଦୁଇଗୁଣ ହେବ । ଅବଶ୍ୟ ଜୋତାର ଚିହ୍ନ ଥିଲା ସେ ଦୁଇଟା । ଏଥର ସେ ଜାଣିପାରିଲେ ଯେ ଜନ୍ତୁ ବୋଲି ଯାହାକୁ ସେ ଅନୁମାନ କରୁଥିଲେ ତାହା ଜଣେ ମନୁଷ୍ୟ । କିନ୍ତୁ ଏଡ଼େ ବିରାଟକାୟ ମନୁଷ୍ୟ କ’ଣ ଜଗତରେ ସମ୍ଭବ ? ନିଜ ପ୍ରଶ୍ନରେ ନିଜେ ବିସ୍ମିତ ହୋଇପଡ଼ିଲେ ସେ । ଆଉ ଟିକିଏ ଏପଟ ସେପଟ ହୋଇ ଦେଖୁ ଦେଖୁ ସେ ଦେଖିପାରିଲେ—ଗତ ରାତିରେ ତାଙ୍କର ମାରିଥିବା ଗୁଳିଟି ପାଚେରିର ଗୋଟିଏ କାଠଗଣ୍ଡିରେ ବିଦ୍ଧ ହୋଇ ରହିଛି । ଜୀବଟାର ସନ୍ଧାନ ବିଷୟରେ ଯାହା ବା କ୍ଷୀଣ ଆଶା ଥିଲା ତାଙ୍କ ମନରେ, ସେତକ ମଧ୍ୟ ଉଭେଇଗଲା ନିଜ ଗୁଳିର ବିଫଳତାରେ । ମୋହନ ସିଂଙ୍କର ଆକ୍ରମଣକାରୀ ମନୁଷ୍ୟ ବା ପଶୁ କିଛି ସ୍ଥିର କରିପାରିଲେ ନାହିଁ ସେ । ନିରାଶ ମନରେ ଫେରିଆସିବାକୁ ବସୁଛନ୍ତି, ତାଙ୍କର ଦୃଷ୍ଟି ପଡ଼ିଲା ପାଚେରିର କାଠଗଣ୍ଡିରେ ଥିବା ଗୋଟାଏ ଖୁଣ୍ଟା ଦେହରେ । କଳାକଳା ଲୋମ ମେଞ୍ଚାଏ ଲାଗିଥିଲା ସେଥିରେ । ସେଗୁଡ଼ିକ ନିତାନ୍ତ ରହସ୍ୟ ବୃତ ମନେହେଲା ତାଙ୍କୁ । ଫେରି ଆସୁ ଆସୁ ପୁଣି ଲେଉଟିଯାଇ ସେହି ଲୋମଗୁଡ଼ିକୁ ବାହାର କରି ଆଣିଲେ ଖୁଣ୍ଟାଦେହରୁ । ଗୋଟାଏ ବିଚିତ୍ର ଜୀବର ବିଚିତ୍ର ଲୋମ ହୋଇଥିବ ବୋଲି ସେ କଳ୍ପନା କରିଥିଲେ; କିନ୍ତୁ ଲୋମଗୁଡ଼ିକ ଖୁବ୍ କୋମଳ ଲାଗିଲା ହାତକୁ । ଟିକିଏ ପାଖକୁ ନେଇ ସେ ଦେଖିଲେ, ସେଗୁଡ଼ା ପ୍ରକୃତରେ ଲୋକ ନୁହେଁ, ବେଶ୍ କର୍କଶ ତନ୍ତୁବିଶିଷ୍ଟ ଝୋଟ । ଗାଢ଼ କଳା ରଙ୍ଗରେ କଷାଇ ଦିଆଯାଇ ରଙ୍ଗ କରାଯାଇଛି ସେଗୁଡ଼ିକ ।

 

ଏ ବିଚିତ୍ର ଘଟନାରେ ସେ କ’ଣ ଅନୁମାନ କରିବେ, ଭାବି କିଛି ସ୍ଥିର କରିପାରିଲେ ନାହିଁ-! କୌଶଳରୁ ଯେପରି ଜଣାଯାଉଛି, ଏହା ମନୁଷ୍ୟ ବ୍ୟତୀତ ଅନ୍ୟ କାହାରି କାମ ନୁହେଁ । ଯଦି ସେ ମନୁଷ୍ୟ ହୋଇଥାଏ, ତେବେ ଡେରାଭିତରେ ଏପରି ଭାବରେ ପଶିବା ଏବଂ ମୋହନ ସିଂଙ୍କୁ ସାଂଘାତିକ ଭାବରେ ଆଘାତ କରିବାରେ ବା ଉଦ୍ଦେଶ୍ୟ କ’ଣ ଥାଇପାରେ ? ଏହିପରି ବହୁ ଚିନ୍ତାକୁ ଆଲୋଡ଼ନ ତାଙ୍କର ମନକୁ ବିକ୍ଷିପ୍ତ କରି ପକାଇଲେ ସୁଦ୍ଧା କୌଣସି ସିଦ୍ଧାନ୍ତରେ ଉପନୀତ ହେବା ସମ୍ଭବ ହେଲା ନାହିଁ ତାଙ୍କ ପକ୍ଷରେ । ଖୁବ୍ ଶୀଘ୍ର ନିଜର ବାହାର ତମ୍ବୁକୁ ଫେରିଆସି ମିଷ୍ଟର ସିଂଙ୍କୁ ଡକାଇ ପଠାଇଲେ ସେ । ମିଷ୍ଟର ସିଂ ଏଇ ଅରଣ୍ୟର ବହୁକାଳର ବାସିନ୍ଦା । ତାଙ୍କଠାରୁ ଏହି ବିଚିତ୍ର ଜନ୍ତୁର କିଛି ସନ୍ଧାନ ମିଳିପାରେ ବୋଲି ସେ ଆଶା କରିଥିଲେ ।

 

ମିଷ୍ଟର ସିଂ ଡାକରା ପାଇଲାମାତ୍ରେ ହାଜର ହେଲେ ରାଜାସାହେବ ପାଖରେ । ଡାକରା ପାଇଲାବେଳକୁ ସେ ରାଜାସାହେବଙ୍କ ଡେରାର ଲୋକମାନଙ୍କର କଥାବାର୍ତ୍ତା ଓ ପ୍ରତିକ୍ରିୟା ଲକ୍ଷ୍ୟ କରୁଥିଲେ । ମୋହନ ସିଂଙ୍କ ଦୁର୍ଦ୍ଦଶା ବିଷୟକୁ ଘୋର ପ୍ରତିକ୍ରିୟା ସୃଷ୍ଟି କରିଥିଲା ରାଜାସାହେବଙ୍କ ଲୋକମାନଙ୍କ ମନରେ ସେମାନେ ସମସ୍ଵରରେ ମୋହନ ସିଂଙ୍କ ପ୍ରତି ସମବେଦନା ଜଣାଇ ତାଙ୍କର ପ୍ରଶଂସା କରିବା ସଙ୍ଗେ ସଙ୍ଗେ ସେ ବିଚିତ୍ର ଜୀବଟା ସମ୍ବନ୍ଧରେ ନାନା ପ୍ରକାର ମତ ପ୍ରକାଶ କରୁଥିଲେ ।

 

ରାଜା ପ୍ରବୀରଚନ୍ଦ୍ର ଖୁବ୍ ଗମ୍ଭୀରଭାବରେ ବସିଥିଲେ ତାଙ୍କର ବାହାର ତମ୍ବୁରେ । ମିଷ୍ଟର ସିଂ ସେଠାରେ ପହଞ୍ଚିବାମାତ୍ରେ ସେ ତାଙ୍କୁ ବସିବାପାଇଁ ଗୋଟିଏ ଚଉକି ଦେଖାଇଦେଇ ଗତ ରାତିଠାରୁ ଏପର୍ଯ୍ୟନ୍ତ ଘଟିଥିବା ଘଟନାସବୁକୁ ବୁଝାଇ କହିଲେ । ଯେଉଁ କଳାରଙ୍ଗର ଝୋଟପୁଳାକ ସେ କାଠଖୁଣ୍ଟାରୁ ସଂଗ୍ରହ କରିଥିଲେ ସେତକ ମଧ୍ୟ ଦେଖାଇଲେ ।

 

ସେସବୁ ଦେଖି ମିଷ୍ଟର ସିଂଙ୍କର କପାଳର ରେଖା କୁଞ୍ଚିତ ହୋଇଉଠିଲା । କିଛି ସମୟ ଚିନ୍ତା କରି ସେ କହିଲେ, “ଜୀବନରେ ବହୁ ଶିକାରୀଦଳର ନେତୃତ୍ଵ ମୁଁ ନେଇଛି । ଅତୀତରେ ସବୁଥର କିଛି ନା କିଛି ଦୁର୍ଘଟନା ଅବଶ୍ୟ ଘଟିଛି, କିନ୍ତୁ ଏତେଟା ଦୁଃଖଦାୟକ ଘଟନା ଘଟିନି କେବେ । ମୋର ଯେମିତି ମନେହୁଏ, ଏ ସେହି ତାରଜନ୍‍ର କାମ । ଉଃ ! କି ମାରାତ୍ମକ ସଇତାନ ଲୋକଟା । ସେ’ଟା ତ ମନୁଷ୍ୟ କେବେ ହୋଇ ନ ଥିବ । ତାକୁ ଅସୁର ବୋଲି ଧରିନେବାକୁ ହେବ-। ଭାଗ୍ୟ ଭଲ, ମୋହନ ସିଂ ହାବୁଡ଼ିଗଲେ । ନ ହେଲେ କାହାର କ’ଣ କରିଥାନ୍ତା, ଠିକଣା ନାହିଁ ।”

 

ପ୍ରବୀରଚନ୍ଦ୍ର ପୂର୍ବପରି ଗମ୍ଭୀର ହୋଇ କହିଲେ, “ମୁଁ ବର୍ତ୍ତମାନ ଦୁଇଟି କଥା ଭାବୁଛି ଏବଂ ଗୋଟିକର ନିଷ୍ପତ୍ତି ଚାହୁଁଛି । ସେଥିରୁ ଗୋଟିଏ ହେଲା, ଆମେ ଏତିକିରେ ଶିକାର ବନ୍ଦ କରି ଉଦିତପୁର ଫେରିଯିବୁ । ଅନ୍ୟଟି ହେଲା, ସମସ୍ତ ବଳକୌଶଳ ଲଗାଇ ତାରଜନ୍‍କୁ ଆବିଷ୍କାର କରିବୁ ଏବଂ ତା’ର କୃତକର୍ମର ଉପଯୁକ୍ତ ସଜା ଦେବୁ । କେଉଁଟା ଠିକ୍ ବୋଲି ଆପଣ ବିଚାରୁଛନ୍ତି-?”

 

ମିଷ୍ଟର ସିଂଙ୍କ ମୁହଁ ଗମ୍ଭୀର ହୋଇଉଠିଲା । ସେ ଚିନ୍ତା କରି କହିଲେ, “ବରଂ ଦ୍ଵିତୀୟଟି କରିବା ଉଚିତ ବୋଲି ମୁଁ ଭାବୁଛି । କାରଣ ମୋର ଯେମିତି ମନେହୁଏ, ତାରଜନ୍ ଖୁବ୍ ଶକ୍ତିମାନ୍ । ତା’ର ମୁକାବିଲା କରିବାପାଇଁ ଯେତେ ଶକ୍ତି ଆବଶ୍ୟକ ତାହା ଆପଣଙ୍କର ଅଛି । ତେଣୁ ତାକୁ ନିର୍ମୂଳ କରିବା ଆପଣଙ୍କ ପକ୍ଷେ ସହଜ ହେବ । ଆପଣ ତାକୁ ଛାଡ଼ି ଉଦିତପୁର ଚାଲିଗଲେ ଭବିଷ୍ୟତ୍‍ରେ ଆଉ କେହି ଯେ ସେତକ କରିବାକୁ ସମର୍ଥ ହେବ, ସେ ଆଶା କରିବା ବୃଥା । ବରଂ ଆମେମାନେ ଆପଣଙ୍କୁ ସବୁପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛୁ । ଆପଣ ତାରଜନ୍‍ର ନାମ ଲୋପ କରନ୍ତୁ ଏ ଜଙ୍ଗଲରୁ । ନ ହେଲେ ଏଟା ଅଗମ୍ୟ ହୋଇପଡ଼ିବ ଅଳ୍ପ ଦିନ ମଧ୍ୟରେ ।”

 

ମିଷ୍ଟର ସିଂ ଯାହା କହିଲେ, ତାହାକୁ ଚିନ୍ତା କରି ଦେଖୁଥିଲେ ରାଜାସାହେବ । ଭୀରୁପରି ପଳାଇବାକୁ ସେ ଆନ୍ତରିକ ଇଚ୍ଛା କରୁ ନଥିଲେ । କେବଳ ମାଳବିକାହିଁ ଥିଲେ ତାଙ୍କର ଚିନ୍ତାର ପ୍ରଧାନ କାରଣ । ତାଙ୍କୁ ଏ ପରିସ୍ଥିତିରେ ଡେରାରେ ଛାଡ଼ି ଯିବା କିମ୍ବା ଶିକାରରେ ସାଙ୍ଗରେ ନେବା–ଦୁଇଟା ଭିତରୁ କୌଣସି ଗୋଟିକୁ ସୁଦ୍ଧା ସେ ଯୁକ୍ତିଯୁକ୍ତ ବିବେଚନା କରୁ ନଥିଲେ । ତାଙ୍କୁ ସାଙ୍ଗରେ ଆଣି ଯେ କି ଅସୁବିଧା ସେ ବରଣ କରିଛନ୍ତି ସେକଥା ଭାବି ବର୍ତ୍ତମାନ ଖୁବ୍ ଅନୁତାପ କରୁଥିଲେ ସେ ।

 

“ତେବେ ଆଜି ଶିକାରରେ ଯିବା କ’ଣ ନିଶ୍ଚିତ ?”

 

‘ହଁ, ସେଥିରେ ଆଉ ବ୍ୟତିକ୍ରମର ପ୍ରଶ୍ନ ଉଠୁଛି କାହିଁକି ? ମୋହନ ସିଂଙ୍କର ଶୁଶ୍ରୂଷା ଏବଂ ଡେରାର ରକ୍ଷଣାବେକ୍ଷଣ ପାଇଁ ଅଧିକ ସଂଖ୍ୟକ ଲୋକ ଏବଂ ଜଗୁଆଳିର ବନ୍ଦୋବସ୍ତ କରିଯିବା”—କହିଲେ ମିଷ୍ଟର ସିଂ ।

 

“ଆମର ଆୟୋଜନ କ’ଣ କରିବାକୁ ହେବ ?” —ମିଷ୍ଟର ସିଂଙ୍କୁ ଚାହିଁ ପଚାରିଲେ ରାଜା ପ୍ରବୀରଚନ୍ଦ୍ର ।

 

“ଆମର ପ୍ରସ୍ତୁତି ଖୁବ୍ ବ୍ୟାପକ ହେବା ଦରକାର । ଅନ୍ତତଃ ତିନିଚାରି ଦିନର ଖାଦ୍ୟ, ରହିବାପାଇଁ ତମ୍ବୁ, ମଶାଲ, କୁଲି, ଏସବୁ ନେବା ଦରକାର । ଏସବୁ ବୋହିନେବା ପାଇଁ ଦୁଇଟା ହାତୀ ଦରକାର । ସେଥିପାଇଁ ଚିନ୍ତା କରିବା ଦରକାର ନାହିଁ । ଆମର ତ ଦୁଇଟା ହାତୀ ଅଛନ୍ତି । ସେଥିରେ କାମ ଚଳିଯିବ ।”

 

ରାଜା ପ୍ରବୀରଚନ୍ଦ୍ରଙ୍କ ମୁଖରେ ଚିନ୍ତାର ରେଖା ଫୁଟିଉଠିଲା । ସେ କହିଲେ–"ମୁଁ ବଡ଼ ଅସୁବିଧାରେ ପଡ଼ିଯାଇଛି, ମିଷ୍ଟର ସିଂ ! ଭାବୁଛି, ମାଳବିକାଙ୍କୁ ମଧ୍ୟ ସାଙ୍ଗରେ ନେଇଯିବି । କାରଣ, ଅବସ୍ଥା ଯେମିତି ଦେଖୁଛନ୍ତି ତାଙ୍କୁ ଏକା ଏଠି ଛାଡ଼ି ଯିବାକୁ ମୋର ସାହସ ବା ଇଚ୍ଛା ନାହିଁ । ତାଙ୍କର ସୁବ୍ୟବସ୍ଥା କ’ଣ କରାଯାଇପାରେ, ତାହାହିଁ ମୁଁ ଚିନ୍ତା କରୁଚି ?”

 

ଏ କଥା ଶୁଣ ହୋ ହୋ ହୋଇ ହସିଉଠି ମିଷ୍ଟର ସିଂ କହିଲେ—“ଆପଣ ବୃଥା ଆଶଙ୍କା କରୁଛନ୍ତି, ରାଜାସାହେବ ! ବହୁତଗୁଡ଼ାଏ ଲୋକଙ୍କର ଉପସ୍ଥିତି ସତ୍ତ୍ୱେ ଆପଣ ଏପରି ଆଶଙ୍କା କାହିଁକି କରୁଛନ୍ତି ? ରାଣୀସାହେବାଙ୍କୁ ଏଠାରେ ନିର୍ଭୟରେ ଛାଡ଼ିଦିଆଯାଇପାରେ । ତାଙ୍କୁ ସାଙ୍ଗରେ ନେଲେ ଦୁଇଜଣ ଦାସୀ ତ ନିଶ୍ଚୟ ଯିବେ । ସେମାନଙ୍କ ପାଇଁ ସ୍ଵତନ୍ତ୍ରଭାବରେ ଗୋଟାଏ ହାତୀ ଦରକାର । ଆମ ପକ୍ଷରେ ସେତକ ଯୋଗାଡ଼ କରିବା କଷ୍ଟ । ଦ୍ଵିତୀୟତଃ, ଶିକାରକ୍ଷେତ୍ରର କଷ୍ଟ ଯେ ରାଣୀସାହେବା ସହ୍ୟ କରିପାରିବେ, ସେ ବିଶ୍ୱାସ ମୋର ହେଉନି । ବରଂ ତାଙ୍କୁ ନେଇ ଆମେ ବିପଦରେ ପଡ଼ିବାର ସମ୍ଭାବନା । ମୋ ମତରେ ରାଣୀସାହେବା ଡେରାରେ ଥାଉନ୍ତୁ । ଆମେ ତ ଫେରିବା ଖୁବ୍ ଶୀଘ୍ର ।”

 

ମିଷ୍ଟର ସିଂଙ୍କ କଥାର ଯଥାର୍ଥତା ଉପଲବ୍‌ଧି କରିବାକୁ ଚେଷ୍ଟା କରୁଥିଲେ ରାଜା ପ୍ରବୀରଚନ୍ଦ୍ର । କିଛି ସମୟ ଚିନ୍ତା କଲା ପରେ ସେ କହିଲେ—“ଆଚ୍ଛା ! ଆପଣ ତେବେ ଶୀଘ୍ର ଆୟୋଜନ କରନ୍ତୁ । ମୁଁ ଅରିନ୍ଦମ ଏବଂ ମାଳବିକାଙ୍କ ସହିତ ପରାମର୍ଶ କରି ଯାହା ହେବ ଗୋଟାଏ କରିବି ।”

 

ମିଷ୍ଟର ସିଂ ମହା ଉଲ୍ଲାସ ଏବଂ ଉତ୍ସାହର ସହିତ ଫେରିଆସିଲେ ଡେରାରୁ । ଏପରି ଉଲ୍ଲସିତ ହେବା ନୂଆ ନୁହେଁ ତାଙ୍କ ପକ୍ଷରେ । ଶିକାରକୁ ଯିବାର ଶୁଣିଲେ ସେ ପ୍ରାୟ ଏହିପରି ଆନନ୍ଦିତ ହୋଇଉଠନ୍ତି ।

 

ଖୁବ୍ ଲମ୍ବା ଲମ୍ବା ପାଦ ପକାଇ ସେ ଡେରାରୁ ଫେରିବା ସମୟରେ ଭାବୁଥିଲେ କେଉଁଠାରେ କି ଜିନିଷର ଆୟୋଜନ କରିବେ ।

 

ସେଇ ଚିନ୍ତାରେ ମୁହଁଟା ତାଙ୍କର ଭାରି ଗମ୍ଭୀର ଦିଶୁଥିଲା ବୋଧହୁଏ । ଡେରାଭିତରେ ପୂର୍ବ ରାତିର ଆଲୋଚନା ଚାଲିଥିଲା ଆଗପରି ।

 

ଆୟୋଜନର ଶେଷ ଏବଂ ଯାତ୍ରାର ଅନୁକୂଳ ହେଲା ଖୁବ୍ ଶୀଘ୍ର । ମିଷ୍ଟର ସିଂଙ୍କ ପରାମର୍ଶ ଅନୁଯାୟୀ ରାଜା ପ୍ରବୀରଚନ୍ଦ୍ର ନିଜର ନିଷ୍ପତ୍ତି କଲେ । ମାଳବିକାଙ୍କୁ ଡେରାରେ ଉପଯୁକ୍ତ ରକ୍ଷଣାବେକ୍ଷଣ ବ୍ୟବସ୍ଥାରେ ରଖି ସେ ଆସିଲେ ।

 

ହାତୀ ଥିଲେ ଦୁଇଟି । ସେଥିମଧ୍ୟରୁ ଗୋଟିକରେ ରାଜାସାହେବ ଆଉ କହ୍ନେଇଁଆ ରାଓ ଏବଂ ଅନ୍ୟଟିରେ ମିଷ୍ଟର ସିଂ ଓ ଅରିନ୍ଦମ ଛୋଟରାୟ ବସିଲେ । ଅନ୍ୟ ବଣୁଆ ଶିକାରୀମାନେ ହାତୀର ଆଗପଛ ହୋଇ ଚାଲିଥାନ୍ତି । ସେମାନେବି ସଶସ୍ତ୍ର । ଧନୁ, ଶର, ବର୍ଚ୍ଛା, ଟାଙ୍ଗିଆ, ଫାର୍ଶା ଛଡ଼ା କେତେଜଣଙ୍କର ଦେଶୀ ବନ୍ଧୁକବି ଥାଏ । ଆବଶ୍ୟକ ହେଲେ ସେମାନେ ଗଛଲତା ହାଣି ରାସ୍ତା ମଧ୍ୟ ପରିଷ୍କାର କରୁଥାନ୍ତି ହାତୀ ଯିବାପାଇଁ ।

 

ଯାତ୍ରା ଆରମ୍ଭରେ ପ୍ରଥମେ ମାଇଲିଏ ଖଣ୍ଡେ ପ୍ରାୟ କିଛି ଉଲ୍ଲେଖ ଯୋଗ୍ୟ ଘଟନା ଘଟିଲା ନାହିଁ । ମହାଆନନ୍ଦ କୋଳାହଳ ଭିତରେ ଦଳଟା ସୁରୁଖୁରୁରେ ଆଗେଇଗଲେ କିଛି ବାଟ । ଚତୁର୍ଦ୍ଦିଗରେ ସୁନ୍ଦର ପ୍ରାକୃତିକ ପରିବେଶ । ଯେଣିକି ଚାହିଁଲେ ଖାଲି ଘାସପଡ଼ିଆ । ବହୁ ଦୂରରେ ପାହାଡ଼ ମଝିରେ ମଝିରେ ଖଣ୍ଡେ ଖଣ୍ଡେ ଜଙ୍ଗଲ । ରାଜାସାହେବ ଏବଂ ଅନ୍ୟମାନେ ତାହା ଦେଖି ଖୁବ୍ ଆନନ୍ଦ ଅନୁଭବ କରୁଥାନ୍ତି । କିନ୍ତୁ ମାଳବିକାଙ୍କ କଥା ମନେ ପଡ଼ି ସମୟ ସମୟରେ ମନଟା ବିମର୍ଷ ହୋଇ ଉଠୁଥାଏ ତାଙ୍କର ।

 

ସେମାନେ ଯେଉଁ ବିରାଟ ପ୍ରାନ୍ତର ଭିତରଦେଇ ଯାତ୍ରା କରୁଥାନ୍ତି ତା’ର ଡାହାଣ ପଟରେ ନିବିଡ଼ ଅରଣ୍ୟ, ବାଁ ପଟରେ ସୁ-ଉଚ୍ଚ ପର୍ବତମାଳା; ଆଗରେ ଖାଲି ଘାସପଡ଼ିଆ । ସ୍ଥାନେ ସ୍ଥାନେ ମଣିଷେ ଉଚ୍ଚର ଘାସ ଖୁବ୍ ଗହଳଭାବରେ ବଢ଼ିଯାଇଛି ବହୁଦୂର ପର୍ଯ୍ୟନ୍ତ । ତାକୁ ଦେଖିଲେ ଯେ କେହି ଗୋଟାଏ ଘାସର ପାଚେରି ବୋଲି ମନେକରିବ । ବର୍ତ୍ତମାନ ସେମାନେ ଯେଉଁଠାରେ ପହଞ୍ଚିଥିଲେ, ସେଠାରୁ ବାଁ ପଟର ପର୍ବତମାଳା କେବଳ ନିକଟତମ ଅନ୍ୟ ଅଂଶଗୁଡ଼ା ଘାସପଡ଼ିଆ ପାରିହେଲେ, ପ୍ରାୟ ଦୁଇମାଇଲ ଦୂରରେ ।

 

ପର୍ବତର ପାଦଦେଶରେ ସେ ରାତିକପାଇଁ ତମ୍ବୁ ଟାଣିବାକୁ ପରାମର୍ଶ ଦେଲେ ମିଷ୍ଟର ସିଂ । କାରଣ, ଖୁବ୍ ବେଶି ହେଲେ ମାତ୍ର ଦୁଇ ଘଣ୍ଟା ଥିଲା ସନ୍ଧ୍ୟା ହେବାକୁ; ତା’ ପୂର୍ବରୁ ଆଶ୍ରୟସ୍ଥଳର ବ୍ୟବସ୍ଥା କରିବାକୁ ହେବ । କିନ୍ତୁ ସେ ସ୍ଥାନ ଛାଡ଼ିଦେଲେ ପୁଣି ସନ୍ଧ୍ୟା ପୂର୍ବରୁ ଆଉ ଗୋଟାଏ ସ୍ଥାନରେ ପହଞ୍ଚିବା ଅସମ୍ଭବ । ତମ୍ବୁ ଇତ୍ୟାଦି ଟାଣିବାରେ ମଧ୍ୟ ସମୟ ଲାଗିବ । ପାହାଡ଼ିଆ ଉଠାଣି ଗଡ଼ାଣି ଗସ୍ତରେ ଚାଲି ଜଙ୍ଗଲ ହାଣି ହାଣି କୁଲିଗୁଡ଼ା ମଧ୍ୟ ଖୁବ୍ କ୍ଳାନ୍ତ ହୋଇପଡ଼ିଲେଣି । ଏଇସବୁ ଦୃଷ୍ଟିରୁ ରାଜା ପ୍ରବୀରଚନ୍ଦ୍ର ମଧ୍ୟ ମିଷ୍ଟର ସିଂଙ୍କ ପ୍ରସ୍ତାବକୁ ସମର୍ଥନ କଲେ ।

 

ତମ୍ବୁ ଟାଣିବା କାମରେ କୁଲିଗୁଡ଼ାକ ଲାଗିଗଲେ । ଆଉ କେତେଜଣ ଶୁଖିଲା କାଠ ସଂଗ୍ରହ କରିବାପାଇଁ ପର୍ବତ ଉପରକୁ ଉଠିଗଲେ । ମିଷ୍ଟର ସିଂ କାମର ତତ୍ତ୍ଵାବଧାନ କରିବାରେ ବ୍ୟସ୍ତ । ରାଜା ପ୍ରବୀରଚନ୍ଦ୍ର ଶାରୀରିକ ଏବଂ ମାନସିକ, ଉଭୟ ଦିଗରୁ କ୍ଳାନ୍ତି ଅନୁଭବ କରୁଥିଲେ । ସେ ଖଣ୍ଡିଏ ଇଜି ଚେୟାରରେ ବସି ଅପରାହ୍ନର ଶୀତଳ ବାୟୁ ଉପଭୋଗ କରିବାରେ ଲାଗିଗଲେ-। ଅରିନ୍ଦମ ଛୋଟରାୟଙ୍କ ଉପରେ ଦାୟିତ୍ଵ କିଛି ନଥିଲା । ହାତର ରାଇଫଲ୍‌ଟା ଧରି ବାହାରିପଡ଼ିଲେ ସେ ଘାସପଡ଼ିଆ ଆଡ଼େ, ଉଦ୍ଦେଶ୍ୟ, କାଳେ ହରିଣ କି ମିରିଗଟାଏ ଯୁଟିଯିବ । ତାହେଲେ ତମ୍ବୁରେ ଭୋଜିଟାଏ ହେବ । ବିପଦର ସମ୍ଭାବନା କିଛି ନଥିଲା । ତେଣୁ ଏକାକୀ ନିର୍ଭୟରେ ବାହାରିଗଲେ ।

 

ହଠାତ ନିଶ୍ଚିତଭାବରେ ଶିକାରଟାଏ ଯେ ମିଳିଯିବ, ଏପରି ଆଶା ଅବଶ୍ୟ ନଥିଲା । ସାରା ଦିନ ହାତୀ ପିଠିରେ ବସି ବସି ଗୋଡ଼ହାତ ଘୋଳିହୋଇ ପଡ଼ିଥିଲା । ଟିକିଏ ଚଲାବୁଲା କରି ତାକୁ ସଚଳ ସବଳ କରିବା ଥିଲା ତାଙ୍କର ପ୍ରଧାନ ଉଦ୍ଦେଶ୍ୟ । ଚତୁର୍ଦ୍ଦିଗରେ ଥିଲା ପ୍ରାକୃତିକ ଦୃଶ୍ୟ-। ତାକୁ ଦେଖୁ ଦେଖୁ ବେଶ୍ ଖଣ୍ଡେଦୂର ଆଗେଇ ଯାଇଥିଲେ ସେ । ବାଟ ଭୁଲିଯିବାର ଭୟ ନଥିଲା-। ଯେଉଁ ପର୍ବତର ପାଦଦେଶରେ ସେମାନଙ୍କର ରାତିର ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା ସେଇ ପର୍ବତଟା ଥିଲା ଖୁବ୍ ଉଚ୍ଚ । ସେଇଟାହିଁ ଥିଲା ତାଙ୍କର ଚିହ୍ନ । ତା’ପରେ ତମ୍ବୁଟା ବହୁ ଦୂର ପର୍ଯ୍ୟନ୍ତ ପରିଷ୍କାର ଦେଖାଯାଉଥିଲା ।

 

ପ୍ରାୟ ମାଇଲିଏ ଖଣ୍ଡେ ଗଲାପରେ ଅରିନ୍ଦମ ଛୋଟରାୟଙ୍କର ଦୃଷ୍ଟି ଆକର୍ଷଣ କଲା ଗୋଟାଏ ଖୁବ୍ ଦୀର୍ଘ ଘାସବହୁଳ ଅଞ୍ଚଳ । ଚାରିଆଡ଼େ ଛୋଟ ଛୋଟ ଘାସ ଥିବା ସତ୍ତ୍ୱେ ମଝିରେ ଗୋଟାଏ ସ୍ଥାନରେ ଏତେ ଘଞ୍ଚଭାବରେ ଉଚ୍ଚ ଉଚ୍ଚ ଘାସଗୁଡ଼ା ହେବାର କ’ଣ ହୋଇପାରେ ତାହା ସେ ସ୍ଥିର କରିପାରିଲେ ନାହିଁ । କାରଣଟା ଅନୁସନ୍ଧାନ କରିବାପାଇଁ ମନରେ ତାଙ୍କର ଅସମ୍ଭବ କୌତୁହଳ ଜାତ ହେଲା; ସେ ସେଆଡ଼କୁ ଚାଲିଗଲେ ।

 

ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି ସେ ଦେଖିଲେ, ସ୍ଥାନଟା ବିଶେଷ କିଛି ନୁହେଁ । ମଝିରେ ଗୋଟାଏ ଛୋଟ ପୋଖରୀ । ପୋଖରୀ ହୁଡ଼ାରେ ଘାସଗୁଡ଼ା ବଢ଼ିଛି ଏପରି ଭାବରେ । ପୋଖରୀଟାର ଆକାର ଖୁବ୍ ବଡ଼ ନୁହେଁ; ମାତ୍ର ଯଥେଷ୍ଟ ପାଣି ଅଛି ଏବଂ ଖୁବ୍ ନିର୍ମଳ ମଧ୍ୟ । ପ୍ରଚଣ୍ଡ ଗ୍ରୀଷ୍ମ ହେତୁରୁ ପୋଖରୀଟାର ଅଧାଅଧି ପାଣି ଶୁଖିଯାଇଛି । ହୁଡା କଡ଼ରୁ ଯେଉଁ ଅଂଶ ପାଣି ଶୁଖିଯାଇଛି ସେଇ ଅଂଶଟାରେ ବାଲିଗରଡ଼ା ପଥର, ପଥରଛେଦା ଖାଲି ଦିଶୁଛି । ତା’ର କେତେ ତଳେ ଯେ ମାଟି ଅଛି, ଅନୁମାନ କରିବା କଷ୍ଟ ।

 

ପଥରଗୁଡ଼ା କିପରି ବିଚିତ୍ର ବୋଧହେଲା ତାଙ୍କୁ । ତାଙ୍କର ମନେହେଲା ଯେପରି ଅନ୍ୟସ୍ଥାନର ପଥର ଅପେକ୍ଷା ଏଠି ଦେଖୁଥିବା ପଥର ଟିକିଏ ଭିନ୍ନ । ଜଣେ ପ୍ରବୀଣ ଭୂତତ୍ତ୍ଵବିଦ୍‌ଭାବରେ ତାଙ୍କର କୌତୁହଳ ଅଧିକରୁ ଅଧିକ ହେବାକୁ ଲାଗିଲା । ପଥରଗୁଡ଼ାକ କି ଜାତିର ତାହା ଜାଣିବାପାଇଁ ହୁଡ଼ା ଉପରୁ ଥାଇ ଖଣ୍ଡିଏ ଦୁଇଖଣ୍ଡି ଉଠାଇଆଣିଲେ ସେ । ସେଗୁଡ଼ିକ ପ୍ରକୃତରେ ଥିଲା ବିଚିତ୍ର ପ୍ରକାର ପଥର । ସାଧାରଣ ପଥରପରି ମଳିନ ଦିଶୁ ନଥିଲା ସେଗୁଡ଼ିକ । ସେଥିରେ କୌଣସି ପ୍ରକାର ଉଜ୍ଜ୍ଵଳ ଧାତୁ ମିଶି ରହିଥିବାରୁ ତାହା ଚକ୍‍ଚକ୍ କରି ଉଠୁଥିଲା ।

 

ଅରିନ୍ଦମ ଛୋଟରାୟଙ୍କ ମୁଖମଣ୍ଡଳ ମଧ୍ୟ ଉଜ୍ଜ୍ୱଳ ହୋଇ ଉଠିଲା ଆନନ୍ଦରେ । ଯେ କୌଣସି ଧାତୁ ହେଉ ପଛେ ତାହା ଏହି ପଥରରେ ପ୍ରଚୁର ପରିମାଣରେ ମିଶି ରହିଛି । ସେହି ଜାତିର ପଥର ହୁଏତ ଏହି ଅଞ୍ଚଳରେ ମାଇଲ ମାଇଲ ଧରି ଲୁଚିରହିଛି ମାଟି ତଳେ । ଉପଯୁକ୍ତ ବିନିଯୋଗ କରାଯାଇପାରିଲେ କୋଟି କୋଟି ଟଙ୍କା ଆଦାୟ କରାଯାଇପାରିବ ସେଠାରୁ । ବିଶାଳ ପାର୍ବତ୍ୟ ଉପତ୍ୟକାରେ ଏପ୍ରକାର ମୂଲ୍ୟବାନ୍ ଧାତବ ପଦାର୍ଥର ସୃଷ୍ଟି ଅସମ୍ଭବ ନୁହେଁ । ସେ ମନେ ମନେ ସେଠାରେ ବିରାଟ କଳକାରଖାନା, ରାସ୍ତା କୁଲି ଶ୍ରମିକଙ୍କ କୋଳାହଳର ସ୍ଵପ୍ନ ଦେଖିବାକୁ ଲାଗିଲେ । ସନ୍ଧ୍ୟା ଆସନ୍ନ । ମାତ୍ର ସମ୍ପୂର୍ଣ୍ଣ ଆତ୍ମବିସ୍ମୃତ ହୋଇପଡ଼ିଥିଲେ ସେ ଏହି ରଙ୍ଗିନ ସ୍ଵପ୍ନରେ-

 

ହଠାତ ଖୁବ୍ ନିକଟରେ ସାମାନ୍ୟ ଖସ୍‍ଖସ୍ ଶବ୍ଦ ଶୁଣି ସଚେତନ ହୋଇ ଉଠିଲେ ସେ । କୋଟ୍ ପକେଟରେ ପଥର କେଇ ଖଣ୍ଡିକୁ ରଖିଦେଇ ବନ୍ଧୁକଟାକୁ ସଜାଡ଼ିନେଇ ଘାସଗଛର ଗହଳି ଭିତରେ ନିଜକୁ ସତର୍କଭାବରେ ଲୁଚାଇରଖି ପରବର୍ତ୍ତୀ ଘଟନା କ’ଣ ଘଟିଛି ଜାଣିବାପାଇଁ ଅପେକ୍ଷା କରି ରହିଲେ । ସଚେତନ ଅବସ୍ଥାକୁ ଆସିଥିବା ସଙ୍ଗେ ସଙ୍ଗେ ସେ ଦେଖିପାରିଲେ ଯେ ସନ୍ଧ୍ୟା ହୋଇଯାଇଛି । ସେ ଭାବିଲେ–ଗ୍ରୀଷ୍ମ ଋତୁ । କୌଣସି ବଣଜନ୍ତୁ ବୋଧହୁଏ ପାଣି ପିଇବାପାଇଁ ଏଇ ପୋଖରୀ ନିକଟକୁ ଆସୁଛି, ଯାହାଫଳରେ କି ଏପରି ଶବ୍ଦ ଶୁଣିବାକୁ ପାଇଛନ୍ତି । ତାଙ୍କ ମନରେ ସାମାନ୍ୟ ଭୟ ମଧ୍ୟ ହେଲା । ବଣଜନ୍ତୁ ଯଦି ହିଂସ୍ର ଜନ୍ତୁ ହୋଇଥାଏ ତେବେ ବିପଦ । ସେ ପୁଣି ଯଦି ସଂଖ୍ୟାରେ ଅଧିକ ହୋଇଥାନ୍ତି ତେବେ କଥାରେ କହିହେବ ନାହିଁ । ଯାହା ହେଉ, ପରସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ନିଶ୍ଚୟ ।

 

କିଛି ସମସ୍ତ ଅପେକ୍ଷା କଲାପରେ ସେ ଜାଣିପାରିଲେ, ଶବ୍ଦଟା ଯେପରି ତାଙ୍କର ପଛପଟେ କ୍ରମଶଃ ଦୂରେଇଯାଉଛି । ସେ ସାହସ ସଞ୍ଚୟ କରି ଘଟନାଟା ଦେଖିବାପାଇଁ ପଛକୁ ମୁହଁ ବୁଲାଇ ଚାହିଁଲେ । ମାତ୍ର ଯାହା ଦେଖିଲେ, ସେଥିରେ ଭୟ ପରିବର୍ତ୍ତେ ମନର ଆନନ୍ଦ ଭରି ଉଠିଲା ତାଙ୍କରି । ଦୁଇଟା ଖୁବ୍ ବଡ଼ ହରିଣ ତାଙ୍କଠାରୁ ଖଣ୍ଡେଦୂରରେ ଘାସ ଚରିଚରି ଯାଉଛନ୍ତି । ଚରିବା ଛଡ଼ା ଅନ୍ୟ ଆଡ଼କୁ ଲକ୍ଷ୍ୟ ନାହିଁ ସେମାନଙ୍କର । ଅରିନ୍ଦମ ଛୋଟରାୟ ଗୋଟାଏ ଅପୂର୍ବ ସୁଯୋଗରେ ତମ୍ବୁରୁ ବାହାରିଛନ୍ତି ବୋଲି ତାଙ୍କର ମନେହେଲା ।

 

କିଛି ସମୟ ଅପେକ୍ଷା କଲାପରି ଧୈର୍ଯ୍ୟ ନଥିଲା ତାଙ୍କର । ସେ ସେଥିମଧ୍ୟରୁ ଗୋଟିକୁ ଲକ୍ଷ୍ୟକରି ବନ୍ଧୁକ ଉଠାଇଲେ । ରାଇଫଲ୍ ଗର୍ଜି ଉଠିଲା ସଙ୍ଗେ ସଙ୍ଗେ ଗୋଟାଏ ହରିଣ ଗଛ କାଟିଲା ପରି ତଳେ ପଡ଼ିଗଲା । ଅନ୍ୟଟି ଆଖି ପିଛୁଳାକେ କେଉଁଠି ସେ ଅଦୃଶ୍ୟ ହେଲା ତା’ର ପତ୍ତା ସୁଦ୍ଧା ଅନୁମାନ କରିପାରିଲେ ନାହିଁ ସେ ।

 

ସନ୍ଧ୍ୟା ହେବା ସଙ୍ଗେ ସଙ୍ଗେ ଅରିନ୍ଦମ ଛୋଟରାୟ ନ ଫେରିବା ଦେଖି ରାଜାସାହେବ ବ୍ୟସ୍ତ ହୋଇ କେତେଜଣ କୁଲିଙ୍କୁ ତାଙ୍କ ସନ୍ଧାନରେ ପଠାଇ ଦେଇଥିଲେ । ସୌଭାଗ୍ୟକୁ ସେମାନେ ମଧ୍ୟ ପାଖେଇ ଆସିଥିଲେ । ବନ୍ଧୁକ ଶବ୍ଦ ଶୁଣିବା ସଙ୍ଗେ ସଙ୍ଗେ ସେମାନେ ‘ହୋ’, ‘ହୋ’ ପାଟିକରି ସେଇଆଡ଼କୁ ଧାଇଁଲେ । ପ୍ରାୟ ପନ୍ଦର ମିନିଟ ମଧ୍ୟରେ ସେମାନେ ପହଞ୍ଚିଗଲେ ସେଠାରେ । ଶିକାର ପଡ଼ିଛି ଦେଖି ସମସ୍ତଙ୍କର ଆନନ୍ଦର ସୀମା ନାହିଁ । ହରିଣଟାକୁ ଧରି ବିଜୟ ଉଲ୍ଲାସରେ ଛୋଟରାୟ ତମ୍ବୁ ଅଭିମୁଖରେ ପ୍ରତ୍ୟାବର୍ତ୍ତନ କଲେ ।

 

ଛଅ

 

ସେ ଦିନର ସନ୍ଧ୍ୟାଟାହିଁ ଥିଲା ମଧୁର । ତୃଣାଚ୍ଛାଦିତ ମୁକ୍ତ ପ୍ରାନ୍ତର ଦେଇ ଯେଉଁ ଶୀତଳ ପବନ ବହି ଆସୁଥିଲା ତାହା ଶିକାରୀଦଳର ପ୍ରତ୍ୟେକଙ୍କର କ୍ଳାନ୍ତି ଦୂର କରୁଥିଲା । କୁଲି ଆଉ ଶ୍ରମିକମାନେ ହରିଣଟାକୁ କଟାକଟି କରିବାରେ ବ୍ୟସ୍ତ ଥିଲେ । କେତେଜଣ ଲାଗିଥିଲେ ରୋଷେଇ କରିବାରେ । କେତେଜଣ ତମ୍ବୁ ଚାରିପାଖରେ ଶୁଖିଲା କାଠ ଜମା କରି ନିଆଁ ଜଳାଉଥିଲେ ହିଂସ୍ରଜନ୍ତୁଙ୍କ ଉପଦ୍ରବରୁ ରକ୍ଷା ପାଇବାପାଇଁ । ଆନନ୍ଦ କୋଳାହଳରେ ମୁଖରିତ ହୋଇ ଉଠିଥିଲା ସ୍ଥାନଟା । ସେଇ ଗଣ୍ଡଗୋଳଭିତରେ ମିଷ୍ଟର ସିଂ କିନ୍ତୁ ଦେଖାଯାଉ ନଥିଲେ । ହୁଏତ ଅନ୍ୟ କେଉଁ ପଟରେ କାର୍ଯ୍ୟରତ ଥିଲେ କି କ’ଣ ?

 

ଛୋଟିଆ ତମ୍ବୁଟିଏ । ତା’ ଭିତରେ ଛୋଟିଆ ଟେବୁଲଟିକୁ କେନ୍ଦ୍ର କରି ଦୁଇଖଣ୍ଡି ଚେୟାରରେ ବସିଥିଲେ ରାଜା ପ୍ରବୀରଚନ୍ଦ୍ର ଆଉ ଅରିନ୍ଦମ ଛୋଟରାୟ । ଉଭୟଙ୍କ ମୁଖମଣ୍ଡଳ ପ୍ରଫୁଲ୍ଲ । ଟେବୁଲ ଉପରେ ଥୁଆଯାଇଥିଲା ପଥର କେତେଖଣ୍ଡି ଯାହାକୁ ଅରିନ୍ଦମ ଛୋଟରାୟ ଗୋଟାଇ ଆଣିଥିଲେ ।

 

“ଯାହା ହେଉ; ଶିକାର ହେଉ ନ ହେଉ, ଆମେ ଯେଉଁ ସମ୍ପତ୍ତି ଆଜି ଲାଭ କରିଥାଇଁ ତାହା ସାତଟା ରାଜ୍ୟ ସହିତ ସମାନ । ପ୍ରକୃତରେ ଖଣିଟା କାର୍ଯ୍ୟକାରୀ ହେଲେ ସରକାରଙ୍କ ଲାଭ, ଆମରବି ଲାଭ । ତା’ଛଡ଼ା ଦେଶର ବହୁ ମୂଲିଆ, ଶିକ୍ଷିତ ବେକାର କାମ ପାଇଯିବେ । ଏ ଅଞ୍ଚଳଟା ମଧ୍ୟ ଗୋଟିଏ ସମୃଦ୍ଧିଶାଳୀ ଅଞ୍ଚଳ ହୋଇଉଠିବ ।” ରାଜା ପ୍ରବୀରଚନ୍ଦ୍ର ଏ କଥା କହିବା ସଙ୍ଗେ ସଙ୍ଗେ ଆନନ୍ଦରେ ଉଲ୍ଲସିତ ହୋଇ ଉଠୁଥିଲେ ଯେପରି ।

 

ଅରିନ୍ଦମ ଛୋଟରାୟ ଟେବୁଲ ଉପରୁ ଖଣ୍ଡିଏ ପଥର ଉଠାଇନେଇ ହାତରେ ଧରି କହିଲେ–“ଏଇ ଖଣ୍ଡିଏ ପଥରରୁ ଏଥିରେ ଥିବା ରୁପାର ପରିମାଣ ଯାହା ଜଣାପଡ଼ୁଚି, ଯଦି ଖଣିଯାକ ସେହି ପରିମାଣରେ ଥାଏ, ତେବେ ପୃଥିବୀର ସର୍ବଶ୍ରେଷ୍ଠ ରୁପାଖଣି ହେବ ଏଇଟା । ଏହି ବିଶାଳ ଅଞ୍ଚଳଟା ଗଭର୍ଣ୍ଣମେଣ୍ଟଠାରୁ ପଟା ନେଲେ ଆମେତ ସବୁ କରିପାରିବା । ଆର୍ଥିକ ଦିଗରୁ ଆମେ ମଧ୍ୟ ଅକ୍ଷମ ନୋହୁଁ ।”

 

“ତା’ ଠିକ୍ ! ଶିକାର ବରଂ ଏତିକିରେ ଥାଉ । ମିଷ୍ଟର ସିଂ ଆସନ୍ତୁ ତାଙ୍କୁ କାଲିରେ ଫେରିବାକୁ ମୁଁ କହୁଛି । ବର୍ତ୍ତମାନ ଏସବୁ ବିଷୟ ଗୋପନ ରଖ ତାଙ୍କଠାରୁ ।” ଶେଷ କେଇପଦ କଥା କହିଲାବେଳକୁ ସ୍ଵର ସାମାନ୍ୟ ଧୀର ହୋଇ ଆସିଥିଲା ରାଜା ପ୍ରବୀରଚନ୍ଦ୍ରଙ୍କର ।

 

ଅରିନ୍ଦମ ଛୋଟରାୟ ଆଉ କ’ଣ କହିବାକୁ ଯାଉଥିଲେ; କିନ୍ତୁ ତାଙ୍କ ପଛପଟ ତମ୍ବୁ ପଦାର ଆରପାଖରେ ସେ ସାମାନ୍ୟ ଖସ୍‍ଖସ୍ ଶବ୍ଦ ଶୁଣିପାରିଲେ । ଶବ୍ଦଟା ସେପରି ଗୁରୁତ୍ଵପୂର୍ଣ୍ଣ ନ ହେଲେ ସୁଦ୍ଧା ସ୍ଥାନ-କାଳଦୃଷ୍ଟିରୁ ହିଂସ୍ରଜନ୍ତୁର ଭୟ ଥିଲା ସବୁ ସମୟରେ । ସେଥିପାଇଁ ସେ ଉଠିଆସିଲେ ବାହାରକୁ ବନ୍ଧୁକ ଆଉ ଟର୍ଚ୍ଚଟା ଧରି । ତାଙ୍କର ବନ୍ଧୁକ ଏବଂ ଟର୍ଚ୍ଚ ସହିତ ହଠାତ ଉଠିବା ଦେଖି ରାଜାସାହେବ ମଧ୍ୟ ତାଙ୍କର ବନ୍ଧୁକଖଣ୍ଡିକ ଧରି ଉଠିଆସିଲେ ତାଙ୍କ ପଛେ ପଛେ ।

 

ଯେଉଁ ପଟରେ କିଛି ଶବ୍ଦ ଅରିନ୍ଦମ ଛୋଟରାୟ ଶୁଣିବାକୁ ପାଇଥିଲେ, ସେ ପଟରେ ପର୍ବତର କନ୍ଥିଟା । ଦୁଇତିନିଟା ଗାଦି ନିଆଁ ବେଶ୍ ତେଜୀୟାନ୍ ହୋଇ ଜଳୁଛି ସେ ପର୍ଯ୍ୟନ୍ତ । ନାଲି ନିଆଁର ଧାସ ନାଲି ଆଲୁଅ ବିଞ୍ଚିଦେଇଛି ଚାରିଆଡ଼େ । ସେଇ ମ୍ଳାନ ଆଲୋକରେ କିଛି ଦେଖିବାକୁ ଚେଷ୍ଟା କରୁଥିଲେ ଅରିନ୍ଦମ ଛୋଟରାୟ; କିନ୍ତୁ କିଛି ହେଲେ ଦିଶୁନି । ନିଆଁର ଶିଖା ନାଚିଉଠିବା ସଙ୍ଗେ ସଙ୍ଗେ ଶାଳ ପିଆଶାଳ ଗଛର ମୋଟା ମୋଟା ଧଳା ଗଣ୍ଡିଗୁଡ଼ା ମନୁଷ୍ୟ ଆକୃତି ନାଚି ଉଠିବାର ଭ୍ରାନ୍ତ ଧାରଣା ସୃଷ୍ଟି କରୁଥିଲା ।

 

ହାତର ଶକ୍ତିଶାଳୀ ଟର୍ଚ୍ଚ ଲାଇଟ୍‌ଟାକୁ ଜଳାଇ ସେଇ ଆଡ଼କୁ ପକାଇଦେଲେ । ଉଜ୍ଜ୍ଵଳ ଆଲୋକ ଉଦ୍ଭାସିତ ହୋଇଉଠିଲା । ତା’ ସଙ୍ଗେ ସଙ୍ଗେ ରାଜା ପ୍ରବୀରଚନ୍ଦ୍ର ଆଉ ଅରିନ୍ଦମ ଛୋଟରାୟଙ୍କ ଦୃଷ୍ଟି ଖେଳିବୁଲିଲା ସେଇ ଆଲୋକ ଉପରେ ।

 

ସେଇ ଉଜ୍ଜ୍ଵଳ ଆଲୋକର ଦୀପ୍ତିରେ ଆଲୋକିତ ଜଙ୍ଗଲର ଯେତିକି ଦିଶୁଥିଲା ସେତିକିରେ ସେ ଦେଖିପାରିଲେ ଯେ ଖଣ୍ଡେ ଦୂରରେ ସାଧାରଣ ମନୁଷ୍ୟଠାରୁ ଉଚ୍ଚ ଏବଂ ହୃଷ୍ଟପୁଷ୍ଟ ଲୋକଟାଏ ଜଙ୍ଗଲର ଅଭ୍ୟନ୍ତରକୁ ଚାଲିଯାଉଛି । ସ୍ଥାନଟା ବେଶି ଦୂର ନଥିଲା । ମନୁଷ୍ୟ ବୋଲି ନିଶ୍ଚିତଭାବରେ ଦେଖି ନଥିଲେ ଅରିନ୍ଦମ ଛୋଟରାୟ ନିଶ୍ଚୟ ଗୁଳି କରିଦେଇଥାନ୍ତେ । ମାତ୍ର ବନ୍ଧୁକ ପ୍ରସ୍ତୁତ ଥିଲେବି ମନୁଷ୍ୟ ଦେଖି ମାରିବାକୁ ହାତ ଚଳିଲା ନାହିଁ ।

 

ମାତ୍ର କେଇ ସେକେଣ୍ଡପାଇଁ ଦେଖାଦେଇ ସେଇ ଲୋକଟା ଜଙ୍ଗଲର ଅଭ୍ୟନ୍ତରରେ ଅଦୃଶ୍ୟ ହୋଇଗଲା । ସେ ଅଦୃଶ୍ୟ ହୋଇଗଲା ପରେ ଅରିନ୍ଦମ ଛୋଟରାୟ ଭାବୁଥିଲେ—ଧାଇଁଯାଇ ଅଟକାଇଦେଇଥିଲେ ଭଲ ହୋଇଥାନ୍ତା ବୋଧହୁଏ ।

 

ରାଜାସାହେବ ମଧ୍ୟ ଅରିନ୍ଦମ ଛୋଟରାୟଙ୍କ ପଛରେ ଠିଆ ଦେଇ ଠିକ୍ ସେହି ଦୃଶ୍ୟ ଦେଖିଥିଲେ । ସେ ମନରେ କ’ଣ ଭାବୁଥିଲେ କେଜାଣି ଗୋଟାଏ ଦୀର୍ଘ ନିଃଶ୍ଵାସ ପକାଇବା ସଙ୍ଗେ ସଙ୍ଗେ କହିପକାଇଲେ—“ଅଦ୍ଭୁତ !”

 

“ନିଶ୍ଚୟ ତାରଜନ୍ ହେବ ସେଇଟା !” ଅରିନ୍ଦମ ଛୋଟରାୟଙ୍କ କଥାରେ ଦୃଢ଼ତା ପ୍ରକାଶ ପାଉଥିଲା ।

 

“ହୋଇପାରେ । ସାରା ଜଙ୍ଗଲଟା ଯେମିତି ତା’ର ରାଜୁତି, ମୁଁ ଦେଖୁଛି । ଲୋକଟାର ଉଦ୍ଦେଶ୍ୟ ବା କ’ଣ କିଛି ଜାଣି ହେଉନି । ପୂର୍ବରୁ ତ ଏପରି କିଛି ମୁଁ ଶୁଣି ନଥିଲି । ଏଥର ଏ ନୂଆ କଥା ।”

 

–“ମିଷ୍ଟର ସିଂଙ୍କୁ ଡକାଇ କହିବ ? ପ୍ରବୀରଚନ୍ଦ୍ର ନୀରବ ରହି ନଜର ସମ୍ମତି ଜଣାଇଲେ-

 

ଅରିନ୍ଦମ ଛୋଟରାୟ ଜଣେ କୁଲିଦ୍ଵାରା ଡକାଇପଠାଇଲେ ମିଷ୍ଟର ସିଂଙ୍କୁ ସେଠାକୁ । ବାହାରେ କୁଲିମାନେ ଆଗ ପରି କୋଳାହଳରେ ମାତିଯାଇଥିଲେ । ରାତି ଅଧିକ ହେବା ସଙ୍ଗେ ସଙ୍ଗେ ନିଆଁବି ଜଳାଇ ରଖୁଥିଲେ ଅଧିକରୁ ଅଧିକ ତେଜରେ । ବନଭୂମି ଆଲୋକିତ ହୋଇଉଠୁଥିଲା ବହୁ ଦୂର ପର୍ଯ୍ୟନ୍ତ ।

 

ଅଳ୍ପ ସମୟ ମଧ୍ୟରେ କୁଲିଟି ଫେରିଆସି ମିଷ୍ଟର ସିଂ ଅନୁପସ୍ଥିତ ଥିବା କଥା ଜଣାଇଦେଇଗଲା । ପ୍ରାୟ ଅଧଘଣ୍ଟାକ ପରେ ମିଷ୍ଟର ସିଂ ଫେରିଆସି ସାକ୍ଷାତ କଲେ ପ୍ରବୀରଚନ୍ଦ୍ରଙ୍କୁ । ମିଷ୍ଟର ସିଂଙ୍କ ହାବଭାବରୁ ଜଣାପଡ଼ୁଥିଲା, ଯେପରି ସେଗୁଡ଼ାଏ ବାଟ ଧାଇଁ ଧାଇଁ ଆସିଛନ୍ତି । ଅରିନ୍ଦମ ଛୋଟରାୟ ତୀକ୍ଷ୍ଣ ଦୃଷ୍ଟିରେ ସେତକ ଲକ୍ଷ୍ୟ କରିନେଇଥିଲେ ।

 

ରାଜାସାହେବଙ୍କ ଅନୁରୋଧରେ ଆସନ ଗ୍ରହଣ କଲେ ମିଷ୍ଟର ସିଂ । କେତେ ସମୟ ନୀରବତାରେ କଟିଗଲା ପରେ ପ୍ରଥମେ ନୀରବତା ଭଙ୍ଗ କରି ରାଜା ପ୍ରବୀରଚନ୍ଦ୍ର କହିଲେ–“ଆସନ୍ତା କାଲି ଡେରାକୁ ଫେରିଯିବାକୁ ହେବ । ସେଠାରୁ ଦିନେ ଦୁଇଦିନ ମଧ୍ୟରେ ଆମେ ଉଦିତପୁର ଫେରିଯିବୁ । ପୁଣି ଚେଷ୍ଟା କରିବା–ସମୟ ଓ ସୁବିଧା ଯଦି ହୁଏ, ତେବେ ଶୀତଋତୁ ଆରମ୍ଭରେ ଆସିବାକୁ ।”

 

ରାଜା ପ୍ରବୀରନ୍ଦ୍ରଙ୍କର ନିଷ୍ପତ୍ତି ଯେପରି ଅଟଳ, ସେହିପରି ମନେହେଲା ତାଙ୍କୁ । ସେ ବିସ୍ମିତ ହୋଇ ବିରାଟ ପ୍ରଶ୍ନବାଚକ ଦୃଷ୍ଟିରେ ଚାହିଁ ରହିଲେ ରାଜାସାହେବଙ୍କ ଆଡ଼େ ।

 

** କୌଣସି ବାବଦରେ କୁଲି ମଜୁରିଦାରଙ୍କର ଯଦି ଟଙ୍କାପଇସା କିଛି ପାଇବାକୁ ଥାଏ, ତେବେ କାଲି ବିଲ୍ କରି ନେଇନିଅନ୍ତୁ । ତା’ଛଡ଼ା ଆପଣଙ୍କ ସହିତ ଶିକାର ଶେଷ ହେବା ସମୟ ସୁଦ୍ଧା ଯାହା ଚୁକ୍ତି ହୋଇଥିଲା ମୁଁ ଦେବାକୁ ପ୍ରସ୍ତୁତ ଅଛି । ଆମେ ଶିକାର ନ କଲୁ, ସେଥିପାଇଁ ଆପଣତ ଆଉ ଦାୟୀ ନୁହନ୍ତି ।”

 

ରାଜା ପ୍ରବୀରଚନ୍ଦ୍ର ଶିକାର କରିପାରନ୍ତି ବା ନ କରିପାରନ୍ତି, ସେଥିପାଇଁ କିଛି ଭାବିବାର ନଥିଲା । ତାଙ୍କର ବିସ୍ମୟର କାରଣ ଥିଲା ଯେ, ଏଇ କେତେ ଘଣ୍ଟା ତଳର ଉତ୍ସାହ ଗଲା କୁଆଡ଼େ-? କି ରହସ୍ୟ ବା ଲୁଚି ରହିଲା ଏହା ଭିତରେ ? ସନ୍ଦେହ-କୁହୁଡ଼ିର ଧୂଆଁଳିଆ ପରଦା ଆଚ୍ଛନ୍ନ କରିପକାଇଲା ମନକୁ ତାଙ୍କର । ଯେ କୌଣସି ପ୍ରକାରେ ହେଉ ପଛେ କାରଣ ଉଦ୍‍ଘାଟନ କରିବାପାଇଁ ବଦ୍ଧପରିକର ହେଲେ ସେ । ମନୋଭାବ ଗୋପନ ରଖି ମିଷ୍ଟର ସିଂ କହିଲେ, "ଠିକ୍ ତାହାହିଁ ହେବ । ଆପଣଙ୍କ ଆଦେଶ ଅନୁସାରେ ସବୁ ହେବ । କାଲି ଫେରିବାପାଇଁ ସମସ୍ତଙ୍କୁ କହିଦେଉଛି ।”

 

କିଛି ସମୟ ସମସ୍ତେ ନୀରବ ରହିଲା ପରେ ମିଷ୍ଟର ସିଂ ଅନୁମାନ କଲେ, ଯେପରି ତାଙ୍କର ସେଠାରେ ରହିବା ଆବଶ୍ୟକ ମନେକରୁନାହାଁନ୍ତି ରାଜାସାହେବ । ସେ ତ ତାଙ୍କଠାରୁ ବିଦାୟ ନେଇ ଚାଲିଆସିଲେ ସେଠାରୁ; କିନ୍ତୁ ମନରେ ତାଙ୍କର ଝଞ୍ଜାର ସୃଷ୍ଟି ହୋଇଥିଲା । ବାହାରେ ଗୋଟାଏ ଅନ୍ଧକାରପୂର୍ଣ୍ଣ ସ୍ଥାନରେ ନିଶ୍ଚଳଭାବରେ ଠିଆ ହୋଇ କିଛି ସମୟ କ’ଣ ଚିନ୍ତା କଲେ ସେ । ତା’ପରେ ବାଁ ହାତ ପାପୁଲିରେ ଡାହାଣ ହାତର ମୁଷ୍ଟି ପହାର କରି କିଛି ଗୋଟାଏ ପ୍ରତିହିଂସା ମୂଳକ ସିଦ୍ଧାନ୍ତ ଗ୍ରହଣ କଲେ ସେ ବୋଧହୁଏ । ତା’ପରେ ଖୁବ୍ ଦ୍ରୁତ ଗତିରେ ଆଗେଇଗଲେ ଆଲୋକିତ ଅଂଶକୁ ଯେଉଁଠାରେ କୁଲି ଏବଂ ଅନ୍ୟ ଶିକାରୀମାନେ ମେଳା ଲଗାଇଥିଲେ ।

 

ଖାଇସାରି ଶୋଉ ଶୋଉ ଯଥେଷ୍ଟ ବିଳମ୍ବ ହୋଇଥିଲା । ତଥାପି ସେତେବେଳ ପର୍ଯ୍ୟନ୍ତ ରାଜା ପ୍ରବୀରଚନ୍ଦ୍ର ଆଉ ଅରିନ୍ଦମ ଛୋଟରାୟ ବସି ଖୁବ୍ ନିମ୍ନ ସ୍ଵରରେ କ’ଣ କଥାବାର୍ତ୍ତା ହେଉଥିଲେ । ତାହା ଏତେ ନିମ୍ନ ସ୍ଵରର ଥିଲା ଯେ, ତମ୍ବୁ ବାହାରକୁ ସୁଦ୍ଧା ଶୁଣା ଯାଉ ନଥିଲା ।

 

ଶୋଇବାକୁ ଯିବା ପୂର୍ବରୁ ଅରିନ୍ଦମ ଛୋଟରାୟ କ’ଣ ମନେ କଲେ କେଜାଣି, ତମ୍ବୁ ଚାରିପଟେ ଥରେ ବୁଲିଆସିବାକୁ ଉଚିତ ମନେକଲେ । ସେତେବେଳକୁ କେତେଜଣ କୁଲି ଖାଇବସିଥାନ୍ତି । କେତେକ ଖାଇସାରି ଶୋଇବାର ଯୋଗାଡ଼ କରୁଥାନ୍ତି । ତମ୍ବୁର ଚାରିପଟେ ବିସ୍ତୃତ ଆଞ୍ଚଳ ଘେରି ପାଖାପାଖି ହୋଇ ହୁ ହୁ ନିଆଁ ଜଳୁଥାଏ । ଛୋଟରାୟ ବନ୍ଧୁକଟା ହାତରେ ଧରି ନିଜ ତମ୍ୱୁରୁ ବାହାରି ପଡ଼ିଲେ । ସାମନା ପଟରୁ ବୁଲିସାରି ତମ୍ବୁର ପଛଆଡ଼କୁ ଚାଲିଆସିଲେ ସେ । ସେ ଦିଗଟା ପର୍ବତର କାନ୍ଥି । କୁଲିମାନେ ସେ ପାଖରେ ନଥିଲେ ସୁଦ୍ଧା ନିଆଁ ଜଳାଇ ରଖାଯାଇଥିଲା । ଛୋଟରାୟ ସେଠାରେ ଥାଇ କାନ୍ଥି ଆଡ଼କୁ ଦୃଷ୍ଟି ପକାଇଲେ । ହଠାତ ଯେଉଁ ଦୃଶ୍ୟ ସେ ଦେଖିପକାଇଲେ ସେଥିରେ ତାଙ୍କର ଚକ୍ଷୁ ସ୍ଥିର ହୋଇଗଲା । ସେ ନିର୍ବାକ ନିଶ୍ଚଳ ହୋଇ ଛିଡ଼ା ହୋଇଗଲେ । ସେଇ ଛାୟାନ୍ଧକାର ମଧ୍ୟରେ ସେ ଦେଖିବାକୁ ପାଇଲେ, ଜଣେ ସାହେବ-ପୋଷାକଧାରୀ ବ୍ୟକ୍ତି ଗୋଟାଏ ଦୀର୍ଘକାୟ ଧଳା ଘୋଡ଼ା ଉପରେ ବସି ପର୍ବତକାନ୍ଥି ଉପରେ ସ୍ଥିର ଭାବରେ ରହିଛି । ଦୃଷ୍ଟି ତା’ର ଅଛି ତମ୍ବୁଆଡ଼େ । ନିଜର ଦୃଷ୍ଟିର ଭ୍ରମ ହୋଇପାରେ ଭାବି କିଛି ସମୟ ଅପେକ୍ଷା କଲେ ସେ; କିନ୍ତୁ ତାଙ୍କର ଭ୍ରମ ଦୂର ହୋଇଯାଇଥିଲା ଧୀରେ ଧୀରେ । ସେ ଦେଖିପାରୁଥିଲେ, ଘୋଡ଼ା ଲାଞ୍ଜ ହଲାଉ ଥିଲା ଏବଂ ତା’ ଉପରେ ବସିଥିବା ସାହେବ–ପୋଷାକଧାରୀ ବ୍ୟକ୍ତି ଜଣକ ତା’ର ଲଗାମ ଭିଡ଼ି ତାକୁ ସ୍ଥିର କରାଉଥିଲେ । ଏ ଦୃଶ୍ୟ ଦେଖିବା ସଙ୍ଗେ ସଙ୍ଗେ ସେ ଭୟ ଓ ବିସ୍ମୟରେ ଜଡ଼ ପାଲଟି ଯାଇଥିଲେ । ଏଇ ଅଳ୍ପ କେତେ ଘଣ୍ଟା ତଳେ ସେ ଦେଖିଥିଲେ ଗୋଟାଏ ପ୍ରକାର ଦୃଶ୍ୟ । ଆଉ ବର୍ତ୍ତମାନ ଦେଖୁଛନ୍ତି ଆଉ ଗୋଟାଏ ପ୍ରକାରର ଦୃଶ୍ୟ । ଉଭୟ ଦୃଶ୍ୟହିଁ ଏକୁ ଏକ ବଳି ବିସ୍ମୟକର ଏବଂ ଭିତ୍ତିପ୍ରଦ ।

 

ଇଚ୍ଛା କରିଥିଲେ ଅନାୟାସରେ ସେ ଗୁଳି କରିଦେଇପାରିଥାନ୍ତେ । କିନ୍ତୁ ସେତକ କରିବାକୁ ହାତ ଚଳିଲା ନାହିଁ ତାଙ୍କର । ଜାଣୁ ଜାଣୁ ଜଣେ ମନୁଷ୍ୟ, ବିଶେଷତଃ ସଭ୍ୟ-ପୋଷାକଧାରୀ ମନୁଷ୍ୟକୁ ଗୁଳି କରିଦେବାକୁ କେଉଁ ସଭ୍ୟ ମନୁଷ୍ୟର ହାତ ଯିବ ? ହୁଏତ ସେ ଶତ୍ରୁ ନ ହୋଇପାରନ୍ତି !

 

ଏହିପରି ନାନା ଚିନ୍ତା କରିବା ସଙ୍ଗେ ସଙ୍ଗେ ଅଶ୍ଵାରୋହୀ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥାନ୍ତି ସେ । ଉଭୟଙ୍କ ମଧ୍ୟରେ ବ୍ୟବଧାନ ମଧ୍ୟ ଖୁବ୍ ବେଶି ନଥିଲା । ଅଶ୍ଵାରୋହୀର ଦୃଷ୍ଟି ତମ୍ବୁର ପ୍ରତ୍ୟେକ ଅଂଶରେ ଘୂରି ବୁଲୁଥିଲା । ସେ ହଠାତ ଅରିନ୍ଦମ ଛୋଟରାୟଙ୍କୁ ଦେଖି ପାରିଲା କି କ’ଣ, ଘୋଡ଼ାକୁ ଇଙ୍ଗିତ କଲାମାତ୍ରେ ଘୋଡ଼ାଟା କୁଦିପଡ଼ିଲା ଆଗକୁ । ଚାହୁଁ ଚାହୁଁ ଆଖିର ପଲକମଧ୍ୟରେ ସେ ଅଦୃଶ୍ୟ ହୋଇଗଲା ଜଙ୍ଗଲ ଭିତରେ । ଶୁଖିଲା ପତ୍ର ଉପରେ ଘୋଡ଼ାଟାପୁର ଖସ୍‍ଖସ୍ ଶବ୍ଦ କିଛି ସମୟ ପର୍ଯ୍ୟନ୍ତ ଶୁଣାଯାଇ ନିସ୍ତବ୍ଧ ହୋଇଗଲା ।

 

ସବୁ ଶୂନ୍‌ଶାନ୍ ହୋଇଗଲା ପରେ ସଚେତନ ଅବସ୍ଥାକୁ ଆସିଗଲେ ଛୋଟରାୟ । ସବୁ ଘଟନା ତାଙ୍କ ଆଖି ଆଗରେ ନାଚି ଉଠିଲା ଯେମିତି । ବିସ୍ମୟ ଅପେକ୍ଷା ଭୟହିଁ ତାଙ୍କୁ ବେଶି ବିବ୍ରତ କରିଥିଲା । ଊର୍ଦ୍ଧ୍ଵ ଶ୍ଵାସରେ ଛୁଟି ଆସିଲେ ରାଜାସାହେବଙ୍କ ତମ୍ବୁକୁ ।

 

ସେ ପର୍ଯ୍ୟନ୍ତ ରାଜା ପ୍ରବୀରଚନ୍ଦ୍ର ଶୋଇ ନଥିଲେ; କିନ୍ତୁ ଶୋଇବାକୁ ପ୍ରସ୍ତୁତ ହେଉଥିଲେ-। ତlଙ୍କ ତମ୍ବୁ ଭିତରକୁ ଝଡ଼ ପରି ପଶିଆସିଲେ ଅରିନ୍ଦମ ଛୋଟରାୟ । ହଠାତ ଏମିତି ଅଚାନକ ଭାବରେ ଛୋଟରାୟଙ୍କ ଉପସ୍ଥିତି ଆଶା କରୁ ନଥିଲେ ପ୍ରବୀରଚନ୍ଦ୍ର । ଏକ ବିରାଟ ପ୍ରଶ୍ନବାଚକ ଦୃଷ୍ଟିରେ ବିସ୍ମିତ ହୋଇ ଏପରି ବ୍ୟସ୍ତତାର ସହିତ ଆସିବାର କାରଣ ଜାଣିବାକୁ ଚାହୁଁଥିଲେ ସେ ।

 

ଅରିନ୍ଦମ ଛୋଟରାୟ ଏକା ନିଃଶ୍ଵାସକେ ସବୁ କଥା କହିଗଲେ ତାଙ୍କ ଆଗରେ ।

 

ରାଜା ପ୍ରବୀରଚନ୍ଦ୍ର ମଧ୍ୟ ବିସ୍ମିତ ଏବଂ ଭୀତ ହୋଇପଡ଼ିଲେ । ଏସବୁ କାହାର କାମ, କ’ଣ ତା’ର ଉଦ୍ଦେଶ୍ୟ, କିଛି ବୁଝିପାରିଲେ ନାହିଁ ସେ । ନିବିଡ଼ ଜଙ୍ଗଲ ଭିତରେ କୌଣସି ଗୋଟିଏ ବଡ଼ ଶକ୍ତି ବିରୁଦ୍ଧରେ ଠିଆ ହେବାପାଇଁ ଯେତିକି ଶକ୍ତି ଏବଂ ସୁଶିକ୍ଷିତ ସହକର୍ମୀ ଥିବା ଦରକାର, ସେତିକିର ଅଭାବ ତାଙ୍କ ପକ୍ଷରେ ଥିଲା ବୋଲି ସେ ବୋଧ କରୁଥିଲେ । ତେଣୁ ବିପଦ ପଡ଼ିଲେ ସେ ଅସହାୟ ହୋଇପଡ଼ିବାର ଆଶଙ୍କା କରୁଥିଲେ ସବୁବେଳେ । ବର୍ତ୍ତମାନ ସବୁକଥା ଶୁଣି ସେ ନିଜକୁ ବଡ଼ ଅସହାୟ ଏବଂ ବିପଦଗ୍ରସ୍ତ ମନେକଲେ । ଆଉ ମୁହୂର୍ତ୍ତେ ସୁଦ୍ଧା ଏଠାରେ ରହିବା ନିରାପଦ ନୁହେଁ ବୋଲି ତାଙ୍କର କାନେ କାନେ କିଏ ଯେପରି କହିଦେଇଗଲା ।

 

ଅରିନ୍ଦମ ଛୋଟରାଙ୍କୁ ଛାଡ଼ିଦେଲେ ଶିକାରୀଦଳଭିତରେ ପ୍ରବୀରଚନ୍ଦ୍ର କେବଳ ଜଣକୁ ବିଶ୍ୱାସ କରିପାରୁଥିଲେ । ସେ ହେଉଛି—କହ୍ନେଇଁଆ ରାଓ । ମିଷ୍ଟର ସିଂ ରାଜାସାହେବଙ୍କର ପ୍ରଥମେ ପ୍ରଥମେ ଖୁବ୍ ବିଶ୍ୱାସଭାଜନ ହୋଇଥିଲେ । କିନ୍ତୁ ପର ଘଟନାରୁ ମିଷ୍ଟର ସିଂଙ୍କ କଥାବାର୍ତ୍ତା, ଚାଲିଚଳନ, ପ୍ରତ୍ୟେକ ସନ୍ଦେହଜନକ ଏବଂ ରହସ୍ୟମୟ ବୋଧ ହେଲା ତାଙ୍କୁ; ତେଣୁ ତାଙ୍କ ଉପରେ ବିଶ୍ଵାସ ସ୍ଥାପନ କରିବାକୁ ତାଙ୍କର ସାହସ ହେଲା ନାହିଁ । ଜଣେ ଭୃତ୍ୟ ହାତରେ ସେ କହ୍ନେଇଁଆ ରାଓଙ୍କୁ ଡକାଇ ପଠାଇଲେ ।

 

ଆଦେଶମାତ୍ରେ କହ୍ନେଇଁଆ ଉପସ୍ଥିତ ହେଲେ ଆସି ରାଜାସାହେବଙ୍କ ତମ୍ବୁରେ । ରାଜାସାହେବ ଏବଂ ଛୋଟରାୟଙ୍କୁ ଗମ୍ଭୀର ଓ ନୀରବ ହୋଇ ବସିଥିବାର ଦେଖି ସେ ଶଙ୍କିତ ହୋଇ ଉଠିଲେ । ଉଭୟଙ୍କୁ ରାଜୋଚିତ ଅଭିବାଦନ ଜଣାଇ ସେ ଆଦେଶ ଅପେକ୍ଷାରେ ଠିଆ ହୋଇ ରହିଲେ ସେଇଠି ।

 

ରାଜା ପ୍ରବୀରଚନ୍ଦ୍ର ଦୀର୍ଘ ନିଃଶ୍ୱାସ ଛାଡ଼ି ଗମ୍ଭୀରଭାବରେ ଖୁବ୍ ଧୀରେ ଧୀରେ କହିଲେ–“ମୁଁ ତୁମକୁ ଅସମୟରେ ଡକାଇ ବ୍ୟସ୍ତ କଲି, କହ୍ନେଇଁଆ ! କେତେକ ବିଶେଷ କାରଣ ଯୋଗୁଁ ଆମେ କାଲି ଖୁବ୍ ସକାଳୁ ଏଠାରୁ ଫେରିଯିବା ଡେରାକୁ ଏବଂ ସେଠାରୁ ଖୁବ୍ ଶୀଘ୍ର ଉଦିତପୁର ମଧ୍ୟ । ତୁମେ କୁଲିମାନଙ୍କ ଦ୍ଵାରା ରାତାରାତି ସବୁ ଜିନିଷପତ୍ର ବନ୍ଧାବନ୍ଧି ସାରି ହାତୀ ପିଠିରେ ଲଦାଇଦିଅ । ସୂର୍ଯ୍ୟ ଉଦୟ ପୂର୍ବରୁ ଆମେ ଯେପରି ଏଠୁ ବାହାରିପଡ଼ିବା । ଯାଅ, ଆଉ ଡେରିର ଦରକାର ନାହିଁ ।

 

ରାଜାସାହେବଙ୍କ ମନୋଗତ ଭାବ କ’ଣ ତାହା ବୁଝିବାକୁ ଅକ୍ଷମ ହେଲେ କହ୍ନେଇଁଆ ରାଓ । ତଥାପି କିଛି ଗୁରୁତର ଗୋଟାଏ ଘଟନା ଘଟିଛି ବୋଲି ତାଙ୍କର ଆଶଙ୍କା ହେଲା । ଯାହା ହେଉ ଆଗ ରାଜାଜ୍ଞା ପାଳନ ପରମ କର୍ତ୍ତବ୍ୟ । ସେ ପୂର୍ବ ପରି ଅଭିବାଦନ ଜଣାଇ ତମ୍ବରୁ ବାହାରି ଆସିଲେ ।

 

ବହୁ ଖୋଜାଖୋଜି ପରେ ମିଷ୍ଟର ସିଂଙ୍କ ଦେଖା ଦର୍ଶନ ମିଳିଲା ନାହିଁ । ତାଙ୍କୁ ଅପେକ୍ଷା କଲାଭଳି ସମୟ ନଥିଲା । କହ୍ନେଇଁଆ ରାଓଙ୍କ ନିର୍ଦ୍ଦେଶ ଅନୁସାରେ ରାତାରାତି କୁଲିମାନେ ଲାଗିପଡ଼ିଲେ କାମରେ । ଦୀର୍ଘ ସମୟ ପରେ ଜଣେ କୁଲି ଗୋଟାଏ ତମ୍ବରୁ ମିଷ୍ଟର ସିଂଙ୍କୁ ଆବିଷ୍କାର କଲା ଅର୍ଦ୍ଧଚେତନ ଅବସ୍ଥାରେ । ଅତିରିକ୍ତ ପାନୀୟ ସେବନଫଳରେ ଚୈତନ୍ୟ ଲୋପ ପାଇଥିଲା ତାଙ୍କର ।

 

ରାଜା ପ୍ରବୀରଚନ୍ଦ୍ର ଆଉ ଅରିନ୍ଦମ ଛୋଟରାୟ ନିଜ ନିଜର ବନ୍ଧୁକ ଧରି ଗମ୍ଭୀରଭାବରେ ବସି ରହିଥିଲେ ନିଜ ତମ୍ବୁରେ ।

 

ସାତ

 

ଡେରାରେ ପହଞ୍ଚିଲାବେଳକୁ ସୂର୍ଯ୍ୟ ମୁଣ୍ଡଉପରେ ।

 

Unknown

ପ୍ରଖର ମଧ୍ୟାହ୍ନର ପ୍ରଚଣ୍ଡ ଉତ୍ତାପ ଦେହ ଜାଳିଦେଲା ପରି ଲାଗୁଛି । ଭୋକଶୋଷରେ ପ୍ରାଣ କଣ୍ଠାଗ୍ରତ ହେଲାଣି । ଯାହା କିଛି ଖାଇବାକୁ ମିଳିଥିଲା ଗଲା କାଲି ରାତିରେ । ଆଜି ଖୁବ୍ ଭୋରରୁ ଏପର୍ଯ୍ୟନ୍ତ ଖାଇବାକୁ ଅବସର ବା କାହିଁ ? ବାଟରେ ପାଣି ମୁନ୍ଦାଏ ସୁଦ୍ଧା ମିଳିନି । ଜଙ୍ଗଲରେ ଜଳାଭାବ ଘଟିଛି ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁଁ । ସମସ୍ତଙ୍କର ଆଶା, ଡେରାରେ ପହଞ୍ଚିଗଲେ ଯାହା କିଛି ବ୍ୟବସ୍ଥା କରାଯିବ ।

 

କିନ୍ତୁ ଡେରାରେ ପାଦଦେବା ସଙ୍ଗେ ସଙ୍ଗେ କିପରି ଗୋଟାଏ ଅସ୍ଵସ୍ତିକର ବାତାବରଣ ସେଠି ଘେରି ରହିଥିଲା ପରି ବୋଧହେଲା ସମସ୍ତଙ୍କୁ । ସେଠାରେ ନଥିଲା ଆନନ୍ଦ କୋଳାହଳ କି ନଥିଲା ଲୋକବାକଙ୍କର ସମାଗମ । ଡେରାର ତମ୍ବୁ ଏବଂ ଜିନିଷପତ୍ରଗୁଡ଼ା ଏଣେତେଣେ ବିକ୍ଷିପ୍ତ ଭାବରେ ପଡ଼ିଥିଲା । ଯେଉଁ କେତେଜଣ ଜଗୁଆଳୀ ବାହାରେ ଥିଲେ, ସେମାନଙ୍କର ମୁହଁ ଶୁଖିଲା, କଳା କାଠ ପଡ଼ିଯାଇଥିଲା । ଆତଙ୍କିତ ହୋଇପଡ଼ିଥିଲେ ସମସ୍ତେ ।

 

ପୂରା ଦିନଟିଏବି ନୁହେଁ; ମାତ୍ର ଗୋଟିଏ ରାତିଭିତରେ କ’ଣ ଯେ ଏପରି ପରିବର୍ତ୍ତନ ଘଟିଗଲା, ତାହା ଆଦୌ ଜାଣିପାରିଲେ ନାହିଁ ରାଜାସାହେବ । ତେବେ ଡେରାଭିତରକୁ ଗଲେ ବଳେ ସବୁ କଥା ମାଳବିକାଙ୍କ ନିକଟରୁ ଜଣାପଡ଼ିବ ଭାବି ଯଥାଶୀଘ୍ର ହାତୀରୁ ଓହ୍ଲାଇ ସେ ନିଜ ତମ୍ବୁ ଆଡ଼କୁ ଚାଲିଲେ । ତାଙ୍କ ପଛେ ପଛେ ଛୋଟରାୟ ମଧ୍ୟ । ମିଷ୍ଟର ସିଂ ଆଉ ଅନ୍ୟମାନେ ଡେରା ଜଗୁଆଳୀମାନଙ୍କୁ ଘେରି ନାନା କଥା ପଚାରି ବସିଲେ । ତମ୍ବୁ ଭିତରକୁ ଯାଇ ରାଜାସାହେବ ଯାହା ଦେଖିଲେ, ସେଥିରେ ତାଙ୍କର ଚକ୍ଷୁ ସ୍ଥିର ହୋଇଗଲା । ପୃଥିବୀଟା ତାଙ୍କୁ କେନ୍ଦ୍ରକରି ନଟୁପରି ଘିରି ଘିରି ହୋଇ ବୁଲୁଥିବା ପରି ବୋଧହେଲା । ତାଙ୍କୁ ହଠାତ ପଡ଼ି ଯାଉ ଯାଉ ପଛରୁ ଅରିନ୍ଦମ ଧରିନେଲେ । କିନ୍ତୁ ଜ୍ଞାନ ନଥିଲା ତାଙ୍କର । ତାଙ୍କୁ ଗୋଟାଏ ଖଟିଆରେ ଶୁଆଇଦେଇ ଡାକ୍ତରଙ୍କ ଦ୍ଵାରା ଚେତା ଫେରାଇ ଆଣିବାକୁ ଚେଷ୍ଟା କରୁଥିଲେ ସେ ।

 

ରାଜାସାହେବଙ୍କ ଚେତା ଆଣିବାକୁ ଚେଷ୍ଟା କରିବା ସଙ୍ଗେ ସଙ୍ଗେ ପ୍ରକୃତ ଘଟନାଟା କ’ଣ କିପରି ଘଟିଛି ତାହା ଜାଣିବାକୁ ଖୁବ୍ ବ୍ୟସ୍ତ ହୋଇ ପଡ଼ିଥିଲେ ଛୋଟରାୟ । ଅବଶ୍ୟ ଘଟନାଟା କ’ଣ ହୋଇଛି ତାହା ସେ ବେଶ୍ ଅନୁମାନ କରିପାରିଥିଲେ ।

 

ସେ ଦିନ ରାତିରେ ଜଗୁଆଳୀ ଥିବା ପାଇକଠାରୁ ଯାହା ସେ ଶୁଣିଲେ, ତା’ର ସାରମର୍ମ ହେଉଛି ଯେ–ସେଦିନ ରାତି ଗୋଟାଏ ପର୍ଯ୍ୟନ୍ତ ସବୁ ଠିକ୍ ଥିଲା । ଡେରାରେ ସମସ୍ତେ ଖାଇପିଇ ନିଶ୍ଚିନ୍ତରେ ଶୋଇଥିଲେ । କେବଳ ଜଗୁଆଳୀ ଛଅ ଜଣ ସତର୍କଭାବରେ ପହରା ଦେଉଥିଲେ । ଡେରା ଚାରିପଟେ ମଶାଲଗୁଡ଼ା ଖୁବ୍ ଉଜ୍ଜ୍ୱଳଭାବରେ ଜଳୁଥିଲା ମଧ୍ୟ ।

 

ହଠାତ ଭିତର ଡେରାରୁ ରାଣୀସାହେବାଙ୍କ ଚିତ୍କାର ଥରେ ଦୁଇଥର ଶୁଣାଗଲା, ଆଉ ତା’ ସଙ୍ଗେ ସଙ୍ଗେ ଦୁଇଥର ଗୁଳି ଫୁଟିବାର ଶବ୍ଦ । ଶବ୍ଦ ଶୁଣିବାମାତ୍ରେ ଜଗୁଆଳୀମାନେ ଧାଇଁଗଲେ ସେଆଡ଼କୁ । ଯେଉଁମାନେ ନିଦରେ ଶୋଇଯାଇଥିଲେ ସେମାନେ ମଧ୍ୟ ଉଠିଆସିଲେ ସେଠାକୁ । କିନ୍ତୁ କାହାରି ପତ୍ତା ମିଳିଲା ନାହିଁ । ରାଣୀସାହେବାଙ୍କ ଡେରା ନିକଟରେ ତାଙ୍କର ପରିଚାରିକା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ମୁଣ୍ଡରୁ ଗଣ୍ଡି ଅଲଗା ହୋଇ ଗଡ଼ୁଥିଲା । ଆଉ ଜଣେ ଭିତରେ ମୁମୂର୍ଷୁ ଅବସ୍ଥାରେ ‘ପାଣି’ ‘ପାଣି’ ବୋଲି ଚିତ୍କାର କରୁଥିଲା । ମାଳବିକା ନଥିଲେ ଡେରା ଭିତରେ ଆସବାବପତ୍ର ସବୁ ଛିନ୍‍ଛତର ହୋଇ ପଡ଼ିଥିଲା । ଖୋଜାଖୋଜିରେ ଖଣ୍ଡେ ଛଡ଼ାରେ ଗୋଟାଏ ରାକ୍ଷସାକୃତି ଲୋକର ଲାସ୍ ମିଳିଥିଲା ତା’ର ଛାତିରେ ଦୁଇ ଥର ଗୁଳି ବାଜିଥିବାର ଚିହ୍ନ ପରିଷ୍କାର ଜଣା ପଡ଼ୁଥିଲା ।

ଘଟନାଟା ଶୁଣିବା ସଙ୍ଗେ ସଙ୍ଗେ ଧୈର୍ଯ୍ୟ ଲୋପ ପାଇଆସୁଥିଲା ଛୋଟରାୟଙ୍କର । ସେ ଦୀର୍ଘ ନିଃଶ୍ଵାସ ପକାଇ ମାଳବିକାଙ୍କ ତମ୍ବୁଆଡ଼େ ଥରେ ଆଖି ବୁଲାଇନେଲେ । ଦୁର୍ଘଟନାରେ ବିପର୍ଯ୍ୟସ୍ତ ପ୍ରତ୍ୟେକ ଜିନିଷ ସେହିପରି ଅପରିବର୍ତ୍ତିତ ଅବସ୍ଥାରେ ଥିଲା ସେ ପର୍ଯ୍ୟନ୍ତ । ରାଜାସାହେବଙ୍କ ସନ୍ଧାନରେ ଜଙ୍ଗଲର ସବୁଦିଗକୁ ଲୋକ ପଠାଯାଇଥିଲା । ଖୁବ୍ ସକାଳୁ; କିନ୍ତୁ ଦୁର୍ଭାଗ୍ୟକୁ ତାଙ୍କ ସହିତ କାହାରି ସାକ୍ଷାତ ହୋଇନି ।

ସେ ଲୋମହର୍ଷକ ଦୃଶ୍ୟ ଉପରେ ଥରେ ଆଖି ବୁଲେଇ ନେଲେ ଛୋଟରାୟ । ତମ୍ବୁର ଦ୍ଵାର ପାଖରେ ପଡ଼ିଛି ପରିଚାରିକାଟିର ଶବ । ମୁଣ୍ଡଟା ତା’ର ଗଣ୍ଡିରୁ ଅଲଗା ହୋଇ ପଡ଼ିଛି ଟିକିଏ ଛଡ଼ାରେ । ମୁହଁ ବିକୃତ ହୋଇଯାଇଛି ତା’ର । ରକ୍ତଗୁଡ଼ା ମନ୍ଦାଏ ଭୂଇଁକୁ ରଙ୍ଗିନ କରି ଶୁଖିଯାଇଛି । ସେହି ତମ୍ବୁଠାରୁ ଖଣ୍ଡେ ଛଡ଼ାରେ ପଡ଼ିଛି ଆଉ ଗୋଟାଏ ଶବ; ସେଟା ଗୋଟାଏ ରାକ୍ଷସାକୃତି ଲୋକର । ମୁହଁରେ ନିଶ, ଦାଢ଼ି ପୂର୍ଣ୍ଣ । ଗାଢ଼ କଳା ରଙ୍ଗର ବିଶାଳକାୟ ହୃଷ୍ଟପୁଷ୍ଟ ଲୋକଟା । ଦେଖିବାକୁ ଗୋଟାଏ ବଣୁଆ ମଇଁଷି ପରି ଚେହେରା । ଛାତିରେ ତା’ର ଦୁଇଟା ଗୁଳି ବାଜିଛି । ସେହି ସ୍ଥାନରୁ ରକ୍ତଗୁଡ଼ା ବହି ସେଠାରେ ମଳାଏ ଭେଦି ଶୁଖିଯାଇଛି । ଲୋକଟା ମଲାବେଳକୁ ଯନ୍ତ୍ରଣାରେ ଗୋଡ଼ହାତ ଛାଟିବା ଫଳରେ ସେଠି ମାଟିର କେତେକ ସ୍ଥାନ ଖୋଳି ତାଡ଼ି ହୋଇଯାଇଛି । ଶବଟାର ଆଖିଦୁଇଟା ଅସମ୍ଭବ ଭାବରେ ବିସ୍ଫାରିତ ହୋଇଯାଇଛି ଏବଂ ମୁହଁଟା କଦର୍ଯ୍ୟଭାବରେ ବିକୃତ ହୋଇଯାଇଛି । ତମ୍ବୁ ଭିତରେ ଏଣେତେଣେ ବିକ୍ଷିପ୍ତ ହୋଇ ପଡ଼ିଥିବା ଆସବାବପତ୍ରଗୁଡ଼ା ଖୁବ୍ ଧସ୍ତାଧସ୍ତିର ପ୍ରମାଣ ଦେଇଛି । କେବଳ ଡାକ୍ତରଙ୍କ ଚେଷ୍ଟା ଫଳରେ ଆହତା ଦାସୀଟିକୁ ସ୍ଥାନାନ୍ତରିତ କରାଯାଇଛି ଅନ୍ୟ ତମ୍ବୁକୁ ଚିକିତ୍ସାପାଇଁ । ତା’ର ଆଘାତ ମାରାତ୍ମକ ନ ହେଲେ ମଧ୍ୟ ସେ ଏତେଦୂର ଭୟ ପାଇଯାଇଛି ଯେ, ଘଡ଼ି ଘଡ଼ି ଚେତା ହରାଇ ବସୁଛି । କାଠଗଣ୍ଡିର ସୁଦୃଢ଼ ପାଚେରିଟା ଭଙ୍ଗା ହୋଇଛି ଗୋଟାଏ ସ୍ଥାନରେ । ତେଣିକି ନିବିଡ଼ ଜଙ୍ଗଲ ଆଉ ପର୍ବତ ।

କି ବିପଦ ! ଏପରି ଦୁର୍ଭାଗ୍ୟଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ ଯେ ପଡ଼ିବ, ସେ କଥା ସ୍ଵପ୍ନରେ ସୁଦ୍ଧା କଳ୍ପନା କରି ନଥିଲେ କେହି । ରାଜାସାହେବ ପାଗଳଙ୍କ ପରି ହେଉଥିଲେ । ଛୋଟରାୟ ମଧ୍ୟ ସ୍ଥାଣୁ ପାଲଟି ଯାଇଥିଲେ ଏସବୁ କାଣ୍ଡ କାରଖାନା ଦେଖି । ନିଜର କର୍ତ୍ତବ୍ୟ ପର୍ଯ୍ୟନ୍ତ ଭୁଲିଯାଇଥିଲେ ସେ । ଡେରାରେ ରାଜାସାହେବଙ୍କର ଲୋକମାନଙ୍କର ଅବସ୍ଥା ମଧ୍ୟ ତଦ୍ରୂପ । ସମସ୍ତେ ଦୁଃଖ ଏବଂ ଭୟରେ କାତର ହୋଇପଡ଼ିଥିଲେ । ସ୍ଥାନୀୟ ବଣୁଆ ଅଧିବାସୀମାନେ ମଧ୍ୟ ଏମାନଙ୍କ ଦୁଃଖରେ ଯଥେଷ୍ଟ ସମବେଦନା ପ୍ରକାଶ କରୁଥିଲେ । କାରଣ ରାଜାସାହେବ ଏବଂ ତାଙ୍କର ଲୋକମାନଙ୍କର ଉତ୍ତମ ବ୍ୟବହାର ସେମାନଙ୍କୁ ମୁଗ୍ଧ କରିଥିଲା ।

ଅରିନ୍ଦମ ଛୋଟରାୟ ଦେଖିଲେ, ଲାସ୍‌ଗୁଡ଼ାକ ପକାଇ ରଖିବାର କୌଣସି ଆବଶ୍ୟକତା ନାହିଁ । ପୁଲିସଷ୍ଟେସନ୍‌ କାହିଁ କେତେ ଦୂରରେ ! ଦୀର୍ଘ ତିରିଶ ମାଇଲ । ସେତେଦୂର ପର୍ଯ୍ୟନ୍ତ ଖବର ଦେଇ ସେଠାରୁ ପୁଲିସ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଅର୍ଥ ଆଉ ଦୁଇଦିନ ବା ତହିଁରୁ ଅଧିକର ପାଠ । ଅଧିକନ୍ତୁ ପୁଲିସ ଆସିଲେ ଏଇ ନିରୀହ ଆଦିବାସୀ ଲୋକଗୁଡ଼ାଙ୍କ ଉପରେ ପୀଡ଼ନ ବ୍ୟତୀତ ଆଉ କିଛି ହେବନି । ଆତତାୟୀ ଏମାନେ ନୁହନ୍ତି—ଏକଥା ସେ ଭଲଭାବରେ ହୃଦୟଙ୍ଗମ କରିପାରୁଥିଲେ ସୁଦ୍ଧା, ପୁଲିସ ଯେ ତାହା ବିଶ୍ଵାସ କରିବ ଏହା ସେ ଭାବିପାରିଲେ ନାହିଁ । ପ୍ରକୃତ ଆତତାୟୀ ନିଘଞ୍ଚ ଅରଣ୍ୟର କେଉଁ ପର୍ବତର କନ୍ଦିରେ ଦୁର୍ଗ ତିଆରି କରି ରହିଛି ସେ କଥା ଜାଣିବା ପୁଲିସର ଅସାଧ୍ୟ । ରାଜାସାହେବଙ୍କ ଅବସ୍ଥା ଯେପରି ସେଥିରେ ତାଙ୍କଠାରୁ କୌଣସି ପ୍ରକାର ନିର୍ଦ୍ଦେଶ ଆଶା କରିବା ବୃଥା । ତେଣୁ ନିଜର ଯୁକ୍ତି ବିବେଚନା ଉପରେ ଯାହାକିଛି କରିବାକୁ ହୋଇଥିଲା ତାଙ୍କୁ ।

ରାକ୍ଷସାକୃତି ଲୋକଟା, ଯେ କି ଗୁଳିମାଡ଼ରେ ମରିପଡ଼ିଥିଲା, ସେଟା ବଣୁଆ ଲୋକ ବୋଲି ନିଃସନ୍ଦେହରୂପେ ଜାଣି ହେଉଥିଲା । ମାତ୍ର ସେହି ଆକାର ପ୍ରକାରର ଲୋକ ସ୍ଥାନୀୟ ଅଧିବାସୀ କିମ୍ବା ଅନ୍ୟତ୍ର ଦେଖିବାକୁ ପାଉ ନଥିଲେ ଛୋଟରାୟ । ଲୋକଟା କେଉଁ ଅଞ୍ଚଳର, ଜାଣିବାକୁ ତାଙ୍କ ମନରେ ଖୁବ୍ ଆଗ୍ରହ ସୃଷ୍ଟି ହୋଇଥିଲା । ତାଙ୍କ ନିର୍ଦ୍ଦେଶରେ ଚାରିଜଣ ପାଇକ ସେ ଲାସ୍‍ଟାକୁ ଟେକିଆଣି ଡେରା ବାହାରେ ପକାଇଦେଲେ ।

 

ଗୋଟାଏ ଅସମ୍ଭବ ଜିନିଷ ଦେଖିବାପାଇଁ ଯେପରି ପିଲା, ବୁଢ଼ା ସମସ୍ତେ ରୁଣ୍ଡ ହୋଇପଡ଼ନ୍ତି, ସେହିପରି ଲାସ୍‍ଟାକୁ ଦେଖିବାପାଇଁ ଆଦିବାସୀ ଲୋକଗୁଡ଼ା ଜମା ହୋଇପଡ଼ିଲେ । ତା’ର ଆକୃତିକୁ କେନ୍ଦ୍ର କରି କିଏ କେତେ ପ୍ରକାର ଟୀକାଟିପ୍ପଣୀ କରିବାକୁ ଲାଗିଲେ । ଛୋଟରାୟ ଖଣ୍ଡେ ଦୂରରେ ଗୋଟାଏ ଚଉକି ଉପରେ ବସି ଉପସ୍ଥିତ ବିପଦସମ୍ବନ୍ଧରେ ଚିନ୍ତାମଗ୍ନ । ଅନ୍ୟମନସ୍କ ଭାବରେ ଗୋଟାଏ କାନ ଥାଏ ତାଙ୍କର ଲୋକଗୁଡ଼ାଙ୍କର ଟୀକାଟିପ୍ପଣୀ ଆଡ଼େ ।

 

“ଆରେ, ଏଟା ଚଣ୍ଡୁରାମ ଦଳର !” ହଠାତ ସେମାନଙ୍କ ଭିତରୁ ଜଣେ ଚିତ୍କାର କରିଉଠିଲା । ତା' ସଙ୍ଗେ ସଙ୍ଗେ ଅନ୍ୟମାନେ ଆତଙ୍କିତ ହୋଇ ‘କାହିଁ’ ‘କାହିଁ’ ବୋଲି ପାଟି କରି ଉଠିଲେ ।

 

“–ହେଇ ଦେଖୁନୁ ତା’ ହାତର ନିଶାଣଟା । ରକ୍ତଗୁଡ଼ା ଲାଗି ଶୁଖିଯାଇଛି ତା’ ଉପରେ । ସେଥିପାଇଁ ସଫା ଦିଶୁନି ।”

 

ଯେତେଗୁଡ଼ାଏ ଲୋକ ଲାସ୍‍ଟାକୁ ଘେରିଥିଲେ ସମସ୍ତେ ପ୍ରାୟ ଠେଲାପେଲା ହୋଇ ଝୁଙ୍କି ପଡ଼ିଲେ ଲାସ୍‌ଟା ଆଡ଼େ ।

 

“ଆରେ, ସତେ ତ !” —କହିବା ସଙ୍ଗେ ସଙ୍ଗେ ପ୍ରତ୍ୟେକେ ଆତଙ୍କିତ ହୋଇଉଠିଲେ ଯେପରି ।

 

ଲୋକଗୁଡ଼ାଙ୍କର ବାକ୍ୟାଳାପ ଛୋଟରାୟଙ୍କ କାନକୁ ଏଡ଼ିଦେଇ ଯାଇ ପାରି ନଥିଲା । କ’ଣ, କ’ଣ ବୋଲି କହୁ କହୁ ଆସନ ତ୍ୟାଗ କରି ସେ ଯାଇ ସେଠି ହାଜର ହୋଇଗଲେ । ତାଙ୍କୁ ଦେଖି ଲୋକଗୁଡ଼ା ସସମ୍ମାନେ ଆଡ଼େଇଯାଇ ରାସ୍ତା ଦେଇଦେଲେ ।

 

–‘‘ହଜୁର, ଏଟା ଚଣ୍ଡୁରାମ ଦଳର ଲୋକ ।” ଜଣେ ବୁଢ଼ା ଆଦିବାସୀ ଆତଙ୍କିତ ସ୍ଵରରେ କହିଲା ଛୋଟରାୟଙ୍କ ଆଡ଼କୁ ଆସି ।

 

“ଚଣ୍ଡୁରାମ ? ଚଣ୍ଡୁରାମ କିଏ ?” ବିସ୍ମିତ ହୋଇ ପଚାରିଲେ ଛୋଟରାୟ ।

 

“ଡାକୁଟାଏ ହଜୁର ! ଡାକୁ ତ ନୁହେଁ, ଅସୁରଟାଏ । ତାକୁ ଏ ବଣର ବାଘ ଭାଲୁ ସୁଦ୍ଧା ଡରନ୍ତି । ତା’ ଦଳରେ କେଜାଣି ପାଁ’ଶ କି ହଜାରେ ଲୋକ ଅଛନ୍ତି । ଏ ଲୋକଟା ତା’ରି ଦଳର ଗୋଟେ ଡକାୟତ । ଦେଖୁନାହାନ୍ତି ତା’ ହାତର ସେଇ ଛକି ନିଶାଣଟା !”

 

ଛୋଟରାୟ ଦେଖିଲେ—ଲୋକ ହାତରେ ଯଥାର୍ଥରେ ଗୋଟାଏ ଚିତାକୁଟା ଛକି ଚିହ୍ନ ଅଛି । ତାଙ୍କ ପାଟିରୁ ଅସ୍ପଷ୍ଟ ଭାବରେ ଉଚ୍ଚାରିତ ହେଲା—ଏ ତା’ ହେଲେ ଡାକୁ ଚଣ୍ଡୁରାମର କାମ । ତେବେ ତାରଜନ୍ କିଏ ? କାଲି ଯେଉଁ ଅଶ୍ଵାରୋହୀ ସାହେବ ପୋଷାକଧାରୀ ବ୍ୟକ୍ତିକୁ ଦେଖିଥିଲେ, ସେ ବା କିଏ ? ପ୍ରଶ୍ନର ଜାଲ ଛନ୍ଦି ହୋଇଗଲା ତାଙ୍କ ମନରେ । କ’ଣ କରାଯାଇପାରେ ତାହା ସେ ସ୍ଥିର କରିପାରିବା ଭଳି ଅବସ୍ଥାରେ ନଥିଲେ ।

 

ତେବେ ଯାହା କିଛି ଏପର୍ଯ୍ୟନ୍ତ ଘଟିଛି ତାହା ଯେ ଗୋଟାଏ ଦୁର୍ଦ୍ଧର୍ଷ ଦସ୍ୟୁଦଳର ଚକ୍ରାନ୍ତ, ତାହା ସେ ବେଶ୍ ବୁଝିପାରିଲେ । ମାଳବିକାଙ୍କର ଦାସୀ ଜଣକର ଚେତା ଫେରିଆସିଲେ ହୁଏତ ଆହୁରି କେତେ ନୂଆ ତଥ୍ୟ ଜାଣିବାକୁ ମିଳିବ ଭାବି ସେ ସେହି ସୁଯୋଗର ଅପେକ୍ଷାରେ ରହିଲେ ।

 

ସମଗ୍ର ଡେରା ଅଞ୍ଚଳଟାରେ ଅଦ୍ଭୁତ ପ୍ରକାରର ଆତଙ୍କ ଖେଳିଯାଉଥିଲେ ସୁଦ୍ଧା ମିଷ୍ଟର ସିଂଙ୍କ ହାବଭାବରେ କୌଣସି ପ୍ରକାର ପରିବର୍ତ୍ତନ ଲକ୍ଷ୍ୟ କରିପାରୁ ନଥିଲେ କେହି । ଏହି ଘଟନାରେ ଯେପରି ଗତାନୁଗତିକ ଭାବରେ ଅଭ୍ୟସ୍ତ ସେ, ସେହିପରି ଜଣାଯାଉଥିଲା । ଏଥିରେ ଆଉ ଯେ ଯାହା ଅନୁଭବ କରୁ ବା ନ କରୁ, ଛୋଟରାୟ ଖୁବ୍ ଗଭୀର ଭାବରେ ଅନୁଭବ କରିଥିଲେ ସେଟା । ମିଷ୍ଟର ସିଂଙ୍କ ପ୍ରତି ତାଙ୍କର ସନ୍ଦେହ ଘନୀଭୂତ ହୋଇଉଠୁଥିଲା କ୍ରମେ । ଅତୀତରେ ତାଙ୍କର କେତେକ କାର୍ଯ୍ୟକଳାପ ଏବଂ ଢଙ୍ଗଢ଼ାଙ୍ଗକୁ ଘଟନାଗୁଡ଼ିକ ସହିତ ସମ୍ପୃକ୍ତ କରି ମିଷ୍ଟର ସିଂଙ୍କ ଭୂମିକାର କଳ୍ପନା କରୁଥିଲେ ।

 

ରାଣୀ ମାଳବିକାଙ୍କ ଯୋଗୁଁ ସେ ବିଶେଷ ଉଦ୍‍ବିଗ୍ନ ହୋଇପଡ଼ିଥିଲେ । ମାଳବିକା ଯଦି ମୃତାବସ୍ଥାରେ ଦେଖାଯାଇଥାନ୍ତେ ତେବେ ତ ଗୋଟାଏ ନିଷ୍ପତ୍ତି ହୋଇଯାଇଥାନ୍ତା । ମାତ୍ର ସେ ଅପହୃତା ନିଶ୍ଚୟ । ରାଜାସାହେବ ଡେରା ଛାଡ଼ିବାର ପୂର୍ବ ମୁହୂର୍ତ୍ତରେ ମାଳବିକାଙ୍କୁ ନିଜର ନିରାପତ୍ତା ପାଇଁ ରିଭଲଭରଟିଏ ଦେଇଯାଇଥିଲେ । ଆବଶ୍ୟକ ସମୟରେ ସେ ତା’ର ସଦ୍‌ବ୍ୟବହାର କରିଛନ୍ତି । ତାଙ୍କ ରିଭଲଭର ଗୁଳିରେ ଦସ୍ୟୁଟା ମରିଛି, ଏକଥା ଗୁଳି ଚିହ୍ନରୁ ସ୍ପଷ୍ଟ । ଏଥି ସତ୍ତ୍ୱେ ଦସ୍ୟୁମାନେ ତାଙ୍କୁ ହତ୍ୟା ନ କରି ଅପହରଣ କରିନେଇଛନ୍ତି । ତାଙ୍କର ଅଳଙ୍କାର ବାକ୍‍ସଟି ଅକ୍ଷୁଣ୍ଣ ଅବସ୍ଥାରେ ଅଛି । ସେଥିରେବି କେହି ହାତ ଦେଇନାହିଁ । ତେବେ ମାଳବିକାଙ୍କୁ ଅପହରଣ କରିନେବାର ଉଦ୍ଦେଶ୍ୟ କ’ଣ ହୋଇପାରେ ? ସେ ରାକ୍ଷସଙ୍କ କବଳରୁ ସେ ତାଙ୍କୁ ଉଦ୍ଧାର କରିପାରିବେ ତ ? –ଏହିପରି ଚିନ୍ତା କରୁ କରୁ ହଠାତ ଆଶାର କ୍ଷୀଣ ଆଲୋକର ସନ୍ଧାନ ସେ ପାଇଗଲେ ମନ ଭିତରେ ।

 

ଆସନ ତ୍ୟାଗ କରି ସେ ଉଠିଗଲେ ତମ୍ବୁ ଆଡ଼କୁ । ବାହାରେ ମୁଣ୍ଡ ତଳକୁ ପୋତି କହ୍ନେଇଁଆ ରାଓ ଦୁଃଖିତ ମନରେ ଠିଆ ହୋଇଥିଲେ ସେତେବେଳ ପର୍ଯ୍ୟନ୍ତ । ଛୋଟରାୟ ଖୁବ୍ ନିମ୍ନସ୍ଵରରେ ତାଙ୍କୁ କିଏ ଦୂରକୁ ଡାକିନେଇ କିଛି ସମୟ ପର୍ଯ୍ୟନ୍ତ କ’ଣ ପରାମର୍ଶ କଲେ । ତା'ପରେ ନିଜ ତମ୍ବୁକୁ ତାଙ୍କୁ ସାଙ୍ଗରେ ଧରି ଫେରିଆସିଲେ ।

 

ପ୍ରାୟ ଘଣ୍ଟାକ ପରେ କହ୍ନେଇଁଆ ରାଓ ଗୋଟାଏ ଘୋଡ଼ା ପିଠିରେ ବସି ବାହାରିଗଲେ ଖୁବ୍ ଦ୍ରୁତ ଗତିରେ । କାହାରି ଲକ୍ଷ୍ୟ ନଥିଲା ସେଥିପ୍ରତି ବୋଧହୁଏ ।

 

ଆଠ

 

ପରିଚାରିକାଟି କାନ୍ଦୁ କାନ୍ଦୁ ସେହି ବିଭୀଷିକାମୟୀ ରାତ୍ରିର ପୈଶାଚିକ ଘଟନାବଳୀ ଶୁଣାଯାଉଥିଲା ରାଜାସାହେବ ଆଉ ଅରିନ୍ଦମ ଛୋଟରାୟଙ୍କୁ । ସେସବୁ ଶୁଣିଲାଭଳି ଧୈର୍ଯ୍ୟ ରାଜାସାହେବଙ୍କର ନଥିଲା । ତଥାପି ସେ ସ୍ଥାଣୁପରି ବସି ରହିଥିଲେ । ମୁହଁରୁ ତାଙ୍କର ପଦେ ହେଲେ କଥା ବାହାରୁ ନଥିଲା । ସେ ପରିଚାରିକାର କଥା ପ୍ରତି ମନୋନିବେଶ କରିଥିଲେ କି ନା ସନ୍ଦେହ ।

 

ସବୁ ଶୁଣିସାରି ତାକୁ ବିଦାୟ ଦେଇ ଅରିନ୍ଦମ ଛୋଟରାୟ ପୁଣି ଚିନ୍ତା କରିବାକୁ ଲାଗିଲେ—କ’ଣ କରାଯାଇପାରେ ? ଦୀର୍ଘ ଦୁଇଦିନ ବିତିଗଲାଣି ୟା ମଧ୍ୟରେ । ସେଆଡ଼େ କହ୍ନେଇଁଆ ରାଓର କୌଣସି ଖବର ନାହିଁ । ଏଣେ ମାଳବିକା ଜୀବନରେ ଥିବେ କି ନା ସନ୍ଦେହ । ପ୍ରାଣପ୍ରତିମ ଭାଇଙ୍କର ଅବସ୍ଥା ଏପରି । ପାଖରେ ବିଶ୍ଵାସୀ ଲୋକ କେହି ନାହାନ୍ତି । ଏ କ୍ଷେତ୍ରରେ ତାଙ୍କର କର୍ତ୍ତବ୍ୟ କ’ଣ ? ରାଜା ପ୍ରବୀରଚନ୍ଦ୍ରଙ୍କ ଗତିବିଧି ଠିକ୍ ପାଗଳଙ୍କ ପରି । ଖାଇବା, ପିଇବା, ବିଶ୍ରାମ ନାହିଁ; କଥାବାର୍ତ୍ତା, ହସଖୁସି ତ ବହୁ ଦୂରର କଥା । ବେଳେବେଳେ ‘ମାଳବିକା’, ‘ମାଳବିକା’ ହୋଇ ଜଙ୍ଗଲଆଡ଼କୁ ଧାଇଁ ପଳାଉଛନ୍ତି । କେତେବେଳେ ତାଙ୍କର କି ଅବସ୍ଥା ଯେ ହେବ, କହିବା କଷ୍ଟ । ଏପରି କ୍ଷେତ୍ରରେ ସେ ମାଳବିକାଙ୍କ ସନ୍ଧାନ ନେବେ କି ଆତ୍ମରକ୍ଷା କରିବେ କି ରାଜାସାହେବଙ୍କ ସେବା କରିବେ, କିଛି ସ୍ଥିର କରି ନ ପାରି ବଡ଼ ବିବ୍ରତ ହୋଇପଡ଼ିଥିଲେ ।

 

ମିଷ୍ଟର ସିଂ ଡେରାକୁ ଆସି ପ୍ରାୟ ସୁବିଧା ଅସୁବିଧା ବିଷୟ ବୁଝୁଛନ୍ତି । ମାତ୍ର ଅରିନ୍ଦମ ଛୋଟରାୟ ତାଙ୍କୁ କିଛି ଜଣାଇବାକୁ ଚାହୁଁନାହାନ୍ତି । ସେ ନିଜେ ଯେତିକି ବୁଝିଯାଉଛନ୍ତି, ସେତିକି ।

 

ଆହତ ମୋହନ ସିଂ କ୍ରମେ ସୁସ୍ଥ ହୋଇଉଠିଛି । ସେ ମଧ୍ୟ ରାଜାସାହେବଙ୍କର ଏ ଦୁର୍ଭାଗ୍ୟଜନକ ପରିସ୍ଥିତିରେ ଦୁଃଖରେ ଭାଙ୍ଗିପଡ଼ିଛି । ଡେରାର ଅନ୍ୟ ଲୋକମାନେ ମଧ୍ୟ ଖୁବ୍ ଆତଙ୍କିତ ହୋଇପଡ଼ିଛନ୍ତି । ଦିନ ବ୍ୟତୀତ ରାତିରେ କେହି ଶୋଉନାହାନ୍ତି ପ୍ରାୟ । କେଉଁ ଏକ ଅଜଣା ଭୟ ଗ୍ରାସିଯାଇଛି ସମସ୍ତଙ୍କୁ । ଖାଇବା ପିଇବାରେ ସ୍ଥିରତା ନାହିଁ କାହାରି । ସେଥିପାଇଁ ସମସ୍ତେ ପ୍ରାୟ ଅସ୍ଵସ୍ତି ବୋଧ କରୁଛନ୍ତି ଊଣା ଅଧିକେ । ନିଜେ ଛୋଟରାୟ ମଧ୍ୟ ଅତ୍ୟନ୍ତ କ୍ଳାନ୍ତି ଏବଂ ଦୁର୍ବଳ ଅନୁଭବ କରୁଛନ୍ତି ।

 

ରାଜାସାହେବଙ୍କ ଅବସ୍ଥା ଯେପରି, ସେଥିରେ ତାଙ୍କୁ ପାଖଛଡ଼ା କଲେ କେତେବେଳେ କ’ଣ କରି ବସିବେ କି କେଉଁଆଡ଼େ ଚାଲିଯିବେ, ଏଇ ଆଶଙ୍କାରେ ଅରିନ୍ଦମ ଛୋଟରାୟ ରାଜାସାହେବଙ୍କ ତମ୍ବୁରେ ରାତିସାରା ଶୋଇ ଜଗିରହିଛନ୍ତି । ଏ ସତ୍ତ୍ୱେ ସମସ୍ତଙ୍କର ସଜାଗ ଦୃଷ୍ଟି ସବୁବେଳ ପାଇଁ ରହିଛି ରାଜାସାହେବଙ୍କ ଉପରେ ।

 

ସେଦିନ ରାତି ବାରଟା ହେବ । ରାଜାସାହେବଙ୍କ ତମ୍ବୁରେ ଲ୍ୟାମ୍ପ୍‍ଟାଏ ଖୁବ୍‌ ଉଜ୍ଜ୍ୱଳ ଭାବରେ ଜଳୁଥାଏ । ରାଜା ପ୍ରବୀରଚନ୍ଦ୍ରଙ୍କୁ ନିଦ ଅବଶ୍ୟ ହୋଇ ନ ଥାଏ, କିନ୍ତୁ ସେ ବିଛଣାରେ ଶୋଇରହିଥାନ୍ତି । ମାଳବିକାଙ୍କ ଅପହରଣ ଦିନରୁ ଏ ପର୍ଯ୍ୟନ୍ତ କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି ସେ । ଦେହ ନିତ୍ୟାନ୍ତ ଦୁର୍ବଳ, ଶୀର୍ଣ୍ଣ ହୋଇପଡ଼ିଛି ତା’ ଫଳରେ । ଅରିନ୍ଦମ ଛୋଟରାୟ ତାଙ୍କୁ ଜଗିରହି ବାଜେ ବହି ଗୋଟାକରେ ମନୋନିବେଶ କରି ବସିଛନ୍ତି । ବହିରେ ଦୃଷ୍ଟି କେବଳ ଅଛି; କିନ୍ତୁ ଚିନ୍ତା ଭିନ୍ନ ପ୍ରକାର । ଯାହା ହେଉ, ରାତ୍ରି ଜାଗରଣହିଁ ପ୍ରଧାନ ଉଦ୍ଦେଶ୍ୟ ।

 

ରାତି ଗୋଟାଏ ହେବ । ବାହାର ପ୍ରକୃତି ଶୂନ୍‌ଶାନ୍ । ମାତ୍ର ଡେରା ଭିତରେ ଲୋକମାନେ ଜାଗ୍ରତ ଅଛନ୍ତି । ପ୍ରତ୍ୟେକ ତମ୍ବୁରେ ଲୋକମାନେ ପ୍ରାୟ ଚେଇଁ କଥାବାର୍ତ୍ତା ହେଉଛନ୍ତି ଏବଂ ଆଲୁଅ ମଧ୍ୟ ଜଳୁଛି । ରାଜାସାହେବ ଏଇ ଅଧଘଣ୍ଟାଏ ହେବ ଟିକିଏ ଶୋଇଯାଇଛନ୍ତି । ତାଙ୍କର ଶୋଇଯିବା ଦେଖି ବହୁ ପରିମାଣରେ ଆଶ୍ୱସ୍ତ ହେଲେ ଛୋଟରାୟ । ଭାବିଲେ—ଯାହାହେଉ, ନିଦରେ ଶୋଇଗଲେ ଦେହର ଏବଂ ମନର ଟିକିଏ ପରିବର୍ତ୍ତନ ହେବ ନିଶ୍ଚୟ । ଏଥର କିଛି ସମୟପାଇଁ ତାଙ୍କର ଦାୟିତ୍ଵ ଟିକିଏ କମିଆସିଲା ପରି ଜଣାଗଲା । ଟିକିଏ ବିଶ୍ରାମ ଆଶାରେ ସେ ଆଖି ବୁଜି ଚେୟାରକୁ ଆଉଜିପଡ଼ିଲେ । ଅଳ୍ପ ସମୟ ମଧ୍ୟରେ ନିଦ୍ରାର କୋମଳ ପରଶ ତାଙ୍କର ଚେତନା ଲୁପ୍ତ କରିଦେଲା ।

 

ଇତିମଧ୍ୟରେ କେତେ ସମୟ ଯେ ଅତିବାହିତ ହୋଇଯାଇଛି, ତାହା ଜଣାନାହିଁ ତାଙ୍କୁ । ହଠାତ ଚମକିପଡ଼ି ସଚେତ ହୋଇଉଠିଲେ ସେ । ତତ୍‌କ୍ଷଣାତ ଦୃଷ୍ଟି ତାଙ୍କର ପଡ଼ିଲା ରାଜାସାହେବଙ୍କ ଶଯ୍ୟା ଉପରେ, ଶଯ୍ୟା ଶୂନ୍ୟ; ରାଜାସାହେବ ନାହାନ୍ତି ଏ ଦୃଶ୍ୟ ଦେଖିବା ସଙ୍ଗେ ସଙ୍ଗେ ଆତଙ୍କରେ ଦମଦମ କରିଉଠିଲା ଛାତି ଭିତରଟା ତାଙ୍କର । ଧଡ଼ପଡ଼ ହୋଇ ଉଠି ସେ ତମ୍ବୁ ଭିତରଟା ଦେଖିଲେ । ରାଜାସାହେବ ନାହାନ୍ତି କି ତାଙ୍କର ବନ୍ଧୁକଟି ନାହିଁ । ଘଡ଼ିକୁ ଚାହିଁଲେ ରାତି ଦୁଇଟା ।

 

ତମ୍ବୁ ବାହାରଟାବି ଥିଲା ନିଶୂନ । ବାହାରେ ଖଣ୍ଡେ ଦୂରରେ ଜଗୁଆଳୀ ଦେଖାଯାଉଥାଏ-। ଛୋଟରାୟ ଅଗତ୍ୟା ଡାକ ପକାଇଲେ ତାକୁ, କାଳେ ସେ କିଛି ଜାଣିଥିବ; କିନ୍ତୁ ସେ ଅତି ବିସ୍ମିତ ହୋଇ ସବୁ ଶୁଣି ରାଜାସାହେବଙ୍କୁ ଦେଖିନାହିଁ ବୋଲି କହିଲା । ୟାକୁ ଡାକି ପଚାର, ତାକୁ ଡାକି ପଚାର, ଏହିପରି ହେଉ ହେଉ ସମୁଦାୟ ଡେରାର ଲୋକେ ଉଠିଆସିଲେ । ରାଜାସାହେବ କେଉଁଆଡ଼େ ଚାଲିଯାଇଛନ୍ତି, ଶୁଣିଲାମାତ୍ରେ ସମସ୍ତଙ୍କର ବ୍ୟଗ୍ରତା ଚରମ ସୀମାକୁ ଉଠିଗଲା । ଡକାହକା, ପାଟିଗୋଳ ଶୁଣି ମିଷ୍ଟର ସିଂ ମଧ୍ୟ ଆସି ପହଞ୍ଚିଗଲେ ସେଠି ।

 

ଆଉ ବିଳମ୍ୱ କରିବାର କଥା ନୁହେଁ । ସମସ୍ତେ ଏକଜୁଟ ହୋଇ ମଶାଲ, ହାତହତିଆର ଯଥେଷ୍ଟ ପରିମାଣରେ ଧରି ଜଙ୍ଗଲ ଭିତରକୁ ଯିବାକୁ ପ୍ରସ୍ତୁତ ହେଲେ । ରାଜାସାହେବ ଯେ କେଉଁଆଡ଼କୁ ଚାଲିଯାଇଥିବେ ତାହା ସମସ୍ତେ ଅନୁମାନ କରିନେଇଥିଲେ । କାରଣ, ଯେଉଁପଟରେ ପାଚେରିଟା ଭଙ୍ଗା ଅବସ୍ଥାରେ ଥିଲା, ରାଜାସାହେବ ‘ମାଳବିକା’ ‘ମାଳବିକା’ ହୋଇ ସେହିଆଡ଼କୁହିଁ ପାଗଳଙ୍କ ପରି ଧାଇଁଯାଉଥିଲେ । ତେଣୁ ସମସ୍ତେ ମଶାଲ ଧରି ଜଙ୍ଗଲର ସେଇଆଡ଼ଟା ଖୋଜିବାରେ ଲାଗିଲେ । ସମସ୍ତେ ଧାରଣା କରିଥିଲେ—ରାଜାସାହେବ ହୁଏତ ଅଧିକ ଦୂର ଯାଇ ନ ଥିବେ । କିନ୍ତୁ କାର୍ଯ୍ୟକ୍ଷେତ୍ରରେ ସେ ଧାରଣାର ସମ୍ପୂର୍ଣ୍ଣ, ବିପରୀତ ଦେଖାଗଲା । ଜଙ୍ଗଲର ପ୍ରତି ଅନ୍ଦିସନ୍ଧି ତଲାସ କଲେ ସୁଦ୍ଧା ରାଜାସାହେବଙ୍କର ସନ୍ଧାନ ମିଳିଲା ନାହିଁ ।

 

ସେଦିଗକୁ ଛାଡ଼ି ଅନ୍ୟ ଦିଗଗୁଡ଼ା ପ୍ରାୟ ମାଇଲିଏ ଅଭ୍ୟନ୍ତର ପର୍ଯ୍ୟନ୍ତ ଖୋଜାଗଲା, କିନ୍ତୁ ବୃଥା । ରାତି ପାହି ସକାଳ ହେଲା, କିନ୍ତୁ କିଛି ହେଲେ ସନ୍ଧାନ ମିଳିଲା ନାହିଁ । ହିଂସ୍ରଜନ୍ତୁପୂର୍ଣ୍ଣ ଜଙ୍ଗଲ, ପୁଣି ରାତି । ଅରିନ୍ଦମ ଛୋଟରାୟ ପ୍ରମାଦ ଗଣିଲେ ମନେ ମନେ । ଅମଙ୍ଗଳ ଆଶଙ୍କାରେ ଆତଙ୍କିତ ହୋଇପଡ଼ିଲେ ସେ । ଉପସ୍ଥିତ ବିପଦରେ କ’ଣ କର୍ତ୍ତବ୍ୟ ତାହା ସ୍ଥିର କରିପାରିଲେ ନାହିଁ କେହି । ସମସ୍ତଙ୍କର ନିରାଶ ହୋଇ ଫେରିବାଛଡ଼ା ଉପାୟ ନଥିଲା । ରାତିରେ ଜଙ୍ଗଲରେ ବୁଲି କଣ୍ଟା, ଝଟା, ଲାଗି ପ୍ରତ୍ୟେକଙ୍କର ହାତ, ଗୋଡ଼ ଦେହ କିଛି ନା କିଛି ଖଣ୍ଡିଆ ଖାବରା ହୋଇ ରକ୍ତାକ୍ତ ହୋଇଥିଲା । ଶାରିରୀକ ଏବଂ ମାନସିକ, ଉଭୟ ଦିଗରୁ ଅବସନ୍ନ ହୋଇପଡ଼ିଥିଲେ ସମସ୍ତେ ।

 

ଡେରାରେ ପହଞ୍ଚିବାମାତ୍ରେ ଯେ ଯେଉଁଠି ପାରିଲା, ଥକା ହୋଇ ବସିପଡ଼ିଲା । ଛୋଟରାୟଙ୍କର ଚିନ୍ତା ଶକ୍ତି ଲୋପ ପାଇଥିଲା କହିଲେ ଚଳେ । ନିଜ ତମ୍ବୁରେ କାଠପିତୁଳା ପରି ବସିରହିଥିଲେ ସେ । କାଳ ଯେ କି କରାଳ ରୂପ ଧରି ତାଙ୍କ ପରିବାର ପଛରେ ଧାଇଁଛି, ତାହା ସେ ବୁଝିପାରୁ ନଥିଲେ ।

 

କପାଳରେ ଖୁବ୍ ଧୀର ଶାତଳ ସ୍ପର୍ଶ ଅନୁଭବ କରିପାରୁଥିଲେ ରାଜା ପ୍ରବୀରଚନ୍ଦ୍ର । ଧୀରେ ଧୀରେ ତାଙ୍କର ଚେତନା ଫେରିଆସୁଥିଲା । ସମଗ୍ର ଶରୀରରେ ତାଙ୍କର ଗୋଟିଏ ଶୀତଳ ସ୍ରୋତ ସଞ୍ଚାରିତ ହୋଇଗଲା ପରି ବୋଧ ହେଉଥିଲା ତାଙ୍କୁ । ତା’ ସଙ୍ଗେ ସଙ୍ଗେ ଅଧିକରୁ ଅଧିକ ସଚେତନ ହୋଇଉଠୁଥିଲେ ସେ । ତାଙ୍କର ଅବସନ୍ନ ଅଙ୍ଗପ୍ରତ୍ୟଙ୍ଗଗୁଡ଼ାକ କ୍ରିୟାଶୀଳ ହୋଇଉଠୁଥିଲେ କ୍ରମେ କ୍ରମେ । ଦେହରେ ଶୀତଳତା ଲାଭ କରିବା ସଙ୍ଗେ ସଙ୍ଗେ ଖୁବ୍‌ ନିକଟରେ ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦ ସେ ଶୁଣିପାରିଲେ । ତା’ପରେ ପାଟିଭିତରେ ଜିଭକୁ ହଲାଇ ଦେଖିଲେ, ତାହା ଶୁଷ୍କ ନୁହେଁ, ପାଟିରେ ମଧୁର ସ୍ଵାଦ ପୂର୍ଣ୍ଣ ରହିଛି । ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସ୍ମରଣ ହେଲା, ଦୀର୍ଘ ସମୟ ପୂର୍ବରୁ ସୁଦ୍ଧା ସେ ଜଳପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି । ଅଥଚ ବର୍ତ୍ତମାନ - ପାଟିରେ ମଧୁର ସ୍ଵାଦ । ସେ କିଛି ଭ୍ରମରେ ପଡ଼ୁନାହାନ୍ତି ତ ! ନିଜର ଭ୍ରମ ଦୂର କରିବାପାଇଁ ଜିଭଟାକୁ ସେ ପାଟି ଭିତରେ ଏବଂ ଓଠ ଚାରିପଟେ ବୁଲାଇଆଣିଲେ । ଆଶ୍ଚର୍ଯ୍ୟ ! ସେଠାରେ ମଧ୍ୟ ସେହି ମଧୁର ରସର ସ୍ଵାଦ ।

 

ଓଠ ଚାରିପଟେ ଜିଭକୁ ବୁଲାଇ ଆଣିବା ସଙ୍ଗେ ସଙ୍ଗେ ସେ ଓଠରେ କିଛି ଗୋଟାଏ କଠିନ ପଦାର୍ଥର ଧୀର ସ୍ପର୍ଶ ପାଇଲେ । ଓଠଟାକୁ ବନ୍ଦ କରିଦେବେ କି ନାହିଁ ଭାବୁ ଭାବୁ କିଛି ମଧୁର ରସ ଅଜାଡ଼ି ହୋଇ ପଡ଼ିଲା ତାଙ୍କ ପାଟିରେ । ସେ ଏଥର ସ୍ପଷ୍ଟ ବାରିପାରିଲେ ଯେ ଏହା କମଳା ରସ ଛଡ଼ା ଆଉ କିଛି ନୁହେଁ । କେହି ଜଣେ ପାଖରେ ଥାଇ ତାହା ତାଙ୍କୁ ପିଆଇ ଦେଉଛି, ଏକଥା ମଧ୍ୟ ବୁଝିବାରେ ବିଳମ୍ୱ ହେଲା ନାହିଁ ତାଙ୍କ ପକ୍ଷରେ । ସେ ବାରମ୍ବାର ଗୋଟିଏ କଥା ଚିନ୍ତା କରିବାକୁ ଲାଗିଲେ ଯେ, ସେ ବର୍ତ୍ତମାନ କେଉଁଠି ?

 

ପୂର୍ବରାତିର ଘଟନା ସବୁ ଗୋଟି ଗୋଟି ହୋଇ ମନେ ପଡ଼ିଗଲା ତାଙ୍କର–କିଛି ସମୟପାଇଁ ତମ୍ବୁ ଭିତରେ ନିଦ ହୋଇଯାଇଥିଲା ତାଙ୍କୁ । ନିଦରେ ଶୋଇଥିବା ଅବସ୍ଥାରେ ସେ ସ୍ଵପ୍ନରେ ମାଳବିକାଙ୍କୁ ଦେଖିଥିଲେ । ତାଙ୍କରି ସ୍ଵର ମଧ୍ୟ ଶୁଣିଥିଲେ । ତାହା ଶୁଣି ସେ ଅନୁମାନ କରିଥିଲେ, ମାଳବିକା ଯେପରି ଜଙ୍ଗଲ ଭିତରେ ଖୁବ୍ ପାଖରେ ତାଙ୍କୁ ଡାକୁଛନ୍ତି । ତା’ପରେ ନିଦ ତାଙ୍କର ଚଟ୍ କରି ଭାଙ୍ଗି ଯାଇଥିଲା । ବିଛଣାରୁ ଉଠି ପଡ଼ି ସେ ଦେଖିଲେ ଅରିନ୍ଦମ ଶୋଇଯାଇଛି । ଏଣେ ମାଳବିକାଙ୍କର ଆହ୍ୱାନ ଘନ ଘନ ଭାବରେ କାନରେ ବାଜୁଥିଲା । ସେଇଟାଇ ସୁବର୍ଣ୍ଣ ସୁଯୋଗ ଭାବି ସେ ବନ୍ଧୁକଟି ଧରି ଚୁପ୍‌ କରି ଉଠିଆସିଲେ । ଡେରାରେ ଲୋକମାନେ ଶୋଇ ନଥିଲେ । କାଳେ ତାଙ୍କୁ କେହି ଦେଖି ଅଟକାଇବ, ଏଇ ଆଶଙ୍କାରେ ନିଜକୁ ଯଥାସମ୍ଭବ ଲୁଚାଇ ଲୁଚାଇ ପାଚେରି ଅତିକ୍ରମ କରି ଆସିଲେ ସେ; ଆଗରେ ନିବିଡ଼ ଜଙ୍ଗଲ । ତା’ରି ଭିତରେ ଖୁବ୍ ନିକଟରେ ସେ ମାଳବିକାଙ୍କର ଆହ୍ୱାନ ଶୁଣିପାରୁଥିଲେ ଯେପରି । ସେହି ଶବ୍ଦକୁ ଲକ୍ଷ୍ୟ କରି ଅନ୍ଧକାରମୟ ଜଙ୍ଗଲ ଭିତରେ ଆଗେଇଗଲେ ସେ । କ୍ରମେ ନିକଟରେ ମାଳବିକାଙ୍କର ସ୍ଵର ଶୁଭୁଥିଲା । ସେ ଯେତିକି ଆଗେଇଗଲେ, ସ୍ଵର ମଧ୍ୟ ସେତିକି ଘୁଞ୍ଚିଯାଉଥିଲା । ତଥାପି ତାଙ୍କର ଆଗେଇବା ବନ୍ଦ ନଥିଲା ସେଇ ଅନ୍ଧକାର ଭିତରେ ।

 

କେଉଁ ଆଡ଼କୁ ଲକ୍ଷ୍ୟ ନଥିଲା ତାଙ୍କର । ଅଥଚ ପର୍ବତରେ ଅନେକ ଉଚ୍ଚ ପର୍ଯ୍ୟନ୍ତ ଉଠିଆସିଥିଲେ ସେ । କଣ୍ଟା ଝଟା ଲାଗି ଦେହର କେତେକ ଅଂଶ ତାଙ୍କର ରକ୍ତାକ୍ତ ହୋଇଯାଇଥିଲା-। କିନ୍ତୁ ସେସବୁ ଦିଗକୁ ଧ୍ୟାନ ନଥିଲା ତାଙ୍କର । କେଉଁ ମାୟାର ଆକର୍ଷଣରେ ସେ ଆକର୍ଷିତ ହୋଇ ଆସୁଥିଲେ, ତାହା ମଧ୍ୟ ବୁଝିପାରିଲା ଭଳି ମାନସିକ ଅବସ୍ଥା ନଥିଲା ତାଙ୍କର ।

 

ଦାର୍ଘ ଦୁଇ ତିନି ଦିନ ଧରି ଅନାହାର । ସେଥି ଉପରକୁ ଗୁଡ଼ାଏ ବାଟ ଗୋଟିଏ ହୋସ୍‌ରେ ଚାଲି ଆସିବା ପରେ ସେ ପୂର୍ବ ଅବସ୍ଥାକୁ ଆସିବାକ୍ଷଣି ହତାଶ ହୋଇପଡ଼ିଲେ । ଅସମ୍ଭବ ପ୍ରକାରର ଶାରିରୀକ ଏବଂ ମାନସିକ ଦୁର୍ବଳତା ଅନୁଭବ କରିବାକୁ ଲାଗିଲେ ସେ । ନିବିଡ଼ ଅନ୍ଧକାର ଭିତରେ ବହୁ ଦୂର ପର୍ଯ୍ୟନ୍ତ ଅଗମ୍ୟ ଜଙ୍ଗଲ ଯେ ସେ ଅତିକ୍ରମ କରି ଆସିଛନ୍ତି ଏବଂ ବର୍ତ୍ତମାନ ଡେରା ପର୍ଯ୍ୟନ୍ତ ଫେରିଯାଇ ପାରିବା ତାଙ୍କର ସାଧ୍ୟାତୀତ, ଏକଥା ଚିନ୍ତା କଲାମାତ୍ରେ ତାଙ୍କର ବୁଦ୍ଧି ବଣା ହୋଇଗଲା । ଜଙ୍ଗଲ ବିପଦପୂର୍ଣ୍ଣ । ମଝିରେ ମଝିରେ ହିଂସ୍ରଜନ୍ତୁଙ୍କର ଗର୍ଜନବି ନିକଟରେ ଶୁଣାଯାଉଛି । ତାଙ୍କର ହାତରେ ରାଇଫଲ୍ ଅଛି । ସେଥିରେ ମାତ୍ର ଛଅଟି ଗୁଳି ରହିଛି । କିନ୍ତୁ ପାଖରେ ଆଲୋକ ନାହିଁ । ଦିନ ହେଲା ପର୍ଯ୍ୟନ୍ତ ଗୋଟାଏ ନିରାପଦ ସ୍ଥାନରେ ରହିବାକୁ ସ୍ଥିର କରି ସେ ଖୁବ୍‌ ନିକଟରେ କୌଣସି ସ୍ଥାନର ଅନୁସନ୍ଧାନ କରିବାକୁ ଲାଗିଲେ ।

 

ଖୁବ୍‌ ନିକଟରେ ବଡ଼ ବଡ଼ ଗଛ ଅନେକ ଥିଲା । ସେଗୁଡ଼ିକ ଏତେ ମୋଟା ଥିଲା ଯେ, ତା’ ଉପରକୁ ଚଢ଼ିବା ଅସମ୍ଭବ ମନେ ହେଲା ତାଙ୍କୁ । ଚଢ଼ିପାରିଲା ଭଳି ଗୋଟିଏ ଗଛର ସନ୍ଧାନ କରିବାକୁ ଲାଗିଗଲେ ସେ । ସ୍ଥାନଟା ପୁଣି ଏତେ ଗଡ଼ାଣିଆ

 

ଯେ ସେଠାରେ ସିଧା ଭାବରେ ଠିଆ ହେବା କଷ୍ଟକର । ସେ ଯେଉଁ ପଥରଖଣ୍ଡ ଉପରେ ଠିଆ ହୋଇଥିଲେ, ସେଟା ଯେ ଗଡ଼ ଗଡ଼ ହେଉଥିଲା, ତାହା ତାଙ୍କର ଧାରଣାର ବାହାରେ ଥିଲା ।

 

ହଠାତ ଖୁବ୍ ନିକଟରେ କାହାର ଚାପା ପାଦଶବ୍ଦ ଶୁଣାଗଲା ତାଙ୍କୁ । ହିଂସ୍ରଜନ୍ତୁ ଭୟରେ ଆତଙ୍କିତ ହୋଇଉଠିଲେ ସେ । ଉପସ୍ଥିତ କ୍ଷେତ୍ରରେ କ’ଣ କରିବାକୁ ହେବ, ତାହା ଚିନ୍ତା କରୁ କରୁ ଟିକିଏ ଅନ୍ୟମନସ୍କ ହୋଇପଡ଼ିବା ଫଳରେ ପାଦଭାରାର ସାମ୍ୟତା ହରାଇ ଥିଲେ ସେ । ଫଳରେ ପଥରଟା ଘଡ଼ଘଡ଼ କରି ଖସିଗଲା ତଳକୁ । ଆସନ୍ନ ଏବଂ ନିଶ୍ଚିତ ମୃତ୍ୟୁ ଭୟରେ ଆଖି ମୁଦିହୋଇଗଲା ତାଙ୍କର । ପଥର ସହିତ ପର୍ବତର କାହିଁ କେତେ ତଳେ ଦେହ ତାଙ୍କର ଛେଚି ହୋଇ ଧୂଳି ହୋଇଯିବ ମାତ୍ର କେଇ ମୁହୂର୍ତ୍ତ ମଧ୍ୟରେ–ଏତକ ସେ କଳ୍ପନା କରିପାରିଥିଲେ ସେତେବେଳେ ।

 

ହଠାତ କାହାର ବଳିଷ୍ଠ ହାତର ସ୍ପର୍ଶ ସେ ଅନୁଭବ କରିପାରିଥିଲେ ଦୁଇ ବାହୁ ଉପରେ ତାଙ୍କର । ସେଇ ବଳିଷ୍ଠ ହାତ ତାଙ୍କର ଟେକିଧରିଥିଲା ଶୂନ୍ୟରେ । ପଥରଟା ଘଡ଼ଘଡ଼ ଶବ୍ଦ କରି ଗଡ଼ି ଚାଲିଗଲା କାହିଁ କେତେ ତଳକୁ । ସେ କିନ୍ତୁ ସେଇ ହାତ ଦୁଇଟା କବଳରେ ବନ୍ଦୀ ହୋଇ ଶୂନ୍ୟରେ ଝୁଲିଲା ପରି ରହିଗଲେ । ତା’ପରେ ତାଙ୍କର କ’ଣ ହେଲା ସ୍ମରଣ ନାହିଁ । ସମ୍ଭବତଃ ସଂଜ୍ଞା ଲୋପ ପାଇଯାଇଥିଲା ତାଙ୍କର । ବର୍ତ୍ତମାନ ପୂର୍ବରାତିର କଥା ସ୍ମରଣ କରିବା ସଙ୍ଗେ ସଙ୍ଗେ ବୋଧ କରୁଥିଲେ ଯେ, ସେ ଜୀବନରେ ଏବଂ ଅକ୍ଷତ ଅବସ୍ଥାରେ ଅଛନ୍ତି ।

 

ପୂର୍ବାପେକ୍ଷା ସେ ଟିକେ ସୁସ୍ଥ ବୋଧ କରୁଥିଲେ । କେହି ଜଣେ ଖୁବ୍ ଯତ୍ନର ସହିତ ତାଙ୍କର ଶୁଶ୍ରୂଷା କରୁଛି ବୋଲି ନିର୍ଭୁଲ ଭାବରେ ଅନୁମାନ କରିପାରିଲେ । ଏଥର ସାହସ ସଞ୍ଚୟ କରି ଆଖି ଫିଟାଇ ଚାହିଁଲେ ସେ, କିନ୍ତୁ ଆଖି ଆଗରେ ଯେଉଁ ଦୃଶ୍ୟ ସେ ଦେଖିବାକୁ ପାଇଲେ ସେଥିରେ ଭୟରେ ଶୀତେଇଉଠିଲା ଦେହ ତାଙ୍କର । ସେ ଦେଖି ପାରିଲେ, ଗୋଟାଏ ଭୀଷଣ ଗରିଲା ଫଳ ରସର ପାତ୍ରଟାଏ ତାଙ୍କ ପାଖରେ ଧରି ତାଙ୍କୁ କଟମଟ କରି ଚାହିଁଛି ଏକଦୃଷ୍ଟିରେ ।

 

ଭୟ ଏବଂ ବିସ୍ମୟର ମିଳିତ ସମାବେଶରେ ପୁଣି ଭାରାକ୍ରାନ୍ତ ହୋଇଉଠିଲା ମନ ତାଙ୍କର । ଏତିକିବେଳେ ଗରିଲାଟା କିପରି ଗୋଟାଏ କିଚିରି ମିଚିରି ଶବ୍ଦ କରିଉଠିଲା । ରାଜାସାହେବ ଟିକିଏ ଆଶ୍ୱସ୍ତ ହେଲେ, କାରଣ ସେ ବୁଝିପାରିଲେ ଯେ, ଏ ଶବ୍ଦ ଗରିଲାର କ୍ରୋଧସୂଚକ ନୁହେଁ; ଆନନ୍ଦ ସୂଚକ । ରାଗିଲେ ଗରିଲା ଭୀଷଣ ଗର୍ଜନ କରେ, ଯାହାକୁ ଶୁଣିଲେ ବଣର ହାତୀ ପର୍ଯ୍ୟନ୍ତ ଭୟରେ ଥରହର ହୋଇଉଠେ ।

 

ଗରିଲାଟା ଶବ୍ଦ କଲା ପରେ ପରେ ସେ ଆଉ ଜଣେ କାହାରି ପାଦଶବ୍ଦ ଖୁବ୍ ପାଖରେ ଶୁଣିପାରିଲେ । ଏଥର ସେ ଅଧିକ ବିପଦର ଆଶଙ୍କା କରି ମନେ ମନେ ପ୍ରମାଦ ଗଣିବାକୁ ଲାଗିଲେ । ହଠାତ କି ବିପଦର ସମ୍ମୁଖୀନ ହେବାକୁ ପଡ଼ିବ ତାଙ୍କୁ, ତାହାହିଁ ସେ ଅପେକ୍ଷା କରୁଥିଲେ ।

 

“ଆପଣ ସୁସ୍ଥବୋଧ କରୁଥିଲେ ନିର୍ଭୟରେ ଉଠି ବସିପାରନ୍ତି” ହଠାତ ତାଙ୍କ ପାଖରେ ମନୁଷ୍ୟର କଣ୍ଠସ୍ଵର ଶୁଣିପାରି ପ୍ରଥମେ ନିଜକୁ ବିଶ୍ୱାସ କରିପାରିଲେ ନାହିଁ । ପରମୁହୂର୍ତ୍ତରେ ନିଜର ଭ୍ରମ ଦୂର କରି ସେ ଆଖି ଫିଟାଇ ଚାହିଁଲେ । ଦେଖିଲେ, ତାଙ୍କ ଆଗରେ ସାହେବ ପୋଷାକଧାରୀ ଜଣେ ହୃଷ୍ଟପୁଷ୍ଟ ବଳିଷ୍ଠ ଯୁବକ ଠିଆ ହୋଇଛି ।

 

ତାଙ୍କର ଚାହିଁବା ଦେଖି ଖୁବ୍ ଆସ୍ତେ ବେକତଳେ ହାତ ଦେଇ ତାଙ୍କୁ ଉଠାଇ ବସାଇଦେଲା ଯୁବକଟି । ରାଜା ପ୍ରବୀରଚନ୍ଦ୍ର ଦେଖିଲେ, ସେ ବର୍ତ୍ତମାନ ଯେଉଁଠାରେ ଅଛନ୍ତି, ସେଟା ଗୋଟାଏ ପର୍ବତର ଚୂଡ଼ା । ସ୍ଥାନଟା ବହୁ ଉଚ୍ଚ ଏବଂ ରମଣୀୟ ମଧ୍ୟ । ପର୍ବତର ଚୂଡ଼ା ହେଲେ ମଧ୍ୟ ବେଶ୍ ପ୍ରଶସ୍ତ ଏବଂ ପରିଷ୍କାର ଜାଗାଟା । ବହୁଦୂର ପର୍ଯ୍ୟନ୍ତ ପଥର ଚଟାଣ । ଖୁବ୍ ନିକଟରେ ଗୋଟାଏ ଝରଣା ଥିଲା ବୋଧହୁଏ । କାରଣ ତାହା ଯଦିଓ ଦେଖାଯାଉ ନଥିଲା ପାଣି ପଡ଼ିବାର ଶବ୍ଦ ଶୁଣାଯାଉଥିଲା । ସେଇ ପ୍ରଶସ୍ତ ସ୍ଥାନର ଗୋଟାଏ କଡ଼ରେ ପଥରକୁ ପଥର ଖଞ୍ଜା ଯାଇ କେତୋଟି ଗୁହା ।

 

ବିସ୍ମୟର ସହିତ ଚତୁର୍ଦ୍ଦିଗକୁ ଦୃଷ୍ଟିପାତ କରିବା ସଙ୍ଗେ ସଙ୍ଗେ ତାଙ୍କର ସ୍ମରଣ ହେଉଥିଲା–ସେ ଦିନ ଶିକାରରୁ ଫେରିଲାବେଳେ ‘ତାରଜନ୍’ ଲେଖା ଦେଖିବା କଥା । ଏଇ ତେବେ ତାରଜନ୍ ହେବ ବୋଧହୁଏ । ତାହାହେଲେ ମାଳବିକାଙ୍କର ଅପହରଣକାରୀ ଏଇ ! ଏଇ କଥା ଚିନ୍ତା କରି କ୍ରୋଧରେ ଥରି ଉଠିଲେ ସେ । ମୁଖର ଭାବ ବଦଳିଗଲା ତାଙ୍କର ।

 

ତାଙ୍କର ମୁଖଭାବ ଦେଖି ମନୋଭାବ ବୋଧହୁଏ ବୁଝିପାରିଲା ଯୁବକଟି । ଖୁବ୍ ଶାନ୍ତ ଭାବରେ କହିଲା–ମୁଁ ଆପଣଙ୍କର ଶତ୍ରୁ ନୁହେଁ । ଆଗେ ଆପଣ ଟିକେ ସୁସ୍ଥ ହୁଅନ୍ତୁ । ପରେ ସବୁକଥା ଜାଣିପାରିବେ । ତା’ପରେ ଆପଣ ଇଚ୍ଛା କଲେ ମୁଁ ଡେରା ପର୍ଯ୍ୟନ୍ତ ଆପଣଙ୍କୁ ପହଞ୍ଚାଇଦେଇପାରେ ।

 

କଥା କେଇ ପଦ ଖୁବ୍ ସାନ୍ତ୍ଵନାଦାୟକ ଶୁଣା ଗଲା ରାଜାସାହେବଙ୍କୁ । ଆଗ୍ରହ ନଥିଲେବି ପ୍ରସ୍ତାବରେ ସମ୍ମତ ହେବା ଛଡ଼ା ଦ୍ଵିତୀୟ ଉପାୟ ନଥିଲା ତାଙ୍କର । ଯୁବକଟିର ପାଖରେ ଗରିଲାଟା ଧୀର ଶାନ୍ତ ଭାବରେ ଠିଆହୋଇ ରହିଥିଲା । ଉଚ୍ଚତା ଦୃଷ୍ଟିରୁ ଦେଖିବାକୁ ଗଲେ ଯୁବକଟି ଦୀର୍ଘକାୟ ଥିଲା; କିନ୍ତୁ ଗରିଲାଟା ଥିଲା ତା’ଠାରୁ ପ୍ରାୟ ଆହୁରି ଫୁଟେ ଅଧିକ ଉଚ୍ଚ । ତା’ର ମୋଟା ମୋଟା ଲମ୍ବ ଲମ୍ବ ହାତଗୋଡ଼, ବିଶାଳ ଦେହ, କର୍କଶ ଲମ୍ଵ ଲମ୍ବ ଧୂସର ଲୋମଗୁଡ଼ାକୁ ଚାହିଁ ମନେ ମନେ ଖୁବ୍ ଭୟ ପାଇଯାଉଥିଲେ ରାଜାସାହେବ ।

 

“ଆସନ୍ତୁ ମୋ ସାଙ୍ଗରେ”—କହିବା ସଙ୍ଗେ ସଙ୍ଗେ ରାଜାସାହେବଙ୍କ ହାତ ଧରି ଉଠିବାରେ ସାହାଯ୍ୟ କଲା ଯୁବକଟି ।

 

ବାଧା ଦେବାକୁ ସାହସ ନଥିଲା ରାଜାପ୍ରବୀରଚନ୍ଦ୍ରଙ୍କର । ଯନ୍ତ୍ରଚାଳିତ ପରି ସେ ଚାଲିଲେ ତା’ ସହିତ ଗୁହାଆଡ଼କୁ । ତାଙ୍କ ପଛେ ପଛେ ଗରିଲାଟା ମଧ୍ୟ ।

 

ନଅ

 

ଏଥର ବାତାବରଣ ସୁବିଧା ଜନକ ମନେ ହେଉ ନଥିଲା ମିଷ୍ଟର ସୁଦୀପ ସିଂଙ୍କୁ । ଛୋଟରାୟ ଯେ ଚମଟ ଲଗାଇଛନ୍ତି ତାହା ତାଙ୍କର ବୋଧଶକ୍ତିର ବାହାରେ ଥିଲା । ଗୋଟାଏ ପ୍ରହେଳିକା ପରି ତାଙ୍କୁ ବୋଧ ହେଉଥିଲା । ସେ ଭାବୁଥିଲେ—ଦୁଇ ଚାରିଦିନ ପାଇଁ କହ୍ନେଇଁଆ ରାଓ କୁଆଡ଼େ ଚାଲିଗଲା । କେହି ତା’ର ସୁରାକ ସୁଦ୍ଧା ପାଇପାରିଲେ ନାହିଁ । ପୁଣି ଅଚାନକ ଭାବରେ ଆଜି ସକାଳୁ ସକାଳୁ ଆସି ପହଞ୍ଚିଯାଇଛି ଗୋଟାଏ ସନ୍ଧାନକାରୀ ଦଳ ସହିତ–ରାଜାସାହେବ ଏବଂ ମାଳବିକାଙ୍କର ସନ୍ଧାନ ନବାପାଇଁ ଏ ନିବିଡ଼ ଅରଣ୍ୟରେ । ସେମାନଙ୍କ କଥାବାର୍ତ୍ତାରୁ ସେ ଯାହା ଏତକ ଜାଣିପାରିଛନ୍ତି; କିନ୍ତୁ ସେମାନେ କିଛି ଜଣାଇନାହାନ୍ତି ତାଙ୍କୁ । ଆଚ୍ଛା-! ଦେଖାଯାଉ, ଏ ଶହ ଶହ ମାଇଲ ଧରି ଜଙ୍ଗଲ ଆଉ ଦୁର୍ଗମ, ଅଲଙ୍ଘ୍ୟ ପାହାଡ଼, ପର୍ବତମାଳା ଭିତର ଦେଇ କାହାର ସନ୍ଧାନ ପାଉଛନ୍ତି ସେମାନେ । ମନେ ମନେ ଖୁବ୍ ହସିଉଠିଲେ ସେ ।

 

ଅରିନ୍ଦମ ଛୋଟରାୟ କି ଜାଣିଶୁଣି ମିଷ୍ଟର ସିଂଙ୍କୁ କିଛି ଜଣାଇବାକୁ ମନ କରି ନଥିଲେ-। ଆରମ୍ଭରୁ ତାଙ୍କୁ ମିଷ୍ଟର ସିଂ ସନ୍ଦେହଜନକ ମନେ ହୋଇଥିଲେ । ତା’ପରେ ତାଙ୍କର କାର୍ଯ୍ୟକଳାପ ତାଙ୍କୁ ଏହି ଧାରଣା ଉପରେ ଦୃଢ଼ନିଶ୍ଚିତ କରାଇଥିଲା । ତାଙ୍କ ପରିବାରର ଏ ଦୁର୍ଭାଗ୍ୟଜନକ ପରସ୍ଥିତି ପାଇଁ ମିଷ୍ଟର ସିଂଙ୍କ ବ୍ୟତୀତ ଦ୍ଵିତୀୟ ବ୍ୟକ୍ତିକୁ ଦାୟୀ ବୋଲି ସେ ଭାବୁ ନଥିଲେ । ବରଂ ମିଷ୍ଟର ସିଂଙ୍କୁ ଜଣେ ଅତି ମାରାତ୍ମକ ବ୍ୟକ୍ତି ଦୃଷ୍ଟିରେ ସେ ଦେଖି କୌଣସି ପ୍ରକାରେ ତାଙ୍କୁ ହାତରେ ରଖିବାର ଚେଷ୍ଟା କରୁଥିଲେ ।

 

କିନ୍ତୁ ବର୍ତ୍ତମାନ ତାଙ୍କର ସେ ଦୁର୍ବଳ ମନୋଭାବ କଟି ତ ଯାଇଥିଲା । ଯେତେଦୂର ବିପଦର ଆଶଙ୍କା କରାଯାଇପାରେ, ତାହା ସେ ଭୋଗିସାରିଥିଲେ । ଏଣିକି ବିପଦ ସହିତ ଯୁଦ୍ଧ କରିବାପାଇଁ ସେ ମନେ ମନେ ନିଜକୁ ଉତ୍ସର୍ଗ କରିଦେଇଥିଲେ । କହ୍ନେଇଁଆ ରାଓ ସହିତ ପରାମର୍ଶ କରି ସେ ଖଣ୍ଡିଏ ଚିଠି ଗୁପ୍ତରେ ଉଦିତପୁରର ଦେୱାନଙ୍କ ନିକଟକୁ ପଠାଇଦେଇଥିଲେ । ସେହି ପତ୍ରାଦେଶ ଅନୁଯାୟୀ ଆସିଥିଲେ ଗୋଟିଏ ଅନୁସନ୍ଧାନକାରୀ ଦଳ ସେଠାରୁ ।

 

ଅନୁସନ୍ଧାନକାରୀ ଦଳର ଅଧିନାୟକତ୍ଵ ନେଇଥିଲେ ସୁବିଖ୍ୟାତ ଡିଟେକ୍‌ଟିଭ୍ ରୂପନାରାୟଣ ଦାସ, ଆଉ ତାଙ୍କର ସହକାରୀ ହରଗୋବିନ୍ଦ ଚୌଧୁରୀ । ଦଳର ନିରାପତ୍ତା ପାଇଁ ଥିଲେ ଦୁଇଜଣ ମଲ୍ଲ ଯୋଦ୍ଧା ଆଉ କେତେଜଣ ଅତି ସୁଶିକ୍ଷିତ ଏବଂ ବିଶ୍ଵାସୀ ରାଜଅନୁଚର । ଛୋଟରାୟ ତାଙ୍କ ପକ୍ଷରେ ସଂକ୍ଷେପରେ ସବୁ ବିଷୟ ଉଲ୍ଲେଖ କରିଥିଲେ । ପତ୍ରପ୍ରାପ୍ତିମାତ୍ରକେ ଦେବାନ ବାହାଦୁର ବଛା ବଛା ଲୋକଙ୍କୁ ପଠାଇଦେଇଛନ୍ତି । ରାଜା ପ୍ରବୀର ଚନ୍ଦ୍ରଙ୍କ ଅନୁସନ୍ଧାନ ପାଇଁ ସଙ୍ଗରେ ବହୁ ସଂଖ୍ୟକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯନ୍ତ୍ରପାତି ପ୍ରଭୃତି ମଧ୍ୟ ଅଛି ସେମାନଙ୍କର । ଏହି ବିରାଟ ଦଳର ସାହଚର୍ଯ୍ୟ ଲାଭ କରିବା ମୁହୂର୍ତ୍ତରୁ ଛୋଟରାୟ ମନରେ ଅସୀମ ସାହସ ଲାଭ କରିପାରିଛନ୍ତି । ତେଣୁ ମିଷ୍ଟର ସିଂଙ୍କୁ ପଚରାପଚରି କରିବାର ଆବଶ୍ୟତା ବିଶେଷ ଭାବରେ ଉପଲବ୍‌ଧି କରିପାରିନାହାନ୍ତି ସେ । ମାତ୍ର ଛୋଟରାୟଙ୍କର ଏ ମନୋଭାବ ଅସହ୍ୟ ହୋଇପଡ଼ିଛି ମିଷ୍ଟର ସିଂଙ୍କ ପକ୍ଷରେ ।

 

ଅରିନ୍ଦମ ଛୋଟରାୟ ଏହି ଦଳର ସଭ୍ୟମାନଙ୍କର ପରିଚୟ ଗୋପନ ରଖିବାକୁ ଆଦେଶ ଦେଇଥିଲେ ତାଙ୍କର ଲୋକମାନଙ୍କୁ । ବାହାର ଲୋକ ଜାଣିବାକୁ ଏମାନେ ଥିଲେ ସାଧାରଣ ଶିକାରୀ । ଶିକାରରେ ଅରିନ୍ଦମ ଛୋଟରାୟଙ୍କୁ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ରାଜାସାହେବ ଏବଂ ମାଳବିକାଙ୍କର ସନ୍ଧାନ ନେବା ଥିଲା ଏହି ଦଳର ଲକ୍ଷ୍ୟ । ଛୋଟରାୟ ଏବଂ ରୂପନାରାୟଣବାବୁ ପ୍ରଭୃତି ଯାହା ପରାମର୍ଶ କରନ୍ତି ତାହା ଖୁବ୍ ଗୋପନରେ । ତମ୍ବୁ ଚତୁର୍ଦ୍ଦିଗରେ ସତର୍କ ପହରା ରଖି ଆଲୋଚନାର ଆରମ୍ଭ ହୁଏ । ଭଙ୍ଗାତୁଟା ପାଚେରି ପୁଣି ସୁଦୃଢ଼ ଭାବରେ ମରାମତି ହୋଇଗଲାଣି ଏହା ମଧ୍ୟରେ । ମୋହନ ସିଂ ଏବଂ ଆହତା ପରିଚାରିକାଟି ସୁସ୍ଥ ହୋଇଉଠିଲେଣି ଆଉ କୌଣସି ପ୍ରକାର ବିପଦ ଘଟିନାହିଁ ଡେରା ଉପରେ । ସମସ୍ତଙ୍କ ଅଲକ୍ଷ୍ୟରେ ରୂପନାରାୟଣବାବୁ ଦୁର୍ଘଟନା ଘଟିଥିବା ସ୍ଥାନଗୁଡ଼ିକ ଭଲଭାବରେ ପରୀକ୍ଷା କରି ଦେଖିନେଲେଣି । ନିବିଡ଼ ଜଙ୍ଗଲ, ବିସ୍ତୃତ ପାହାଡ଼, ପର୍ବତମାଳା, ଶ୍ଵାପଦ ଓ ବିପଦସଙ୍କୁଳ ଅରଣ୍ୟରେ ଅନୁସନ୍ଧାନ କରିବା ଅବଶ୍ୟ ଘୋର ନୈରାଶ୍ୟଜନକ । ତଥାପି ପ୍ରତ୍ୟେକେ ଦୃଢ଼ପ୍ରତିଜ୍ଞ, ଯେପରି ହେଉ, ଏମାନଙ୍କର ସନ୍ଧାନ ନେବାକୁ ହେବ । ସେହି ଉଦ୍ଦେଶ୍ୟରେ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବସ୍ଥା ମଧ୍ୟ ସଙ୍ଗରେ ଆଣିଛନ୍ତି ସୁବିଧାପାଇଁ ।

 

ଶିକାରୀ ଦଳର ଏ ଯନ୍ତ୍ରପାତି ସବୁ କି ଦରକାରରେ ଲାଗିପାରେ ତାହାହିଁ ଚିନ୍ତା କରି ଆଶ୍ଚର୍ଯ୍ୟ ହେଉଛନ୍ତି ମିଷ୍ଟର ସିଂ । ଗୋଟାଏ ବିରାଟ କୌତୁହଳ ନେଇ ସେ ଅପେକ୍ଷା କରିଛନ୍ତି–ଶିକାରୀମାନେ କିପରି ଶିକାର କରିବେ, ଦେଖିବାକୁ ।

 

ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଯାଇଛି ଅନେକ ବେଳରୁ ।

 

ଚତୁର୍ଦ୍ଦଶୀ ତିଥିର ଉଜ୍ଜ୍ଵଳ ଚନ୍ଦ୍ରାଲୋକରେ ପର୍ବତର ଚୂଡ଼ାଟା ସମ୍ପୂର୍ଣ୍ଣ ଆଲୋକିତ ହୋଇଉଠିଛି । ଗୁହା ସାମନାରେ ଖଣ୍ଡିଏ ପ୍ରକାଣ୍ଡ ପଥର ଉପରେ ରାଜାସାହେବ ଆଉ ତାଙ୍କର ଶୁଶ୍ରୂଷାକାରୀ ସେଇ ଯୁବକଟି ବସିଥିଲେ । ଖଣ୍ଡେ ଛଡ଼ାରେ ଗୋଡ଼ ଦୁଇଟା ଲମ୍ବାଇଦେଇ ଗୋଟିଏ ଦାନବ ପରି ବସିଥିଲା ଗରିଲାଟା । କୁରାଳଚକ୍ର ପରି ତା’ର ଆଖି ଦୁଇଟାର ସତର୍କ ଚାହାଣି ବୁଲୁଥିଲା ଚତୁର୍ଦ୍ଦିଗରେ ବହୁଦୂର ପର୍ଯ୍ୟନ୍ତ ।

 

ପୂରା ଗୋଟିଏ ଦିନ ଏବଂ ଗୋଟିଏ ରାତି ବିତିଯାଇଛି ୟା ମଧ୍ୟରେ । ନିୟମିତ ଆହାର ଏବଂ ବିଶ୍ରାମ ଫଳରେ ସେ ଯଥେଷ୍ଟ ସୁସ୍ଥ ଅନୁଭବ କରୁଛନ୍ତି । ଯୁବକଟିଠାରେ ମିତ୍ରତା ଭିନ୍ନ କୌଣସି ପ୍ରକାର ଶତ୍ରୁତା ଆଚରଣ ସେ ଲକ୍ଷ୍ୟ କରି ପାରିନାହାନ୍ତି । ତାଙ୍କର ଧାରଣା କ୍ରମେ ପରିବର୍ତ୍ତିତ ହୋଇଆସୁଛି ଯୁବକଟି ପ୍ରତି ।

 

ସବୁଠାରୁ ଅଧିକ ବିସ୍ମିତ କରିଛି ତାଙ୍କୁ ଗରିଲା—‘ସୁଲତାନ’ । ‘ସୁଲତାନ’ ଗରିଲାର ଯୁବକଦତ୍ତ ନାମ । ତାକୁ ଗରିଲା ନ କହି ଜଣେ ବୁଦ୍ଧିମାନ୍, ବିଚାରବନ୍ତ, ବିଚକ୍ଷଣ ମନୁଷ୍ୟ ସହିତ ତୁଳନା କରାଯାଇପାରେ । ଏଇ କେତେକାଳ ସେ ଲକ୍ଷ୍ୟ କରିଛନ୍ତି—ସୁଲତାନ ଜଙ୍ଗଲରୁ ବାଛି ବାଛି ସୁସ୍ଵାଦ ଫଳ ତୋଳିଆଣୁଛି । ଝରଣାରୁ ବାଲଟି ବାଲଟି ପାଣି ବୋହିଆଣୁଛି । ଶୁଖିଲା କାଠ ସବୁ ଗଛରୁ ଭାଙ୍ଗି ନେଇ ଆସୁଛି । ଦୁର୍ଭାଗ୍ୟର କଥା, ସେ ଭାଷା ପ୍ରକାଶ କରିପାରୁନାହିଁ, କିନ୍ତୁ କହିଦେଲେ ବୁଝୁଛି ଏବଂ ସେହି ଅନୁସାରେ ଆଦେଶ ପାଳନ କରୁଛି ମଧ୍ୟ ।

 

‘‘ଆପଣ କ’ଣ ଏବେ ଡେରାକୁ ଫେରିଯିବାକୁ ଚାହୁଁଛନ୍ତି ?” ଦୀର୍ଘ ସମୟର ନୀରବତା ଭଙ୍ଗ କରି ପଚାରିଲା ଯୁବକଟି । ଉତ୍ତରରେ ଅନେକ କିଛି କହିବାକୁ ଇଚ୍ଛା ହେଉଥିଲା ରାଜାସାହେବଙ୍କର ! କିନ୍ତୁ ସେ ସଂକ୍ଷେପରେ କହିଲେ—“ହଁ, ତା’ ଅବଶ୍ୟ ହେଉଛି; କିନ୍ତୁ ଆପଣଙ୍କର ପରିଚୟ ନ ପାଇ ଯାଇପାରୁନାହିଁ । ଯଦି ପରିଚୟ ନ ପାଇ ମୁଁ ଫେରିଯାଏଁ, ତେବେ ଏ କୌତୁହଳ ମୋର ସାରା ଜୀବନପାଇଁ ଗୋଟାଏ ଅବଶୋଷ ହୋଇ ରହିଯିବ ।”

 

ଯୁବକଟି ସାମାନ୍ୟ ହସି କହିଲା—“ତା’ ହେବା ସ୍ଵାଭାବିକ ମଧ୍ୟ ।” ତେବେ ଅତୀତର ସେ ବିରାଟ ଇତିହାସ ଶୁଣିଲେ ଆପଣଙ୍କର କିଛି ଲାଭ ନାହିଁ । ତଥାପି ଶୁଣନ୍ତୁ–

 

ରାଜାସାହେବ ଆଗ୍ରହରେ ଚାହିଁରହିଲେ ଯୁବକଟିଆଡ଼େ ।

 

–“ଦୀର୍ଘ ପନ୍ଦରବର୍ଷ ତଳର କଥା । ମୁଁ ସେତେବେଳେ ମାତ୍ର ବାରବର୍ଷର ବାଳକ । ଉତ୍ତରଭାରତର କେଉଁ ଜାଗା ସେଟା ମୋର ଠିକ୍ ମନେ ନାହିଁ । ବାପା ମୋର ସେଠି ଥିଲେ ଜଣେ ଖଣି ଇଞ୍ଜିନିୟର; ଆମର ବଙ୍ଗ୍‍ଲୋ ଥିଲା । ଗାଡ଼ି, ଘୋଡ଼ା, ଚାକରବାକର ଥିଲେ । ମୁଁ ଅତି ଶୈଶବରୁ ମାତୃହୀନ ଥିଲି । ପିତାଙ୍କର ଏକମାତ୍ର ସନ୍ତାନ ଏବଂ ମାତୃହୀନ ବୋଲି ବାପା ମୋତେ ଅତି ସ୍ନେହ କରୁଥିଲେ । କାଳେ ମୋର ସୁଖସ୍ଵାଚ୍ଛନ୍ଦ୍ୟରେ କିଛି ବାଧା ପଡ଼ିବ, ଏଇ ଆଶଙ୍କାରେ ସେ ଦ୍ଵିତୀୟବାର ବିବାହ କରି ନଥିଲେ, ଯଦିଓ ତାଙ୍କର ବୟସ ଅଧିକ ହୋଇ ନଥିଲା । ମୁଁ ଚାକର ତତ୍ତ୍ଵାବଧାନରେ ବଢ଼ୁଥିଲି ଏବଂ ଘରୋଇ ଶିକ୍ଷକଙ୍କଦ୍ଵାରା ଶିକ୍ଷା ପାଉଥିଲି । ବାହାର ଲୋକଙ୍କ ସହିତ ବେଶି ମିଳାମିଶା କରିବାର ସୁବିଧା ମୋର ନଥିଲା । ତେଣୁ ବାହାର ଦୁନିଆ ବିଷୟରେ ମୁଁ ଏକବାରେ ଅଜ୍ଞ ଥିଲି କହିଲେ ଚଳେ । ବାପା ମୋତେ ଖୁବ୍ ଭଲ ପାଉଥିଲେ ଏବଂ କେଉଁଆଡ଼େ ଗସ୍ତରେ ସୁଦ୍ଧା ଗଲେ ମୋତେ ସାଙ୍ଗରେ ନେଇଯାଉଥିଲେ । ଦିନଗୁଡ଼ିକ ମୋର ଖୁବ୍ ସୁଖରେ କଟିଯାଉଥିଲା ।

 

“ହଠାତ ଦିନେ ଖଣି କର୍ତ୍ତୃପକ୍ଷ ଏ ଅଞ୍ଚଳରେ ଖଣି ଖୋଳାଇବାକୁ ମନସ୍ଥ କଲେ । ପ୍ରାଥମିକ ସର୍ଭେ କାମର ଦାୟିତ୍ଵ ମୋର ବାପାଙ୍କ ଉପରେହିଁ ଦିଆଗଲା । ସ୍ଥାନଟା ବିପଦପୂର୍ଣ୍ଣ ଅରଣ୍ୟ ବୋଲି ଅଜଣା ନଥିଲା କାହାକୁ । ତେଣୁ କେତେଜଣ ଶିକାରୀ ମଧ୍ୟ ବାପାଙ୍କ ସାଙ୍ଗରେ ଆସିଥିଲେ । ସବୁଥର ପରି ସେଥର ମଧ୍ୟ ମୁଁ ବାପାଙ୍କ ସହଯାତ୍ରା ଥିଲି ।

 

“ଏଠାରେ ଆସି ପହଞ୍ଚିଲା ପରେ ମିଷ୍ଟର ସୁଦୀପ ସିଂଙ୍କ ସହିତ ସାକ୍ଷାତ ହେଲା ଆମର-। ଜଙ୍ଗଲର ଫରେଷ୍ଟ ଅଫିସର ହିସାବରେ ସେ ଆମକୁ ଅନେକ ସାହାଯ୍ୟ କରିପାରିବେ ବୋଲି ବାପା ତାଙ୍କର ସହାୟତା ଲୋଡ଼ିଲେ । ସେ ମଧ୍ୟ ସବୁପ୍ରକାର ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଲେ । ତା’ପରେ ସର୍ଭେକାମ ଚାଲିଲା । ମଝିରେ ମଝିରେ ଶିକାରବି ହେଉଥାଏ । ଖୁବ୍ ମଉଜ ମଜଲିସରେ ଦିନ କେତୋଟି କଟିଗଲା ।

 

“ଦିନେ ସର୍ଭେ କରୁ କରୁ ବାପା ଗୋଟାଏ ବିରାଟ ରୁପାଖଣିର ସନ୍ଧାନ ଏଇଠି ପାଇଲେ-। ଅବଶ୍ୟ ଆମେ ଅଳ୍ପ କେତେଜଣ ଏକଥା ଜାଣିଲୁ । ମିଷ୍ଟର ସିଂ ମଧ୍ୟ ଜାଣିପାରିଥିଲେ । ସେ ଖଣି କର୍ତ୍ତୃପକ୍ଷଙ୍କୁ ଉକ୍ତ ଖଣି ବିଷୟ ନ ଜଣାଇବାକୁ ବହୁତ ପ୍ରବର୍ତ୍ତାଇ ଥିଲେ । ତାଙ୍କର ଇଚ୍ଛା ଥିଲା, ରୁପାଖଣିଟାକୁ ଏକଚାଟିଆ କରି ନେବାକୁ । ନିର୍ଦ୍ଦିଷ୍ଟ ସ୍ଥାନଟା ସେ ଜାଣିବାକୁ ଚାହୁଁଥିଲେ । ମାତ୍ର ବାପା ତାଙ୍କୁ ସେତକ କହିଦେଇ ନଥିଲେ । ବରଂ ଖଣି କର୍ତ୍ତୃପକ୍ଷଙ୍କୁ ସବୁ କଥା ଜଣାଇବାକୁ ସିଦ୍ଧାନ୍ତ କରିଥିଲେ । ସେ ଇଚ୍ଛା କରିଥିଲେ ଖଣିଟାକୁ ଏକଚାଟିଆ କରିନେଇ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ମାଲିକ ହୋଇପାରିଥାନ୍ତେ । କିନ୍ତୁ ସେପରି ପ୍ରକୃତିର ବ୍ୟକ୍ତି ସେ ନଥିଲେ । ଅନ୍ୟାୟ ଓ ଅନୀତି ପ୍ରତି ତୀବ୍ର ଘୃଣା ଥିଲା ତାଙ୍କର ।

 

“ଏଇ ଘଟନାରୁ ଆମର ଦୁର୍ଦ୍ଦିନ ଆରମ୍ଭ ହେଲା । ସେଦିନ ଆମେ ଖାଇପିଇ ସବୁଦିନପରି ତମ୍ବୁ ଭିତରେ ଶୋଇଲୁ । ଶୀତଦିନ । ପ୍ରଚଣ୍ଡ ଥଣ୍ଡା ହେଉଥାଏ । ବାହାରେ ନିଆଁ ଜଳାଇରଖି ଜଗୁଆଳୀମାନେ ମଧ୍ୟ ତମ୍ବୁଭିତରେ ଶୋଇଯାଇଥାନ୍ତି ନିଘୋଡ଼ ନିଦରେ । ମୁଁ ଠିକ୍ ସମୟଟା କହିପାରୁନି ତେବେ ରାତି ଗୋଟାଏ ହେବ ବୋଧହୁଏ, ହଠାତ ଆମର ତମ୍ବୁଗୁଡ଼ା ହୁ’ ହୁ’ ହୋଇ ଜଳିଉଠିଲା । କିଏ ଲଗାଇଲା କିପରି ଲାଗିଲା–ବୁଝୁଛି କିଏ ? ପ୍ରାଣରକ୍ଷାହିଁ ସମସ୍ୟା ହୋଇଉଠିଲା ସେତେବେଳେ । ଜିନିଷପତ୍ର ଛାଡ଼ି ଖାଲି ଦିହେ ଦିହେ ବାହାରେ ଆସି ଠିଆହେଲୁ । ସେତିକିରେ ଆମ ଦୁର୍ଗତିର ଅବସାନ ହେଲା ନାହିଁ; ମାତ୍ର କେତେ ମିନିଟ ପରେ ଜଙ୍ଗଲଭିତରୁ ଦଳେ ବଣୁଆଲୋକ ନାନାପ୍ରକାର ଭୀଷଣ ହାତ ହତିଆର ଧରି ଆମକୁ ଘେରିଗଲେ । ମୁଁ ସେମାନଙ୍କୁ ଦେଖି ମୂର୍ଚ୍ଛିତ ପ୍ରାୟ ହୋଇ ବାପାଙ୍କ କୋଳରେ ଢଳିପଡ଼ିଲି । ଆତ୍ମରକ୍ଷା ପାଇଁ ଆମପାଖରେ କିଛି ନଥିଲା । ଅସ୍ତ୍ର ଶସ୍ତ୍ର ସବୁ ତମ୍ବୁ ଭିତରେ ହୁ ହୁ ହୋଇ ଜଳୁଥିଲା ।

 

ସେ ବଣୁଆ ଲୋକଗୁଡ଼ା ଲୁଗା ପିନ୍ଧିଥିଲେ କି ନା ମୁଁ ଠିକ୍ କରିପାରୁନି । କିନ୍ତୁ ଦେଖିବାକୁ ସେମାନେ ରାକ୍ଷସ ପରିଥିଲେ । ଖୁବ୍ ମୋଟା ଦଉଡ଼ା ସାହାଯ୍ୟରେ ଆମକୁ ବାନ୍ଧି ସେମାନେ ଘୋଷାରି ଘୋଷାରି ଜଙ୍ଗଲ ଭିତରକୁ ନେଇଗଲେ । ମୋତେ ଅବଶ୍ୟ ସେମାନେ ବାନ୍ଧି ନଥିଲେ । କାରଣ ବାପା ମୋତେ ତାଙ୍କ କାନ୍ଧ ଉପରେ ପକାଇଥାନ୍ତି । ଓଃ... ! ସାରା ରାତିଟା ବାପାଙ୍କ କାନ୍ଧରେ ବୋଝ ହୋଇ ତାଙ୍କୁ ଯେ କି କଷ୍ଟ ମୁଁ ଦେଇଥିବି, ତାହା ଭାବିଲେ ଆଜି ସୁଦ୍ଧା ମୋର ଆଖିରେ ଲୁହ ଆସେ ।

 

‘‘ରାତି-ପାହିଲା ବେଳକୁ ଆମେ ସେ ବଣୁଆ ଲୋକଙ୍କ ଆଡ଼୍‍ଡ଼ାରେ ପହଞ୍ଚିଯାଇଥିଲୁ । ସେଠି ମିଷ୍ଟର ସିଂକୁ ମୁଁ ଦେଖିଥିଲି ଏବଂ ଚଣ୍ଡୁରାମ ବୋଲି ଗୋଟାଏ ଦସ୍ୟୁର ଦଳ ଯେ ଆମକୁ ବନ୍ଦୀ କରି ଆଣିଛନ୍ତି ତାହା ସେଠାରେ ବୁଝିପାରିଲି । ଚଣ୍ଡୁରାମ ସହିତ ମିଷ୍ଟର ସିଂର ଘନିଷ୍ଠ ସମ୍ପର୍କ କଥା ମଧ୍ୟ ମୋର ଅଜ୍ଞାତ ରହିଲା ନାହିଁ । ଲୋକଟା ପ୍ରତି ମୋର ଭୀଷଣ ଘୃଣା ହେଲା । ହାତରେ କିଛି ଅସ୍ତ୍ରଶସ୍ତ୍ର ଥିଲେ ମୁଁ ତାକୁ ଜୀବନରେ ରଖି ନ ଥାନ୍ତି ସେଦିନ କେବେ ।

 

‘‘ସେ ଦିନର କଥା ଆଜି ମଧ୍ୟ ମୋ ଆଖି ଆଗରେ ନାଚିଯାଉଛି । ମିଷ୍ଟର ସିଂ ବନ୍ଧୁକଟାଏ ଧରି ଆସି ପ୍ରଥମେ ବାପାଙ୍କ ପାଖରେ ପହଞ୍ଚି ତାଙ୍କୁ ରୁପାଖଣିର ସନ୍ଧାନ ବତାଇ ଦେବାପାଇଁ ଧମକାଇଲା । ବାପା କିନ୍ତୁ ତା’ର ଧମକରେ ଡରିଗଲେ ନାହିଁ କି ତା’ ପ୍ରସ୍ତାବରେ ସମ୍ମତ ହେଲେ ନାହିଁ । ବାସ୍, ସେତିକି । ତା’ପରେ ଏମାନଙ୍କ ଉପରେ ଚାଲିଲା ଅକଥନୀୟ ଅତ୍ୟାଚାର । ବାପା ନିଜେ ସବୁ ସହି ମୋତେ ବଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟା କରୁଥାନ୍ତି । ମୁଁ ଦେଖିଲି—ମୋ ଯୋଗୁଁ ବାପାଙ୍କୁ ଗୁଡ଼ାଏ କଷ୍ଟ ସହିବାକୁ ପଡ଼ୁଛି । ମୁଁ ଯଦି ଚାଲିଯାଆନ୍ତି ତେବେ ବାପା ନିଜକୁ ବଞ୍ଚାଇବାକୁ ସୁବିଧା ପାଆନ୍ତେ । ମୁଁ ତ ବନ୍ଧା ହୋଇ ନଥିଲି । ତେଣୁ ସୁବିଧା ଦେଖି ବାପାଙ୍କ କୋଳରୁ ଖସିଗଲି ଏବଂ ଖଣ୍ଡେ ଦୂରରେ ଗୋଟାଏ ବୁଦା ଉହାଡ଼ରେ ଲୁଚିଗଲି ।

 

“ମିଷ୍ଟର ସିଂ ଲୋକଟା ପଶୁପରି ରାଗୀ । ଏମାନଙ୍କୁ ରକ୍ତାକ୍ତ କରିପକାଇ ଥିଲେ ସୁଦ୍ଧା ତା’ର ମନବୋଧ ହୋଇ ନଥିଲା । ଛାଡ଼ିଦେଲେ ମଧ୍ୟ ତା’ର ବିପଦ ବେଶି । ତେଣୁ ସେ ବାପାଙ୍କୁ ଲକ୍ଷ୍ୟ କରି ବନ୍ଧୁକ ଉଠାଇଲା । ସେ ଦୃଶ୍ୟ ଦେଖିଲା ଭଳି ଧୈର୍ଯ୍ୟ ମୋର ନଥିଲା । ଭୟରେ ମୁଁ ଆଖି ବୁଜିଦେଲି । ପରମୁହୂର୍ତ୍ତରେ ଗୁଳିର ଆବାଜ ଆଉ ବାପାଙ୍କର କରୁଣ ଚିତ୍କାର ସଙ୍ଗେ ସଙ୍ଗେ ପଡ଼ିଯିବାର ଶବ୍ଦ ମୁଁ ଶୁଣିପାରିଥିଲି । ମୋର ସେତେବେଳେ କି ବୁଦ୍ଧି ହେଲା କେଜାଣି, ସେଇ ନିବିଡ଼ ଜଙ୍ଗଲ ଭିତରେ କିଛି ନ ମାନି ଧାଇଁବାରେ ଲାଗିଲି । ସେତେବେଳେ ଆଉ କେତୋଟି ଗୁଳି ଫୁଟିବାର ଶବ୍ଦ ମଧ୍ୟ ମୁଁ ଶୁଣିପାରିଥିଲି । ସବୁ କଥା ବୁଝିବାରେ ଆଉ କିଛି ବାକି ନଥିଲା ମୋର ।

 

‘‘ସାରା ଦିନ ଜଙ୍ଗଲ, ପାହାଡ଼ ଅନ୍ଦିସନ୍ଧିରେ ଧାଇଁ ଧାଇଁ ମୁଁ ନିତାନ୍ତ ଅବସନ୍ନ ହୋଇପଡ଼ିଲି । ସନ୍ଧ୍ୟାବେଳକୁ ଏହି ଗୁମ୍ଫା ପାଖରେ ପହଞ୍ଚିଗଲି । ଆଉ ଚାଲିବାକୁ ଶକ୍ତି ନଥିଲା ଦେହରେ । ବସୁ ବସୁ ମୂର୍ଚ୍ଛାଯାଇ ପଡ଼ିଗଲି । ତା’ପରେ କ’ଣ ହେଲା ମୋତେ ଜଣାନାହିଁ ।

 

“ରାତି କେତେ ହେବ କେଜାଣି ମୋର ଯେତେବେଳେ ଚେତନା ଆସେ, ମୁଁ ଅନୁଭବ କଲି–ଯେପରି କିଛି ଗୋଟାଏ କୋମଳ ଜିନିଷ ଉପରେ ମୁଁ ଶୋଇଛି । ପରିଷ୍କାର ଜହ୍ନ ପଡ଼ିଥାଏ । ମୁଁ ଉଠିବସି ଦେଖେ ତ ଏଇ ସୁଲତାନ କୋଳରେହିଁ ମୁଁ ଶୋଇଥିଲି । ଏପରି ଭୟଙ୍କର ଜୀବ ମୁଁ କେବେ ଦେଖି ନଥିଲି । ତେଣୁ ଭୟରେ ଚିତ୍କାର କରିଉଠିଲି । ମୁଁ ଭାବିଥିଲି, ଏଇ ଜୀବ ମୋତେ ଖାଇଯିବ ନିଶ୍ଚୟ । କିନ୍ତୁ ସୁଲତାନଠାରେ ସେପରି ଲକ୍ଷଣ କିଛି ଦେଖିଲି ନାହିଁ । ବଣର ଫଳ ଖୋଇ ମୋତେ ଶିଶୁ ପରି ଖେଳାଇଲା ସେ । କେଉଁଆଡ଼େ ଚାଲିଯିବାକୁ ବହୁଥର ଚେଷ୍ଟା କରିଛି; କିନ୍ତୁ ଅକ୍ଷମ ହୋଇଛି ଏ ଜଙ୍ଗଲ ଭେଦ କରିବାକୁ ।

 

“ମୁଁ ଏଇଠି ରହିଲି । ସୁଲତାନ ହେଲା ମୋର ପ୍ରାଣଦାତା, ରକ୍ଷକ, ଭାଇ ବନ୍ଧୁ, ଭୃତ୍ୟ । କାମ କିଛି ତ ନ ଥାଏ । ତା’ରି ସାଙ୍ଗରେ ବଣରେ ବୁଲି, ଫଳମୂଳ ଖାଇ, କୁସ୍ତି କରି, ଦେହର ଶକ୍ତି ବଢ଼ାଇଲି । ଅନେକ ଦିନ ପରେ ଆମର ତମ୍ବୁ ନିକଟକୁ ଯାଇ କେତେଖଣ୍ଡ ବନ୍ଧୁକ, କେତେଗୁଡ଼ାଏ ଗୁଳି ଆଉ ପୋଷାକପତ୍ର ସୁଲତାନ ସାହାଯ୍ୟରେ ଗୋଟାଇଆଣିଲି । ସେଇ ପୋଷାକରେ ମୋର ଚଳୁଛି ଏଯାଏଁ । ସୁଲତାନ ଯୋଗୁଁ ବିପଦର ସମ୍ଭାବନା ନାହିଁ କିଛି । ତାକୁ ଦେଖିଲେ ଦନ୍ତାହାତୀବି ଭୟରେ ପଳାଏ । ଦେହରେ ଅସୀମ ଶକ୍ତି ତା’ର ।

 

ଏଇ ନିର୍ଜନ ଜଙ୍ଗଲରେ ମୋର ଜୀବନର ନୂତନ ଅଧ୍ୟାୟ ଆରମ୍ଭ ହେଲା । ମୋର ପୁରାତନ ନାମକୁ ବିସ୍ମୃତି ଗର୍ଭରେ ବିସର୍ଜନ ଦେଇ ନିଜକୁ ‘ତାରଜନ୍’ ବୋଲି ନୂଆ ନାମ ଦେଲି ଏବଂ ଗଛର ଗଣ୍ଡି ଓ ପଥର ପ୍ରଭୃତି ଦେହରେ ଖୋଳି ‘ତାରଜନ୍’ ‘ତାରଜନ୍’ ଲେଖିଲି । ମନୁଷ୍ୟର ପରିଚୟ ଭିତରେ ଆସିବାହିଁ ଏପରି ଲେଖିବାର ଉଦ୍ଦେଶ୍ୟ । ଲୋକେ ଜାଣନ୍ତୁ, ଯେ ଜଣେ ପାଠ ପଢ଼ିଥିବା ବ୍ୟକ୍ତି ଏ ଜଙ୍ଗଲରେ ନିର୍ବାସିତ ହୋଇ ରହିଛି ।”

 

“ତା’ପରେ ?” –ଦୀର୍ଘ ନିଃଶ୍ଵାସ ପକାଇ ରାଜାସାହେବ ପଚାରିଲେ ।

 

“ତା’ପରେ ମିଷ୍ଟର ସିଂ ଦସ୍ୟୁ ଚଣ୍ଡୁରାମ ଦଳ ସହିତ ନିଜକୁ ସାମିଲ କରିନେଲା । ତା’ର ବୁଦ୍ଧି ଏବଂ ନିର୍ଦ୍ଦେଶ ବଳରେ ଚଣ୍ଡୁରାମ ସାରା ଦେଶରେ ଆତଙ୍କ ସୃଷ୍ଟି କରି ଲୁଣ୍ଠନ ଲୀଳା ଚଳାଇଲା । ଏବେ ମଧ୍ୟ ଚଳାଇଛି । ସେ ବର୍ତ୍ତମାନ ଯାହା କିଛି କରିଛି ସବୁ ରୁପାଖଣି ଲୋଭରେ । ମାଳବିକାଙ୍କ ଅପହରଣକାରୀ ସେଇ । ଆପଣଙ୍କୁ ତା’ର ସ୍ଵରୂପ ମୁଁ ଦେଖାଇଦେବି ଏବଂ ପିତୃହନ୍ତାର ପ୍ରତିଶୋଧ ନେବି । ସେ ଦିନ ବୋଧହୁଏ ଆସନ୍ନ ।”

 

ରାଜାସାହେବ ଶୁଣିବା ସଙ୍ଗେ ସଙ୍ଗେ ଗୋଟାଏ ନୂତନ ରାଜ୍ୟରେ ଭ୍ରମଣ କଲାପରି ବୋଧ ହେଉଥିଲା ତାଙ୍କୁ । ତାରଜନ୍‍ର କଥା ଶେଷ ହେବାକ୍ଷଣି ସେ ତା’ର ହାତ ଧରିପକାଇ କହିଲେ—“ମୋତେ କ୍ଷମା କର । ମୁଁ ଭୁଲ୍ ବୁଝିଥିଲି ତୁମକୁ ।”

 

ତାରଜନ୍ ଟିକିଏ ହସିଦେଇ କୁଣ୍ଢେଇପକାଇଲା ରାଜା ପ୍ରବୀରଚନ୍ଦ୍ରଙ୍କୁ । ସୁଲତାନ ଆନନ୍ଦରେ ଚିତ୍କାର କରି ନାଚି ଉଠିଲା ।

 

ଏଗାର

 

ପ୍ରଖ୍ୟାତନାମା ଡିଟେକ୍‍ଟିଭ୍ ରୂପନାରାୟଣବାବୁ ଘଟନା ସ୍ଥଳରେ ପହଞ୍ଚି ହତାଶ ହୋଇପଡ଼ିଲେ । କହ୍ନେଇଁଆ ରାଓଙ୍କ ହସ୍ତରୁ ଅରିନ୍ଦମ ଛୋଟରାୟଙ୍କ ଜରୁରି ଚିଠି ପାଇ ସେ ଉଦିତପୁର ଷ୍ଟେଟ୍‌ର ଦେବାନ ସାହେବଙ୍କୁ ସାକ୍ଷାତ କରିଥିଲେ । ଦେବାନ ସାହେବଙ୍କଠାରୁ ସେ ସମ୍ପୂର୍ଣ୍ଣ ଘଟନାର ବିବରଣୀ ଶୁଣିବାକୁ ପାଇଥିଲେ ଏବଂ ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରାଇଥିଲେ । କହ୍ନେଇଁଆ ରାଓ ଅବଶ୍ୟ ଘଟନାସ୍ଥଳ ସମ୍ବନ୍ଧରେ ତାଙ୍କୁ ବିଶେଷ ଧାରଣା ଦେଇଥିଲେ । ମାତ୍ର ସେଥିପ୍ରତି ବିଶେଷ ଧ୍ୟାନ ଦେଇ ନଥିଲେ ରୂପନାରାୟଣବାବୁ । ବର୍ତ୍ତମାନ ସେ ନିଜର ଭୁଲ୍‍ଟା କେଉଁଠି ତାହା ବୁଝିପାରି ଅନୁତାପ କରୁଥିଲେ । ଏବଂ ଆହୁରି ସୁଚିନ୍ତିତ ଓ ବ୍ୟାପକ ପ୍ରସ୍ତୁତିର ଆବଶ୍ୟକତା ଅନୁଭବ କରୁଥିଲେ । ପୁଣି ଉଦିତପୁର ଫେରିଯାଇ ପ୍ରସ୍ତୁତ ହୋଇ ଆସିଲାଭଳି ସମୟ ବା ଧୈର୍ଯ୍ୟ ତାଙ୍କର ନଥିଲା ।

 

ଡେରାରେ ପହଞ୍ଚିଲାବେଳକୁ ସେ ଖୁବ୍ କ୍ଳାନ୍ତ ହୋଇପଡ଼ିଥିଲେ । ମାତ୍ର ବିଶ୍ରାମ ଅପେକ୍ଷା କର୍ତ୍ତବ୍ୟକୁ ବଡ଼ ବୋଲି ସେ ଭାବୁଥିଲେ । ତେଣୁ ବିଶ୍ରାମ ସମୟରେ ଅରିନ୍ଦମ ଛୋଟରାୟଙ୍କଠାରୁ ପ୍ରତ୍ୟେକ ଘଟନାର ଟିକିନିଖି ବିବରଣୀ ସେ ସଂଗ୍ରହ କରି ନେଉଥିଲେ ।

 

ମିଷ୍ଟର ସୁଦୀପନାରାୟଣ ସିଂଙ୍କ ସମ୍ପର୍କରେ ଖୁବ୍ ସନ୍ଦେହଜନକ ମତାମତ ଛୋଟରାୟ ଦେଇଥିଲେ ସୁଦ୍ଧା ରୂପନାରାୟଣବାବୁ ତାହା ସହଜରେ ଗ୍ରହଣ କରିପାରି ନଥିଲେ । କାରଣ, ମିଷ୍ଟର ସିଂଙ୍କୁ ଘଟନା ସହିତ ସିଧାସଳଖ ଜଡ଼ିତ କଲାପରି ପ୍ରମାଣ ନାହିଁ । ସେ ହୁଏତ ନିର୍ଦ୍ଦୋଷ ବ୍ୟକ୍ତି ହୋଇପାରନ୍ତି । ତେବେ ତାରଜନ୍ ଏବଂ ଚଣ୍ଡୁରାମ ଏ ଦୁଇ ବ୍ୟକ୍ତିଙ୍କର ଉପସ୍ଥିତି ନିଃସନ୍ଦେହ ମୋହନ ସିଂଙ୍କୁ କ୍ଷତବିକ୍ଷତ କରିବା, ଦାସୀକୁ ହତ୍ୟା କରିବା, ମାଳବିକାଙ୍କୁ ଅପହରଣ କରିବା ଏ ସବୁ ତ ପୁଣି ମନୁଷ୍ୟର କାମ । ତେବେ ସେ ମନୁଷ୍ୟ କିଏ ? ତାରଜନ୍ ନା ଚଣ୍ଡୁରାମ ? ଅରିନ୍ଦମ ଛୋଟରାୟଙ୍କ କହିବା ଅନୁସାରେ ସେ ଜଣେ ରାକ୍ଷାସାକୃତି ଏବଂ ଜଣେ ସାହେବ ପୋଷାକଧାରୀ ଲୋକକୁ ନିବିଡ଼ ଜଙ୍ଗଲ ମଧ୍ୟରେ ଦେଖିବାକୁ ପାଇଥିଲେ । ଦୁଇପ୍ରକାର ବେଶପୋଷାକଧାରୀ ବ୍ୟକ୍ତିହିଁ ଦୁଇ ବିଭିନ୍ନ ଦଳର ସୂଚନା ଦେଉଛି । ଏ ପ୍ରକାର ସମସ୍ୟା ଖୁବ୍ ଜଟିଳ । ଚଣ୍ଡୁରାମ ଏକ ଅତି ମାରାତ୍ମକ ଏବଂ ଦୁର୍ଦ୍ଦାନ୍ତ ଦସ୍ୟୁ ଏକଥା ସେ ବହୁବାର ଶୁଣିଛନ୍ତି । ତା’ ସହିତ ତାଙ୍କର ଭେଟାଭେଟି ଅବଶ୍ୟ କେବେ ହେଇନି; ତଥାପି ତା’ର ଲୋମହର୍ଷକ କାର୍ଯ୍ୟକଳାପ ସମ୍ବନ୍ଧରେ ତାଙ୍କର ବେଶ୍ ଜ୍ଞାନ ଅଛି । ମାତ୍ର ଏ ତାରଜନ୍ କିଏ ? ଏନାମ ତ ସେ ମାତ୍ର ଏଇଠି ଶୁଣୁଛନ୍ତି ! ତାଙ୍କୁ ଏ ରହସ୍ୟ ଉଦ୍‌ଘାଟନ ନିଶ୍ଚୟ କରିବାକୁ ହେବ । ଏହିପରି ନାନାପ୍ରକାର ଚିନ୍ତାରେ ତାଙ୍କର କ୍ଳାନ୍ତ ମସ୍ତିଷ୍କ ଆଲୋଡ଼ିତ ହେଉଥିଲା ।

 

ରୂପନାରାୟଣବାବୁ ଖାଲି ଜଣେ ବିଖ୍ୟାତ ଡିଟେକ୍‍ଟିଭ୍ ନଥିଲେ । ସେ ଜଣେ ଅତି ଚତୁର ବ୍ୟକ୍ତି ମଧ୍ୟ ଥିଲେ । ଲୋକ ଚରିତ୍ର ଅନୁଶୀଳନ କରିବାରେ ଅସାଧାରଣ କୌଶଳୀ ଥିଲେ ସେ; ତେଣୁ ମିଷ୍ଟର ସିଂଙ୍କ ପ୍ରତି କି ପ୍ରକାର ବ୍ୟବହାର ତାଙ୍କ କାର୍ଯ୍ୟରେ ଅନୁକୂଳ ହେବ, ତାହା ଭଲଭାବରେ ସେ ହୃଦୟଙ୍ଗମ କରିପାରିଥିଲେ । ସେ ଜାଣିଥିଲେ—ମିଷ୍ଟର ସିଂ ଯଦି ଦୋଷୀ ହୋଇ ନଥାନ୍ତି, ତେବେ ତାଙ୍କୁ ଦୂରେଇ ରଖିବା ଅର୍ଥ ନିଜର ବଳକ୍ଷୟ କରାଇବା ଛଡ଼ା ଆଉ କିଛି ନୁହେଁ । ଆଉ ଯଦି ସେ ଦୋଷୀ ହୋଇଥାନ୍ତି ତାହାହେଲେ ମଧ୍ୟ ତାଙ୍କୁ ଦୂରେଇ ରଖିବା କ୍ଷତିକାରକ-। ବରଂ ତାଙ୍କୁ ପାଖେଇ ରଖିଲେ ତାଙ୍କରି ସାହାଯ୍ୟରେ ସେ କେତେକ ତଥ୍ୟ ସଂଗ୍ରହ କରିନେଇ ପାରିବେ, ନ ହେଲେ ଏ ନିଘଞ୍ଚ ଅରଣ୍ୟ ଭିତରେ ଖାଲି ଭୁଆଁ ବୁଲିବା ସାର ହେବ । କୌଣସି ସୂତ୍ରର ନାମଗନ୍ଧ ସୁଦ୍ଧା ନାହିଁ । ମାଇଲ ମାଇଲ ଧରି ପାହାଡ଼ ପର୍ବତମାଳା, ବିସ୍ତୃତ ନିବିଡ଼ ହିଂସ୍ରଜନ୍ତୁପୂର୍ଣ୍ଣ ଅରଣ୍ୟ । ତା’ ଭିତରେ ଆତତାୟୀ ବା କିଏ ? ରାଣୀସାହେବା ଏବଂ ରାଜାସାହେବ କେଉଁଠି କି ଅବସ୍ଥାରେ, ରାସ୍ତାଘାଟ କାହିଁ, ପଥପ୍ରଦର୍ଶକ ବା କିଏ, ଜାଣିବା କଷ୍ଟ ।

 

ସେଥିପାଇଁ ଛୋଟରାୟଙ୍କ ଅନିଚ୍ଛାସତ୍ତ୍ୱେ ସେ ମିଷ୍ଟର ସିଂଙ୍କୁ ପୁଣି ନିଜ ଆଡ଼କୁ ଟାଣି ଆଣିବାର କୌଶଳ ଖଞ୍ଜିଲେ । ବିନା କାରଣରେ ଏଣୁତେଣୁ ଗୁଡ଼ାଏ ବାହାନା କରି ବାରମ୍ବାର ତାଙ୍କୁ ଡେରା ଭିତରକୁ ଡାକିବା, ନିହାତି ସାମାନ୍ୟ କଥାକୁ ଖୁବ୍ ଗୁରୁତ୍ଵପୂର୍ଣ୍ଣ କହି ମିଷ୍ଟର ସିଂଙ୍କ ପରାମର୍ଶ ମାଗିବା, ତାଙ୍କ ବୁଦ୍ଧି ଏବଂ ବ୍ୟକ୍ତିତ୍ଵର ପ୍ରଶଂସା କରିବା, ଏଇ ସବୁ ହେଲା ରୂପନାରାୟଣବାବୁଙ୍କର ପ୍ରଥମ କାମ । କୌଶଳ ଅବଶ୍ୟ ବ୍ୟର୍ଥ ହେଲା ନାହିଁ । ମିଷ୍ଟର ସିଂ ପୁଣି ଡେରାରେ ନିଜର ପୂର୍ବ ଆଧିପତ୍ୟ ବିସ୍ତାର କରିବାକୁ ଲାଗିପଡ଼ିଲେ । ଅରିନ୍ଦମ ଛୋଟରାୟଙ୍କର ଅସହ୍ୟ ହେଉଥିଲେ ସୁଦ୍ଧା ରୂପନାରାୟଣବାବୁଙ୍କ ଅନୁରୋଧରେ ଏବଂ ରାଜାସାହେବ ଓ ରାଣୀସାହେବାଙ୍କୁ ଫେରିପାଇବା ଆଶାରେ ସେ ନୀରବ ରହୁଥିଲେ ।

 

ରୂପନାରାୟଣବାବୁ ପକ୍କା ଶିକାରୀ । ମିଷ୍ଟର ସିଂହଙ୍କୁ ସବୁ ପ୍ରକାର ସୁବିଧା ଦେଇଥିଲେ ସୁଦ୍ଧା ତାଙ୍କ ଉପରେ ସେ ସତର୍କ ଦୃଷ୍ଟି ରଖିଥିଲେ । ମିଷ୍ଟର ସିଂଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ସେ ଅତି ସୂକ୍ଷ୍ମ ଭାବରେ ବିଚାର କରି ଦେଖୁଥିଲେ । ସମସ୍ତଙ୍କ ଅଜ୍ଞାତରେ ହରଗୋବିନ୍ଦବାବୁଙ୍କୁ ମିଷ୍ଟର ସିଂଙ୍କ ପଛରେ ଲଗାଇ ଦେଇଥିଲେ ସେ । ସୁଦକ୍ଷ ଡିଟେକ୍‌ଟିଭ୍‍ର ସୁଯୋଗ୍ୟ ସହକାରୀ ହରଗୋବିନ୍ଦବାବୁ ନିଜର କର୍ତ୍ତବ୍ୟରେ ସଦାସର୍ବଦା ଅଟଳ ରହି ଦୈନନ୍ଦିନ ବିବରଣୀ ଜଣାଉଥିଲେ ରୂପନାରାୟଣବାବୁଙ୍କୁ ।

 

ପ୍ରଥମେ ଯେଉଁଦିନ କହ୍ନେଇଁଆ ରାଓ ସଦଳବଳେ ଫେରି ଆସିଲେ, ସେଦିନ ଏମାନଙ୍କର ଉଦ୍ଦେଶ୍ୟ ସମ୍ବନ୍ଧରେ ସନ୍ଦିହାନ ହୋଇପଡ଼ିଥିଲେ ମିଷ୍ଟର ସିଂ । ତାଙ୍କର ସନ୍ଦେହକୁ ଅରିନ୍ଦମ ଛୋଟରାୟଙ୍କର ଖାପଛଡ଼ା ବ୍ୟବହାର ଆହୁରି ବଦ୍ଧମୂଳ କରି ଦେଇଥିଲା । ତେଣୁ ତାଙ୍କର ପ୍ରତ୍ୟେକ ଚାଲିଚଳନରେ ସତର୍କତା ଫୁଟି ଉଠୁଥିଲା । ଏହା ଅବଶ୍ୟ ରୂପନାରାୟଣବାବୁଙ୍କ ଚତୁର ଦୃଷ୍ଟିରୁ ଏଡ଼େଇ ହୋଇଯାଇ ନଥିଲା । ରୂପନାରାୟଣବାବୁ ତାଙ୍କର ସନ୍ଦେହ ଦୂର କରାଇବା ପାଇଁ ପ୍ରକାରାନ୍ତରେ ମିଷ୍ଟର ସିଂଙ୍କୁ ନାନା ପ୍ରକାର କଥାବାର୍ତ୍ତା ଛଳରେ ଏପରି ଧାରଣା ଦେଇଥିଲେ ଯେ, ସେମାନେ ମାମୁଲି ଶିକାରୀ ଦଳ ବ୍ୟତୀତ ଆଉ କିଛି ନୁହନ୍ତି ।

 

ମିଷ୍ଟର ସିଂ ମଧ୍ୟ ନିଜର ସ୍ଥୂଳ ବୁଦ୍ଧିରେ ରୂପନାରାୟଣବାବୁଙ୍କ ଦଳର କାର୍ଯ୍ୟକଳାପରେ କୌଣସି ପ୍ରକାର ସନ୍ଦେହର କାରଣ ଦେଖିପାରୁ ନଥିଲେ । ତେଣୁ ନିର୍ଭୟରେ ସେ ସ୍ଵଚ୍ଛନ୍ଦ ଭାବରେ ଚଳପ୍ରଚଳ ହେବାକୁ ଲାଗିଲେ ।

 

ପ୍ରଥମେ ପ୍ରଥମେ ଦିନ କେଇଟି ଏଇରକମ ଛକାପଞ୍ଝାରେ କଟିଗଲା ।

 

ଏଣେ ତାରଜନ୍‍ର ଗୁହା ନିବାସରେ ରାଜା ପ୍ରବୀରଚନ୍ଦ୍ର ଦିନକୁ ଦିନ ସୁସ୍ଥ ଓ ସକ୍ଷମ ହୋଇଉଠୁଥିଲେ । ତାରଜନ୍‌ର ଇତିବୃତ୍ତି ଶୁଣି ସେ ତାହା ବିଶ୍ଵାସ କରିଥିଲେ । ଅବିଶ୍ଵାସ କଲାଭଳି କିଛି କାରଣ ମଧ୍ୟ ତାରଜନ୍ ନିକଟରେ ସେ ଦେଖିପାରି ନଥିଲେ । କୌଣସି ପ୍ରକାର ମାରାତ୍ମକ ଅସ୍ତ୍ରଶସ୍ତ୍ର, ସହାୟତା କଲାଭଳି ସୁଲତାନ ବ୍ୟତୀତ ଆଉ ତୃତୀୟ ପ୍ରାଣୀ କିମ୍ବା ଲୁଣ୍ଠନ କରି ଆଣିଥିବା କିଛି ଧନରତ୍ନ, କିଛି ହେଲେ ତାରଜନ୍‌ର ନଥିଲା । ସେ ଅନୁସନ୍ଧାନ କରି ଦେଖି ପାରିଥିଲେ—ଗୋଟିଏ ଅସୀମ ବଳବାନ୍‌, ଦୟାଳୁ, ପରୋପକାରୀ ଯୁବକ ଆଉ ତା’ର ସହକାରୀ ଅଶେଷ ସୁଗୁଣର ଅଧିକାରୀ ଗୋଟିଏ ଗରିଲା—ସୁଲତାନ । ତାରଜନ୍ ଏବଂ ସୁଲତାନ ଦୁହିଁଙ୍କ ମଧ୍ୟରେ ଅଭେଦ ପ୍ରୀତି ତାଙ୍କୁ ବେଳେବେଳେ ବିସ୍ମୟର ସୀମା ଅତିକ୍ରମ କରିଯିବାକୁ ବାଧ୍ୟ କରେ । ତାରଜନ୍ ପ୍ରତି ସୁଲତାନର ସ୍ନେହ କେଡ଼େ ଗଭୀର, ତା’ର ପରିଚୟ ଏଇ କେତେଦିନ ମଧ୍ୟରେ ଅନେକ ଛୋଟ ଛୋଟ ଘଟନାରୁ ସେ ଜାଣିପାରିଛନ୍ତି । ମୋଟ ଉପରେ ସୁଲତାନ ତାରଜନ୍ ପାଇଁ ଯେତେ କାମ କରେ, ସାଧାରଣତଃ ଜଣେ ବାପ ତା’ର ପୁଅପାଇଁ ଆଉ ଅଧିକ କିଛି କରିପାରନ୍ତା ନାହିଁ ।

 

ସୁଲତାନର ଦୈନନ୍ଦିନ କର୍ମ ହେଲା ଜଙ୍ଗଲରୁ ସ୍ଵାଦିଷ୍ଟ ଫଳ, ଶୁଖିଲା କାଠ ଏବଂ ଝରଣାର ଜଳ ସଂଗ୍ରହ କରି ଆଣିବା । ଏଇ କାମ କଲା ଭିତରେ ସୁଲତାନ ତା’ର ଆହାର ବ୍ୟବସ୍ଥା କରିନେଇଥାଏ । ବାସ୍ ! ଅବଶିଷ୍ଟ ସମୟତକ ଜଙ୍ଗଲରେ ବୁଲିବା ଏବଂ ତାରଜନ୍ ସାଙ୍ଗରେ ଖେଳିବା, ଗଛ ଚଢ଼ିବା ବ୍ୟତୀତ ଅନ୍ୟ କାମ ନାହିଁ । ଦୈବାତ ତାରଜନ୍ ଅଭ୍ୟନ୍ତରରେ କେଉଁଠି ଲୁକ୍କାୟିତ ହୋଇ ରହିଗଲେ ଏକପ୍ରକାର ବିଚିତ୍ର ଶବ୍ଦରେ କୁହାଟ ଛାଡ଼ିଦିଏ । ସୁଲତାନ ଯେଉଁଠି ଥାଉ ପଛେ, ସେ ଶବ୍ଦ ଶୁଣିଲାମାତ୍ରେ ଧାଇଁଆସି ପାଖରେ ହାଜର ହୋଇଯାଏ । ସୁଲତାନ ଯୋଗୁଁ କୌଣସି ପ୍ରକାର ବିପଦ ପ୍ରତି ଖାତିର ନ ଥାଏ ତାରଜନ୍‍ର ।

 

ସୁଲତାନର ଦେହରେ ଗୋଟାଏ ହାତୀଠାରୁ ଅଧିକ ବଳ । ସେ ରାଗିଗଲେ ହାତୀକୁ ମଧ୍ୟ ଅକ୍ଳେଶରେ ମାରିଦେଇ ପାରେ । ଅନ୍ୟ ଜୀବଜନ୍ତୁଙ୍କ କଥା ଛାଡ଼ ! ତାରଜନ୍‍ର ପରାକ୍ରମ ମଧ୍ୟ ଅଳ୍ପ ନୁହେଁ । ସେ ଦେଖିବାକୁ ଖୁବ୍‌ ସ୍ୱାସ୍ଥ୍ୟବାନ; ଆଉ ଦେହ ତୁଳନାରେ ତା’ର ବଳ ବହୁଗୁଣ ବେଶି-। ସମୟ ସମୟରେ ସୁଲତାନ ଏବଂ ତାରଜନ୍ ଦୁହେଁ କୁସ୍ତି ଖେଳରେ ମାତିଯାଆନ୍ତି । ଦେଖିଲେ ଜଣାଯାଏ, ଯେପରି ଦୁଇଟା ପରାକ୍ରମୀ ଗରିଲାଙ୍କ ମଧ୍ୟରେ ଶକ୍ତି ପରୀକ୍ଷା ହେଉଛି ।

 

ଏଇ ଦୁଇ ତିନିଦିନ ହେବ, ରାଜାସାହେବ ଟିକିଏ ଚଲାବୁଲା କରିପାରିଲେଣି ଆଖପାଖ ଜଙ୍ଗଲରେ । ଅବଶ୍ୟ ଏକୁଟିଆ ନୁହେଁ, ସାଙ୍ଗରେ ତାରଜନ୍ ଏବଂ ସୁଲତାନ ଅଛନ୍ତି ସବୁବେଳ ପାଇଁ-। ରାଣୀ ମାଳବିକାଙ୍କୁ ମୁହୂର୍ତ୍ତକ ପାଇଁ ହେଲେ ମଧ୍ୟ ଚିନ୍ତାରୁ ଦୂର କରିଦେଇ ପାରିନାହାନ୍ତି ସେ-। ତାରଜନ୍‍ର କହିବା ଅନୁସାରେ ସେ ବିଶ୍ଵାସ କରିଛନ୍ତି ଯେ, ଚଣ୍ଡୁରାମ ତାଙ୍କର ଅପହରଣକାରୀ । ମାତ୍ର ତା’ର ସନ୍ଧାନ ବା କାହିଁ ? କେଉଁ ପର୍ବତର ନିଭୃତ କନ୍ଦରରେ ତା’ର ଆଡ଼୍‌ଡ଼ା । ସେଟା ତାରଜନ୍‌କୁ ବେଶ୍ ଜଣା । କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ପର୍ଯ୍ୟନ୍ତ ତାରଜନ୍ ତାଙ୍କୁ ସେଠାକୁ ନେବାକୁ ରାଜି ନୁହେଁ । ଏଣେ ଆଉ ଅପେକ୍ଷା କରିବା ଅସହ୍ୟ ହୋଇଉଠିଛି ତାଙ୍କ ପକ୍ଷରେ କ୍ରମେ । ସେଆଡ଼େ ଡେରାର ଖବର ବା କ’ଣ ? ଅରିନ୍ଦମ ଉଦିତପୁର ଫେରିଲା କି ନାହିଁ ତା’ର ଠିକଣା ନାହିଁ । ଡେରାଟା ଏଠାରୁ କେତେ ଦୂରରେ ଏବଂ କେଉଁ ଦିଗରେ ତାହା ନିର୍ଣ୍ଣୟ କରିବା କଠିନ । ତାରଜନ୍‍ର ପରାକ୍ରମ ଏବଂ କୌଶଳ ଉପରେ ନିର୍ଭର କରି ଅପେକ୍ଷା କରିକରିବା କଥା । ଏହାର ପରିଣତି ଯେ କ’ଣ ତାହା ଚିନ୍ତା କରିବା ମଧ୍ୟ କଠିନ । ଭାବୁଭାବୁ ବେଳେ ବେଳେ ତାଙ୍କର ମନେ ହେଉଛି—ନିଜ ଲୋକମାନଙ୍କ ସହିତ ସାକ୍ଷାତ କରିବାପାଇଁ ଏଠାରୁ ଚାଲିଯାଆନ୍ତେ-। କିନ୍ତୁ ଯିବେ କେଉଁଆଡ଼େ ? କିପରି ବା ଯିବେ ? ନିବିଡ଼ ଜଙ୍ଗଲ ଭିତରେ ରାସ୍ତା କାହିଁ ? ତା’ ଉପରକୁ ତାରଜନ୍ ବା ସୁଲତାନ, କେହି ଜଣେ ହେଲେ ସବୁବେଳେ ପାଖେ ପାଖେ ଜଗୁଆଳୀ ଅଛନ୍ତି । ସେମାନଙ୍କ ହାତରୁ ଖସିଯିବା ଅସମ୍ଭବ । ତାରଜନ୍ ହାତରୁ ଉଦ୍ଧାର ପାଇବା ବରଂ ଆଶା କରାଯାଇପାରେ; କିନ୍ତୁ ସୁଲତାନ ହାତରୁ ନୁହେଁ ।

 

ଏଇ କେଇଦିନର ଅଭିଜ୍ଞତାରୁ ସୁଲତାନକୁ ଭଲଭାବରେ ଚିହ୍ନି ପାରିଛନ୍ତି ରାଜା ପ୍ରବୀରଚନ୍ଦ୍ର । ସୁଲତାନ ମନୁଷ୍ୟ ପରି କଥା କହିପାରେ ନାହିଁ ସତ; କିନ୍ତୁ କଥା ନିର୍ଭୁଲଭାରେ ବୁଝିପାରେ । ମାଇଲ ମାଇଲ ଧରି ବିସ୍ତୃତି ଏ ପାର୍ବତ୍ୟ ଓ ଅରଣ୍ୟ ରାଜ୍ୟର ଅନ୍ଦିସନ୍ଧି ତାକୁ ଜଣା । ଅତି ଦ୍ରୁତଗତିରେ ମୁହୂର୍ତ୍ତକ ମଧ୍ୟରେ ଚତୁର୍ଦ୍ଦିଗ ଖୋଜି ତଲାସ କରିନେଇପାରିଲା ଭଳି ସାମର୍ଥ୍ୟ ଅଛି ତା' ଠାରେ ।

 

ଏ ସବୁ କଥା ଚିନ୍ତା କରିବା ସଙ୍ଗେ ସଙ୍ଗେ ତାଙ୍କୁ ପଳାୟନ କରିବା ଦିଗରୁ ଆଶା ନିବର୍ତ୍ତାଉଥିଲା । ଏଠାରେ ରହିଲେ ସେ ମାଳବିକାଙ୍କର ସନ୍ଧାନ ପାଇପାରିବେ—ଏ ଆଶା ତାଙ୍କର ଥିଲା । ମାତ୍ର ଏଠାରୁ ଚାଲିଗଲେ ସେ ଦିଗରୁ ଆଶା ଶୂନ୍ୟ ।

 

ଅଗତ୍ୟା ଚୁପ୍ ରହିବା ଛଡ଼ା ଉପାୟ ନଥିଲା ତାଙ୍କର ।

 

ମୂର୍ଚ୍ଛିତା ମାଳବିକାଙ୍କର ଚେତନା ଫେରିଆସିବାକ୍ଷଣି ନିଦରୁ ଉଠିଲା ପରି ଜଣାଗଲା ତାଙ୍କୁ । ସେ ଆଖି ଫିଟାଇ ଚାହିଁଲାମାତ୍ରେ ଚମକିପଡ଼ିଲେ ଏବଂ ପୂର୍ବ ରାତିର ଘଟନାଗୁଡ଼ାକୁ ଥରେ ସ୍ମରଣ କରିନେଲେ । ତାଙ୍କ ମନରେ ଏତେଦୂର ଭୟ ହୋଇ ଯାଇଥିଲା ଯେ, କାଳେ ପୁଣି ସେ ଭୀଷଣାକାର ଲୋକଗୁଡ଼ାଙ୍କୁ ଦେଖି ପକାଇବେ, ଏଇ ଆଶଙ୍କାରେ ସେ କେଉଁ ଆଡ଼କୁ ନଜର ନ ପକାଇ ସିଧା ଭାବରେ ଉପରକୁ ଚାହିଁରହିଲେ । ସ୍ଥାନଟା ଖୁବ୍ ଅନ୍ଧାରୁଆ ଏବଂ ଦୁର୍ଗନ୍ଧମୟ ବୋଧ ହେଲା ତାଙ୍କୁ । ଗତ ରାତିରେ ନିତାନ୍ତ ଆବଡ଼ାଖାବଡ଼ା ଆଉ ଉଠାଣିଗଡ଼ାଣି ରାସ୍ତା ଦେଇ ବୁହାହୋଇ ଆସିଥିବା ଯୋଗୁଁ ସମଗ୍ର ଶରୀରରେ ବ୍ୟଥା ଅନୁଭବ କରୁଥିଲେ ସେ ।

 

କ୍ରମେ ସମୟ ଅତିକ୍ରମ କରିବା ସଙ୍ଗେ ସଙ୍ଗେ ସେ ମନରେ ସାହସ ସଞ୍ଚୟ କରୁଥିଲେ । ସେ ଭାବୁଥିଲେ–ଯେତେ ଡେରିରେ ହେଉପଛେ, ତାଙ୍କୁ ନିଶ୍ଚୟ ଉଠିବାକୁ ହେବ ଏବଂ ବାହାରକୁ ଯିବାକୁ ପଡ଼ିପାରେ ମଧ୍ୟ । ଯେକୌଣସି ପରିସ୍ଥିତିକୁ ଅଗତ୍ୟା ସ୍ଵୀକାର କରିବା ଛଡ଼ା ଦ୍ଵିତୀୟ ଉପାୟ ନାହିଁ ତାଙ୍କର । ତେବେ ସେଥିପାଇଁ ଭୟ ନ କରି ସାହସ ସଞ୍ଚୟ କରିବା ଦରକାର ।

 

ନିତାନ୍ତ ଦୁଃଖରେ ମ୍ରିୟମାଣ ହୋଇ ଆସ୍ତେ ଆସ୍ତେ ଚାରିପଟକୁ ଚାହିଁଲେ ସେ । ବିରାଟ ପଥର ଘରଟାଏ । ଗୋଟାଏ ପାଖରେ ଅତି ସଂକୀର୍ଣ୍ଣ ରାସ୍ତାଟାଏ ଅଛି । ସେଇଟା ଦ୍ଵାର ହେବ ବୋଧହୁଏ । ତାହା ଏତେ ସଂକୀର୍ଣ୍ଣ ଯେ ଠିଆହୋଇ ବା ମୁଣ୍ଡ ନୁଆଁଇ ଯିବାର ଉପାୟ ନାହିଁ । ଗଳି ଗଳି ଯିବ କଥା । ଖୁବ୍ ନିରୀକ୍ଷଣ କଲେ ସେଇ କଳା ବାଟ ଦେଇ ଦିଶୁଛି ଅଳ୍ପ ଆଲୋକିତ ଖୋଲା ଜାଗା । ସେ ଜାଗାଟା କ’ଣ ହୋଇପାରେ, ତାହା ସଠିକ୍ ଭାବରେ ଅନୁମାନ କରିହେଉନି ଏଠାରୁ; କିନ୍ତୁ ପାଖରେ କୌଣସି ପ୍ରାଣୀର ସୋରଶବ୍ଦ ନାହିଁ । ସେ ବଖରାଟାରେବି ତାଙ୍କ ବ୍ୟତୀତ କେହି ଥିଲା ପରି ବୋଧ ହେଲା ନାହିଁ ତାଙ୍କୁ ।

 

ବିଗତ ରାତିର ଘଟନାସବୁ ଗୋଟି ଗୋଟି କରି ନାଚିଗଲା ତାଙ୍କ ଆଖି ଆଗରେ । ଦାସୀଟାକୁ ଦୁଇଖଣ୍ଡ କରି କାଟି ଦେବାର ବୀଭତ୍ସ ଦୃଶ୍ୟ ତାଙ୍କର ସ୍ମରଣ ହେବାକ୍ଷଣି ଭୟରେ ଶିହରି ଉଠିଲେ ସେ । ପରମୁହୂର୍ତ୍ତରେ ମନେପଡ଼ିଗଲା ସୁଦୀପ ସିଂଙ୍କ କଥା । ସେ କିପରି ଗୋଟାଏ ପାଖରେ ଠିଆ ହୋଇ ଦସ୍ୟୁଦଳକୁ କିପରି କ’ଣ କରିବାକୁ ହେବ ନିର୍ଦ୍ଦେଶ ଦେଉଥାନ୍ତି, ସେ କଥା ମନେ ପଡ଼ିଲାକ୍ଷଣି ରାଗରେ ଦେହ ତାଙ୍କର ଥରିଉଠିଲା । ସେ ଭାବିଲେ—ଏପରି କିଛି ବିପଦ ଘଟିପାରେ ବୋଲି ରାଜାସାହେବ ଆଶଙ୍କା କରିଥିଲେ ବୋଧହୁଏ; ସେଥିପାଇଁ ନିଜର ରିଭଲଭର୍‌ଟିକୁ ଦେଇ ଯାଇଥିଲେ ତାଙ୍କୁ । ରିଭଲଭର୍‍ର ଯଥାର୍ଥ ବ୍ୟବହାର ଅବଶ୍ୟ କରିଛନ୍ତି ସେ-। କିନ୍ତୁ ମନରେ ଅବସୋସ ରହିଗଲା । ଏତିକି ଯେ, ସେ ବିଶ୍ଵାସଘାତକ ସୁଦୀପ ସିଂକୁ ଲକ୍ଷ୍ୟକରି ରିଭଲଭର୍ ଚଳାଇଥିଲେ । ମାତ୍ର ତାହା ବାଜିଲା ଆଉ ଗୋଟାଏ ଦସ୍ୟୁର ଦେହରେ । ଯାହାହେଉ, ଗୋଟାଏ ଆତତାୟୀ ଯେ ଶାସ୍ତି ପାଇଛି—ଏତିକି ଥିଲା ମନରେ ସାନ୍ତ୍ଵନା । ରିଭଲଭର୍ ଖଣ୍ଡିକ ଶେଷ ପର୍ଯ୍ୟନ୍ତ ହାତ ମୁଠାରେ ଥିଲା ତାଙ୍କର । ତା’ପରେ ତାଙ୍କର ଚେତନା ଲୁପ୍ତ ହୋଇଗଲା । ତେଣିକି ସେ ଖଣ୍ଡିକର ଗତି କ’ଣ ହେଲା ତାଙ୍କୁ ଜଣାନାହିଁ । ଓଃ ! କି ଭୀଷଣ ଚେହେରା ଲୋକଗୁଡ଼ା ମନେ ପଡ଼ିଲାକ୍ଷଣି ପୁଣି ଥରେ ଦେହ ଶୀତେଇ ଉଠିଲା ତାଙ୍କର ।

 

ଏଇସବୁ କଥା ଭାବୁ ଭାବୁ ନିଜର ଅବସ୍ଥିତି ବିଷୟ ଭୁଲିଯାଇଥିଲେ ସେ କିଛି ସମୟପାଇଁ । ବର୍ତ୍ତମାନ ସେ ଚିନ୍ତାରୁ ନିବୃତ୍ତ ହୋଇ ଆପଣାର ଅବସ୍ଥା ପ୍ରତି ଧ୍ୟାନ ଦେଲେ । ସେ ବନ୍ଦିନୀ । ଗୋଟାଏ ପଥର ଗୁମ୍ଫାରେ । ସ୍ଥାନଟା କେଉଁଠାରେ ଏବଂ ଡେରାଠାରୁ ବା ଲୋକାଳୟଠାରୁ କେତେ ଦୂରରେ ତାହା ଜାଣିବା ଅସମ୍ଭବ । ତେବେ ନିତାନ୍ତ ନିର୍ଜନ ସ୍ଥାନ ନିଶ୍ଚୟ ! ସ୍ଥାନଟା ପୁଣି ଦସ୍ୟୁଦଳ ପକ୍ଷରେ ନିରାପଦ ହୋଇଥିବ । ଗୁମ୍ଫାଦ୍ଵାରରେ ତାଙ୍କୁ ଜଗିବାପାଇଁ ସତର୍କ ପ୍ରହରୀ ବ୍ୟବସ୍ଥା କରାଯାଥିଇବ ।

 

ରାଣୀ ମାଳବିକା ସୁକୁମାରୀ ଅଚଳା ଥିଲେ ସତ; କିନ୍ତୁ ସାହସ ଓ ଧୈର୍ଯ୍ୟରେ ସେ ଯେକୌଣସି ପୁରୁଷର ସମକକ୍ଷ ଥିଲେ । ତାଙ୍କୁ ଡେରାରୁ ଅପହରଣ କରି ଆଣି ଏପର୍ଯ୍ୟନ୍ତ ଜୀବିତ ଅବସ୍ଥାରେ ବନ୍ଦିନୀ କରି ରଖିବା ମୂଳରେ ଯେ ସତ୍ ଉଦ୍ଦେଶ୍ୟ ଆଦୌ ନାହିଁ, ଏକଥା ସେ ଭଲଭାବରେ ଜାଣିଥିଲେ । ସେଠାରୁ ମୁକ୍ତି ପାଇବା ଏବଂ ମୁକ୍ତି ପାଇଲାପରେ ପୁଣି ନିଜ ଲୋକଙ୍କ ସଙ୍ଗେ ମିଳିତ ହେବା ଯେ ଅସମ୍ଭବ, ତାହା ମଧ୍ୟ ତାଙ୍କୁ ଅଜଣା ନଥିଲା । ତଥାପି ସେ ଭୟଙ୍କର ସ୍ଥାନରୁ ମୁକ୍ତିଲାଭର ଉପାୟ ସ୍ଥିର କରିବାପାଇଁ ତାଙ୍କ ମନରେ ପ୍ରବଳ ବାସନା ଜାଗି ଉଠିଲା । ସେ ଆଉ ନିଶ୍ଚେଷ୍ଟା ହୋଇ ବସି ରହିପାରିଲେ ନାହିଁ । ବାହାରେ କ’ଣ ଅଛି ଦେଖିବାପାଇଁ ଧୀରେ ଧୀରେ ଆଗେଇଗଲେ ସେ ଦ୍ଵାର ଆଡ଼କୁ ।

 

ଘର ଭିତରୁ ଦ୍ଵାର ଆଡ଼କୁ ଯିବାର ରାସ୍ତା ଖୁବ୍ ନୁଆଣିଆଁ । ତା'ରି ଭିତରେ ହାମୁଡ଼େଇ ହାମୁଡ଼େଇ ସେ ଆଗେଇଗଲେ । ଦ୍ଵାର ଦେଇ କ୍ରମେ କ୍ରମେ ବାହାର ପଟର ପରିଷ୍କାର ଆଲୋକ ସେ ଦେଖିପାରୁଥିଲେ । ମାତ୍ର ବାହାରେ କୌଣସି ଲୋକର ସୋରଶବ୍ଦ ସୁଦ୍ଧା ଶୁଣାଯାଉ ନଥିଲା ତାଙ୍କୁ । ଖୁବ୍ ସାବଧନରେ ଦ୍ଵାର ପାଖରେ ପହଞ୍ଚି ସିଧା ହୋଇ କିଛି ସମୟ ବସି ବାହାରକୁ ଚାହିଁଲେ ସେ ।

 

କେବଳ ଅନୁମାନ କରି ସେ ଜାଣିଲେ ଯେ, ଦିନ ଦିପହର ହେଲାଣି । ବାହାରକୁ ଚାହିଁଲେ ଗୋଟାଏ ଖୁବ୍ ଖୋଲା-ଜାଗା ଦିଶୁଛି । ଖୋଲା ଜାଗାଟା ଖୁବ୍ ବିସ୍ତୃତ । ତା’ର ଧାରରେ ଗଦା ଗଦା ପଥର । ପଥରରେ ଛୋଟ ଛୋଟ ଅନେକ ଗୁହାର ଦ୍ଵାର ଦିଶୁଛି—ଠିକ୍ ତାଙ୍କରି ଗୁହାର ଦ୍ଵାର ପରି । ସେଗୁଡ଼ିକ ଯେ ଭିତରକୁ ବଡ଼ ବଡ଼ ଗୁହା ହୋଇଥିବ, ତାହା ସେ ବୁଝିପାରିଲେ-। ଏଇଟା ଯେ ଦସ୍ୟୁ ଏବଂ ତାଙ୍କରି ଅପହରଣକାରୀମାନଙ୍କର ଆଡ଼୍‍ଡ଼ା ଜାଗା, ଏକଥା ଜାଣିବାରେ ଆଉ କିଛି ସନ୍ଦେହ ନଥିଲା ତାଙ୍କ ମନରେ ।

 

ଯାହାହେଉ ବାହାରର ବନ୍ଦୋବସ୍ତ ଦେଖିବାପାଇଁ ତାଙ୍କର ମନ ଚଞ୍ଚଳ ହୋଇଉଠିଲା । ସେ ଦ୍ଵାରପାଖକୁ ଯାଇ ମୁଣ୍ଡଟି ଅଳ୍ପ ବାହାରକୁ କାଢ଼ି ଚାହିଁଲେ । ଦେଖିଲେ, ଅଳ୍ପ ଦୂରରେ କଦାକାର ରାକ୍ଷାସାକୃତି ଲୋକଟାଏ ବସିରହିଛି ଖୋଲା ତରବାରିଟାଏ ଧରି । ଗତ ରାତିରେ ଠିକ୍ ଏହିପରି ଲୋକଗୁଡ଼ାଙ୍କୁ ସେ ଦେଖିପାରିଥିଲେ । ସେତେବେଳେ ସେ ଏତିକିମାତ୍ର ଆଶ୍ଵାସନା ପାଇଥିଲେ ଯେ, ସେହି ଜଣକ ଛଡ଼ା ଦ୍ଵିତୀୟ ବ୍ୟକ୍ତିକୁ ଦେଖି ପାରି ନଥିଲେ । ଦିନ ନ ହୋଇ ରାତି ହୋଇଥିଲେ ମୁକ୍ତି ପାଇବାକୁ ଥରେ ଉଦ୍ୟମ କରିଥାନ୍ତେ । ମାତ୍ର ବର୍ତ୍ତମାନ କ୍ଷେତ୍ରରେ ତାଙ୍କର ସେପରି କରିବାକୁ ସାହସ ହେଲା ନାହିଁ । ରାତି ପର୍ଯ୍ୟନ୍ତ ସୁଯୋଗର ଅପେକ୍ଷାରେ ରହିବାକୁ ମନେ ମନେ ସ୍ଥିର କଲେ ସେ ।

 

ଅଗତ୍ୟା ପୂର୍ବ ସ୍ଥାନକୁ ଫେରିଆସିବାକୁ ପଡ଼ିଲା ତାଙ୍କୁ । ନିଜର ଅସହାୟ ଅବସ୍ଥା ବିଷୟ ଚିନ୍ତା କରି ଝରଝର ହୋଇ ଲୁହଧାର ଗଡ଼ିପଡ଼ିଲା ତାଙ୍କର ଦୁଇ ଆଖିରୁ ।

 

ବାର

 

ପ୍ରସ୍ତରଖୋଦିତ କଦାକାର ମୁଖାଟାର ଆଗରେ ଠିଆ ହୋଇଥିଲେ ବିଖ୍ୟାତ ଡିଟେକ୍‌ଟିଭ୍‌ ରୂପନାରାୟଣବାବୁ ଆଉ ତାଙ୍କର ସହକାରୀ ହରଗୋବିନ୍ଦ ଚୌଧୁରୀ । ଉଭୟେ ସଶସ୍ତ୍ର । ହାତରେ ଶକ୍ତିଶାଳୀ ରାଇଫଲ୍, କସରରେ ରିଭଲଭର୍ । ସାଙ୍ଗରେ ଦୁଇତିନି ଜଣ ଆଦିବାସୀ ଯୁବକ । ସେମାନଙ୍କ ହାତରେ ଧନୁଶର ମଧ୍ୟ ।

 

ମୁଖାଟାର ଗଠନରେ ଶିଳ୍ପୀର ହସ୍ତନୈପୁଣ୍ୟ ଅବଶ୍ୟ ନଥିଲା । ମୁଖାଟାର ଆକାର ଥିଲା ମନୁଷ୍ୟ, ସିଂହ ଏବଂ କଳ୍ପିତ ଦାନବର ଆକୃତି ସହିତ ସାମଞ୍ଜସ୍ୟ ରଖି । ଗଠନ ମଧ୍ୟ ଚିକ୍କଣ ନୁହେଁ । ମୁଖାର ଠିକ୍ ତଳକୁ ଖଣ୍ଡିଏ ଫଳକ । ସେଥିରେ ଲେଖାଅଛି—“ସାବଧାନ, ଜଙ୍ଗଲ ସମ୍ରାଟ ତାରଜନ୍ ।” ଏପରି ଲେଖାର ଉଦ୍ଦେଶ୍ୟ କ’ଣ ହୋଇପାରେ, ତାହା ଜାଣିବାପାଇଁ ବିଭିନ୍ନ ଦିଗରୁ ମନସ୍ତାତ୍ତ୍ୱିକ ବିଶ୍ଳେଷଣ କରୁଥିଲେ ରୂପନାରାୟଣବାବୁ । ସେ ଭାବୁଥିଲେ, ତାରଜନ୍ ନିଜକୁ ନିରାପଦରେ ରଖିବାପାଇଁ ହେଉ ବା ଲୋକମାନଙ୍କୁ ଭୟଭୀତ କରାଇବା ପାଇଁ ହେଉ, ଏପରି ଲେଖିଥାଇପାରେ । କିମ୍ବା ଅନ୍ୟ କେହି ଦ୍ଵିତୀୟ ବ୍ୟକ୍ତି ତାରଜନ୍ ପ୍ରତି ସତର୍କ ରହିବାପାଇଁ ସାଧାରଣ ଲୋକଙ୍କୁ ଜଣାଇ ମଧ୍ୟ ଏହା ଲେଖିପାରେ । ତେବେ ତାରଜନ୍ ଜୀବଟା କ’ଣ ? ସେ ଏ ନାମ ନୂଆ ଶୁଣୁଛନ୍ତି ଏଠାରେ । ସେ ଗୋଟାଏ ମନୁଷ୍ୟ, କିମ୍ୱା ବିଚିତ୍ର ପଶୁ । ମାତ୍ର ଲେଖାଟାରୁ ସେ ଯେତିକି ଜାଣିପାରୁଛନ୍ତି, ତାରଜନ୍ ଜଣେ ମନୁଷ୍ୟ ଏବଂ ଶିକ୍ଷିତ ବୋଲି ତାଙ୍କର ମନେ ହେଉଛି-

 

ରୂପନାରାୟଣବାବୁଙ୍କର ଏପରି ଅହେତୁକ ତଦନ୍ତକୁ ଆଦୌ ପସନ୍ଦ କରୁ ନଥିଲେ ହରଗୋବିନ୍ଦ । ସେ ସେଠାରୁ ଆଗେଇଯିବାକୁ ଚାହୁଁ ଥିଲେ । କିନ୍ତୁ ରୂପନାରାୟଣବାବୁଙ୍କ ଆଖି ଚକ୍ର ପରି ଚତୁର୍ଦ୍ଦିଗ ଭ୍ରମୁଥିଲା । ସେ ଗୋଟାଏ ରାସ୍ତା ଖୋଜୁଥିଲେ ।

 

ରୂପନାରାୟଣବାବୁଙ୍କ ଯୋଜନା ଅନୁସାରେ ତଦନ୍ତ କରିବାରେ ତିନିଦିନ ବିତିଗଲାଣି ପ୍ରାୟ । ଗୋଟିଏ ଦିଗରୁ ଆରମ୍ଭ କରି ଏକ ବିସ୍ତୃତ ଅଞ୍ଚଳ ତନ୍ନ ତନ୍ନ କରି ବୁଲିସାରିଲେଣି ସେମାନେ । ଅନ୍ୟ ଦିଗରେ ଅରିନ୍ଦମ ଛୋଟରାୟଙ୍କ ନେତୃତ୍ଵରେ ଗୋଟାଏ ଦଳ ମଧ୍ୟ ତଦନ୍ତରେ ଘୂରିବୁଲୁଛନ୍ତି । ସେ ଏହି ବିଶାଳ ବିସ୍ତୃତ ଅରଣ୍ୟ ଅଞ୍ଚଳରେ କେଉଁ ଅଂଶରେ କେଜାଣି, ତାଙ୍କର ନିର୍ଦ୍ଦିଷ୍ଟ ସ୍ଥାନ ଜଣାନାହିଁ । କେବଳ ଓୟାରଲେସଦ୍ଵାରା ପରସ୍ପର ମଧ୍ୟରେ ସଂଯୋଗ ସ୍ଥାପନ କରିବାକୁ ସମର୍ଥ ହୋଇଛନ୍ତି । ଛୋଟରାୟ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ପାଇନାହାନ୍ତି । ରୂପନାରାୟଣବାବୁ ଯାହା ହେଲେ କିଛି ପାଇପାରିଛନ୍ତି ଆଜି ।

 

ତାରଜନ୍, ରାଜାସାହେବ ଏବଂ ରାଣୀସାହେବାଙ୍କ ସନ୍ଧାନରେ ଜଙ୍ଗଲର ବିଶାଳ ଅଂଶଟାଏ ତନ୍ନ ତନ୍ନ କରି ଖୋଜୁଛନ୍ତି ସେ । ଯେଉଁଠି ରାତି ହୋଇଛି ସେଠି ତମ୍ବୁ ଟାଣି ରହିଛନ୍ତି । ନିବିଡ଼ ଅରଣ୍ୟରେ ଭୟାବହ ହିଂସ୍ରଜନ୍ତୁ ହାବୁଡ଼ିଛନ୍ତି । ମାତ୍ର ଯେଉଁ ଉଦ୍ଦେଶ୍ୟ ନେଇ ସେ ଧାଇଁ ଆସିଛନ୍ତି ସେ ଉଦ୍ଦେଶ୍ୟ ତିଳେ ହେଲେ ସାଧିତ ହୋଇନାହିଁ । ଏଇକଥା ଭାବି ବେଳେ ବେଳେ ଖୁବ୍ ଚିନ୍ତିତ ଏବଂ ହତାଶ ହୋଇପଡ଼ୁଥିଲେ ସେ । ତାଙ୍କ ମନରେ ଆଶଙ୍କା ଜାତ ହେଉଥିଲା, ଏଇ ନିବିଡ଼ ଜଙ୍ଗଲର ପାହାଡ଼ ପର୍ବତ, ଅନ୍ଦିସନ୍ଧି ଖୋଜୁ ଖୋଜୁ ସାରା ଜୀବନଟା ବିତିଯିବ କି କ’ଣ । ତଥାପି ନିଜର ଉଦ୍ୟମରୁ ଆଦୌ ଟଳିବାକୁ ଚାହୁଁ ନଥିଲେ ସେ । ପ୍ରତି ମୁହୂର୍ତ୍ତରେ ଅବଶ୍ୟ ସେ ଛୋଟରାୟଙ୍କ ଦଳରୁ କିଛି ଖବର ବା ନିଜେ କିଛି ସନ୍ଧାନ ପାଇବାକୁ ଆଶା କରୁଥିଲେ ।

 

ନିଜେ ଦୂରେଇ ଆସିଲେ ମଧ୍ୟ ମିଷ୍ଟର ସିଂଙ୍କ ଉପରେ କଡ଼ା ନଜର ରଖିବାର ବ୍ୟବସ୍ଥା କରିଥିଲେ ରୂପନାରାୟଣବାବୁ । ତାଙ୍କର ଗତିବିଧି ସମ୍ପର୍କରେ ବରାବର ଓୟାରଲେସ୍‌ରେ ଖବର ପାଉଥିଲେ ସେ । ପ୍ରଥମେ ଦିନେ ଦୁଇଦିନ ମିଷ୍ଟର ସିଂଙ୍କ ବିଷୟରେ ଯାହା ଖବର ସେ ପାଉଥିଲେ ସେଥିରେ ସନ୍ଦେହ କଲାଭଳି କିଛି ନଥିଲା । ମାତ୍ର ତା’ ପର ଘଟନାଗୁଡ଼ାକ ବଡ଼ ରହସ୍ୟ ବୃତ ଏବଂ ସନ୍ଦେହଜନକ ଜଣାଗଲା ତାଙ୍କୁ । ମିଷ୍ଟର ସିଂଙ୍କୁ ପ୍ରତ୍ୟକ୍ଷ ଦୃଷ୍ଟିରେ ନ ରଖି ଚାଲି ଆସିବାଦ୍ଵାରା ସେ ଭୁଲ୍ କରିପକାଇଛନ୍ତି ବୋଲି ନିଜକୁ ଦାୟୀ କରିବାକୁ ଲାଗିଲେ ।

 

ନିବିଡ଼ ଅରଣ୍ୟ ଭିତରେ ତଦନ୍ତକାଳୀନ ଦିନଗୁଡ଼ିକ କଟି ଯାଉଥିଲା ତାଙ୍କର ଏହିପରି ଭାବରେ ।

 

* * *

 

ମିଷ୍ଟର ସୁଦୀପ ନାରାୟଣ ଖୁବ୍ ଉତ୍ତେଜିତ ହୋଇଉଠିଥିଲେ ଦସ୍ୟୁଦଳର ସାମନାରେ ସେ ଅତି କଦର୍ଯ୍ୟ ଏବଂ ଉତ୍ତେଜିତ ଭାଷାରେ ଅପମାନସୂଚକ ଉର୍ତ୍ସନା କରୁଥିଲେ ଦସ୍ୟୁ ସର୍ଦ୍ଦାର ଚଣ୍ଡୁରାମକୁ । ଚଣ୍ଡୁରାମ ପରି ପ୍ରବଳ ପରାକ୍ରମଶାଳୀ ଦସ୍ୟୁ ସର୍ଦ୍ଦାର ଅବନତ ମସ୍ତକରେ ନୀରବରେ ସବୁ ଶୁଣିଯାଉଥିଲା । ଟିକିଏ ଛଡ଼ାରେ ଠିଆ ହୋଇଥିଲା ଆଉ ଜଣେ ଦସ୍ୟୁ ଅପରାଧୀ ପରି । ଭୟରେ ସେ ଏତେ ଦୂର ଜଡ଼ସଡ଼ ହୋଇପଡ଼ିଥିଲା ଯେ ଦେହରେ ତା’ର ରକ୍ତ ଥିଲା ପରି ଜଣାଯାଉ ନଥିଲା ।

 

ପ୍ରକୃତରେ ସେ ଥିଲା ଅପରାଧୀ । ରାଣୀ ମାଳବିକାଙ୍କୁ ଜଗି ରହିବାର ଦାୟିତ୍ଵ ତା’ରି ଉପରେ ଦିଆଯାଇଥିଲା । ମାତ୍ର ସନ୍ଧ୍ୟା ପୂର୍ବରୁ ଅତିମାତ୍ରାରେ ମାତାଲ ହୋଇପଡ଼ିଥିଲା ସେ । ସେଇ ସୁଯୋଗ ନେଇ ମାଳବିକା ନିବିଡ଼ ଅରଣ୍ୟ ଭିତରେ କେଉଁଠି ଆତ୍ମଗୋପନ କରିନେଇଛନ୍ତି-। ସାରା ଦସ୍ୟୁଦଳଟା ମଶାଲ ଆଲୁଅ ଜାଳି ଖଣ୍ଡେ ଦୂର ପର୍ଯ୍ୟନ୍ତ ଜଙ୍ଗଲକୁ ଖୋଜି ଓଲଟ ପାଲଟ କରିଦେଲେଣି ପ୍ରାୟ । ମାତ୍ର ପତ୍ତା ନାହିଁ ରାଣୀସାହେବାଙ୍କର । ସତେ ଯେମିତି ଆଶ୍ଚର୍ଯ୍ୟଜନକ ଭାବରେ ଅଦୃଶ୍ୟ ହୋଇଯାଇଛନ୍ତି ସେ ଏଇ ଅଳ୍ପ ସମୟ ମଧ୍ୟରେ ।

 

ମିଷ୍ଟର ସିଂଙ୍କର ଆସିବାର ଥିଲା ସନ୍ଧ୍ୟା ପରେ । ଠିକ୍ ସନ୍ଧ୍ୟା ସମୟରେ ମାଳବିକା ବନ୍ଦିନୀ ଥିଲେ । ଅଥଚ ମିଷ୍ଟର ସିଂ ଆସି ପହଞ୍ଚିଲାବେଳକୁ ଅଦୃଶ୍ୟ । ସାମାନ୍ୟ ଗୋଟାଏ ସ୍ତ୍ରୀଲୋକକୁ ଆୟତ୍ତରେ ରଖିପାରିବାକୁ ଏଡ଼େ ବଡ଼ ଗୋଟାଏ ଦୁର୍ଦ୍ଦାନ୍ତ ଦସ୍ୟୁ ଦଳର ଅକ୍ଷମତା କମ୍ ଲଜ୍ଜା ଏବଂ ଦୁଃଖର କଥା ନୁହେଁ । ମାଳବିକା ଯଦି ଦୈବାତ ତାଙ୍କ ଦଳର କାହାରିକୁ ହେଲେ ସାକ୍ଷାତ ଦେଇ ସବୁ ଖବର ଜଣାଇଦିଅନ୍ତି ତେବେ ମିଷ୍ଟର ସିଂଙ୍କ ସମେତ ଏଡ଼େ ବଡ଼ ଦସ୍ୟୁଦଳଟାର ଅବସ୍ଥା ଯେ କ’ଣ ହେବ ତାହା ଭାଷାରେ ପ୍ରକାଶ କରିବାର ନୁହେଁ—ଏଇ କଥାକୁ ଚେତାଇ ଉର୍ତ୍ସନା କରୁଥିଲେ ମିଷ୍ଟର ସିଂ ଦସ୍ୟୁସର୍ଦ୍ଦାର ଚଣ୍ଡୁରାମକୁ ।

 

ଚଣ୍ଡୁରାମ କ୍ରୋଧ ଏବଂ ଅପମାନରେ ଜର୍ଜର ହୋଇଉଠିଥିଲା ସେତେବେଳକୁ । ରାଣୀସାହେବାଙ୍କୁ ହରାଇବାଦ୍ଵାରା ଯେ କେଡ଼େ ବିପଦ ସେ ଅର୍ଜନ କରିଛି, ତାହା ସେ ବୁଝିପାରିଥିଲା । ମିଷ୍ଟର ସିଂଙ୍କ ସହିତ ତା’ର ଯୋଗସୂତ୍ର ବହୁକାଳରୁ । ସମଗ୍ର ଉତ୍ତର ଏବଂ ଦକ୍ଷିଣ ଭାରତରେ ଚଣ୍ଡୁରାମର ଲୁଟତରାଜ ଇଲାକା । ସେତେ ବଡ଼ ବଡ଼ ହତ୍ୟା, ଲୁଣ୍ଠନ, ଡକାୟତି ଆଦି ଘଟିଯାଇଚି, ସବୁ କେବଳ ତା’ରି ଯୋଗୁଁ । ବହୁ ଅନୁସନ୍ଧାନ ପରେ ପୁଲିସ ଗୁପ୍ତଚର ବିଭାଗ ଏହି ଅଞ୍ଚଳରେ ତା’ର ଆଡ଼୍‍ଡ଼ା ଥିବ ବିଷୟ ଅବଶ୍ୟ ଜାଣିପାରିଛନ୍ତି । ତଥାପି ସେମାନେ ତାକୁ ଧରିବାକୁ ସମର୍ଥ ହୋଇପାରିନାହାନ୍ତି । କାରଣ, ସନ୍ଧାନକାରୀମାନେ ସାହାଯ୍ୟ ପାଇବା ଆଶାରେ ପ୍ରଥମେ ମିଷ୍ଟର ସିଂଙ୍କ ନିକଟରେ ଉପସ୍ଥିତ ହୋଇଛନ୍ତି । ମିଷ୍ଟର ସିଂ ପରିସ୍ଥିତି

 

ଦେଖି ସେମାନଙ୍କୁ ଭୁଲ୍‍ବାଟରେ ଅନ୍ୟ ଆଡ଼ ଦେଖାଇଦେଇଛନ୍ତି ବା କୌଣସି ଅସାବଧାନ ମୁହୂର୍ତ୍ତର ସୁଯୋଗ ନେଇ ଚଣ୍ଡୁରାମଦ୍ଵାରା ଏପରି ମାଡ଼ ଖୁଆଇଛନ୍ତି ଯେ, ସନ୍ଧାନକାରୀ ଦଳକୁ ଅଗତ୍ୟା ପରାଜୟ ସ୍ୱୀକାର କରି ଫେରିଯିବାକୁ ପଡ଼ିଛି । ଏଣେ ମିଷ୍ଟର ସିଂଙ୍କ ଛତ୍ରଛାୟାତଳେ ଚଣ୍ଡୁରାମ ଆଉ ତା’ର ଦଳ ହୋଇଉଠିଛନ୍ତି ଦୁର୍ଦ୍ଧର୍ଷ, ଅପରାଜେୟ । ସେହି ଦୃଷ୍ଟିରୁ ସେ ଖୁବ୍ ଭୟ ଏବଂ ସମ୍ମାନ କରେ ମିଷ୍ଟର ସିଂଙ୍କୁ । ଚଣ୍ଡୁରାମର ସହାୟତାରେ ମିଷ୍ଟର ସିଂ ମଧ୍ୟ ସମଗ୍ର ଜଙ୍ଗଲ ରାଜ୍ୟରେ ଏକାଧିପତ୍ୟ ବିସ୍ତାର କରିଆସିଛନ୍ତି ଆଜିପର୍ଯ୍ୟନ୍ତ ।

 

ଉପସ୍ଥିତ ପରିସ୍ଥିତିରେ କ’ଣ ଅପାତତଃ କରାଯାଇପାରେ, ତାହା ଥିଲା ପ୍ରଧାନ ଚିନ୍ତାର ବିଷୟ ମିଷ୍ଟର ସିଂଙ୍କ ପକ୍ଷରେ । ମାଳବିକା ଖସି ଚାଲିଯିବାଦ୍ଵାରା ଯେପରି ଘୋର ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା ତାଙ୍କ ପକ୍ଷରେ । ବିରକ୍ତିର ସହିତ ଚଣ୍ଡୁରାମକୁ ଚାହିଁଲେ ସେ । ଚଣ୍ଡୁରାମ ମଧ୍ୟ ତା’ର ବିରାଟ ଲାଲ ଲାଲ ଆଖି ଦୁଇଟା ବିସ୍ଫାରିତ କରି ଚାହିଁ କ’ଣ ଇଙ୍ଗିତ କଲା ଆଉ ଗୋଟାଏ ଦସ୍ୟୁକୁ-। ଇଙ୍ଗିତମାତ୍ରେ ଚାରି ଛଅଜଣ ଦସ୍ୟୁ ଯମଦୂତ ପରି ଘେରିଗଲେ ସେହି ଅପରାଧୀ ଦସ୍ୟୁଟାକୁ । ସମସ୍ତେ ସଶସ୍ତ୍ର । ଅପରାଧୀଟି ଭୟରେ ଚିତ୍କାର କରିଉଠିଲା । କିନ୍ତୁ ଶୁଣୁଚି ବା କିଏ ? ଏକ ସଙ୍ଗରେ ସମସ୍ତଙ୍କ ଅସ୍ତ୍ର ବାରମ୍ବାର ଆଘାତ କରିଉଠିଲା ତା’ ଦେହର ବିଭିନ୍ନ ସ୍ଥାନରେ । ଲୋକଟା ଆଉ ଚିତ୍କାର କଲାଭଳି ସମୟ ପାଇଲା ନାହିଁ । ଖାଲି ଘାଉଲା ମଇଁଷିଭଳି ଗଁ ଗଁ ହେବାକୁ ଲାଗିଲା-। ଅଳ୍ପ ସମୟ ମଧ୍ୟରେ ରକ୍ତସ୍ନାନ ହୋଇ ଲୋକଟା ପଡ଼ିଗଲା ତଳେ । କ୍ରମେ ଚିତ୍କାର ତା’ର କ୍ଷୀଣ ହୋଇଆସିଲା । ତଥାପି ନିସ୍ତାର ନାହିଁ । ପଥର ଚଟାଣଟା ରକ୍ତରେ ବୁଡ଼ିଗଲା ମଳାଏ । କେତେବେଳ ପର୍ଯ୍ୟନ୍ତ ଛଟପଟ ହୋଇ ଲୋକଟାର ଶେଷ ନିଃଶ୍ଵାସ ଉଡ଼ିଗଲା ।

 

ଏତେବଡ଼ ଘଟନାଟାରେ ତିଳେ ହେଲେ ଦୁଃଖ ନାହିଁ କାହାରି ମନରେ । ବରଂ ଖୁସି ମନ ସମସ୍ତଙ୍କର । ଚଣ୍ଡୁରାମ ଏବଂ ମିଷ୍ଟର ସିଂଙ୍କ ମୁହଁରେ ସାମାନ୍ୟ ପ୍ରସନ୍ନତା ଦେଖାଗଲା ଏଥର-। ତାଙ୍କୁ ଆଉ ଟିକିଏ ସନ୍ତୁଷ୍ଟ କରାଇବା ପାଇଁ ଚଣ୍ଡୁରାମ କିଛି ପାନୀୟ ଆଣିବାକୁ ଇଙ୍ଗିତ କଲା ପାଖରେ ଥିବା ଜଣକୁ । ଆଦେଶ ପାଳିତ ହେଲା ତତ୍‌କ୍ଷଣାତ ।

 

କିଛି ସମୟ ପରେ ଟିକିଏ ପ୍ରକୃତିସ୍ଥ ହୋଇ ମିଷ୍ଟର ସିଂ ଖଣ୍ଡିଏ ପଥର ଉପରେ ଆସନ ଗ୍ରହଣ କଲେ । ବିସ୍ତୃତ ସ୍ଥାନଟାକୁ ପୂର୍ଣ୍ଣ କରି ଦସ୍ୟୁଦଳର ପ୍ରାୟ ସମସ୍ତ ସଭ୍ୟ ପାନୀୟ ସେବନରେ ଉନ୍ମତ୍ତ । କେତେଟା ମଶାଲ ଦାଉ ଦାଉ ହୋଇ ଜଳୁଛି ଖୁବ୍ ଉଜ୍ଜ୍ୱଳ ଭାବରେ । ଖାଲି ମିଷ୍ଟର ସିଂ ଏବଂ ଚଣ୍ଡୁରାମ ଖଣ୍ଡେ ଛଡ଼ାରେ ଅନୁଚ୍ଚ ସ୍ଵରରେ କଥାବାର୍ତ୍ତାରେ ମଗ୍ନ ଥିଲେ । ପ୍ରାୟ ଘଣ୍ଟାଏ ବିତିଗଲା ପରେ ଇଙ୍ଗିତ ଦେଲାପରି ଗୋଟାଏ କୁହାଟ ଶବ୍ଦରେ ସମସ୍ତଙ୍କୁ ସ୍ତବ୍ଧ କରିଦେଲା ଚଣ୍ଡୁରାମ । ତା’ପରେ ଗୋଟାଏ ଅବ୍ୟକ୍ତ ଅବୋଧ୍ୟ ଭାଷାରେ ଦଳକୁ କ’ଣ ନିର୍ଦ୍ଦେଶ ଦେଲା ସେ । ଚାହୁଁ ଚାହୁଁ ମହା କୋଳାହଳ କରି ଦସ୍ୟୁଗୁଡ଼ା ନିଜ ନିଜ ଗୁମ୍ଫା ଭିତରକୁ ଯାଇ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ ବାହାରିପଡ଼ିଲେ । ତା’ପରେ ନିର୍ଦ୍ଦେଶ ପାଇଲାମାତ୍ରେ ନାଚିଲା ପରି ହୋଇ ମଶାଲ ଟେକି ଦଳ ଦଳ ହୋଇ ବାହାରିଗଲେ ଜଙ୍ଗଲର ବିଭିନ୍ନ ଦିଗରେ । କେତେଜଣ ଅନୁଚରଙ୍କୁ ସାଙ୍ଗରେ ନେଇ ମିଷ୍ଟର ସିଂ ଏବଂ ଚଣ୍ଡୁରାମ ମଧ୍ୟ ଗୋଟିଏ ଦିଗରେ ଅଭିଯାନ ଅନୁକୂଳ କରିଦେଲେ ।

 

* * *

 

ଦିନସାରା ଜଙ୍ଗଲରେ ବୁଲି ବୁଲି ରାଜା ପ୍ରବୀରଚନ୍ଦ୍ର ଏତେ କ୍ଳାନ୍ତ ହୋଇପଡ଼ିଥିଲେ ଯେ, ସନ୍ଧ୍ୟା ପରେ ପରେ ଆହାରାତି ଶେଷ କରି ସେ ଗାଢ଼ ନିଦରେ ଶୋଇଯାଇଥିଲେ । ପର୍ବତର ସୁଉଚ୍ଚ ସ୍ଥାନରେ ଶୀତଳ ପବନ ବେଶ୍ ଲାଗୁଥିଲା ଦେହକୁ । ଚନ୍ଦ୍ରକିରଣ ବିଞ୍ଚି ହୋଇ ପଡ଼ିଥିଲା ଚାରିଆଡ଼େ । ଗୁମ୍ଫା ସାମନାରେ ପାଖପାଖ ହୋଇ କେତେଖଣ୍ଡ ପରିଷ୍କାର ଚିକ୍କଣ ପଥର । ଏଇ କେତେ ଦିନ ହେଲା ରାତିରେ ରାଜାସାହେବଙ୍କ ବିଶ୍ରାମ ସେଇଠି । ଖରାଦିନ । କେବଳ ହିଂସ୍ରଜନ୍ତୁଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରକାର ଭୟ ନାହିଁ । ପାଖରେ ସୁଲତାନ ସବୁବେଳେ ସତର୍କ ପ୍ରହରୀ ପରି ରହିଛି । ସାମାନ୍ୟ ଟିକିଏ ଶବ୍ଦ ହେଲେ ସଚେତ ହୋଇଉଠୁଛି ସେ । କେବଳ ତା’ରିପାଇଁ ହିଂସ୍ରଜନ୍ତୁଙ୍କର ଭୟ ମଧ୍ୟ ନାହିଁ କହିଲେ ଚଳେ ।

 

ରାଜାସାହେବଙ୍କ ପାଖକୁ ଲାଗି ଆଉ ଖଣ୍ଡିଏ ପଥର । ସେଥିରେ ଶାୟିତ ତାରଜନ୍ । କିନ୍ତୁ ନିଦ୍ରିତ ନୁହେଁ । ସେ ଜାଗ୍ରତ । ତା’ ପାଖରେ ସୁଲତାନ ଚୁପ୍‌ଚାପ୍ ବସିରହିଛି ବାହାରପ୍ରତି ସତର୍କ ଆଖି କାନ ଦେଇ ।

 

ହଠାତ ଖୁବ୍ ଦୂରରେ ଗୋଟାଏ କୋଳାହଳ ଶବ୍ଦ ଶୁଣି ସୁଲତାନ ଧଡ଼୍ କରି ଉଠିପଡ଼ିଲା-। ତା’ର ଏ ଢଙ୍ଗ ଲକ୍ଷ୍ୟ କରି ତାରଜନ୍ ମଧ୍ୟ ଉଠିପଡ଼ିଲା ପଛେ ପଛେ । କାରଣ, ତାରଜନ୍ ଭଲଭାବରେ ଜାଣେ ଯେ ସୁଲତାନ ଏଣୁତେଣୁ ଶବ୍ଦରେ ଉଠିବସିବା ଜୀବ ନୁହେଁ । ମାତ୍ର କେତୋଟି ମୁହୂର୍ତ୍ତ କାନ ଡେରି ସେ ଉଠିପଡ଼ି ଚାଲିଗଲା ଜଙ୍ଗଲଆଡ଼େ । ତାରଜନ୍‍ର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ନିଶ୍ଚୟ କିଛି ବିପଦର ସୂଚନା ସେ ପାଇଛି । ନ ହେଲେ ଉଠିଯିବା ସମ୍ଭବ ନୁହେଁ ତା’ ପକ୍ଷରେ । ଭବିଷ୍ୟତ୍‍ରେ କାଳେ କିଛି ବିପଦ ଘଟିବ, ଏଇ ଆଶଙ୍କାରେ ଗୁମ୍ଫାଭିତରକୁ ଧାଇଁ ଯାଇ ନିଜର ବନ୍ଧୁକଟା ନେଇଆସି ବସିଲା ସେଇ ପଥର ଉପରେ । ରାଜାସାହେବ ନିଦ୍ରିତ ସେତେବେଳକୁ । ତାଙ୍କୁ ସତର୍କ କରାଇଦେବା ପାଇଁ ଉଠାଇଦେବା ଉଚିତ ହେବ କି ନାହିଁ ସେ କଥା ଚିନ୍ତା କରିବାକୁ ଲାଗିଲା ସେ ବଡ଼ ବ୍ୟତିବ୍ୟସ୍ତ ଭାବରେ ।

 

ହଠାତ ଲାଗେ ଲାଗେ କେତେଟା ଗୁଳି ଫୁଟିବାର ଶବ୍ଦ ଭାସିଆସିଲା ବହୁ ଦୂରରୁ । ତା’ ସଙ୍ଗେ ସଙ୍ଗେ କୋଳାହଳ ଆହୁରି ଜୋର୍‍ରେ ଶୁଣାଗଲା । ତା’ ପଛେ ପଛେ ସୁଲତାନର ଘୋର ଗର୍ଜନ ମଧ୍ୟ । ସୁଲତାନ ଖୁବ୍ ରାଗି ନ ଗଲେ ଏପରି ଭୀଷଣ ଗର୍ଜନ କେବେ କରେ ନାହିଁ । ଗୁଳିର ଶବ୍ଦ, କୋଳାହଳ ଏବଂ ତା’ ସାଙ୍ଗକୁ ସୁଲତାନର ଗର୍ଜନ ଶୁଣି ସେ ଆହୁରି ବ୍ୟତିବ୍ୟସ୍ତ ଏବଂ ବିବ୍ରତ ହୋଇପଡ଼ିଲା । ସୁଲତାନ ଯେ କେଉଁଠି ଭୀଷଣ ସଂଘର୍ଷର ସମ୍ମୁଖୀନ ହୋଇଛି ତାହା ବୁଝିବାରେ ଆଦୌ ଡେରି ଲାଗିଲା ନାହିଁ ତାକୁ । ହୁଏତ ଚଣ୍ଡୁରାମର ଦଳ କିମ୍ୱା ରାଜାସାହେବବଙ୍କ ଡେରାର ଲୋକଙ୍କ ସହିତ ତା’ର ସଂଘର୍ଷ ଆରମ୍ଭ ହୋଇଯାଇଛି । ତେବେ ଚଣ୍ଡୁରାମର ଲୋକଙ୍କ ସହିତ ସଂଘର୍ଷର ଅଧିକ ସମ୍ଭାବନା ସେ କରୁଥିଲା । କାରଣ ଡେରା ଥିଲା ସେଠାରୁ ବହୁ ଦୂର ଏବଂ ଦୁର୍ଗମ ରାସ୍ତାର ଅନ୍ତରାଳରେ ।

 

ସଂଘର୍ଷର ପରିଣତି ଯାହା ହେଉ ନା କାହିଁକି, ବହୁତ ଗୁଡ଼ାଏ ଲୋକ, ଅସ୍ତ୍ର ଶସ୍ତ୍ର ଆଉ ବନ୍ଧୁକ ଆଗରେ ସୁଲତାନ ବା କ’ଣ କରିପାରେ ? ତାହାହିଁ ଚିନ୍ତା କରି ସେ ଅଥୟ ହୋଇଉଠୁଥିଲା ବେଳକୁ ବେଳ । ପରିଣାମ ତା’ର ଆଖିଆଗରେ ଛବିପରି ନାଚିଉଠୁଥିଲା । ସୁଲତାନ ସାମାନ୍ୟ ଗରିଲାଟାଏ ହେଲେ ମଧ୍ୟ ତା’ର ଜୀବନର ମୂଲ୍ୟ ତାରଜନ୍ ନିକଟରେ ଥିଲା ଅସାମାନ୍ୟ । ଦୈବାତ ଯଦି ତା’ର କିଛି ଭଲମନ୍ଦ ଘଟିଯାଏ ତେବେ ସେ ଏ ନିବିଡ଼ ଜଙ୍ଗଲ ମଧ୍ୟରେ ଜୀବନଧାରଣ କରି ରହିବା ଅସମ୍ଭବ ବୋଲି ମନରେ ଭାବୁଥିଲା ।

 

ଯାହାହେଉ, ସେ ଆଉ ସ୍ଥିର ଭାବରେ ରହିପାରିଲା ନାହିଁ । ଏଣେ ରାଜାସାହେବଙ୍କୁ ନିଦ୍ରିତାବସ୍ଥାରେ ଏକୁଟିଆ ଛାଡ଼ିଯିବାକୁ ମଧ୍ୟ ଉଚିତ ମନେ କଲା ନାହିଁ । ଅଗତ୍ୟା ତାଙ୍କୁ ହଲାଇ ଉଠାଇଦେଲା । ନିଦ ଭାଙ୍ଗିଲାମାତ୍ରେ ରାଜା ପ୍ରବୀରଚନ୍ଦ୍ର ମଧ୍ୟ କୋଳାହଳ ଏବଂ ସୁଲତାନର ଗର୍ଜନ ଶୁଣିପାରିଲେ । କିଛି ଦୂରରେ ଭୀଷଣ ଗୋଟାଏ ସଂଘର୍ଷ ଯେ ଘଟୁଛି ତାହା ସେ ବୁଝିପାରି ତାରଜାନ୍ ଆଡ଼କୁ ପ୍ରଶ୍ନବାଚକ ଦୃଷ୍ଟିରେ ଚାହିଁ ପଚାରିଲେ—“ଯିବା ?”

 

“ହଁ ଯିବା, ଖୁବ୍ ଶୀଘ୍ର ।”

 

ଆଉ ଅପେକ୍ଷା କରି ବସିବାକୁ ସମୟ ନଥିଲା । ରାଜାସାହେବ ଗୁହା ଭିତରକୁ ଧାଇଁଯାଇ ନିଜର ବନ୍ଧୁକ ଖଣ୍ଡି ହାତରେ ଧରି ବାହାରି ଆସିଲେ । ପରିଷ୍କାର ଚନ୍ଦ୍ରାଲୋକ ବିଛେଇ ହୋଇ ପଡ଼ିଥିଲା । ଚାରିଆଡ଼େ ଦୁହେଁଯାକ ସେଇ ଆଲୋକରେ ଶବ୍ଦ ପ୍ରତି ଲକ୍ଷ୍ୟ ରଖି ଆଗେଇ ଗଲେ ଜଙ୍ଗଲ ଆଡ଼କୁ । ଜଙ୍ଗଲ ଭିତରକୁ ସେଠାରୁ ବହୁଦୂର ପର୍ଯ୍ୟନ୍ତ ରାସ୍ତା ପରିଚିତ । ତେଣୁ ଯିବାରେ ଅସୁବିଧା ହେଲା ନାହିଁ କିଛି । କୋଳାହଳ କ୍ରମେ ନିକଟରୁ ନିକଟକୁ ଜଣାଯାଉଥିଲା । ସେଇ ଶବ୍ଦକୁହିଁ ଲକ୍ଷ୍ୟ କରି ଏ ଦୁହେଁ ଚାଲିଥିଲେ ଖୁବ୍ ଦ୍ରୁତ ଗତିରେ ।

 

ଆହୁରି ଖଣ୍ଡେ ଦୂର ଚାଲିଗଲା ପରେ ହାଲୋଳମୟ ଦେଖାଗଲା ଜଙ୍ଗଲ ଭିତରେ ବହୁଦୂରରେ । ତା’ର କିଛି ସମୟ ପରେ ଚଡ଼ଚଡ଼ ହୋଇ ଜଙ୍ଗଲ ପୋଡ଼ିବାର ଶବ୍ଦ । ବହୁ ଉଚ୍ଚ ପର୍ଯ୍ୟନ୍ତ ନିଆଁ ଧୂଆଁର ଶିଖା ଉଠିଯାଉଥିଲା ଉପରକୁ । ରାଜା ପ୍ରବୀରଚନ୍ଦ୍ର ଦେଖିଲେ, ସାଂଘାତିକ ବ୍ୟାପାର, ଜଙ୍ଗଲରେ ନିଆଁ ଲାଗିଗଲେ ରକ୍ଷା ନାହିଁ । ମାଇଲ ମାଇଲ ଧରି ଜଙ୍ଗଲ ସପ୍ତାହ ସପ୍ତାହ କାଳ ଧରି ଜଳି ଜଳି ଧ୍ୱଂସ ହୋଇଯିବ । ତା’ ସାଙ୍ଗରେ କେତେ ଯେ ପଶୁପକ୍ଷୀ ଧ୍ୱଂସ ହେବେ ତା’ର ସୀମା ନାହିଁ । ସବୁ ଦେଖିବା ଆଉ ଚିନ୍ତା କରିବା ଭିତରେ ସେମାନଙ୍କର ଗତି ବନ୍ଦ ନଥିଲା ଆଦୌ ।

 

–“ହେଇ ସୁଲତାନ ।” ତାରଜନ୍‍ର ଚିତ୍କାରରେ ରାଜାସାହେବ ଚମକିପଡ଼ିଲେ, ଆଉ ତା’ ସଙ୍ଗେ ସଙ୍ଗେ ଅତି ନିକଟରେ ସୁଲତାନର ଆସିବା ଶବ୍ଦ ମଧ୍ୟ ସେ ଶୁଣିପାରିଲେ । ତା’ର ସେତେବେଳର ଗତି ଥିଲା ଖୁବ୍ ତୀବ୍ର । ତାରଜନ୍ ଜାଣେ, ସୁଲତାନ ନିଆଁକୁ ଖୁବ୍ ଭୟ କରେ । ବଣରେ ନିଆଁ ଲାଗିଯିବା ଦେଖି ହୁଏତ ଧାଇଁଛି । ଖୁବ୍ ପାଖାପାଖି ହେଲାରୁ ସେ ତାକୁ ନିଜର ସ୍ଵର ଶୁଣାଇଲା । ତାରଜନ୍‍ର ସ୍ଵର ଶୁଣିଲାମାତ୍ରେ ଏକ ଲମ୍ଫରେ ସୁଲତାନ ଆସି ତା’ ପାଖରେ ହାଜର ହୋଇଗଲା । କିଛି ସମୟପରେ ତାରଜନ୍‍କୁ ଦେଖିଲେ ସେ ଖୁବ୍ ଆନନ୍ଦିତ ହୋଇଉଠେ । ମାତ୍ର ବର୍ତ୍ତମାନ ଆନନ୍ଦ ଲାଭ କରିବା ପରିବର୍ତ୍ତେ ତା’ର ସ୍ଵଭାବସୁଲଭ ଭଙ୍ଗୀରେ ଚେଁ ଚେଁ ଶବ୍ଦ କରି ଖୁବ୍ ବ୍ୟସ୍ତ ହୋଇପଡ଼ିଲା । ତା’ ବ୍ୟସ୍ତତାଟା କେତେଦୂର, ତାହା ବୁଝିପାରିଲା କେବଳ ତାରଜନ୍ । ଚାପାଗଳାରେ ରାଜାସାହେବଙ୍କୁ ଲକ୍ଷ୍ୟକରି ସେ କହିଲା—“ଆଗରେ ଆହୁରି କିଛି ରହସ୍ୟ ଅଛି ବୋଧହୁଏ; ଆମକୁ ଯିବାକୁ ହେବ ସୁଲତାନ ପଛେ ପଛେ ।”

 

ରାଜାପ୍ରବୀରଚନ୍ଦ୍ରଙ୍କର ଅସମ୍ମତହେବାର ଉପାୟ ନଥିଲା । କାରଣ ତାରଜନ୍ ଏବଂ ସୁଲତାନଙ୍କୁ ଛାଡ଼ି ଏକୁଟିଆ ରହିଲାଭଳି ସାହସ ନଥିଲା ତାଙ୍କର ।

 

ସୁଲତାନକୁ ଅନୁସରଣ କରି ଚାଲିବାରେ ଚାଲିବାରେ ଲାଗିଲେ ଦୁହେଁ; କିନ୍ତୁ କଣ୍ଟାଝଟା, ଲତାଗୁଳ୍ମ, ପରିପୂର୍ଣ୍ଣ ନିଗଡ଼ ଜଙ୍ଗଲର ଅସମତଳ ଭୂମି ଉପରେ ସୁଲତାନ ସହିତ ପାଦ ପକାଇ ସମକକ୍ଷ ହୋଇ ଚାଲିବା ଅସମ୍ଭବ ହୋଇପଡ଼ିଥିଲା ରାଜାସାହେବ ଆଉ ତାରଜନ୍ ପକ୍ଷରେ । ତାରଜନ୍ ଅବଶ୍ୟ କେତେକ ପରିମାଣରେ ପାରୁଥିଲା; କିନ୍ତୁ ରାଜାସାହେବ ସବୁବେଳେ ପଛକୁ ପଡ଼ି ରହୁଥିଲେ । ଏଣେ ସୁଲତାନ ଅସ୍ତବ୍ୟସ୍ତ ହୋଇ ଆଗକୁ ଧାଉଁଥିଲା । ଜଙ୍ଗଲ ଭିତରଟା ଗାଢ଼ କଳା ଅନ୍ଧାର । ଗୋଟିଏ ପାଦ ସୁଦ୍ଧା ଆଗକୁ ପକାଇବାକୁ ସାହସ ହେଉ ନଥିଲା ପ୍ରବୀରଚନ୍ଦ୍ରଙ୍କର । ତଥାପି କେତେ ପାହୁଣ୍ଡ ଗଲା ପରେ ସେ ଖୁବ୍ ପଛେଇଯାଇ ପଛରୁ ଡାକ ଦେଲେ ତାରଜନ୍‍କୁ ।

 

ଡାକିବାର ଉଦ୍ଦେଶ୍ୟ ତାରଜନ୍ ବୁଝିବା ସଙ୍ଗେ ସଙ୍ଗେ ବୁଦ୍ଧିମାନ୍ ସୁଲତାନ ମଧ୍ୟ ବୁଝିଗଲା । ସେ ଧାଇଁଆସି ରାଜାସାହେବଙ୍କୁ ଗୋଟାଏ ଖେଳନା କଣ୍ଢେଇ ପରି ଟେକିନେଲା କାଖକୁ । ତାଙ୍କୁ ଗୋଟାଏ କାଖତଳେ ଚାପିଧରି ତାରଜନ୍‍କୁ ଉଠାଇ ନେଲା ଆର କାଖରେ । ତା’ପରେ ଖୁବ୍ ବେଗରେ ସେଇ ନିବିଡ଼ ଅନ୍ଧକାରରେ ଧାଇଁବାକୁ ଲାଗିଲା ସେ ଆଗକୁ ।

 

ତାରଜନ୍ ଚିତ୍କାର କରି ଡାକି କହିଲା—“ସୁଲତାନର କାନ୍ଧକୁ ଦୁଇ ହାତରେ ଜବର କରି ଧରିଥାନ୍ତୁ; ନ ହେଲେ ହାଡ଼ଗୋଡ଼ ଚୂନା ହୋଇଯିବ କେଉଁଠି ।” ରାଜାସାହେବ ସେତବେଳକୁ ଏକ ପ୍ରକାର ଅଣନିଃଶ୍ୱାସୀ ହୋଇପଡ଼ିଥିଲେ । ସୁଲତାନର ଶକ୍ତି ଯେ କେତେ, ତାହା ସେ ଜାଣି ପାରୁ ନଥିଲେ । ତାରଜନ୍‍ର କଥା ମାନି ଦୁଇ ହାତରେ ତା’ର ଗୋଟାଏ କାନ୍ଧରେ ଏକପ୍ରକାର ଝୁଲିଲାପରି ରହିଲେ ସେ । ଏଥର ଟିକିଏ ଆରାମ ଲାଗିଲା ଅବଶ୍ୟ ଆଗ ଅପେକ୍ଷା ।

 

ନିବିଡ଼ ଅନ୍ଧକାରମୟ ଜଙ୍ଗଲରେ କିଛି ଦିଶୁ ନଥିଲା । ତା’ରି ଭିତରେ ତାରଜନ୍ ଆଉ ରାଜାସାହେବଙ୍କୁ ବୋହି ଗୋଟାଏ ତୋଫାନ ପରି ଧାଇଁଥିଲା ସୁଲତାନ । ବେଳେବେଳେ କଣ୍ଟା ଝଟା ଡାଳଗୁଡ଼ା ଚାବୁକରେ ପିଟିଲା ପରି ପିଟି ହୋଇଯାଉଥିଲା ଦେହରେ ।

 

ରାଜାସାହେବ ପ୍ରତି ମୁହୂର୍ତ୍ତରେ ପ୍ରମାଦ ଗଣୁଥିଲେ । ଏ ଘୋର ବିପଦରେ ଏକମାତ୍ର ରାଇଫଲ୍ ଖଣ୍ଡିକ ବ୍ୟତୀତ ତାଙ୍କର ଆଉ ସାହା କିଏ ଅଛି ? ସେଖଣ୍ଡିକୁ ସେ ଜାବୁଡ଼ି ଧରିଥିଲେ ପ୍ରାଣପଣେ ।

 

ତେର

 

ପ୍ରାୟ ଦୀର୍ଘ ଦୁଇଘଣ୍ଟା ଧରି ସୁଲତାନ କାନ୍ଧରେ ଝୁଲି ଝୁଲି ରାଜା ପ୍ରବୀରଚନ୍ଦ୍ର ଏବଂ ତାରଜନ୍ କେତେ ଉଠାଣି ଗଡ଼ାଣି ରାସ୍ତା, ଜଙ୍ଗଲ ଭିତର ଦେଇ ଯେ ଆସିଲେ ତା’ର ଠିକଣା ନାହିଁ-। ବାହାରେ ଚତୁର୍ଦ୍ଦିଗ ଘେରି ଗାଢ଼ କଳା ଅନ୍ଧାର । କିଛି ଦେଖିବାର ଉପାୟ ନାହିଁ । ରାଜାସାହେବ ଆଶଙ୍କା କରୁଥିଲେ—ଏ ମୂର୍ଖ ଗରିଲା ହାତରେ ଏଥର ଜୀବନଟା ଯିବ ବୋଧହୁଏ; କିନ୍ତୁ ମଝିରେ ମଝିରେ ତାରଜନ୍‍ର ଆଶ୍ଵାସନା ବାଣୀହିଁ ତାଙ୍କୁ ସାନ୍ତ୍ୱନା ଏବଂ ସାହସ ଦେଉଥିଲା ।

 

ଯାହାହେଉ, ଗୋଟିଏ ଖୋଲା ସ୍ଥାନରେ ସେତେବେଳକୁ ସେମାନେ ପହଞ୍ଚିସାରିଥିଲେ-। ସ୍ଥାନଟା ଚତୁର୍ଦ୍ଦିଗ ବଡ଼ ବଡ଼ ପଥରଗଦାରେ ପୂର୍ଣ୍ଣ । ତଳ ନିତାନ୍ତ ଅସମତଳ । ବଡ଼ ବଡ଼ ଅସମାନ ପଥରଗୁଡ଼ା ବିଛାଇହୋଇ ପଡ଼ିଛି । ପଥର ମଝି ଫାଙ୍କଗୁଡ଼ା ଏତେ ମେଲା ଯେ ପାଦ ଦୈବାତ ପଶିଗଲେ ଆଉ ବାହାରିବା କଷ୍ଟ । ତେବେ ଆପାତତଃ ନିରାପଦ ଏତିକି ଯେ, ସେଠାରେ ଜଙ୍ଗଲ ନାହିଁ । ଯେଉଁ ଜଙ୍ଗଲ ଅଛି ତାହା ବେଶ୍ ଖଣ୍ଡେ ଦୂରରେ । ପରିଷ୍କାର ଚନ୍ଦ୍ରକିରଣ ପଡ଼ିଥାଏ ଚାରିଆଡ଼େ । ତେଣୁ ଦେଖି ହେଉଥାଏ କିଛି ଦୂର ପର୍ଯ୍ୟନ୍ତ । ଏପରି ଗୋଟାଏ ସମ୍ପୂର୍ଣ୍ଣ ଅଜ୍ଞାତ ଏବଂ ନିର୍ଜନ ସ୍ଥାନକୁ ସୁଲତାନ କାହିଁକି ଯେ ସେମାନଙ୍କୁ ନେଇ ଆସିଲା ତାହା ଭାବି ସ୍ଥିର କରିପାରୁ ନଥିଲେ ରାଜା ପ୍ରବୀରଚନ୍ଦ୍ର । ତାରଜନ୍‍ର ଭାବଧାରା ଥିଲା କିନ୍ତୁ ଭିନ୍ନ ପ୍ରକାରର । ସେ ସୁଲତାନର କାର୍ଯ୍ୟକଳାପର କିଛି ନା କିଛି ଉଦ୍ଦେଶ୍ୟ ଥିବ ବୋଲି ଭାବୁଥିଲା । ସୁଲତାନ ଯଦି ମନୁଷ୍ୟଭାଷାରେ କଥା କହିପାରୁଥାନ୍ତା ତେବେ ହୁଏତ ଅନେକ କଥା କହିଦେଇପାରନ୍ତା; କିନ୍ତୁ ବାକ୍‌ଶକ୍ତିହୀନ ପଶୁ ସେ । ରାଜାସାହେବ ଆଉ ତାରଜନ୍, ଦୁହିଁଙ୍କ ମଝିରେ ଠିଆ ହୋଇ କନକନ ହୋଇ ଚାହୁଁଥିଲା ଗୋଟାଏ ଦିଗକୁ । ବହୁ ଦୂର ପର୍ଯ୍ୟନ୍ତ ଦୁଇଜଣ ମନୁଷ୍ୟଙ୍କୁ ବୋହିଆଣିବା ପରେବି ସେ କ୍ଳାନ୍ତି ଅନୁଭବ କରୁ ନଥିଲା । ଆଖି ଦୁଇଟା ତା’ର ଚକ୍‌ଚକ୍‌ କରି ଉଠୁଥିଲା ସେଇ ଅନ୍ଧକାରରେ ।

 

ରାଜାସାହେବ ଆଉ ତାରଜନ୍, ଉଭୟଙ୍କର ଉତ୍କଣ୍ଠାରେ ପୂର୍ଣ୍ଣଚ୍ଛେଦ ଟାଣି ଖଣ୍ଡେ ଦୂରରେ ହୋ’ କରି ଗୋଟାଏ କୋଳାହଳ ଶୁଣାଗଲା । ସେ ଶବ୍ଦରେ ଏକାବେଳକେ ଦୁହେଁ ଚମକି ପଡ଼ିଲେ । ଏପରି ଗୋଟାଏ କିଛି ଘଟିବା ଥିଲା ସମ୍ପୂର୍ଣ୍ଣ ଅନାକାଂକ୍ଷିତ । ଶବ୍ଦଟା ଯେ ଖୁବ୍ ବେଶି ଦୂରରୁ ଆସୁଥିଲା, ସେପରି ନୁହେଁ । ତାହା ଖୁବ୍ ପାଖରୁ ଆସୁଥିଲା ଏବଂ ସ୍ଥାନଟା କେଉଁଠି ହୋଇଥିବ ତାହା ଅନୁମାନ କରିହେଉଥିଲା । ମାତ୍ର ତାହା କେତେଟା ପଥରଗଦାଦ୍ଵାରା ଏପରି ଆପଟ ହୋଇଥିଲା ଯେ, ସେଠାକୁ ଦିଶୁ ନଥିଲା ।

 

–ସେଠାରେ ରହି ଆଉ ଅଧିକ କିଛି ଜାଣିବାକୁ ବା ଚିନ୍ତା କରିବାକୁ ଅବକାଶ ନଥିଲା । କୌଣସି ପ୍ରକାର ସୂଚନା ପାଇ ନ ଥିବାରୁ ସୁଲତାନ ମଧ୍ୟ ଏତେବେଳ ପର୍ଯ୍ୟନ୍ତ ଚୁପ୍‌ଚାପ୍‌ ରହିଥିଲା-। ବର୍ତ୍ତମାନ ଶବ୍ଦ ଶୁଣିବାମାତ୍ରେ ସେହିଆଡ଼େ ଯିବାକୁ ଅଥୟ ହୋଇଉଠିଲା । ତା’ର ହାବଭାବରୁ ଜଣାପଡ଼ୁଥିଲା, ଯେପରି ଏମାନଙ୍କର ଯିବାକୁ ବ୍ୟାକୁଳ ଭାବରେ ଅପେକ୍ଷା କରି ରହିଛି ସେ । ଅଗତ୍ୟା ରାଜାସାହେବ ଆଉ ତାରଜନ୍ ନୀରବରେ ତା’ର ଅନୁସରଣ କରିବାକୁ ଲାଗିଲେ । ତା’ର ସେତେବେଳକାର ଗତି ଏତେ ପ୍ରଖର ଥିଲା ଯେ, ଏ ଦୁହିଁଙ୍କୁ ପ୍ରାୟ ତା’ ପଛେ ପଛେ ଏକପ୍ରକାର ଦୌଡ଼ି ଦୌଡ଼ି ଯିବାକୁ ହେଉଥିଲା ।

 

ସାମନାରେ ଖଣ୍ଡେ ଦୂରରେ ଦୁଇ ତିନିଟା ବଡ଼ ବଡ଼ ପଥର ଗଦା । ସେତକ ପାରି ହୋଇ ଗଲା ପରେ ରାଜା ପ୍ରବୀରଚନ୍ଦ୍ର ଏବଂ ତାରଜନ୍ ଯେଉଁ ଦୃଶ୍ୟ ଦେଖିଲେ ସେଥିରେ ସେମାନଙ୍କର ବିଷୟର ସୀମା ରହିଲା ନାହିଁ । ରାଜାସାହେବ ଆଖି ଆଗରେ ଯେଉଁ ସ୍ଥାନଟା ଦେଖୁଥିଲେ ସେ ସ୍ଥାନଟା ଥିଲା ପଥର ଗଦାଠାରୁ କିଛି ନୀଚ ସ୍ଥାନରେ । ସ୍ଥାନଟା ଖୁବ୍ ବିସ୍ତୃତ । ଚତୁର୍ଦ୍ଦିଗରେ ତା’ର ପାଚେରି ପରି ଘେରି ରହିଛି ପଥରଗଦାଗୁଡ଼ା ଦେହକୁ ଦେହ ଲଗାଲଗି ହୋଇ-। ତା’ର ମଝାମଝିରେ ଏଠି ସେଠି ହୋଇ ଗୁଡ଼ାଏ ମଶାଲ ଜଳୁଛି । କିଛି ଗୋଟାଏ ଜିନିଷକୁ ଘେରିରହି ବହୁତ ଗୁଡ଼ାଏ ଦାନବାକୃତି ଅର୍ଦ୍ଧ ଉଲଗ୍ନ ଲୋକ ହୋହା କରୁଛନ୍ତି । ସେମାନଙ୍କ ଭିତରେ ଅଛନ୍ତି ଜଣେ ସାହେବପୋଷାକଧାରୀ ବ୍ୟକ୍ତି । ସେ ହେଉଛନ୍ତି—ମିଷ୍ଟର ସୁଦୀପନାରାୟଣ ସିଂହ ।

 

ମିଷ୍ଟର ସିଂଙ୍କ ଉପରେ ଦୃଷ୍ଟି ପଡ଼ିଲାକ୍ଷଣି ରାଜା ପ୍ରବୀରଚନ୍ଦ୍ର ଚମକିପଡ଼ିଲେ । ତାଙ୍କର ପ୍ରତ୍ୟେକ ଶିରାପ୍ରଶିରାରେ ରକ୍ତଗୁଡ଼ା ନିଆଁର ସୁଅ ପରି ଛୁଟିବାକୁ ଲାଗିଲା । ସେ ଗୋଟାଏ ହୋସ୍‌ରେ ଓଠରେ ଦାନ୍ତ ଚାପି ରାଇଫଲ୍ ଉଠାଇଲେ ସେଇ ଆଡ଼କୁ ଲକ୍ଷ୍ୟ କରି । ହଠାତ ତାରଜନ୍ ଧରିପକାଇ ନଥିଲେ କ’ଣ ଯେ ଘଟିଥାନ୍ତା ତା’ର ଠିକଣା ନାହିଁ ।

 

–“ଟିକେ ଅପେକ୍ଷା କରନ୍ତୁ, କ’ଣ ହେଉଛି ଦେଖିବା । ସେମାନେ ଏତେଗୁଡ଼ାଏ ଲୋକ-। ଗୋଟାଏ ଦୁଇଟା ଗୁଳି ଫାୟାର କରି ଜଣେ ଦି’ଜଣଙ୍କୁ ଆମେ ଉଦ୍ଧାର ପାଇପାରିବା ନାହିଁ–ତାରଜନ୍ ରାଜାସାହେବଙ୍କ କାନପାଖରେ ଫୁସ୍ ଫୁସ୍ କରି କହିଲା ।

 

ହଠାତ ଉତ୍ତେଜନାର ବଶବର୍ତ୍ତୀ ହୋଇପଡ଼ିଥିଲେ ସୁଦ୍ଧା ତାରଜନ୍ କଥାରେ ସମ୍ପୂର୍ଣ୍ଣ ସଚେତନ ଏବଂ ଶାନ୍ତ ଅବସ୍ଥାକୁ ଫେରିଆସିଥିଲେ ସେ । ମିଷ୍ଟର ସିଂ ଯେ ଏମାନଙ୍କ ସହଯୋଗୀ ଏବଂ ଏହିମାନେ ଯେ ଚଣ୍ଡୁରାମର ଦସ୍ୟୁଦଳ ତାହା ବୁଝିବାରେ ବାକି ରହିଲା ନାହିଁ କିଛି । ଦସ୍ୟୁଗୁଡ଼ାକ କି ପ୍ରକାର ଗୋଟାଏ ଅବୋଧ୍ୟ ଭାଷାରେ କଥାବାର୍ତ୍ତା ହେଉଥାନ୍ତି, ତାହା ତାରଜନ୍ କେବଳ ବୁଝୁଥାଏ; କିନ୍ତୁ ରାଜାସାହେବଙ୍କ ପକ୍ଷରେ ବୁଝିବା ଅସମ୍ଭବ ଥିଲା । ମଝିରେ ମଝିରେ ସେମାନଙ୍କର କଥାବାର୍ତ୍ତାର ସାରାଂଶ ଖୁବ୍ ଚାପାସ୍ଵରରେ ତାରଜନ୍ ବୁଝାଇ ଦେଉଥିଲା ତାଙ୍କୁ ।

 

ହଠାତ ଅପେକ୍ଷାକୃତ ହୃଷ୍ଟପୁଷ୍ଟ ଲୋକଟା କ’ଣ ନିର୍ଦ୍ଦେଶ ଦେଲା କେଜାଣି, ଦସ୍ୟୁଗୁଡ଼ା ଘେର ଭାଙ୍ଗି ଆଡ଼େଇଗଲେ ଦୂରକୁ । ରାଜାସାହେବ ଦେଖିଲେ ମଝିରେ ପଥର ଚଟାଣ ଉପରେ ଶାୟିତା ଗୋଟିଏ ସ୍ତ୍ରୀଲୋକ । ସେ ଯେ ମାଳବିକାଙ୍କ ବ୍ୟତୀତ ଆଉ ଦ୍ଵିତୀୟ କେହି ନୁହେଁ; ଏକଥା ବୁଝିବାରେ କିଛି ସନ୍ଦେହ ରହିଲା ନାହିଁ ତାଙ୍କ ପକ୍ଷରେ । ମାଳବିକା ସମ୍ପୂର୍ଣ୍ଣ ମୂର୍ଚ୍ଛିତ ଥିଲେ ସେତେବେଳକୁ । ମିଷ୍ଟର ସିଂଙ୍କ ନିର୍ଦ୍ଦେଶରେ ଦୁଇଟା ଦସ୍ୟୁ ତାଙ୍କୁ ଟେକି ନେଇ ଖଣ୍ଡେ ଦୂରରେ ଗୋଟାଏ ପଥର ଚଟାଣ ଉପରେ ଶୁଆଇଦେଲେ । ତାଙ୍କର ଅବସ୍ଥା ଦେଖି ରାଜା ପ୍ରବୀରଚନ୍ଦ୍ରଙ୍କର ଧୈର୍ଯ୍ୟ ଲୋପ ହୋଇଆସୁଥିଲା । ପାଖେ ପାଖେ ତାରଜନ୍ ନଥିଲେ ସେ ନିଶ୍ଚୟ କିଛି ନା କିଛି ଗୋଟାଏ ଅଘଟଣ ଘଟାଇ ଦେଇସାରିଥାନ୍ତେ ସେତେବେଳକୁ ।

 

ରାଜାସାହେବ ଚାହୁଁଥିଲେ—ଧାଇଁଯାଇ ମାଳବିକାଙ୍କୁ ଘେନିଆସନ୍ତେ କିମ୍ବା ତାଙ୍କର ସେବାଶୁଶ୍ରୂଷା କରନ୍ତେ । କିନ୍ତୁ ତାରଜନ୍ ତାଙ୍କୁ ବାଧା ଦେଇ ଅଟକାଇ ରଖୁଥିଲା ବାରମ୍ଵାର । ଅଳ୍ପ ସମୟ ମଧ୍ୟରେ ସାରା ଦଳଟା ବିକ୍ଷିପ୍ତ ଭାବରେ ଏଠି ସେଠି ବସି ଖୁସିଗପ ଆଉ ମଦଖିଆରେ ମାତିଗଲେ । ଏଣେ ଚଣ୍ଡୁରାମ ଆଉ ମିଷ୍ଟର ସିଂ ମଧ୍ୟ ଗୋଟାଏ ବଡ଼ ପଥର ଖଣ୍ଡ ଉପରେ ବସି ଖୁବ୍ ଚାପା ସ୍ଵରରେ କଥାବାର୍ତ୍ତା ହେବାକୁ ଲାଗିଲେ । ଫଳରେ ମୂର୍ଚ୍ଛିତା ମାଳବିକାଙ୍କ ଉପରେ ଦୃଷ୍ଟି ସମସ୍ତଙ୍କର ଖୁବ୍ ଶିଥିଳ ହୋଇପଡ଼ିଲା । ଏଇପରି ଗୋଟାଏ ସୁଯୋଗର ଅପେକ୍ଷା କରୁଥିଲେ ରାଜାସାହେବ ଏବଂ ତାରଜନ୍ ।

 

ଠିକ୍ ଏହି ସମୟରେ ଆହୁରି ସୁବର୍ଣ୍ଣ ସୁଯୋଗ ଯୁଟିଗଲା ତାଙ୍କୁ । ଜଙ୍ଗଲ ଭିତରେ ଖୁବ୍ ପାଖରେ କେତେଗୁଡ଼ାଏ ମଶାଲର ନିଆଁ ଆଉ ଗୁଡ଼ାଏ ଲୋକଙ୍କର ପାଟିଗୋଳ ଶୁଣାଗଲା । ସେଇ ଶବ୍ଦ ଶୁଣିଲାମାତ୍ରେ ସାରା ଦଳଟା କିଲି କିଲି ହୋଇ ଧାଇଁଗଲେ ସେଇଆଡ଼କୁ । ଏଇ ଅବସରରେ ସବୁ କଥା ପଛକୁ ପକାଇ ତାରଜନ୍ ବିଜୁଳି ପରି ଧାଇଁଗଲା ମାଳବିକାଙ୍କ ନିକଟକୁ । ବାଘ ଝାମ୍ପ ମରିଲାପରି ତାଙ୍କୁ ଝାମ୍ପି କାନ୍ଧରେ ପକାଇ ପୁଣି ଫେରି ଆସିଲା ରାଜାସାହେବଙ୍କ ନିକଟକୁ । ଏତେ କାମ ସେ ଏତେ ଶୀଘ୍ର କିପରି କରିପାରିଲା ତାହା ଦେଖି ପ୍ରବୀରଚନ୍ଦ୍ରଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ।

 

ରାଜାସାହେବ ମାଳବିକାଙ୍କର ଅବସ୍ଥା ଦେଖି ଦୁଃଖରେ ଅଥୟ ହୋଇପଡ଼ିଥିଲେ । ସେ ତାଙ୍କର ଚେତା ଫେରାଇଆଣିବାକୁ ଚେଷ୍ଟା କରିବାରେ ଲାଗିଗଲେ । ପ୍ରକୃତରେ ମାଳବିକା ମୂର୍ଚ୍ଛା ଯାଇ ନଥିଲେ । ସେ ମୂର୍ଚ୍ଛା ଯିବାର ଅଭିନୟ କରିଥିଲେ । କାରଣ, ସଚେତ ଅବସ୍ଥାରେ ଥିଲେ ଦସ୍ୟୁଦଳ ତାଙ୍କ ଉପରେ ନିଶ୍ଚୟ କିଛି ନା କିଛି ଅତ୍ୟାଚାର କରିପାରନ୍ତି—ଏ ଆଶଙ୍କା ତାଙ୍କର ପୂରାମାତ୍ରାରେ ଥିଲା । ବର୍ତ୍ତମାନ ହାତର ସ୍ପର୍ଶ ଏବଂ ଚାପା କଥାବାର୍ତ୍ତା ସ୍ଵରରୁ ସେ ରାଜାସାହେବଙ୍କୁ ଜାଣିପାରିଲେ ଏବଂ ଆଖି ଖୋଲି ଚାହିଁଲେ । ଆଗରେ ରାଜାସାହେବଙ୍କୁ ଦେଖି ତାଙ୍କର ହୃଦୟ ଆନନ୍ଦରେ ଉତ୍‌ଫୁଲ୍ଲ ହୋଇଉଠିଲା । ପ୍ରବୀରଚନ୍ଦ୍ରଙ୍କର ଅବସ୍ଥା ମଧ୍ୟ ତତୋଧିକ । ମାତ୍ର ପରମୁହୂର୍ତ୍ତରେ ତାଙ୍କର ମନ ମଉଳିଗଲା । ସେ ଆଶଙ୍କା କଲେ, ମାଳବିକାଙ୍କୁ ଏମାନଙ୍କ ହାତରୁ ବର୍ତ୍ତମାନ ପରିସ୍ଥିତିରେ ନିରାପଦରେ ରଖିପାରିବେ ତ ? କାରଣ ଅଳ୍ପ ସମୟ ପରେ ଦସ୍ୟୁଦଳ ପୁଣି ପୂର୍ବାବସ୍ଥାକୁ ଫେରିଆସିବେ ଏବଂ ମାଳବିକାଙ୍କୁ ନ ପାଇ ନିଶ୍ଚୟ ଏଣେତେଣେ ଖୋଜିବେ । ସେତେବେଳେ ଖାଲି ମାଳବିକା କାହିଁକି, ଏମାନେ ସମସ୍ତେ ଧରାପଡ଼ିବାର ପୂରା ସମ୍ଭାବନା ଅଛି । ତେବେ ସେମାନଙ୍କର ଯାହା ହେଉ ପଛେ, ମାଳବିକାଙ୍କୁ ନିରାପଦରେ ରଖିବାକୁ ହେବ । –ଏଇୟା ମନରେ ସ୍ଥିର କରି ସେ ପଚାରିଲା ଦୃଷ୍ଟିରେ ଚାହିଁଲେ ତାରଜନ୍ ଆଡ଼କୁ ।

 

ରାଣୀ ମାଳବିକା ଏପର୍ଯ୍ୟନ୍ତ ତାରଜନ୍ କିମ୍ୱା ସୁଲତାନ, କାହାରିକୁ ଦେଖି ନଥିଲେ । ବର୍ତ୍ତମାନ ଉଠିବସିବାକ୍ଷଣି ସେ ଏ ଦୁହିଁଙ୍କୁ ଦେଖିପାରିଲେ ଏବଂ ଭୟଭୀତ ହୋଇପଡ଼ିଲେ ।

 

–“ସେମାନଙ୍କର ପରିଚୟ ପରେ ପାଇବ । ବର୍ତ୍ତମାନ ତୁମର ଏଠୁ ଅନ୍ତର ହୋଇଯିବା ନିତାନ୍ତ ଦରକାର ।” ରାଜାସାହେବ ଏଇତକ କହି ତାରଜନ୍‍କୁ ଚାହିଁ ତା’ର ଉତ୍ତରକୁ ଅପେକ୍ଷା କରି ରହିଲେ ।

 

“ବର୍ତ୍ତମାନ ସୁଲତାନ ହାତରେ ରାଣୀସାହେବାଙ୍କୁ ଆମ ଜାଗାକୁ ପଠାଇଦିଆଯାଉ । ଆମେ ଏଠି ରହି ଦେଖିବା ୟା ପରେ କ’ଣ ହେଉଛି ?” ତାରଜନ୍ ଉତ୍ତର ଦେଲା ।

 

ରାଜାସାହେବ ଅବଶ୍ୟ ୟା’ ଠାରୁ ଅଧିକ କିଛି ସୁବିଧାର ଆଶା କରୁ ନଥିଲେ । ତଥାପି ସୁଲତାନ ହାତରେ ମାଳବିକାଙ୍କୁ ପଠାଇବାକୁ ତାଙ୍କର ଯଥେଷ୍ଟ ଭୟ ହେଉଥିଲା । କାରଣ ସେ ନିଜେ ସୁଲତାନ କାନ୍ଧରେ ଆସିଛନ୍ତି । ତାଙ୍କର ସେ ଦିଗରେ ଅନୁଭୂତି ଅଛି ଯଥେଷ୍ଟ; ମାତ୍ର ଆଉ ଉପାୟ ନଥିଲା । ଅଗତ୍ୟା ତୁରନ୍ତ ସେହିପରି ବ୍ୟବସ୍ଥା କରିଦେବାପାଇଁ ନିଜର ସମ୍ମତି ଜଣାଇଦେଲେ ସେ ତାରଜନ୍‌କୁ ।

 

ତାରଜନ୍ ସୁଲତାନ କାନ୍ଧରେ ହାତ ରଖି ତା’ର କାନପାଖରେ ଚାପାସ୍ଵରରେ କେତେ କଥା କହି କ’ଣ ବୁଝାଇଦେଲା । ସୁଲତାନ ମଧ୍ୟ ସବୁକଥା ବୁଝିପାରିଥିବା ପରି ଅଙ୍ଗଭଙ୍ଗୀ କରି ଜଣାଇଦେଲା । ତା’ପରେ ଖୁବ୍ ସାବଧାନତାର ସହିତ ରାଣୀସାହେବାଙ୍କୁ କାନ୍ଧରେ ପକାଇ ଡେଇଁ ଡେଇଁ ଚାଲିଗଲା । ତା’ର ଲୋମଶ ଏବଂ ମାଂସଳ କାନ୍ଧ ଉପରେ ରାଣୀସାହେବା ବେଶ୍ ଆରାମ ବୋଧ କରୁଥିଲେ । ଗୋଟାଏ ଭୀଷଣ ଗରିଲା କାନ୍ଧରେ ଥାଇ ତାଙ୍କୁ ଭୟ ଅବଶ୍ୟ ଯଥେଷ୍ଟ ହେଉଥିଲା: ମାତ୍ର ଦସ୍ୟୁଦଳ ହାତରୁ ମୁକ୍ତି ପାଇଛନ୍ତି ଭାବି ସେ ଅନେକ ଆଶ୍ୱାସନା ଲାଭ କରୁଥିଲେ ।

 

ସେଇ ନିବିଡ଼ ଅନ୍ଧକାର ଭିତରେ ସୁଲତାନ ଅଦୃଶ୍ୟ ହୋଇଗଲେ ସୁଦ୍ଧା ପ୍ରବୀରଚନ୍ଦ୍ର ବୋକାଙ୍କ ପରି ଚାହିଁଥିଲେ ସେଇଆଡ଼କୁ । ତାରଜନ୍ ତାଙ୍କ କାନ୍ଧରେ ହାତ ପକାଇ କହିଲା–‘ସୁଲତାନ ତା’ର କାମ ଠିକ୍‌ ଭାବରେ ତୁଲାଇପାରିବ ରାଜାସାହେବ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ-। ଏଥର ଆମେ ନିଜକୁ ରକ୍ଷା କରିବାର ବାଟ ଦେଖିବା ଦରକାର ।”

 

ରାଜାସାହେବ ଚମକିପଡ଼ି ଭାବିଲେ—ସତେ ତ ! ତାଙ୍କ ଉପରେ ବିପଦ ତ ଅଳ୍ପ ନୁହେଁ ବର୍ତ୍ତମାନ !

 

ଏଣେ ଦସ୍ୟୁଦଳର କୋଳାହଳ ଖୁବ୍ ବଢ଼ିଯାଉଥିଲା । ସେମାନେ ମତୁଆଲା ନାଚ ଆରମ୍ଭ କରିଦେଇଥିଲେ ନିଆଁ ହୁଳା ଟେକିଧରି । ଜଙ୍ଗଲ ଭିତରୁ ଯେଉଁ କେତେଜଣ ଦସ୍ୟୁ ଆସୁଥିଲେ ସେମାନେ ମଧ୍ୟ ମିଳିତ ହୋଇସାରିଥିଲେ ଏମାନଙ୍କ ସହିତ । ତେବେ ସେମାନଙ୍କର ଏତେ ଆନନ୍ଦିତ ହେବାର କାରଣ କ’ଣ ତାହା ବୁଝିପାରୁ ନଥିଲେ ରାଜାସାହେବ । ଆଉ ଟିକିଏ ଆଗକୁ ଗଲେ ଘଟନାଟା ସ୍ପଷ୍ଟ ଦେଖି ଜାଣିହେବ ଭାବି ସେ ତାରଜନ୍‌କୁ ସାଙ୍ଗରେ ନେଇ ପଥରଗଦା ଉହାଡ଼ରେ ଘୁଷୁରି ଘୁଷୁରି ଖଣ୍ଡେ ଦୂର ଆଗେଇଗଲେ ।

 

ବର୍ତ୍ତମାନ ସବୁ ଘଟନା ପରିଷ୍କାର ଦେଖିପାରିଲାଭଳି ସ୍ଥାନରେ ଆସି ପହଞ୍ଚିଗଲେ ସେ । ହଠାତ ସେ ଯାହା ଦେଖିଲେ, ପ୍ରଥମେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । କିଛି ସମୟ ପରେ ସେ ନିଶ୍ଚିତରୂପେ ଜାଣିପାରିଲେ ଯେ, ସେ ଯାହା ଦେଖୁଛନ୍ତି ତାହା ଠିକ୍ । ସେଥିରେ ଆଦୌ ଭୁଲ୍ ନାହିଁ ।

 

ମଶାଲର ଉଜ୍ଜ୍ୱଳ ନାଲି ଆଲୁଅରେ ସେ ଦେଖୁଥିଲେ—ଦସ୍ୟୁଦଳର ଘେର ମଝିରେ ଅରିନ୍ଦମ ଛୋଟରାୟ, କହ୍ନେଇଁଆ ରାଓ, ମୋହନ ସିଂ ଏବଂ ତାଙ୍କ ଦଳର ଆଉ କେତେଜଣ ଲୋକଙ୍କୁ । ପ୍ରତ୍ୟେକେ ସଶସ୍ତ୍ର ଥିଲେ ସୁଦ୍ଧା ସେମାନଙ୍କର ଦୁଇ ହାତ ଦୃଢ଼ ଭାବରେ ପଛଆଡ଼ୁଆ କରି ବନ୍ଧା ହୋଇଥିଲା ।

 

ଜୀବନରେ କେବେ ଅରିନ୍ଦମଙ୍କୁ କେହି ବନ୍ଦୀକରିବ, ଏକଥା ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ରାଜାସାହେବ । ଅରିନ୍ଦମ ତାଙ୍କର ଏକମାତ୍ର ସ୍ନେହାସ୍ପଦ ଭାଇ, ଶିକ୍ଷିତ ଏବଂ ବୀର । ସେ ଯେ ମିଷ୍ଟର ସିଂ ଅଥବା ଚଣ୍ଡୁରାମ, କାହାରି କିଛି କ୍ଷତି କରିପାରେ, ଏକଥା ସେ ଧାରଣା କରନ୍ତେ କିପରି ? ବିଶେଷତଃ ବର୍ତ୍ତମାନ ପରିସ୍ଥିତିରେ ତାଙ୍କୁ ବନ୍ଦୀ ଅବସ୍ଥାରେ ଦେଖି ପ୍ରାଣ ତାଙ୍କର କାନ୍ଦିଉଠିଲା ।

 

ମିଷ୍ଟର ସିଂଙ୍କ ନିର୍ଦ୍ଦେଶରେ ବନ୍ଦୀମାନଙ୍କୁ ଧାଡ଼ିକରି ଠିଆ କରାଇ ଦିଆଗଲା । ଖୁବ୍ ବଡ଼ ଗୋଟାଏ ଗୋଲେଇ ଘେର ଭିତରେ ଦସ୍ୟୁଦଳ ଘେରିରହିଲେ ତାଙ୍କୁ । ଅରିନ୍ଦମ ପ୍ରାଣପଣେ ଚେଷ୍ଟା କରୁଥାନ୍ତି କୌଣସି ପ୍ରକାରେ ହାତଟା ମୁକ୍ତକରିବାକୁ ।

 

ମିଷ୍ଟର ସିଂ ଗୋଟାଏ ମଶାଲ ଟେକି ତା’ରି ଆଲୁଅ ଅରିନ୍ଦମ ଛୋଟରାୟଙ୍କ ଆଡ଼କୁ ଦେଖାଇ କହିଲେ—“ଏଥର ବୋଧହୁଏ ମିଷ୍ଟର ସିଂଙ୍କୁ ଚିହ୍ନିପାରିଲେ ଛୋଟରାୟ ସାହେବ । ଆପଣ ଯେ ଆମକୁ ଧରାଇବା ପାଇଁ ବହୁ ଉଦ୍ୟମ କରୁଛନ୍ତି ସେଥିପାଇଁ ଅଶେଷ ଧନ୍ୟବାଦ; କିନ୍ତୁ ଉଦ୍ୟମ ସମ୍ପୂର୍ଣ୍ଣ ବ୍ୟର୍ଥ ହୋଇଛି ଛୋଟରାୟ ସାହେବ ! ଗୁଇନ୍ଦା ରୂପନାରାୟଣବି ଆମ ମୁଠା ଭିତରକୁ ଆସିଯାଇଛି ବର୍ତ୍ତମାନ ।”

 

“ଅସମ୍ଭବ ! ରୂପନାରାୟଣବାବୁଙ୍କୁ ଧରିପାରିବା ତୋର କ୍ଷମତାର ବାହାରେ । ଚୋର ! ଭୀରୁ ପରି ଲୁଚି ଲୁଚି ଆମକୁ ବାନ୍ଧିପକାଇ ପାରିଚୁ ବୋଲି ରୂପନାରାୟଣକୁ ଯେ ବାନ୍ଧିବୁ, ସେ ଆଶା ବୃଥା । ତା’ ଆଗରୁ ତୋ ହାତରେ ହାତକଡ଼ା ପଡ଼ିସାରିଥିବ ନିଶ୍ଚୟ ।”

 

ଅରିନ୍ଦମ ଛୋଟରାୟଙ୍କ କଥା ଶୁଣି ହୋହୋ ହୋଇ ହସିଉଠିଲେ ଚଣ୍ଡୁରାମ ଆଉ ମିଷ୍ଟର ସିଂ ଦୁହେଁ । ଏପରି ବିକୃତ ହସ ରାଜାସାହେବ ଆଉ କେଉଁଠି ଦେଖିଥିଲେ କି ନାହିଁ ସନ୍ଦେହ-। ଦୀର୍ଘ ସମୟ ଧରି ହସର ଲହର ଲାଗିରହିଥିଲା । ସେ ହସରେ ପଥରଗଦାଗୁଡ଼ା ଥରିଉଠୁଥିଲା ଯେପରି । ହସ ବନ୍ଦକରି ମିଷ୍ଟର ସିଂ ଥଟ୍ଟା କଲା ପରି ଅରିନ୍ଦମ ଛୋଟରାୟଙ୍କୁ କହିଲେ–“ଆପଣଙ୍କର ରୁପାଖଣିର ସ୍ଵପ୍ନ ଭାଙ୍ଗି ଯାଇଛି ସାହେବ ! ସେତକ ଥିଲା ମୋର ପାଇବାର ଉଦ୍ଦେଶ୍ୟ । ତାହା ମୁଁ ପାଇଚି । କିନ୍ତୁ ତୁମ କାହାରିକୁ ମୁଁ ଛାଡ଼ୁନି । ଗୋଟି ଗୋଟି କରି ସମସ୍ତଙ୍କୁ ଏଇ ପାହାଡ଼ତଳେ ସମାଧି ଦେବି । ତା’ପରେ ସ୍ଵୟଂ ରାଣୀ ମାଳବିକା ହେବେ ମୋର ପୁରବାସିନୀ-। ତାଙ୍କୁ ମଧ୍ୟ ଛାଡ଼ିନି । ସେ ବି ମୋର ବନ୍ଦିନୀ ।”

 

“ଅସମ୍ଭବ ! ସେକଥା କେବେ ହେଲେ ମନକୁ ଆଣନାହିଁ କୁକୁର ! ରାଣୀ ମାଳବିକାଙ୍କର କେଶ ପର୍ଯ୍ୟନ୍ତ ସ୍ପର୍ଶ କରିପାରିବୁ ନାହିଁ ଜୀବିତାବସ୍ଥାରେ । ତା’ ପୂର୍ବରୁ ସବୁ ଧ୍ୱସଂ ହୋଇଯାଇଥିବ ।” –କହିବା ସଙ୍ଗେ ସଙ୍ଗେ ରାଗରେ ଥରିଉଠୁଥିଲେ ଅରିନ୍ଦମ ଛୋଟରାୟ । ତା’ ସଙ୍ଗେ ସଙ୍ଗେ ସମସ୍ତଙ୍କ ଅଲକ୍ଷ୍ୟରେ ହାତବନ୍ଧାଟାକୁ ମଧ୍ୟ ଛିଣ୍ଡାଇବାକୁ ଚେଷ୍ଟା କରୁଥିଲେ ।

 

ଅରିନ୍ଦମ ଛୋଟରାୟଙ୍କ କଥା ଶୁଣି ମିଷ୍ଟର ସିଂ ପୂର୍ବପରି ବେପରୁଆ ହସ ହସି ଗର୍ଜିଉଠି କହିଲେ–“ଆଚ୍ଛା, ଦେଖ ! ମୁଁ ବର୍ତ୍ତମାନ ତୋ’ରି ଆଗରେ ମାଳବିକାଙ୍କୁ କ’ଣ କରୁଛି ।” –କହିବା ସଙ୍ଗେ ସଙ୍ଗେ ଜଣେ ଦସ୍ୟୁକୁ ଟିକିଏ ଇଶାରା ଦେଲେ ।

 

ଇଶାରା ପାଇଲାମାତ୍ରେ ଏକାବେଳକେ ତିନିଚାରିଟା ଦସ୍ୟୁ ଝୁଲି ଝୁଲି ଚାଲିଲେ ସେଇ ଆଡ଼େ–ଯେଉଁଠି ରାଣୀସାହେବାଙ୍କୁ ଏମାନେ ମୂର୍ଚ୍ଛିତା ଅବସ୍ଥାରେ ପକାଇଦେଇ ଆସିଥିଲେ ।

 

କିଛି ସମୟ ଧରି ସମସ୍ତେ ଉତ୍କଣ୍ଠିତ ହୋଇ ରହିଗଲେ, କ’ଣ ଘଟିବ ଜାଣିବାପାଇଁ । ନୀରବତା ଭିତରେହିଁ କଟିଗଲା କିଛି ସମୟ । ସମ୍ଭାବିତ ସମୟଠାରୁ ଅଧିକ ଅତିକ୍ରମ କରିଗଲା ମଧ୍ୟ । ଆଉ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ ମିଷ୍ଟର ସିଂ । ରାଗରେ ପାଚିଉଠିଥିଲେ ସେ । ଲୋକଗୁଡ଼ାଙ୍କର ନାଁ ଧରି ଉଚ୍ଚ ସ୍ଵରରେ ଚିତ୍କାର କରି ଡାକ ପକାଇଲେ । ଡାକ ଶୁଣିବା ସଙ୍ଗେ ସଙ୍ଗେ ଲୋକ କେତେଜଣ ଅବଶ୍ୟ ଫେରିଲେ; କିନ୍ତୁ ମାଳବିକାଙ୍କୁ ସାଙ୍ଗରେ ଧରି ନୁହେଁ । ସେମାନଙ୍କ ମୁହଁରେ ଭୟର ଚିହ୍ନ ସ୍ପଷ୍ଟ ବାରି ହେଉଥିଲା ।

 

ସେମାନଙ୍କର ମୁଖଭାବରୁ ସବୁ କିଛି ସ୍ପଷ୍ଟ ବୁଝିପାରିଲେ ମିଷ୍ଟର ସିଂ । ସେ ପାଗଳ ପରି ଚିତ୍କାର କରି ଧାଇଁଗଲେ ସେଇ ଆଡ଼କୁ । ତାଙ୍କ ପଛେ ପଛେ ଚଣ୍ଡୁରାମ ମଧ୍ୟ । ଘୋର ବିଶୃଙ୍ଖଳା ଆରମ୍ଭ ହୋଇଗଲା ଦସ୍ୟୁଦଳଙ୍କ ମଧ୍ୟରେ । ମାତ୍ର ଚଣ୍ଡୁରାମ ନିର୍ଦ୍ଦେଶରେ ବନ୍ଦୀ ଅରିନ୍ଦମ ଛୋଟରାୟ ଏବଂ ତାଙ୍କ ଲୋକମାନଙ୍କ ଉପରେ କଡ଼ା ନଜର ରଖି ଜଗିରହିଲେ ସଶସ୍ତ୍ର ଦସ୍ୟୁ କେତେଜଣ ।

 

ରାଜାସାହେବ ଏ ଘଟନାରେ ଖୁବ୍ ଖୁସି ହୋଇଗଲେ । ଅରିନ୍ଦମ ଛୋଟରାୟଙ୍କୁ ମୁକ୍ତ କରିବା ତାଙ୍କ ପକ୍ଷରେ ଅବଶ୍ୟ ବର୍ତ୍ତମାନ କଷ୍ଟକର ଥିଲା, ମାତ୍ର ମୁକ୍ତ କରିବାର ନିଶ୍ଚିତ ସୁଯୋଗ ପାଇବେ ବୋଲି ସେ ଆଶା ରଖିଥିଲେ । ସୁଲତାନ ରାଣୀଙ୍କୁ ନେଇ ନିରାପଦ ସ୍ଥାନରେ ପହଞ୍ଚି ଯିବଣି ଭାବି ସେ ଆଶ୍ଵସ୍ତ ହେଉଥିଲେ । ମିଷ୍ଟର ସିଂ ଆଉ ଅରିନ୍ଦମଙ୍କର କଥାବାର୍ତ୍ତାରୁ ସେ ରୂପନାରାୟଣବାବୁଙ୍କ ନାମ ଶୁଣିଥିଲେ । ତାଙ୍କର ନାମ ଶୁଣିବାବେଳଠାରୁ ସେ ମନରେ ବହୁ ପରିମାଣରେ ସାହସ ପାଇଥିଲେ । କାରଣ ରୂପନାରାୟଣବାବୁ ତାଙ୍କର ଏକାନ୍ତ ଅନୁଗତ ଏବଂ ସୁଦକ୍ଷ ଗୁଇନ୍ଦା । ଯେତେ ଦୁର୍ଭେଦ୍ୟ ହେଲେବି ଦସ୍ୟୁର ବ୍ୟୂହ ଭେଦ କରିବାକୁ ସେ ସକ୍ଷମ । ସେ ଭାବୁଥିଲେ—ଯଦି କୌଣସି ପ୍ରକାର ଟିକିଏ ଖବର ଜଣାଯାଆନ୍ତା ରୂପନାରାୟଣବାବୁ ଏଇ ବିଶାଳ ଅରଣ୍ୟ ପ୍ରଦେଶର କେଉଁ ଅଞ୍ଚଳରେ ଅଛନ୍ତି ।

 

ଅରିନ୍ଦମ ଛୋଟରାୟ ଆଉ ତାଙ୍କର ଲୋକମାନେ ନିତାନ୍ତ ଅସହାୟଭାବରେ ଠିଆ ହୋଇଥିଲେ ସଶସ୍ତ୍ର ଦସ୍ୟୁ ପ୍ରହରୀଙ୍କ ଗହଣରେ । ଦସ୍ୟୁମାନେ ସଂଖ୍ୟାରେ ଅଳ୍ପ ଥିଲେ ସୁଦ୍ଧା ଏମାନେ ଥିଲେ ବନ୍ଦୀ ଏବଂ ନିରସ୍ତ୍ର; କିନ୍ତୁ ସେମାନେ ଥିଲେ ସଶସ୍ତ୍ର । ସେମାନଙ୍କର ରାଇଫଲ୍, ରିଭଲ୍‌ଭର, କ୍ୟାଟ୍ରିଜ ସବୁ ଛଡ଼ାଇନେଇ ଦସ୍ୟୁମାନେ ଜମା କରିଦେଇଥିଲେ ଖଣ୍ଡେ ଛଡ଼ାରେ ଗୋଟାଏ ସ୍ଥାନରେ । ସେମାନଙ୍କୁ ମୁକ୍ତ କରିବାପାଇଁ କିଛି ଗୋଟିଏ କୌଶଳ କରିବାକୁ ପରାମର୍ଶ କରୁଥିଲେ ରାଜାସାହେବ ତାରଜନ୍ ସହିତ ଖୁବ୍ ଚାପା ଗଳାରେ । ତା’ର କିଛି ସମୟ ପରେ ନିଜକୁ ଯଥେଷ୍ଟ ଅନ୍ଧକାର ଭିତରେ ଲୁଚାଇ ରଖି ସେ ସ୍ଥାନରୁ ହଟିଗଲେ କିଛି ପଛକୁ ।

 

ଆଠ ଦଶ ପାହୁଣ୍ଡ ଯାଇଛନ୍ତି କି ନାହିଁ ପଛରେ କିଛି ଗୋଟାଏ ଶକ୍ତ ଜିନିଷର କଠିନ ସ୍ପର୍ଶ ଅନୁଭବ କଲେ ସେ । ତାଙ୍କ ସଙ୍ଗେ ସଙ୍ଗେ ତାରଜନ୍ ମଧ୍ୟ । ହଠାତ ଚମକି ପଡ଼ି ବୁଲିପଡ଼ିଲେ ରାଜାସାହେବ ଆଉ ତାରଜନ୍ । ଦେଖିଲେ, ତାଙ୍କରି ଆଡ଼କୁ ଲକ୍ଷ୍ୟ କରି କେତୋଟି ରାଇଫଲ୍ ଉଦ୍ୟତ ହୋଇ ରହିଛି । ରାଜାସାହେବ ନିତାନ୍ତ ହତାଶ ହୋଇପଡ଼ିଲେ । ଶେଷ ମୁହୂର୍ତ୍ତରେହିଁ ତାଙ୍କୁ ଦସ୍ୟୁ କବଳରେ ପଡ଼ିବାକୁ ହେଲା । ତାଙ୍କ ହାତରେ ଅବଶ୍ୟ ରାଇଫଲ୍ ଥିଲା । ମାତ୍ର ଚଳାଇବାର ଉପାୟ ନଥିଲା । ମଶାଲର ଆଲୋକ ଖୁବ୍ ସାମାନ୍ୟ ଭାବରେ ଆଲୋକିତ କରୁଥିଲା ସେ ଅଂଶଟାକୁ । ସେହି ଆଲୋକରେ ରାଜାସାହେବ ଚାହିଁଥିଲେ ତାଙ୍କ ସମ୍ମୁଖରେ ଥିବା ରାଇଫଲ୍‌ଧାରୀମାନଙ୍କୁ ସେମାନେ ତାଙ୍କୁ ଚିହ୍ନା ଚିହ୍ନା ବୋଧ ହେଉଥିଲେ । ଆଗନ୍ତୁକମାନେ ମଧ୍ୟ ଏକ ଦୃଷ୍ଟିରେ ଚାହିଁରହିଥିଲେ ରାଜାସାହେବ ଏବଂ ତାରଜନ୍‌ଙ୍କୁ ।

 

ହଠାତ ସେମାନଙ୍କ ଭିତରେ ଦଳପତି ପରି ମନେ ହେଉଥିବା ଲୋକଟି ‘ରାଜାସାହେବ’ ବୋଲି ଚିତ୍କାର କରିଉଠି ରାଇଫଲ୍ ନୁଆଁଇଦେଲା ଏବଂ ଆଗେଇ ଆସି ଅଭିବାଦନ ଜଣାଇଲା ରାଜା ପ୍ରବୀରଚନ୍ଦ୍ରଙ୍କୁ । ତାଙ୍କ ପଛେ ପଛେ ଅନ୍ୟମାନେ ମଧ୍ୟ । ରାଜାସାହେବ ଦେଖିଲେ, ତାଙ୍କ ଆଗରେ ସଶରୀରେ ଠିଆ ହୋଇଛନ୍ତି ରୂପନାରାୟଣବାବୁ ଆଉ ତାଙ୍କ ସହକାରୀ ହରଗୋବିନ୍ଦବାବୁ । ତାଙ୍କ ସହିତ ତାଙ୍କର ଦଳବଳ ମଧ୍ୟ ।

 

ରାଜାସାହେବ ଘଟିଯାଇଥିବା ଘଟନା ମନେ ପକାଇ ଦୁଃଖାଭିଭୂତ ହୋଇ କହିଲେ–“ରୂପନାରାୟଣବାବୁ ! ଶିକାର କରିବାକୁ ଆସି ଭାଗ୍ୟରେ ପୁଣି ଏମିତି ବିଡ଼ମ୍ବନା ଘଟେ-।”

 

–“ସବୁପୁଣି ଠିକ୍‌ଠାକ୍‌ ହୋଇଯିବ ରାଜାସାହେବ । ସେ ଦିନ ହୁଏତ ଆଉ ଡେରି ନାହିଁ ବେଶି; କିନ୍ତୁ ରାଣୀସାହେବା...”

 

–“ସେ ସୁସ୍ଥ ଅଛନ୍ତି । ମୁଁ ତାଙ୍କୁ ପାଇଛି । ଏଥର ଏମାନଙ୍କ ହାତରୁ ଅରିନ୍ଦମ ଆଉ ଆମର ଲୋକମାନଙ୍କୁ ମୁକ୍ତ କରିବାର ଚେଷ୍ଟା କରିବା ଦରକାର ।” –ରୂପନାରାୟଣଙ୍କ କଥା ମଝିରେ କହିଲେ ରାଜାସାହେବ ।

 

ରୂପନାରାୟଣବାବୁ ଏତେ ଆନନ୍ଦିତ ହେଲେ ସୁଦ୍ଧା ତାରଜନ୍‌ର ଉପସ୍ଥିତି ତାଙ୍କ ମନରେ ଏକ ବିରାଟ ପ୍ରଶ୍ନବାଚକ ସୃଷ୍ଟି କରିଥିଲା । ତାହା ଜାଣିପାରି ରାଜା ପ୍ରବୀରଚନ୍ଦ୍ର ହସି ହସି କହିଲେ–“ସେ ଆମ ସମସ୍ତଙ୍କ ମନରେ ପ୍ରହେଳିକା ସୃଷ୍ଟିକାରୀ ତାରଜନ୍ ।”

 

“ତେବେ ?” ବିସ୍ମିତ ହୋଇ ପଚାରିଲେ ରୂପନାରାୟଣବାବୁ ।

 

–“ଶତ୍ରୁ ନୁହେଁ, ମିତ୍ର ! ସେ ନଥିଲେ ମୁଁ ଜୀବିତ ନଥାନ୍ତି କି ରାଣୀସାହେବାଙ୍କୁ ବଞ୍ଚାଇପାରି ନଥାନ୍ତି । ସର୍ବୋପରି ଏଠାକୁ ମଧ୍ୟ ଆସିପାରି ନଥାନ୍ତି । ତୁମେ ତାଙ୍କ ବିଷୟରେ ବହୁତ କଥା ଜାଣିପାରିବ ସମୟରେ । ଆଚ୍ଛା, ତୁମେ ଏଠାରେ କେମିତି ?”

 

–“ସେ ତ ଗୋଟାଏ ବିରାଟ ସୁଯୋଗ, ଆଜ୍ଞା, ମିଷ୍ଟର ସିଂଙ୍କ ଉପରେ କଡ଼ା ନଜର ରଖିବାପାଇଁ ମୁଁ ତ ଆମ ଡେରାରେ ଲୋକ ରଖିଦେଇ ଆସିଥିଲି । ସେଦିନ ମୁଁ ଜଣକୁ ମିଷ୍ଟର ସିଂଙ୍କର ଅନୁସରଣ କରିବାପାଇଁ ନିର୍ଦ୍ଦେଶ ଦେଇଥିଲି । ସେ ମିଷ୍ଟର ସିଂଙ୍କୁ ଅନୁସରଣ କରି ମୋତେ ଓୟାରକେସ୍‌ରେ ଏହି ସ୍ଥାନର ସୂଚନା ଦେଇଥିଲା । ମୁଁ ଘଟନାକ୍ରମେ ପହଞ୍ଚି ଦେଖେ ତ ସମସ୍ତେ ଏଇଠି ।”

 

ଏଣେ ଦସ୍ୟୁଦଳ ମିଷ୍ଟର ସିଂ ଆଉ ଚଣ୍ଡୁରାମର ନେତୃତ୍ଵରେ ତୋଫାନୀ ଅନୁସନ୍ଧାନ ଚଳାଇଥିଲେ । ଆଖପାଖ ସ୍ଥାନଗୁଡ଼ା ମଶାଲରେ ପୂରିଉଠିଥିଲା । ମାତ୍ର କାହାନ୍ତି ରାଣୀସାହେବା ? ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ରାଣୀସାହେବା ଉଡ଼ିଯାଇନାହାନ୍ତି ତ ଆଉ ! ଏତେ ଅଳ୍ପ ସମୟ ମଧ୍ୟରେ ଚକ୍ଷୁର ଅନ୍ତରାଳ ହୋଇଯିବା ସାମାନ୍ୟ କଥା ନୁହେଁ । ତେବେ ଏ ପାର୍ବତ୍ୟ ଅଞ୍ଚଳ ଅତିକ୍ରମ କରି ବେଶି ଦୂର ଯିବା ସମ୍ଭବ ନୁହେଁ । ସେ ହୁଏତ ଏଇ ନିକଟରେ କେଉଁଠି ଆତ୍ମଗୋପନ କରି ରହିଛନ୍ତି । ସକାଳ ହେଲେ ଅବଶ୍ୟ ଧରା ପଡ଼ିଯିବେ । ଏଇ କଥା ସ୍ଥିର କରି ସମସ୍ତ ଦସ୍ୟୁ ଫେରିଆସିଲେ ଆଡ଼୍‍ଡ଼ା ସ୍ଥଳକୁ ।

 

ସବୁ ମଶାଲଗୁଡ଼ା ଏକାଠି ହୋଇଯିବାଦ୍ଵାରା ସ୍ଥାନଟା ଖୁବ୍ ଆଲୋକିତ ହୋଇଉଠିଲା । ଦସ୍ୟୁମାନଙ୍କ ଆନନ୍ଦ କୋଳାହଳରେ କମ୍ପି ଉଠିଲା ସ୍ଥାନଟା । ପାନୀୟର ଅଭାବ ନାହିଁ । ଯେତେ ଇଚ୍ଛା ସେତକ ପିଇବାରେ ଆପତ୍ତି ନାହିଁ । ଅଳ୍ପ ସମୟ ମଧ୍ୟରେ ପ୍ରତ୍ୟେକ ଦସ୍ୟୁ ନିଶାରେ ଉନ୍ମତ୍ତ ହୋଇଉଠିଲେ ।

 

ସେମାନଙ୍କ ମଝିରେ ବନ୍ଦୀ ଅବସ୍ଥାରେ ନିଜକୁ ଖୁବ୍ ଅସହାୟ ମନେ କରୁଥିଲେ ଅରିନ୍ଦମ ଛୋଟରାୟ ଆଉ ତାଙ୍କର ଲୋକମାନେ । ମୁକ୍ତିର ଆଶା ସେମାନଙ୍କ ମନରୁ କ୍ରମେ ଦୂରେଇଯାଉଥିଲା ।

 

ଚଉଦ

 

ବିଭୀଷିକାର ପରିସମାପ୍ତି ଘଟିବା ସୁଯୋଗ ଆସି ପହଞ୍ଚିଯାଇଥିଲା । ମିଷ୍ଟର ସିଂ, ଚଣ୍ଡୁରାମ ଆଉ ସମସ୍ତ ଦସ୍ୟୁ ଏକତ୍ର ହୋଇଯାଇଥିଲେ । ରାଜା ପ୍ରବୀରଚନ୍ଦ୍ର ପ୍ରଭୃତି ପରସ୍ପର ସହିତ ଏକାଠି ହୋଇ ନଥିଲେ ସୁଦ୍ଧା ସନ୍ଧାନ ମିଳିଯାଇଥିଲା ପ୍ରତ୍ୟେକଙ୍କର । ଏ ସୁଯୋଗ ଛାଡ଼ିଦେଲେ କାଳେ ଭବିଷ୍ୟତ୍‍ରେ ଏପରି ସୁବିଧା ନ ମିଳିବ, ଏଇ ଆଶଙ୍କାରେ ଖୁବ୍‌ ଶୀଘ୍ର କାମ ଶେଷ କରିବାକୁ ଚାହୁଁଥିଲେ ରାଜାସାହେବ ଏବଂ ତାରଜନ୍ ।

 

ସୁଲତାନର ଫେରିବା ସମୟ ହୋଇଥିଲେବି ସେ ଫେରି ନଥିଲା । ତା’ ବିନା ନିଜକୁ ଅସହାୟ ମନେ କରୁଥିଲା ତାରଜନ୍ । ରୂପନାରାୟଣବାବୁ ତାଙ୍କର ଦଳକୁ ନେଇ ଖୁବ୍ ନିରାପଦ ଏବଂ ନିକଟତମ ସ୍ଥାନରେ ସଜାଇ ରଖୁଥିଲେ । ଯେକୌଣସି ମୁହୂର୍ତ୍ତରେ ଯେ ଆକ୍ରମଣ କରିବାକୁ ପଡ଼ିପାରେ ଏହା ସେ ଜାଣିଥିଲେ ।

 

ଘଟନାର ଗତି କ’ଣ ହୋଇଥାଆନ୍ତା କେଜାଣି, ହଠାତ ଏପରି ଗୋଟାଏ ଘଟନା ଘଟିଗଲା, ଯେଉଁଥିରେ କି ସବୁ ଓଲଟପାଲଟ ହୋଇଗଲା । ଅରିନ୍ଦମ ପୂର୍ବରୁ ନିଜ ହାତକୁ ମୁକ୍ତ କରିବାକୁ ଚେଷ୍ଟା କରୁଥିଲେ । ଦସ୍ୟୁଦଳଙ୍କ ଦୃଷ୍ଟି ସେ ଦିଗରେ ପଡ଼ି ନଥିଲା । ରାଣୀସାହେବାଙ୍କୁ ଖୋଜିବାରେ ଅନ୍ୟମାନେ ବ୍ୟସ୍ତ ଥିଲାବେଳେ ଏଣେ ପ୍ରହରୀମାନେ ଅନ୍ୟମନସ୍କ ହୋଇପଡ଼ିଥିଲେ-। ସେହି ସୁଯୋଗରେ ସେ ନିଜର ହାତ ଦୁଇଟିକୁ ପୂରାପୂରି ମୁକ୍ତ କରି ନେଇଥିଲେ ।

 

ସେମାନେ ଯେଉଁଠାରେ ବନ୍ଦୀ ହୋଇ ଠିଆ ହୋଇଥିଲେ ତା’ର ପ୍ରାୟ ଆଠ ଦଶ ପାଉଣ୍ଡ ଦୂରରେ ସେମାନଙ୍କଠାରୁ ଜବତ ହୋଇଥିବ ଅସ୍ତ୍ରଶସ୍ତ୍ରଗୁଡ଼ାକ ଥିଲା ! ହଠାତ ସେ ବିଜୁଳି ପରି ଡିଆଁଟିଏ ମାରି ସେଠାରେ ପହଞ୍ଚିଯାଇ ଦୁଇ ହାତରେ ଦୁଇଟା ରିଭଲଭର୍ ଉଠାଇନେଲେ ପ୍ରହରୀଗୁଡ଼ା କେତେ ସେକେଣ୍ଡପାଇଁ କାବା ହୋଇ ଠିଆହୋଇଗଲେ । ତା’ପରେ ମିଳିତଭାବରେ ଆକ୍ରମଣ କରିବାପାଇଁ ଆଗେଇବାକୁ ପ୍ରସ୍ତୁତ ହୋଇଗଲେ ।

 

ସେମାନଙ୍କର ଉଦ୍ୟମ ଅଜ୍ଞାତ ରହିଲା ନାହିଁ ଅରିନ୍ଦମଙ୍କ ନିକଟରେ । ସେ ରିଭଲଭର ଉଦ୍ୟତ କରି ସତର୍କ କରାଇ କହିଲେ, “ସାବଧାନ ! ଗୋଟିଏ ପାଦ ଆଗେଇବାକୁ ଚେଷ୍ଟା କଲେ ଖପୁରି ଉଡ଼ାଇଦେବି ।

 

ଗମ୍ଭୀର ଆଦେଶ ଶୁଣି କାହାରି ଆଉ ଆଗେଇବାକୁ ସାହସ ହେଲା ନାହିଁ । ପ୍ରତ୍ୟେକେ ଯେ ଯେଉଁଠି ଥିଲେ କାଠ ପରି ଠିଆହୋଇ ରହିଗଲେ ।

 

ଏହି ଘଟନାରେ ସାମାନ୍ୟ ହଇଚଇ ସୃଷ୍ଟି ହୋଇଥିଲା ସେଠାରେ । ମିଷ୍ଟର ସିଂ ଏବଂ ଚଣ୍ଡୁରାମ ସେତେବେଳକୁ ପାନୀୟ ସେବନରେ ବ୍ୟସ୍ତ । ତେବେ ଗୋଳମାଳ ଶୁଣିବାମାତ୍ରେ ସଚେତନ ଅବସ୍ଥାକୁ ଆସିଯାଇଥିଲେ ଦୁହେଁ । ସେ ଦୁହେଁ ଘଟନାଟା କ’ଣ ଜାଣିବାପାଇଁ ଟଳମଳ ହୋଇ ସେଠାକୁ ଚାଲିଲେ । ତାଙ୍କ ପଛେ ବିକ୍ଷିପ୍ତ ଭାବରେ ଏଠିସେଠି ଥିବା ଦସ୍ୟୁମାନେ ମଧ୍ୟ । ମାତ୍ରାତିରିକ୍ତ ପାନୀୟ ସେବନ ଫଳରେ କାହାରି ଗତିରେ ସ୍ଥିରତା ନାହିଁ । ପାଦ ସମସ୍ତଙ୍କର ଟଳମଳ ହୋଇ ପଡ଼ୁଛି । ପାଟିରେ ଅସଂଲଗ୍ନ ଭାଷା । ସମସ୍ତେ ଖାଲି ଅଭ୍ୟସ୍ତ ବୋଲି ଗୋଟାଏ ହୋସ୍‌ରେ ଚାଲିଛନ୍ତି ଯେମିତି । ନ ହେଲେ ଆଖିପତା ଟେକି ଚାହିଁଲା ଭଳି ଶକ୍ତି ନାହିଁ କାହାର ସେତେବେଳେ ।

 

ଦସ୍ୟୁଦଳର ଏପରି ପରିସ୍ଥିତିର ସୁଯୋଗ ନେଇ ତାରଜନ୍ ଖୁବ୍ ସାହସର ସହିତ ନିଜକୁ ଗୋପନ ରଖି ସେମାନଙ୍କ ଭିତରେ ମିଶିଯାଇଥିଲା ଏବଂ ଅରିନ୍ଦମଙ୍କ ଦଳର ପ୍ରତ୍ୟେକଙ୍କୁ ବନ୍ଧନମୁକ୍ତ କରିଦେଇଥିଲା ।

 

ମିଷ୍ଟର ସିଂ ପାଖେଇ ଆସି ଦେଖିଲେ—ଅବସ୍ଥା ସାଂଘାତିକ; ପାଖକୁ ଗଲେ ନିସ୍ତାର ନାହିଁ । ଟିକିଏ ଛଡ଼ାରେ ହେଲେବି ଗୋଟାଏ ଅନ୍ଧାରୁଆ ସ୍ଥାନରେ ଠିଆ ହୋଇ ରାଇଫଲ୍ ଉଠାଇଲେ ସେ ଅରିନ୍ଦମଙ୍କ ଛାତିକୁ ଲକ୍ଷ୍ୟ କରି । ସମସ୍ତଙ୍କ ଦୃଷ୍ଟିକୁ ସେ ଏଡ଼ିଦେଇ ପାରିଥିଲେ ସୁଦ୍ଧା ତାରଜନ୍ ତାଙ୍କୁ ଦେଖିନେଇଥିଲା । ସେ ଦସ୍ୟୁଦଳ ଗହଣରୁ ବାହାରିଯାଇ ମିଷ୍ଟର ସିଂଙ୍କ ଖୁବ୍ ପାଖରେ ଥାଇ ତାଙ୍କୁ ଲକ୍ଷ୍ୟ କରି ନିଜ ରାଇଫଲ୍ ଉଠାଇଲା ।

 

ମିଷ୍ଟର ସିଂ ଗୁଳି କରିବାର ଠିକ୍ ପୂର୍ବ ମୁହୂର୍ତ୍ତରେ ତାରଜନ୍‍ର ରାଇଫଲ୍ ଝଲକାଏ ନିଆଁ ଉଦ୍‌ଗାର କରି ଗର୍ଜିଉଠିଲା । ମିଷ୍ଟର ସିଂଙ୍କ ହାତରୁ ରାଇଫଲ୍‌ଟା ଛିଟିକିଯାଇ ଖଣ୍ଡେ ଦୂରରେ ପଡ଼ିଲା । ସେ ଯନ୍ତ୍ରଣାରେ ଚିତ୍କାର କରି ବାହୁକୁ ଚାପିଧରି ବସିପଡ଼ିଲେ ତଳେ । ତା’ ପରେ ପରେ ପର୍ବତର କନ୍ଦର ପ୍ରତିଧ୍ଵନିତ କରି ‘ଗୁଡ଼ୁମ୍’ ‘ଗୁଡ଼ୁମ୍’ ଶବ୍ଦରେ ଗର୍ଜିଉଠିଲା ରାଇଫଲ୍‍ମାନ । ଗଛ କାଟିଲାପରି କେତେଟା ଦସ୍ୟୁ ବିକଟ ଚିତ୍କାର କରି ତଳେ ପଡ଼ିଗଲେ ।

 

ହତବୁଦ୍ଧି ଦସ୍ୟୁଦଳ ଗୁଳି କେଉଁଠାରୁ ଆସୁଛି ଏବଂ ଘଟନାଟା କ’ଣ ଜାଣିବାପାଇଁ ଚେଷ୍ଟା କରିବା ଭିତରେ ଯେଉଁ ଅଳ୍ପ ସମୟ ଟିକକ ସ୍ଥିର ରହିଗଲେ, ସେହି ସମୟ ଭିତରେ ଅରିନ୍ଦମ ଛୋଟରାୟଙ୍କ ଲୋକମାନେ ନିଜ ନିଜର ଅସ୍ତ୍ର ଅକ୍ତିଆର କରି ନେଇଥିଲେ । ପୁଣି ଥରେ ଅଲକ୍ଷ୍ୟ ସ୍ଥାନରୁ ରାଇଫଲ୍‍ଗୁଡ଼ା ଗର୍ଜି ଉଠିଲା । ପୁଣି କେତେ ଗୁଡ଼ାଏ ଦସ୍ୟୁ ଟଳିପଡ଼ିଲେ । ସେମାନଙ୍କର ମୃତ୍ୟୁକାଳୀନ ଯନ୍ତ୍ରଣାସୂଚକ ଚିତ୍କାରରେ ପର୍ବତର ସେଇ ବିରାଟ ସମତଳ ସ୍ଥାନଟା ଥରି ଉଠୁଥିଲା ।

 

“ଜୀବନକୁ ଆଶା ଥିଲେ ନିଜ ନିଜର ହତିଆର ତଳେ ଥୋଇ ଦେଇ ଉପରକୁ ହାତ ଉଠାଅ ।” –ଉପରୁ ଗମ୍ଭୀର ସ୍ଵରରେ ଡାକି କହିଲେ ରାଜାସାହେବ ।

 

ଆଦେଶ ପାଳନ କରିବା ବ୍ୟତୀତ ଅନ୍ୟ ଉପାୟ ନଥିଲା ସେମାନଙ୍କ ପକ୍ଷରେ ।

 

ରାଜାସାହେବଙ୍କ ଲୋକମାନେ ଧାଇଁଆସି ଦୃଢ଼ ଭାବରେ ବାନ୍ଧି ପକାଇଲେ ଦସ୍ୟୁଗୁଡ଼ାଙ୍କୁ । କିନ୍ତୁ ମିଷ୍ଟର ସୁଦୀପ ନାରାୟଣ ସିଂ ? ସେ ତ ଅଦୃଶ୍ୟ ହୋଇଯାଇଛନ୍ତି ୟା ମଧ୍ୟରେ ! ଚଣ୍ଡୁରାମ ମଧ୍ୟ ।

 

ଦେଖ, ଦେଖ, ଖୋଜ, ଖୋଜ ବୋଲି ଏକାବେଳକେ ପଚାଶଟା ମଶାଲ ପ୍ରସ୍ତୁତ ହୋଇଗଲା ତତ୍‌କ୍ଷଣାତ ।

 

ଠିକ୍ ଏତିକିବେଳେ ତାରଜନ୍ ମିଷ୍ଟର ସିଂଙ୍କ ଚୁଟି ଧରି ଘୋଷାରି ଘୋଷାରି ଆଣି କଚାଡ଼ିଦେଲା ସେଠି । ରାଇଫଲ୍ ଗୁଳିରେ ମିଷ୍ଟର ସିଂ ରକ୍ତାକ୍ତ । ତଥାପି ପଳାୟନର ସୂକ୍ଷ୍ମ ପନ୍ଥା ଅବଲମ୍ବନ ଆଘାତରେ କରିବାକୁ ଟିକିଏ ହେଲେ ପଶ୍ଚାତ୍‌ପଦ ହୋଇ ନଥିଲେ ସେ ।

 

ମିଷ୍ଟର ସିଂଙ୍କୁ ସଙ୍ଗେ ସଙ୍ଗେ ଦୃଢ଼ଭାବରେ ପଛଆଡ଼ୁଆ କରି ବାନ୍ଧି ଦିଆଗଲା । ତାଙ୍କ ଆଗରେ ଅରିନ୍ଦମ ଛୋଟରାୟ, ରାଜା ପ୍ରବୀରଚନ୍ଦ୍ର ଏବଂ ରୂପନାରାୟଣ ପ୍ରଭୃତିଙ୍କୁ ଦେଖି ଲଜ୍ଜାରେ ମୁହଁ ଟେକି ପାରୁ ନଥିଲେ ସେ ।

 

ତାରଜନ୍ ଆଗେଇଯାଇ ମିଷ୍ଟର ସିଂଙ୍କ ମୁହଁକୁ ଟିକିଏ ସିଧା କରିଦେଇ କହିଲା—“ଚିହ୍ନି ପାରୁଛ ମିଷ୍ଟର ସିଂ, ଦୀର୍ଘ ଦିନ ତଳର ସେଇ ଅସହାୟ ବାଳକକୁ ? ମନେ ପଡ଼ୁଛିକି ରୁପାଖଣିର ଇଞ୍ଜିନିୟରଙ୍କ କଥା ? ମୁଁ ସେଇ ଇଞ୍ଜିନିୟରଙ୍କ ପୁତ୍ର ତାରଜନ୍ । ଏ ନିବିଡ଼ ଜଙ୍ଗଲରେ ବଣର ପଶୁପରି ବଞ୍ଚିରହିଛି କେବଳ ପ୍ରତିଶୋଧ ପାଇଁ । ଆଜି ମୋର ପ୍ରତିଜ୍ଞା ପୂରଣ ହୋଇଛି । ଉପଯୁକ୍ତ ବିଚାରରେ ତୋର ପ୍ରାଣଦଣ୍ଡ ହେଲେ ମୁଁ ଶାନ୍ତି ପାଇବି ।”

 

ମିଷ୍ଟର ସିଂଙ୍କ ମନରେ ଅତୀତର ଛପିଲା କଥାଗୁଡ଼ା ଛବି ପରି ନାଚିଯାଉଥିଲା । ଲଜ୍ଜା ଏବଂ ଅନୁତାପରେ ତାଙ୍କର ଅନ୍ତର ଦଗ୍‌ଧ ହୋଇଯାଉଥିଲା ଯେମିତି ।

 

ରୂପନାରାୟଣବାବୁ ଆଉ ଅରିନ୍ଦମ ଛୋଟରାୟ ଚଣ୍ଡୁରାମକୁ ଖୋଜିବାରେ ଲାଗିପଡ଼ିଲେ । ସେଇ ହେଉଛି ସବୁର ମୂଳ । ତାକୁ ଛାଡ଼ିଦେଲେ ସେ ପୁଣି ଗୋଟାଏ ଦୁର୍ଦ୍ଧର୍ଷ ଦଳ ସହଜରେ ଗଠନ କରିପାରିବ । ଜୀବନ୍ତ ବା ମୃତ, ଯେପରି ହେଉ ତାକୁ ହାତକୁ ଆଣିବାକୁ ହେବ ନିଶ୍ଚୟ ।

 

ହଠାତ ଗୋଟିଏ ଭୀଷଣ ଗର୍ଜନରେ ସମସ୍ତେ ଚମକି ପଡ଼ିଲେ । ଏପରି ଉତ୍କଟ ଗର୍ଜନ କେହି ଶୁଣିନାହାନ୍ତି ପୂର୍ବରୁ । ଶବ୍ଦଟା କେଉଁ ବିଚିତ୍ର ଜୀବର ହୋଇପାରେ, ତାହା ଚିନ୍ତା କରି ସମସ୍ତଙ୍କର ହୃତ୍‌କମ୍ପ ଜାତ ହେଲା । ଶବ୍ଦଟା ଖୁବ୍ ପାଖରେ ଶୁଣାଯାଉଥିଲା ମଧ୍ୟ ।

 

ଶବ୍ଦର ଅର୍ଥ ତାରଜନ୍ ବୁଝିଲା । ସେ ଏକ ଅଦ୍ଭୁତ ପ୍ରକାର ଚିତ୍କାର କରିଉଠିଲା । ତା’ର ପ୍ରାୟ ଅଧମିନିଟିକ ମଧ୍ୟରେ ପ୍ରକାଣ୍ଡ ଗୋଟାଏ ଗରିଲା ପହଞ୍ଚିଗଲା ସେଠି । ପିଠି ଉପରେ ତା’ର ମୁମୂର୍ଷୁ ଅବସ୍ଥାରେ ପଡ଼ିଥିଲା ଦସ୍ୟୁ ସର୍ଦ୍ଦାର ଚଣ୍ଡୁରାମର ରକ୍ତାକ୍ତ ଦେହ । ସମସ୍ତେ ଦେଖିଲେ—ସେ ସୁଲତାନ; ପଳାତକ ଚଣ୍ଡୁରାମ ସହିତ ଯୁଦ୍ଧ କରି ତାକୁ ରକ୍ତାକ୍ତ ଏବଂ ବନ୍ଦୀ କରିଛି । ତାରଜନ୍ ସୁଲତାନକୁ ଶାନ୍ତ କରିବାପାଇଁ ତା’ର ପିଠି ଆଉଁଶିଲା । ସୁଲତାନ ମଧ୍ୟ ସୁବୋଧ ପଶୁଟି ପରି ଠିଆହୋଇ ରହିଲା ତାରଜନ୍ ପାଖରେ ।

 

ରାତି ପାହି ଆସିଲାଣି ସେତେବେଳକୁ ।

 

ସମୁଦାୟ ଦସ୍ୟୁଦଳକୁ କଡ଼ା ପହରା ଭିତରେ ତାରଜନ୍‍ର ରହିବା ସ୍ଥାନକୁ ନେଉଥିଲେ ରାଜାସାହେବ । ପଥପ୍ରଦର୍ଶକ ଥିଲା ସୁଲତାନ । ଗରିଲାଟାର ଅଦ୍ଭୁତ କରାମତି ସମସ୍ତଙ୍କୁ ମୁଗ୍ଧ ଏବଂ ବିସ୍ମିତ କରିଥିଲା ।

 

ବାଟରେ ନାନା ଖୁସି ଗପ ଭିତରେ ରାଜାସାହେବ ତାରଜନ୍ କାନ୍ଧରେ ହାତ ପକାଇ କହିଲେ—“ମୋର ଗୋଟାଏ କଥା ତୁମକୁ ମାନିବାକୁ ହେବ, ତାରଜନ୍ ! ତୁମକୁ ଆଉ ଏ ନିବିଡ଼ ଜଙ୍ଗଲରେ ରହିବାକୁ ମୁଁ ଦେବି ନାହିଁ । ତୁମେ ରହିବ ମୋ ପ୍ରାସାଦରେ; ସୁଲତାନ ମଧ୍ୟ ।”

 

ତାହା ଶୁଣି ତାରଜନ୍ ହସି ହସି କହିଲା—“ଆଦେଶ ଅବଶ୍ୟ ପାଳନ କରିବି । କାରଣ ଆପଣ ମହାରାଜ ।”

 

ରାଜାସାହେବ ତାରଜନ୍‍କୁ କୁଣ୍ଢେଇ ଧରି କହିଲେ—“ଆରେ, ନା, ନା, ମୁଁ ସିନା ମହାରାଜ; କିନ୍ତୁ ତୁମେ ତ ଜଙ୍ଗଲର ସମ୍ରାଟ ।” ସମସ୍ତେ ହସି ଉଠିଲେ ଏକଥା ଶୁଣି ।

Image